କରୋନା ମହାମାରୀ ଆମ ସମଗ୍ର ଜୀବନର ସବୁ ବିଭାଗକୁ ଗଭୀର ଭାବେ ପ୍ରଭାବିତ କରିଛି। କରୋନା ସଂକ୍ରମଣର ଭୟ ସାଙ୍ଗକୁ ସତୁରୀ ଦିନରୁ ଅଧିକ ସମୟର ଲକ୍‌ଡାଉନ୍ ଆମର ସାମାଜିକ ଓ ଅର୍ଥନୈତିକ ଜୀବନକୁ ଏକରକମ ବିପର୍ଯ୍ୟସ୍ତ କରି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାଜିକ ପ୍ରାଣୀ ମଣିଷ ସଂଗରୋଧର ଚାପରେ କରମର୍ଦନ ନକରି କର ଯୋଡ଼ିବାକୁ ବାଧ୍ୟ ହେଉଛି। ମହାମାରୀର ପ୍ରକୋପ ଏବଂ ପ୍ରଭାବ ଆମର ଅନେକ ଅପକାର କରିଥିଲେ ମଧ୍ୟ ଆମ ବିଚାରରେ ଗୋଟିଏ ଦୁଇଟି ଉପକାର ମଧ୍ୟ କରିଛି। ମଣିଷ ନିଜ ଚରିତ୍ରକୁ ନୂଆ ରୂପରେ ଆବିଷ୍କାର କରି ବୁଝିବା ପାଇଁ ସୁଯୋଗ ପାଇଛି। ସେହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ତାହାର ସମାଧାନ ସଂପର୍କିତ ଯୁକ୍ତିଯୁକ୍ତ ତଥ୍ୟ ଓ କଥା ଯାହା ପୂର୍ବରୁ ଆମ ଆଖିକୁ ଦେଖାଯାଉ ନଥିଲା କିମ୍ବା ମୁଣ୍ଡରେ ପଶୁ ନଥିଲା, ତାହା ଏବେ ପରିଷ୍କାର ଦେଖାଯାଉଛି ଓ ମନକୁ ଆସୁଛି।

Advertisment

ଆଜି ଏ ଦୃଷ୍ଟିରୁ ଦୁଇଟି ପ୍ରସଙ୍ଗ ଉପରେ ବିଚାର କରିବା। ପ୍ରଥମଟି ହେଲା କରୋନା ମହାମାରୀ ଆମର ଉଭୟ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଥିଲେ ମଧ୍ୟ ଜୀବନ ବଡ଼ ନା ଜୀବିକା ବଡ଼, ଏହି ପ୍ରଶ୍ନକୁ ହୁଏତ ଆମେ ଠିକ ଭାବରେ ମୁକାବିଲା କରିପାରିଲେ ନାହିଁ। ଅର୍ଥାତ୍ ଜୀବନ ବଞ୍ଚାଇବାକୁ ଯାଇ ଆମେ ଜୀବିକାକୁ ଜାଣିଶୁଣି ମାରିଦେଲେ। ଲାଭ କ୍ଷତିର ବିଚାରରେ ଆମ୍ଭେ ସମ୍ଭବତଃ ଅଧିକ କ୍ଷତି ସହିବାକୁ ଯାଉଛନ୍ତି। ଏ ସଂପର୍କରେ ପ୍ରଖ୍ୟାତ ଯାତ୍ରା କଳାକାରଙ୍କ ଗତକାଲିର ସଂଳାପ ମନକୁ ଆସୁଛି। ଓଡ଼ିଶାର ଯାତ୍ରା ଅନୁଷ୍ଠାନଗୁଡ଼ିକ ମଧ୍ୟ କରୋନା ପ୍ରକୋପରୁ ବାଦ ପଡ଼ିନାହାନ୍ତି। ମାର୍ଚ୍ଚ ୧୫ ତାରିଖରୁ ସଂଗରୋଧ ଯୋଗୁଁ ଅନ୍ୟମାନଙ୍କ ଭଳି ଯାତ୍ରା ଶିଳ୍ପ ମଧ୍ୟ ବନ୍ଦ ହୋଇଯାଇଛି। ଏଠାରେ ଉଲ୍ଲେଖନୀୟ ଯେ ମାର୍ଚ୍ଚ ମାସରୁ ଜୁନ୍‌ ରଜ ଉତ୍ସବ ପର୍ଯ୍ୟନ୍ତ ଯାତ୍ରା ଶିଳ୍ପର ସବୁଠାରୁ ଭଲ ରୋଜଗାରର ସମୟ। ଆମ ମ‌େନାରଞ୍ଜନ ଶିଳ୍ପର ଉପାର୍ଜନର ସିଂହଭାଗ ଓଡ଼ିଶାର ଯାତ୍ରା ଅନୁଷ୍ଠାନମାନେ ଯୋଗାଇଥାନ୍ତି। ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ କଳାକାର ଓ କର୍ମଚାରୀଙ୍କର ଜୀବିକା ଯାତ୍ରା ଅନୁଷ୍ଠାନ ଉପରେ ନିର୍ଭରଶୀଳ। ଏହି ଓଡ଼ିଆ ଯାତ୍ରା ଜଗତର ଅଦ୍ବିତୀୟ ଖଳନାୟକ ଦୈତ୍ୟାରି ପଣ୍ଡାଙ୍କର ଗତକାଲିର ସଂଳାପ ବିଶେଷ ଉ‌େଲ୍ଲଖର ଅପେକ୍ଷା ରଖୁଛି। ଦୈତ୍ୟାରି ପଣ୍ଡାଙ୍କୁ ଓଡ଼ିଶାରେ କିଏ ବା ନ ଜାଣେ। ସେ ଜଣେ ସାଧାରଣ କଳାକାର ନୁହନ୍ତି, ଯାତ୍ରା ଶିଳ୍ପର ସେ ସବୁଠାରୁ ଦାମୀ କଳାକାର। କୁହାଯାଏ, ତାଙ୍କର ବାର୍ଷିକ ଚୁକ୍ତିର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ। ତାଙ୍କର ସଂଳାପଗୁଡ଼ିକ ହିନ୍ଦୀ ସିନେମାର ଗବ୍ବର ସିଂଙ୍କ ସଂଳାପ ଭଳି ଯାତ୍ରାପ୍ରେମୀ ଯୁବକମାନେ ଘରେ ଘରେ ଆବୃତ୍ତି କରିଥାନ୍ତି। କିନ୍ତୁ ଗତକାଲି କନକ ନ୍ୟୁଜ୍‌ରେ ଦୈତ୍ୟାରି ପଣ୍ଡାଙ୍କ ସଂଳାପ ଭିନ୍ନ ସ୍ୱାଦର ଥିଲା। ନାଟକର ନାୟକକୁ ସବୁବେଳେ ସମ୍ମୁଖ ଲଢ଼େଇର ଆହ୍ୱାନ ଦେଇ ମୃତ୍ୟୁର ଘଣ୍ଟି ବଜାଉ ଥିବା ଖଳନାୟକ ଆଜି ନିଜ ପେଟ ଚାଖଣ୍ଡକ ପାଇଁ କାକୁତିମିନତି ହେଉଥିବାର ଦୃଶ୍ୟ ଅନେକଙ୍କୁ ଆମୋଦିତ କରିଥିବ। କଥା ପ୍ରସଙ୍ଗରେ ସରକାର ଯାତ୍ରା ଶିଳ୍ପର ପୁନରୁଦ୍ଧାର ପାଇଁ ଯଦି କିଛି ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ତାଙ୍କ ପତ୍ନୀ ଓ ସେ କାଳେ ଧୂପକାଠି ନିର୍ମାଣର ଛୋଟ ବ୍ୟବସାୟଟିଏ ଆରମ୍ଭ କରିବେ ବୋଲି ଯୋଜନା କରୁଛନ୍ତି। କରୋନା କିପରି ଆମ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛି ତାହା ଯାତ୍ରା ଶିଳ୍ପର ଅବସ୍ଥାରୁ ସହଜରେ ଅନୁମାନ କରିହେବ। ଯଦି ଦୈତ୍ୟାରି ପଣ୍ଡାଙ୍କର ଆଜି ଏ ଅବସ୍ଥା ତା ହେଲେ ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କ ଭଳିଲୋକଙ୍କ ଅବସ୍ଥା କଣ ହୋଇଥିବ? ସାଧାରଣ ଗରିବ ଲୋକର କଥା କିଏ ପଚାରେ। ଜୀବନ ବଞ୍ଚାଇବାକୁ ଯାଇ ଜୀବିକାକୁ ମାରିଦେଲେ କି ବୋଲି ଆତ୍ମଗ୍ଳାନିର ସ୍ୱାଭାବିକ ପ୍ରଶ୍ନ ଆଜି ମନକୁ ଆନ୍ଦୋଳିତ କରୁଛି।

ଦ୍ୱିତୀୟ ପ୍ରସଙ୍ଗଟି ହେଲା ମଦ ଦୋକାନ ଖୋଲିବା ନା ବନ୍ଦ ରଖିବାର ପ୍ରଶ୍ନକୁ ନେଇ ସରକାରଙ୍କ ଅଡ଼ୁଆ ସ୍ଥିତି। ସରକାରମାନେ ମଦର ନିଷେଧ ପାଇଁ କୌଣସି ଆନ୍ଦୋଳନ ବା ଦାବିକୁ ସ୍ୱାଭାବିକ ଭାବେ ଗ୍ରହଣ କରିପାରନ୍ତି ନାହିଁ। ନିଶା ନିବାରଣ ବିରୋଧରେ ସରକାରଙ୍କର ଅନେକ ବଳିଷ୍ଠ ଯୁକ୍ତି ଅଛି। ସମ୍ପୂର୍ଣ୍ଣ ନିଶା ନିବାରଣ ଆଦୌ ସମ୍ଭବ ନୁହେଁ। ରାମାୟଣ, ମହାଭାରତ ଯୁଗରୁ ନିଶା କାରବାର ଚାଲୁ ରହିଥିବାର ନଜିର ଅଛି। ସଂପୂର୍ଣ୍ଣ ନିଶା ନିବାରଣ ନିଷ୍ପତ୍ତି ନେଲେ ତାକୁ କାର୍ଯ୍ୟକାରୀ କରିବା ଆଦୌ ସମ୍ଭବ ହେବ ନାହିଁ। ଏହା ଅଯଥାରେ ମଦର ଚୋରା କାରବାରକୁ ଉତ୍ସାହିତ କରିବ। ମଦ ବିକ୍ରିରୁ ମିଳୁଥିବା ରାଜସ୍ୱକୁ ଓଲଟା ଚୋରା ବେପାରୀଙ୍କ ହାତରେ ଟେକି ଦେଲା ଭଳି ହେବ। ମଦ ବେପାରୀ ଓ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟ ନାନାଦି ସାମାଜିକ ସମସ୍ୟାର କାରଣ ହେବ। ମଦ ମୃତ୍ୟୁଜନିତ ଘଟଣାଗୁଡ଼ିକ ଅଧିକରୁ ଅଧିକ ଘଟିବ। ବରଂ ମଦ ଉପରେ ଅଧିକ ଟିକସ ଲାଗୁ କରି ଏହାକୁ ନିରୁତ୍ସାହିତ କରିବା ପାଇଁ ଉଦ୍ୟମ କଲେ ତାହାର ପ୍ରସାର ଉପରେ ଅଙ୍କୁଶ ଲାଗିବ। ସରକାରଙ୍କୁ ଯାବତୀୟ ଜନହିତକର କାର୍ଯ୍ୟ ପାଇଁ ରାଜସ୍ୱ ମିଳିବ।

ସେହିପରି ନିଶା ନିବାରଣ ପାଇଁ ଦାବି କରୁଥିବା ଆନ୍ଦୋଳନକାରୀଙ୍କର ମଧ୍ୟ ତାଙ୍କ ସପକ୍ଷରେ ଥିବା ଯୁକ୍ତି କମ ବଳିଷ୍ଠ ନୁହେଁ। ସରକାର ଯେଉଁ ରାଜସ୍ୱ ପାଇଁ ସମ୍ପୂର୍ଣ୍ଣ ନିବାରଣର ନିଷ୍ପତ୍ତି ନେବା‌େର ସଂକୋଚ କରୁଛନ୍ତି ତାହା ଆଦୌ ତଥ୍ୟାଶ୍ରିତ ନୁହେଁ। ଗତବର୍ଷ ମଦ ବିକ୍ରି ଯୋଗୁଁ ସରକାର ପ୍ରାୟ ଚାରି ହଜାର କୋଟିର ରାଜସ୍ୱ ଆଦାୟ କରିଥିଲେ। ଏବର୍ଷ ପାଞ୍ଚ ହଜାର କୋଟିରୁ ଅଧିକ ରାଜସ୍ୱ ଆଦାୟ କରିବାର ଲକ୍ଷ୍ୟ ରଖିଛନ୍ତି। ଏହା ସମ୍ଭବ ହେବ ବୋଲି ବର୍ତ୍ତମାନ କେହି ବିଶ୍ୱାସ କରୁନାହାନ୍ତି। ତେବେ ପାଞ୍ଚ ହଜାର କୋଟି ରାଜସ୍ୱ ଆଦାୟ ହୋଇପାରିଲେ ମଧ୍ୟ ଦେଢ଼ ଲକ୍ଷ କୋଟିର ବଜେଟ୍ ମଧ୍ୟରେ ପାଞ୍ଚ ହଜାର କୋଟି ପାଇଁ ଏପରି ଏକ ମୌଳିକ ସମସ୍ୟାକୁ ନେଇ ସରକାରଙ୍କର କଠୋର ନିଷ୍ପତ୍ତି ନେବାରେ ସଂକୋଚ ପୁରୁଷକାରର ଲକ୍ଷଣ ନୁହେଁ। ଆନ୍ଦୋଳନକାରୀମାନଙ୍କର ଯୁକ୍ତି ହେଲା ନିଶାନିବାରଣ ଫଳରେ ଯେଉଁ ଉପକାର ଆମ ସମାଜର ହେବ, ତାହାର ପ୍ରକୃତ ମୂଲ୍ୟାୟନ କଲେ ତାହା ପାଞ୍ଚ ହଜାର କୋଟିରୁ ବହୁଗୁଣ ଅଧିକ ହେବ। ଏହା କିନ୍ତୁ ଖାଲି ଆଖିକୁ ଦେଖାଯାଉ ନାହିଁ କି ସାଧାରଣ ମସ୍ତିଷ୍କକୁ ଏ ହିସାବ ବୁଝାପଡ଼ୁ ନାହିଁ। ଭଗବାନ ଶ୍ରୀକୃଷ୍ଣ ଲହୁଣୀ ଚୋରିର କଥାରୁ ପାଟି ଖୋଲି ମା’ ଯଶୋଦାଙ୍କୁ ବିଶ୍ବରୂପ ଦେଖାଇବା ପରି କରୋନା ମହାମାରୀ ଏମାନଙ୍କୁ ଏହା ବୁଝାଇ ପାରିଥିବ ବୋଲି ଆମେ ଆଶା କରୁ। ଗୋଟିଏ ପରିସଂଖ୍ୟାନରୁ ଜଣା ପଡ଼ିଛି ଯେ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟ ୫୪ ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନି ଘଟିଥିଲା। ଅନ୍ୟ ଏକ ସରକାରୀ ପରିସଂଖ୍ୟାନ କହୁଛି ଅନ୍ୟୂନ ୬୦ ପ୍ରତିଶତ ଦୁର୍ଘଟଣାର କାରଣ ହେଉଛି ନିଶାଜନିତ। ଅର୍ଥାତ ୩୨ ହଜାରରୁ ଅଧିକ ଳୋକଙ୍କର ମୃତ୍ୟୁ ସଡ଼କ ଦୁର୍ଘଟଣାରୁ ଘଟିଛି। ସେହିପରି ଆମରାଜ୍ୟର ୮୨ ଭାଗ ଅପରାଧୀ ନିଶାସକ୍ତ ବୋଲି ଅନ୍ୟ ଏକ ପରିସଂଖ୍ୟାନ କହୁଛି। ସେପ୍ଟେମ୍ବର ୧ ତାରିଖରେ ଲାଗୁ ‌େହାଇଥିବା ଓଡ଼ିଶା ମୋଟର ଯାନ ଆଇନ ପରର ଦୃଶ୍ୟପଟ ଏଭଳି ପରିସଂଖ୍ୟାନକୁ ପ୍ରମାଣିତ କଲାଭଳି ସୂଚନା ଦେଉଛି। ଏ ଆଇନ ଲାଗୁ ହେବା ପରେ ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା ଶତକଡ଼ା ୯ ଭାଗ କମି ଯାଇଛି। ଠିକ୍‌ ସେହିପରି କରୋନା ଜନିତ ଲକ୍‌ଡାଉନ୍‌ ଫଳରେ ସାରା ଦେଶରେ ମଦ୍ୟପାନ ଜନିତ ଦୁର୍ଘଟଣାର ସଂଖ୍ୟା ଉ‌ଲ୍ଲେଖନୀୟ ଭାବେ କମି ଯାଇଛି। ପୁଣି ଲକ୍‌ଡାଉନ ସମୟରେ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଆନୁପାତିକଭାବେ କମିଛି। ଡାକ୍ତରଖାନାର ଖଟିଆମାନଙ୍କ ଉପରେ ଚାପ ଅନେକ ପରିମାଣରେ କମିଯାଇଛି। ଯେଉଁମାନେ ବେସରକାରୀ ଚିକିତ୍ସାଳୟ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ତ ନିଶ୍ଚିତ ଭାବେ ଜଣାଥିବ ଏଭଳି ଏକ ହସ୍‌ପିଟାଲରେ ଖଟିଆ ପିଛା କେତେ ଖର୍ଚ୍ଚ କରିବାକୁ ପଡ଼େ। ସରକାର ତ ଏବେ ଅନେକ ଗୁଡ଼ିଏ କୋଭିଡ଼୍ ହସ୍ପିଟାଲର ବ୍ୟବସ୍ଥା କରିଛନ୍ତି। ସେଥିରେ କେତେ ଅର୍ଥ ଶ୍ରାଦ୍ଧ କରୁଛନ୍ତି, ତାହା ତାଙ୍କୁ ଅଜଣା ନଥିବ।

ତେଣୁ ନିଶା ନିବାରଣ ଯୋଗୁଁ କେବଳ ଯଦି ମଦ୍ୟପାନଜନିତ ଦୁର୍ଘଟଣାର ହାର କମିବ ଏବଂ ଏହା ଫଳରେ ଚିକିତ୍ସାଳୟମାନଙ୍କ ଉପରେ ଚାପ ଯେପରି କମିବ, କେବଳ ତାକୁ ହିସାବ କଲେ ପାଞ୍ଚ ହଜାର କୋଟି ଟଙ୍କାର ରାଜସ୍ବ ଫିକା ପଡ଼ିଯିବ। କଥାରେ ଅଛି ଟଙ୍କାଟିଏ ରୋଜଗାର କରିବା ଅପେକ୍ଷା ଟଙ୍କାଟିଏକୁ ଅପବ୍ୟୟରୁ ବଞ୍ଚେଇବା ଅଧିକ ଶ୍ରେୟସ୍କର। ନିଶା ନିବାରଣର ଅନ୍ୟ ସାମାଜିକ ଉପକାର ଦିଗ ପ୍ରତି ଆମେ ବର୍ତ୍ତମାନ ଆଲୋଚନା କରୁନାହୁଁ। କେବଳ ନିଷ୍ପତ୍ତିର ଲାଭ କ୍ଷତିର ବିଚାର ମାତ୍ର କରୁଛୁ।