କରୋନା ମହାମାରୀ ପ୍ରଭାବରେ ସବୁକିଛି ବଦଳି ଗଲାଭଳି ଲାଗୁଛି। ଗତକାଲି ଯାହା ଅବାସ୍ତବ ବା ଅବାନ୍ତର ମନେ ହେଉଥିଲା ଆଜି ତାହାକୁ ଗ୍ରହଣ କରିନେବା ପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ ହେଲାଣି। ଯେପରି ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିଲେ ମଧ୍ୟ ସାମାଜିକ ଦୂରତା ଆଜି ମୂଳମନ୍ତ୍ର ହୋଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଧିକରୁ ଅଧିକ ଲୋକ ଏକାଠି ହୋଇ ବହୁ ମତରେ ନିଷ୍ପତ୍ତି ନିଆଯାଏ। ବହୁ ଲୋକଙ୍କର ସମାଗମ ଆଜି ଦଣ୍ଡନୀୟ ଅପରାଧ। ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଜେଟର ମୂଳମନ୍ତ୍ର (ନୋ ଟାକ୍ସେସନ୍ ଉଇଦାଉଟ୍ ରିପ୍ରେଜେଣ୍ଟେସନ୍) ର ଆଜି ଉଲ୍ଲଂଘନ ହୋଇଛି। ଅର୍ଥମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଟି.ଭି ମାଧ୍ୟମରେ ଘୋଷଣା କରିଛନ୍ତି। ଏହାକୁ କେହିକେହି ଅସ୍ୱାଭାବିକ ମନେକଲେ ମଧ୍ୟ ଆମ ବିଚାରରେ ଏଭଳି ଅସ୍ୱାଭାବିକତା ପଛରେ ନୂତନ ଆଲୋକ ଲୁଚିରହିଛି ବୋଲି ମନେହେଉଛି। ଏହି ନୂତନ ଆଲୋକ ଆମକୁ ଭବିଷ୍ୟତରେ ନୂଆ ଦୁନିଆ ଖୋଜିପାଇବାରେ ସାହାଯ୍ୟ କରିବ ବୋଲି ବିଶ୍ୱାସ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ବୈଜ୍ଞାନିକ ଏବଂ ଦାର୍ଶନିକ ଥୋମାସ୍ କୁହୁନଙ୍କର କଥା ମନକୁ ଆସୁଛି। ବିଜ୍ଞାନର କ୍ରମବିକାଶକୁ ଅନୁଶୀଳନ କରି ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ “ଷ୍ଟ୍ରକ୍ଚର ଅଫ୍ ସାଇଣ୍ଟିଫିକ୍ ରିଭୋଲ୍ୟୁସନ”ରେ ଲେଖିଥିଲେ ଯେ, ମଝିରେ ମଝିରେ ବହୁଦିନରୁ ଚଳିଆସୁଥିବା ଧାରଣା ବା ସିଦ୍ଧାନ୍ତରେ ଢାଞ୍ଚାଗତ ପରିବର୍ତ୍ତନ ଆସିବା ଫଳରେ ବିଜ୍ଞାନ ଆଗକୁ ବଢିବା ପାଇଁ ସୁଯୋଗ ପାଏ। ହଠାତ୍ ଏପରି ଢାଞ୍ଚାଗତ ପରିବର୍ତ୍ତନକୁ ସହଜରେ କେହି ଗ୍ରହଣ କରିପାରନ୍ତି ନାହିଁ। ହେଲେ ପରବର୍ତ୍ତୀ ସମୟରେ ତାହା ପୁଣି ମାର୍ଗଦର୍ଶିକା ସାଜି ବୈଜ୍ଞାନିକ ପ୍ରକିୟାକୁ ଆଗେଇନିଏ। ବହୁଦିନ ଧରି ମଣିଷ ବିଶ୍ୱାସ କରୁଥିଲା ଯେ ସୂର୍ଯ୍ୟ ଚଳମାନ ଏହଂ ପୃଥିବୀ ସ୍ଥିର। ପ୍ରଥମେ ଯେଉଁ ବ୍ୟକ୍ତି ଜଣକ ସୂର୍ଯ୍ୟ ସ୍ଥିର ଓ ତା ଚାରିପଟେ ପୃଥିବୀ ବୁଲୁଛି ବୋଲି କହିଲେ ତାଙ୍କୁ ରାଜା କେଉଁ ଦଣ୍ଡ ଦେଲେ ତାହା ସମସ୍ତଙ୍କୁ ଜଣା। ସୂର୍ଯ୍ୟ ସ୍ଥିର ହେବା କଥାଟି ଗ୍ରହଣୀୟ ହେବା ଫଳରେ ବିଜ୍ଞାନରେ କି ପ୍ରକାର ପ୍ରଗତି ବା ବିକାଶ ହୋଇଛି ତାହା ଆମ ସମସ୍ତଙ୍କୁ ଜଣା। ବିଜ୍ଞାନ ପରି ଆମରି ସାମାଜିକ ବ୍ୟବସ୍ଥା, ରାଜନୈତିକ ଅନୁଷ୍ଠାନ, ନାଗରିକ ସମାଜ ଏବଂ ଆଉ ସବୁକିଛି ଏହି ନିୟମର ଅଧୀନ। ଆମ ଗଣମାଧ୍ୟମ ଏଥିରୁ ବାଦ୍ ପଡ଼ିବ ବା କିପରି? କରୋନା ମହାମାରୀର ପ୍ରଭାବ ଗଣମାଧ୍ୟମ ସମ୍ପର୍କରେ ନୂଆକରି ଚିନ୍ତା କରିବାକୁ ଆମକୁ ବାଧ୍ୟ କରୁଛି।
ଗଣମାଧ୍ୟମର ଭୂମିକାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ମନ୍ତବ୍ୟ ଦେଇଥାନ୍ତି। ବ୍ୟକ୍ତିଗତ ଭାବେ ଅଧ୍ୟାପନା ବୃତ୍ତି ଛାଡ଼ି ଗଣମାଧ୍ୟମକୁ ନୂତନ ପେସା ଭାବେ ଗ୍ରହଣ କରିଥିବାରୁ ମୁଁ ଏ ସମ୍ପର୍କରେ ଅଧିକ ସଚେତନ ହୋଇପଡ଼ିଛି। ସ୍ୱାଭାବିକ ଭାବରେ ୩୫ ବର୍ଷ ତଳର କଥା ମନକୁ ଆସୁଛି। ଆମେ ସେତେବେଳେ ଗଣମାଧ୍ୟମକୁ ଶିଳ୍ପର ମାନ୍ୟତା ମିଳୁ ଓ ଅନ୍ୟାନ ଶିଳ୍ପ ଅନୁଷ୍ଠାନ ପରି ଜାନକୀ ବାବୁଙ୍କ ସରକାରରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଗଣମାଧ୍ୟମକୁ ମଧ୍ୟ ମିଳୁ ବୋଲି ଦାବି କରୁଥିଲୁ। କିନ୍ତୁ ଡ. ହରେକୃଷ୍ଣ ମହତାବ ସମ୍ବାଦପତ୍ରକୁ ଶିଳ୍ପର ମାନ୍ୟତା ଦେବା ଦାବିକୁ ପରିହାସ ଛଳରେ ସମାଲୋଚନା କରୁଥିଲେ। ଆମେସବୁ ଡ. ମହତାବଙ୍କର ଏପରି ସମାଲୋଚନାକୁ ଈର୍ଷା ବା ଅସୂୟାଜନିତ କହି ଖାତିର କରୁନଥିଲୁ। ଆଜି କିନ୍ତୁ ୩୫ ବର୍ଷ ପରେ ମୁଁ ବ୍ୟକ୍ତିଗତ ଭାବେ ମତ ପରିବର୍ତ୍ତନ କରିବାପାଇଁ ବାଧ୍ୟ ହେଉଛି। ଡ. ହରେକୃଷ୍ଣ ମହତାବଙ୍କ ମତକୁ ଶ୍ରଦ୍ଧା ଓ ସମ୍ମାନର ସହ ଗ୍ରହଣ କରୁଛି। ଦୀର୍ଘ ଅନୁଭବରୁ ଡ. ମହତାବ ସମ୍ଭବତଃ ଭାବୁଥିଲେ ଖବରକାଗଜଟିଏ ଏକ ଶିଳ୍ପ ଅନୁଷ୍ଠାନ ନହୋଇ ସେବା ଅନୁଷ୍ଠାନ ହୋଇ ରହିଲେ ଗଣତନ୍ତ୍ରରେ ତାହା ତାର ପ୍ରକୃତ ଭୂମିକା ନିର୍ବାହ କରିପାରିବ। ଶିଳ୍ପାନୁଷ୍ଠାନ ହେବା ଫଳରେ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ପରି ଏହା ଲାଭକ୍ଷତିର ବିଚାର କରିବ। ପୁଞ୍ଜି ବିନିଯୋଗ ଓ କାରିଗରୀ କୌଶଳ ଉପରେ ନିର୍ଭରଶୀଳ ହୋଇରହିବ। ଏଥିରେ କାମ କରୁଥିବା ଭାଇଭଉଣୀମାନେ ଶିଳ୍ପାନୁଷ୍ଠାନର ଶ୍ରମିକମାନଙ୍କ ପରି ଅପେକ୍ଷା ରଖିବେ। ବଜାର ଅର୍ଥନୀତିର ଉତ୍ଥାନ ପତନ ମଧ୍ୟରେ ଏହାକୁ ଗତି କରିବାକୁ ପଡ଼ିବ। ଖବରକାଗଜ ଶିଳ୍ପରେ ଯେଉଁମାନେ ସମ୍ପୃକ୍ତ ସେମାନେ ହେଲେ ଗ୍ରାହକ, ପାଠକ ଓ ବିଜ୍ଞାପନଦାତା। ଲକ୍ଷ୍ୟ କରାଯାଉଛି ଯେ ଗ୍ରାହକ ସବୁବେଳେ କମ୍ ମୂଲ୍ୟ ଦେବା ପାଇଁ ଆଗ୍ରହୀ। ଅଧିକ ପାଠକମାନଙ୍କ ପାଖରେ ପହଞ୍ଚିବା ପାଇଁ ବିଜ୍ଞାପନଦାତାମାନେ ଚାହାନ୍ତି। ତେଣୁ ଯେଉଁ ଖବରକାଗଜ ଯେତେ କମ୍ ଦାମରେ ବିକ୍ରିହେବ, ତାହା ସେତିକି ଅଧିକ ଗ୍ରାହକ ସଂଗ୍ରହ କରିପାରିବ। ଅଧିକ ଗ୍ରାହକ ହେଲେ ଅଧିକ ବିଜ୍ଞାପନ ମିଳିବାର ସମ୍ଭାବନା ବଢ଼ିବ। ଏଭଳି ଏକ ଗୋଲକ ଧନ୍ଦାରେ ଫସି ଖବରକାଗଜ ବ୍ୟବସାୟୀଟି ବିଜ୍ଞାପନଦାତାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ହୋଇପଡ଼ିଛି। ପାଠକ ବିଚରାଟିର କଥା ପଛକୁ ଚାଲିଯାଇଛି।
କେହିକେହି ଆମ ବ୍ୟବସ୍ଥାରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କହି ସମ୍ମାନ ଜଣାନ୍ତି। ଆମେ ମଧ୍ୟ ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଭଳି ତିନୋଟି ସ୍ତମ୍ଭ ସହିତ ନିଜକୁ ଚତୁର୍ଥ ସ୍ତମ୍ଭ ବୋଲି ଭାବି ଆହ୍ଲାଦିତ ହେଉ। ସ୍ୱାଭାବିକ ଭାବରେ ସରକାର ଏବଂ ନାଗରିକ ସମାଜଠାରୁ ଅନେକ କିଛି ଅପେକ୍ଷା ରଖୁ। ସେଥିରେ ସାମାନ୍ୟ ଅବହେଳା ହେଲେ ଗଣମାଧ୍ୟମର ଅସମ୍ମାନ ଓ ଉପେକ୍ଷା ହେଉଛି ବୋଲି ଓଲଟା ପ୍ରତିବାଦ କରିବାରେ ଆଦୌ ହେଳା କରୁନା। ଗଣମାଧ୍ୟମର ଅପେକ୍ଷାର ଚିଠା ବେଶ୍ ଲମ୍ବା। ଅନ୍ୟ ତିନୋଟି ସ୍ତମ୍ଭର ପ୍ରତିନିଧିଙ୍କ ପରି ଆମକୁ ମଧ୍ୟ ସେମାନଙ୍କ ଭଳି ସବୁ ସୁବିଧା ସୁଯୋଗ ଦରକାର। ଏପରିକି ସରକାରୀ ବସ୍ରେ ବିନା ଟିକେଟ୍ ଓ ଟୋଲ୍ ଗେଟରେ ବିନା ଶୁଳ୍କରେ ଆମକୁ ଯିବାର ଅଧିକାର ମିଳିବା ଉଚିତ ବୋଲି ଆମେ ମନେକରୁ। ଖବରକାଗଜ ଗୁଡ଼ିକୁ ବଞ୍ଚେଇ ରଖିବାପାଇଁ ସରକାର ସେମାନଙ୍କୁ ବିଜ୍ଞାପନ ଦେଇ ସହାୟ ହେବା ଉଚିତ୍। ଆମେ କେତେ ପରିମାଣରେ ସରକାରଙ୍କ ଉପରେ ନିର୍ଭରଶୀଳ ହୋଇଯାଇଛେ, ତାହା କରୋନା ମହାମାରୀ ଆମକୁ ଚେତେଇ ଦେଇଛି। କରୋନା ମହାମାରୀର ପ୍ରଭାବରେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ସରକାର ସବୁ ବର୍ଗଙ୍କୁ ଚେଙ୍ଗା କରିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଗଣମାଧ୍ୟମକୁ ବା କାହିଁକି ନ କରିବେ, ଏଭଳି ଅପେକ୍ଷା ରହୁଛି। ସରକାରଙ୍କୁ ମଧ୍ୟ ଏହା ସୁହାଉଛି। ବିଜ୍ଞାପନ ଉପରେ ନିର୍ଭରଶୀଳ ଖବରକାଗଜଟିକୁ ନିଜ ସପକ୍ଷରେ କରାଇବାର ଏହାଠାରୁ ଅଧିକ ଶସ୍ତା ଓ ସହଜ କୌଶଳ ଆଉ କ’ଣ ବା’ ହେଇପାରେ? କିନ୍ତୁ ଏହା ଯେ ଆମ ସମାଜର ହିତ ପାଇଁ ସମ୍ପୂର୍ଣ୍ଣ ଆତ୍ମଘାତୀ ହୋଇପାରେ ତାହା ଆମେ କେହି ହଠାତ୍ ବୁଝିପାରୁନାହୁଁ। ଆମ ବିଚାରରେ ଗଣମାଧ୍ୟମ ‘ଚତୁର୍ଥ ସ୍ତମ୍ଭ’ର ଦାବିକୁ ପରିହାର କରି ‘ତୃତୀୟ ନୟନ’ ହୋଇପାରିଲେ ସମସ୍ତଙ୍କର ମଙ୍ଗଳ ହେବ। ଏହା ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା, ସରକାରୀ ଓ ବିରୋଧୀଦଳ ସମସ୍ତଙ୍କ ପାଇଁ ସହାୟକ ଓ ଶୁଭଙ୍କର ହେବ।
ସରକାରଙ୍କର ସୁଶାସନ ପାଇଁ ସଠିକ ସୂଚନା ଦରକାର। ତାଙ୍କ ରାଜ୍ୟରେ ଶାସନ କିପରି ଚାଲିଛି ତାହା ଜାଣିବା ପାଇଁ ତାଙ୍କ ପାଖରେ ଦୁଇଟି ଆଖି ଅଛି। ଗୋଟେ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମାଡ଼ିିଯାଇଥିବା ପ୍ରଶାସନିକ କଳ ଓ ଅନ୍ୟଟି ତାଙ୍କର ଦଳ। ଅନେକ ସମୟରେ ପ୍ରଶାସକ ମାନେ ନିଜ ନିଜ ସ୍ୱାର୍ଥ ଦୃଷ୍ଟିରୁ ସଠିକ ସୂଚନା ଦିଅନ୍ତି ନାହିଁ ତ ରାଜନୈତିକ ଦଳର କର୍ମୀମାନେ ନେତାଙ୍କୁ ଖୁସି କରିବା ପାଇଁ ସବୁ ଠିକ୍ ଚାଲିଛି ବୋଲି କହିବୁଲିଥାନ୍ତି। ଅସଲ ସତ କଥାଟି ଶାସନମୁଖ୍ୟଙ୍କ ଆଖି କି କାନରେ ପଡ଼େନାହିଁ, କି ପାଖକୁ ଆସେ ନାହିଁ। ଏଭଳି ପରିସ୍ଥିତିରେ ଗଣମାଧ୍ୟମକୁ ଶାସନମୁଖ୍ୟଙ୍କ ପାଇଁ ତୃତୀୟ ନୟନର ଭୂମିକା ଗ୍ରହଣ କରିବାକୁ ପଡ଼େ। ସୁଶାସକମାନେ ସେଥିପାଇଁ ସମାଲୋଚନାକୁ ଅନ୍ୟ ଦୃଷ୍ଟିରୁ ବିଚାର ନ କରି ଶୁଭେଚ୍ଛୁଙ୍କର ପରାମର୍ଶ ବୋଲି ଭାବିବା ଉଚିତ। ସେଥିପାଇଁ ମହାପୁରୁଷ କହିଛନ୍ତି ନିନ୍ଦୁକ ମାନଙ୍କୁ ସବୁବେଳେ ଅତିଥି ଭାବେ ସତ୍କାର କରି ନିଜପାଖରେ ରଖିବ। ସେମାନେ ବିନା ପାଣି ଆଉ ସାବୁନରେ ତୁମ ଚରିତ୍ରକୁ ସଫା ରଖିବେ। ପାଠକମାନେ ମଧ୍ୟ ଗଣମାଧ୍ୟମ ପ୍ରତି ତାଙ୍କ ବିଚାରରେ ପରିବର୍ତ୍ତନ ଆଣିବା ଦରକାର। ଗଣମାଧ୍ୟମ ତାଙ୍କୁ ସେବା ଦେଉଥିବା ଗୋଟିଏ ଅନୁଷ୍ଠାନ। ସେବକ ଯେପରି ଉଚିତ୍ ସେବା ଦେଇପାରେ ସେଥିପାଇଁ ସେ ଯତ୍ନବାନ ହେବା ଦରକାର। ସେବକ ତା ପେଟପାଟଣା ପାଇଁ ବିଜ୍ଞାପନଦାତାଙ୍କ ଉପରେ ନିର୍ଭର କଲେ ନିଷ୍ଠାପର ସେବା ପାଇବା ସମ୍ଭବପର ହେବନାହିଁ। ସେବାର ମୂଲ୍ୟକୁ ଦେବାପାଇଁ ସେବା ପାଉଥିବା ବ୍ୟକ୍ତି ପ୍ରସ୍ତୁତ ହେବା ଦରକାର। ଅନୁରୂପ ଭାବେ ଗଣମାଧ୍ୟମର ବୃତ୍ତିକୁ ଆଦରି ନେଇଥିବା ବ୍ୟକ୍ତିମାନେ ଏହା ଯେ ଭିନ୍ନ ଏକ ସେବାମୂଳକ ବୃତ୍ତି ଏବଂ ଅନ୍ୟ ବୃତ୍ତି ମାନଙ୍କ ଭଳି ଅପେକ୍ଷା ଓ ଉପେକ୍ଷାର ବିଚାର ଏଠି ପ୍ରଯୁଜ୍ୟ ନୁହେଁ, ଏହା ହୃଦୟଙ୍ଗମ କରିବା ଦରକାର। ଆମ ପରମ୍ପରାରେ ତୃତୀୟ ନୟନ କହିଲେ ଭଗବାନ ଶିବଙ୍କୁ ବୁଝାଏ। ଶିବଙ୍କର ଅନ୍ୟନାମ ଗୁଡ଼ିକ ହେଲା ଆଶୁତୋଷ, କୃତିବାସ ଓ ଶୂଳିପାଣି। ଆମେ ସମସ୍ତେ ଚତୁର୍ଥ ସ୍ତମ୍ଭ କଥା ଭୁଲି ତୃତୀୟ ନୟନ ହେବାକୁ ଚେଷ୍ଟାକରି ଶିବଙ୍କର ଅନ୍ୟନାମ ଗୁଡ଼ିକର ସାର୍ଥକତାକୁ ନିଜ ଆଚରଣରେ ପ୍ରତିପାଦିତ କରିପାରିଲେ ସମସ୍ତଙ୍କର ମଙ୍ଗଳ ହେବ। ସରକାରଙ୍କ ଠାରୁ କିଛି ଅପେକ୍ଷା ରଖିବା ନାହିଁ। ଉପେକ୍ଷାର ପ୍ରଶ୍ନ ବା ଉଠିବ କାହିଁକି? ଆଶୁତୋଷଙ୍କ ପରି ଅଳ୍ପରେ ସନ୍ତୁଷ୍ଟ ହେବା। କୃତିବାସଙ୍କ ପରି ହେବା, ସୁନ୍ଦର ବସ୍ତ୍ର ବା ଆଭୂଷଣର ଅପେକ୍ଷା ରଖିବା ନାହିଁ। ଶତ୍ରୁସଂହାର କରିବାପାଇଁ ଶିବଙ୍କ ହାତରେ ଯେପରି ତ୍ରିଶୂଳ ଥିଲା; ଦୁର୍ନୀତି, ଅନ୍ୟାୟ, ଅରାଜକତା ବିରୋଧରେ ପାଠକ ମାନଙ୍କୁ ଚେତେଇବା ପାଇଁ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ ହାତରେ ସେପରି କଲମ ଅଛି।
ପାଠକ ହିଁ ଭଗବାନ। ଆସନ୍ତୁ, ତାଙ୍କ ପ୍ରତି ସମର୍ପିତ ହେବା।