ତିନିମାସ ତଳେ ଏହି ସ୍ତମ୍ଭରେ ‘ଭୁଲ୍‌ ସୁଧାରିବାର ସୁଯୋଗ’ ଶୀର୍ଷକରେ ରାଜ୍ୟ ସରକାରଙ୍କ ପାଇଁ ଆମେ ଏକ ଆହ୍ବାନର କଥା ଉଲ୍ଲେଖ କରିଥିଲୁ। ବନହରପାଲ୍ଲିଠାରେ ସ୍ଥାପିତ ତାପଜ ବିଦ୍ୟୁତ କେନ୍ଦ୍ର ଓପିଜିସିରୁ ଏଇଏସ୍‌ କମ୍ପାନି ଓହରିଯିବା ପ୍ରସଙ୍ଗକୁ ନେଇ ଏହି ଆହ୍ବାନ ଦିଆଯାଇଥିଲା। ସବୁ ଦୃଷ୍ଟିରୁ ବିଚାର କରି ଏଇଏସ୍‌ର ୪୯ ପ୍ରତିଶତ ଅଂଶଧନକୁ ସରକାର ନିଜ ହାତକୁ ଫେରାଇ ନେଇ କମ୍ପାନିର ଶତକଡ଼ା ଶହେ ମାଲିକ ହୁଅନ୍ତୁ ବୋଲି କୁହାଯାଇଥିଲା। ଅତ୍ୟନ୍ତ ଆନନ୍ଦର କଥା ଇତିମଧ୍ୟରେ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ଏଇଏସ୍‌ର ୪୯ ପ୍ରତିଶତ ଅଂଶଧନକୁ ନିଜେ କିଣିନେବେ ବୋଲି ଘୋଷଣା କରିଛନ୍ତି। ଓଡ଼ିଶାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ତାଙ୍କର ପରାମର୍ଶଦାତା ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇ କୃତଜ୍ଞତା ପ୍ରକାଶ କରୁଛୁ।

Advertisment

ଆମର ଆହ୍ବାନ ପଛରେ ଓଡ଼ିଶାର ସମୂହ ସ୍ବାର୍ଥ ଛଡ଼ା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ସ୍ବାର୍ଥ ବା କାରଣ ନ ଥିଲା। ଶକ୍ତି କ୍ଷେତ୍ରରେ ଓଡ଼ିଶାର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଆତ୍ମନିର୍ଭରଶୀଳ ହେବାର ମହାଯଜ୍ଞରେ ସରକାରଙ୍କର ଏ ନିଷ୍ପତ୍ତି ପ୍ରଥମ ଆହୁତି ସଦୃଶ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଏ ଯଜ୍ଞରେ ପୂର୍ଣ୍ଣାହୁତି ଦେବାର ସମୟ ଆସିଛି। ତାହା ନହେଲେ ଏ ମହାଯଜ୍ଞରୁ କୌଣସି ସୁଫଳ ମିଳିବ ନାହିଁ। ଏ କଥାର ମର୍ମକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସୁଯୋଗ୍ୟ ପରାମର୍ଶଦାତାମାନେ ଅହଙ୍କାର ପରିହାର କରି ହୃଦୟଙ୍ଗମ କରିବେ ବୋଲି ଆମେ ଆଶା କରୁଛୁ। ଏହାକୁ ବୁଝିବାକୁ ହେଲେ ଓପିଜିସି କମ୍ପାନିର ବର୍ତ୍ତମାନର ଅବସ୍ଥାକୁ ଅନାସକ୍ତ ଭାବେ ତର୍ଜମା କରିବାକୁ ପଡ଼ିବ। ପ୍ରାୟ ୨୫ ବର୍ଷ ଧରି ଏହି କମ୍ପାନିର ପରିଚାଳନା ଭାର ଏଇଏସ୍‌ର ହାତକୁ ଟେକି ଦିଆଯାଇଥିଲା। ଏଇଏସ୍‌ ତରଫରୁ ନିଯୁକ୍ତ ପରିଚାଳନା ନିର୍ଦ୍ଦେଶକ ତାଙ୍କର ମୁଷ୍ଟିମେୟ ସହଯୋଗୀଙ୍କୁ ନେଇ ସମ୍ପୂର୍ଣ୍ଣ କ୍ଷମତା ଉପଭୋଗ କରୁଥିଲେ ଓ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ। ୫୧ ପ୍ରତିଶତ ଅଂଶଧନର ମାଲିକ ହୋଇ ପରିଚାଳନା ବୋର୍ଡରେ ସରକାରଙ୍କ ପ୍ରତିନିଧିମାନେ କେଜାଣି କାହିଁକି ଅନେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିଥିଲେ। ଏଇଏସ୍‌କୁ ନିରଙ୍କୁଶ କ୍ଷମତା ଦେଇଦେବା ଫଳରେ ଆଜି ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ସେଥିପାଇଁ କେବଳ ଏଇଏସ୍‌ ହିଁ ଦାୟୀ। ବହୁରାଷ୍ଟ୍ରୀୟ କମ୍ପାନିକୁ ସହଭାଗୀ କରିବା ପଛରେ ଯେଉଁ ଯୁକ୍ତି ଉପସ୍ଥାପିତ କରାଯାଉଥିଲା କୌଣସିଟିରେ ଏଇଏସ୍‌ ଉତ୍ତୀର୍ଣ୍ଣ ହେଲାପରି ମନେ ହେଉନାହିଁ। ଏଠାରେ ମନେ ରଖିବାକୁ ପଡ଼ିବ ଯେ ୪୨୦ ମେଗାୱାଟ୍‌ ଶକ୍ତିସମ୍ପନ୍ନ ପ୍ରଥମ ଦୁଇଟି ୟୁନିଟ୍‌ ଆମର ଓଡ଼ିଆ ଇଞ୍ଜିନିୟର ଭାଇମାନଙ୍କ ସହଯୋଗରେ ଦେଶୀ ପରିଚାଳକମାନେ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ। ଆଜି ୧୫ ଶହ କୋଟି ଟଙ୍କାରୁ ଅଧିକ ଲାଭାଂଶ ଓପିଜିସିକୁ ମିଳିଛି। ତାହା କେବଳ ଏହି ପ୍ରଥମ ଦୁଇଟି ୟୁନିଟ୍‌ରୁ ହିଁ ମିଳିଛି। ବହୁରାଷ୍ଟ୍ରୀୟ ଏଇଏସ୍‌କୁ ସାଙ୍ଗରେ ନେବାର ପ୍ରଥମ ଯୁକ୍ତି ଥିଲା ସେମାନେ ୧୩୨୦ ମେଗାୱାଟର ତୃତୀୟ ଓ ଚତୁର୍ଥ ୟୁନିଟ୍‌ ପାଇଁ ପୁଞ୍ଜିନିବେଶ କରିବେ। ବହୁରାଷ୍ଟ୍ରୀୟ କମ୍ପାନି ହୋଇଥିବା ଦୃଷ୍ଟିରୁ ବିଶ୍ବସ୍ତରୀୟ ପରିଚାଳନାଗତ ଦକ୍ଷତାର ବିକାଶ କରାଇବେ ଏବଂ ଏଇଏସ୍‌ର ଉଦାହରଣ ଅନ୍ୟ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କୁ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ଉତ୍ସାହିତ କରିବ। ଏସବୁ କଥାର ଲୋଭରେ ସମ୍ଭବତଃ ସେମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଉପଭୋଗ କରିବା ପାଇଁ ଛାଡ଼ି ଦିଆଯାଇଥିଲା। କିନ୍ତୁ ଫଳ କ’ଣ ହେଲା? ୨୫ ବର୍ଷ ପରେ ଯେକୌଣସି ଦୃଷ୍ଟିରୁ ତର୍ଜମା କଲେ ଫଳ ସମ୍ପୂର୍ଣ୍ଣ ଓଲଟା ହୋଇଛି ବୋଲି ଜଳଜଳ ଦେଖାଯାଉଛି। ଯାବତୀୟ ପରିଚାଳନାଗତ ଅବହେଳା, ବୈଷୟିକ ତ୍ରୁଟିସମ୍ପନ୍ନ ନିଷ୍ପତ୍ତି ଏବଂ ଏଇଏସ୍‌ କର୍ତ୍ତୃପକ୍ଷଙ୍କ ଲାଭଖୋର ପ୍ରବୃତ୍ତି ଆଜି ଓପିଜିସି ଦୁରବସ୍ଥାର ମୂଳକାରଣ ହୋଇଛି। ସେଥିପାଇଁ ସମ୍ଭବତଃ ପ୍ରାଥମିକ ପର୍ଯ୍ୟାୟରେ ବିନା ପରିଶ୍ରମ‌େର ଲାଭକୁ ହଜମ କରି ଅସଲ ଆହ୍ବାନ ସମୟରେ ମୈଦାନ ଛାଡ଼ିଯିବାକୁ ଏଇଏସ୍‌ ନିଷ୍ପତ୍ତି ନେଇଛି।

ଏଇଏସ୍‌ର ମୌଳିକ ତ୍ରୁଟିଗୁଡ଼ିକ ମୁଖ୍ୟତଃ ତିନିପ୍ରକାର। ପ୍ରଥମେ ସେମାନେ ତାଙ୍କର ମନମୁଖୀ କାର୍ଯ୍ୟକଳାପ ଦ୍ବାରା ଓପିଜିସିର କାର୍ମିକ ପରିବେଶକୁ ନଷ୍ଟ କରିଦେଲେ। ପୁରୁଣା ପ୍ରତିଷ୍ଠାତା କର୍ମଚାରୀମାନଙ୍କୁ ବିଶ୍ବାସକୁ ନ ନେଇ ରିସୋର୍ସ ସେୟାରିଂ ନାମରେ ଆକାଶଛୁଆଁ ଦରମା ଦେଇ ମୁଷ୍ଟିମେୟ ଏଇଏସ୍‌ ଅଧିକାରୀମାନଙ୍କୁ ପୂରାଇଲେ।‌ ସେମାନଙ୍କୁ ବିଭିନ୍ନ ବିଭାଗର ମୁଖ୍ୟଭାବେ ଅଧିଷ୍ଠିତ କରାଇଲେ। ପରେ ଖୋଲା ବଜାରର ଯୁକ୍ତି ଦର୍ଶାଇ ମାର୍କେଟ୍‌ ବେସ୍‌ଡ ସାଲାରି (MBS) ନାଁରେ ବହୁଗୁଣ ଦରମା ଦେଇ ଆଉ ଗୋଟିଏ ବର୍ଗ ତିଆରି କରାଗଲା। ଫଳରେ ସମାନ କାମକୁ ସମାନ ଦରମା ନିୟମ ତ ଚୁଲିକୁ ଗଲା; ଓଲଟା ପୁରୁଣା ଓ ଏଇଏସ୍‌ ମନୋନୀତ କର୍ମଚାରୀଙ୍କ ଭିତରେ ଭେଦଭାବ ସୃଷ୍ଟି ହେଲା। ଏହା ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତିଠାରୁ କୌଣସି ଗୁଣରେ କମ୍‌ ନଥିଲା। ଏଭଳି ଏକ ପରିସ୍ଥିତିରେ ଯେତେବେଳେ ତୃତୀୟ ଓ ଚତୁର୍ଥ ୟୁନିଟ୍‌ କଥା ଚିନ୍ତା କରାଗଲା, ଦୀର୍ଘଦିନ ଧରି ଏଇଏସ୍‌ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କଲେ। ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ଯେତେବେଳେ ବାଧ୍ୟ ହୋଇ ତୃତୀୟ ଓ ଚତୁର୍ଥ ୟୁନିଟ୍‌ କାର୍ଯ୍ୟ ଆରମ୍ଭ ହେଲା; ସ୍ବାଭାବିକ ଭାବରେ ଅଯଥା ଦୁଇ ବର୍ଷରୁ ଅଧିକ ବିଳମ୍ବ ହୋଇ ସାରିଥିଲା। ଆମକୁ ଅକାରଣରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା। ପୁଣି ନୂଆ ୟୁନିଟ୍‌ ପ୍ରତିଷ୍ଠା କରିବା ପାଇଁ ଯେଉଁ ବୈଷୟିକ ନିଷ୍ପତ୍ତିଗୁଡ଼ିକ ନିଆଗଲା ଏବଂ ଯେଉଁ ଅନୁଷ୍ଠାନଗୁଡ଼ିକୁ କାର୍ଯ୍ୟାଦେଶ ଦିଆଗଲା ତାହା ସମ୍ଭବତଃ ତ୍ରୁଟିପୂର୍ଣ୍ଣ ଥିଲା। ତାହା ନ ହୋଇଥିଲେ ଆଜି ପର୍ଯ୍ୟନ୍ତ ନୂଆ ୟୁନିଟ୍‌ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲି ପାରୁଥାନ୍ତେ। ଏବେ ଶତକଡ଼ା ୬୦ ଭାଗ କ୍ଷମତାରେ ଚାଲିବା କଷ୍ଟକର ହେଉଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ରମାନଙ୍କ ପାଇଁ ପରିବେଶଗତ କଟକଣା ଓ ସୁଲଭ ଦରରେ ସହଜ ଓ ସୁବିଧା ଉପାୟରେ କୋଇଲା ଉପଲବ୍ଧ ହେବା ଆଉ ଏକ ଆହ୍ବାନ ହୋଇ ମୁଣ୍ଡ ଟେକିଛି। ପ୍ରଥମ ଦୁଇଟି ପୁରୁଣା ୟୁନିଟ୍‌କୁ ୨୦୨୨ମସିହା ପରେ ଚଳାଇ ରଖିବାକୁ ହେଲେ ନୂଆ ପରିବେଶଗତ ନିୟମକୁ ମାନି ବ୍ୟବସ୍ଥା କରିବାକୁ ହେବ। ପୁଣି ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅନୁସାରେ ସବୁ ତାପଜ କେନ୍ଦ୍ରମାନଙ୍କୁ ଏଫ୍‌ଜିଡି (FGD) ବ୍ୟବସ୍ଥା କରିବାକୁ ହେବ।

ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଅନ୍ୟ ଏକ ଆହ୍ବାନ ହେଲା କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ହେଲା ପରେ ଯେଉଁ ପାଉଁଶ ନିର୍ଗତ ହୁଏ ପରିବେଶକୁ ଦୃଷ୍ଟିରେ ରଖି ତାହାର ଠିକଣା ଭାବରେ ନିଷ୍କାସନ କରିବା। ବୈଷୟିକ ତ୍ରୁଟି ‌ଯୋଗୁଁ ତୃତୀୟ ଓ ଚତୁର୍ଥ ୟୁନିଟ୍‌ର ଆସ୍‌ ହ୍ୟାଣ୍ଡଲିଂ ପ୍ଳାଣ୍ଟ (AHP) ଠିକ୍‌ ଭାବରେ କାମ କରୁନାହିଁ। ଏ ସବୁର ନିରାକରଣ ପାଇଁ ଅଧିକ ପୁଞ୍ଜିନିବେଶ ଏକାନ୍ତ ଆବଶ୍ୟକ। ଲାଭ ପାଇଁ ଏଇଏସ୍‌ କମ୍ପାନି ଯେତିକି ଆଗ୍ରହୀ, ପୁଞ୍ଜିନିବେଶ କଥା କହିଲେ ତାହାଠାରୁ ଅଧିକ ଅନାଗ୍ରହୀ। ବିଜୁଳି ଉତ୍ପାଦନ ପରେ ତାକୁ ଉଚିତ ମୂଲ୍ୟରେ ବଜାରରେ ବିକ୍ରି କରିବା ମଧ୍ୟ ଏକ ଆହ୍ବାନ। ଏଇଏସ୍‌ କର୍ତ୍ତୃପକ୍ଷଙ୍କର ଅପରିଣାମଦର୍ଶୀ ନିଷ୍ପତ୍ତି ପାଇଁ ଆଜି ଓପିଜିସି କ୍ଷତି ସହିବାକୁ ବାଧ୍ୟ ହୋଇଛି। ଉତ୍ପାଦିତ ବିଜୁଳିକୁ ଶତକଡ଼ା ଶହେ ବିକିବା ପାଇଁ ଗ୍ରିଡ୍‌କୋ ରାଜି ହୋଇଥିଲା। ଖୋଲା ବଜାରରେ ସିଧାସଳଖ ବିକ୍ରି କରି ଅଧିକ ଲାଭ ଆଶାରେ ଶତକଡ଼ା ୫୦ ନିଜେ ବିକ୍ରି କରିବେ ବୋଲି କହିଲେ ଏବଂ ସରବରାହ ପାଇଁ ଆବଶ୍ୟକ ବିଦ୍ୟୁତ୍‌ ଲାଇନ୍‌ ମଧ୍ୟ ଟଣାହେଲା। ପରେ ବଜାରର ମାନ୍ଦାବସ୍ଥା ଦେଖି ଏଇଏସ୍‌ କର୍ତ୍ତୃପକ୍ଷ ଏଥିରୁ ଓହରିଗଲେ। ବହୁ କଷ୍ଟରେ ଗ୍ରିଡ୍‌କୋକୁ ଆଉ ୨୫ ଭାଗ ବିଜୁଳି କିଣିବା ପାଇଁ ବାଧ୍ୟ କଲେ। ଏଣେ ସରବରାହ ପାଇଁ ଟଣା ଯାଇଥିବା ଲାଇନ୍‌ ବାବଦକୁ ୧୩୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ୁଛି। ଏସବୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଓପିଜିସିର ବିଦ୍ୟୁତ୍‌ ଉତ୍ପାଦନ ଖର୍ଚ୍ଚ ଅଯଥାରେ ବଢ଼ିଯାଉଛି ଏବଂ ଏହାକୁ ଓଡ଼ିଶାର ଉପଭୋକ୍ତାମାନେ ହିଁ ଭରଣା କରୁଛନ୍ତି।

ଏ ସବୁ ସତ୍ତ୍ବେ ଓପିଜିସିକୁ ସମ୍ପୂର୍ଣ୍ଣ ମାଲିକାନାରେ ନେଇ ଚଳାଇବାର ଆହ୍ବାନକୁ ଗ୍ରହଣ କରିବା ଏକାଧିକ କାରଣରୁ ଅଭିନନ୍ଦନୀୟ। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ୟୁନିଟ୍‌ ପିଛା ମୂଲ୍ୟ, ପ୍ରମୁଖ କଞ୍ଚାମାଲ୍‌ କୋଇଲା ଖଣି ପାଇବାରେ ଅସୁବିଧା, ପରିବେଶଜନିତ ଯାବତୀୟ କଟକଣା ଯୋଗୁଁ ଶି‌େଳ୍ପାଦ୍ୟୋଗୀମାନେ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଆମ ପାଇଁ କିନ୍ତୁ ଏସବୁ ସତ୍ତ୍ବେ ଏହା ଅନେକ ସମ୍ଭାବନା ବହନ କରୁଛି। ୧୭୪୦ ମେଗାୱାଟ୍‌ ଶକ୍ତିସମ୍ପନ୍ନ ତାପଜ କେନ୍ଦ୍ରଟି ବିଦ୍ୟୁତ୍‌ କ୍ଷେତ୍ରରେ ଆମକୁ ଆତ୍ମନିର୍ଭରଶୀଳ କରାଇବ। ସରକାରଙ୍କ ନିଜସ୍ବ କୋଇଲା ଖଣି ଥିବା ଦୃଷ୍ଟିରୁ କଞ୍ଚାମାଲର ସମସ୍ୟା ରହିବ ନାହିଁ। କାରଖାନାରେ କୋଇଲାକୁ ପହଞ୍ଚାଇବା ପାଇଁ ରେଳ ଲାଇନ ଓ ମେରିଗୋ ରାଉଣ୍ଡ (MGR) ବ୍ୟବସ୍ଥା କରିଦେଲେ କଞ୍ଚାମାଲର ମୂଲ୍ୟ ମଧ୍ୟ କମ୍‌ ପଡ଼ିବ। ବିଦ୍ୟୁତ୍‌ ବିକ୍ରୟ କରିବା ପାଇଁ ଗ୍ରିଡ୍‌କୋ ନିଜସ୍ବ କମ୍ପାନି ହୋଇଥିବାରୁ ଉଭୟ ସୁବିଧାରେ ରହିବେ। ଓଡ଼ିଶା ଉପଭୋକ୍ତାଙ୍କ ସମୂହ ଲାଭ ହେବ। ଏଥିପାଇଁ ପ୍ରମୁଖ ଆବଶ୍ୟକତା ହେଲା ସୁପରିଚାଳନା। ଅତୀତରେ ପ୍ରଥମ ଓ ଦ୍ବିତୀୟ ୟୁନିଟ୍‌ କ୍ଷେତ୍ରରେ ଆମର ଓଡ଼ିଆ ଇଞ୍ଜିନିୟର ଭାଇ ଓ ପରିଚାଳକମାନେ ସୁପରିଚାଳନାର ପ୍ରମାଣ ଦେଇଥିଲେ। ଆଉଥରେ ଯେ ସେମାନେ କରିପାରିବେ ନାହିଁ ଏକଥା ନୁହେଁ, ସରକାର ସେଥିପାଇଁ ପ୍ରବଳ ଇଚ୍ଛାଶକ୍ତି ପ୍ରଦର୍ଶନ କରି ଜଣେ ଦକ୍ଷ ପରିଚାଳକଙ୍କୁ ସୁଯୋଗ ଦିଅନ୍ତୁ। ନୂଆ କର୍ମସଂସ୍କୃତି ତିଆରି ହେଉ। ଅଯଥା ରାଜନୈତିକ ହସ୍ତକ୍ଷେପ କରା ନ ଯାଉ। ଓପିଜିସି ସରକାରୀ ଉଦ୍ୟୋଗ ଯେ ଲାଭରେ ଚାଲିପାରିବ, ଏହାର ପ୍ରମାଣ ଦେଉ। ସରକାରୀ ଉଦ୍ୟୋଗଗୁଡ଼ିକ କେବଳ କ୍ଷତି କରନ୍ତି ଏ ଅପବାଦରୁ ମୁକ୍ତି ମିଳୁ। କିନ୍ତୁ ଯାହା ଦେଖାଯାଉଛି ଏସବୁ କାର୍ଯ୍ୟକ୍ରମକୁ ହାତକୁ ନେଇ ପୂର୍ଣ୍ଣାହୁତି ଦେବାର ସମୟ ଗଡ଼ିଚାଲିଛି। ଏବଂ ସରକାର ଏ ସୁଯୋଗକୁ ହାତଛଡ଼ା କରିବାକୁ ଯାଉଛନ୍ତି। ଓପିଜିସିରେ ଥିବା ଜାତିଭେଦକୁ ଦୂର କରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇଥିବାର ସୂଚନା ମିଳୁନାହିଁ। ଏଇଏସ୍‌ ସମୟର ହିତାଧିକାରୀମାନଙ୍କୁ ପୁଣିଥରେ କୌଣସି ଉପାୟରେ ଥଇଥାନ କରିବା ପାଇଁ ଉଦ୍ୟମ ଚାଲିଛି। ଏକଥାଟି ନୂଆ ବୋତଲରେ ପୁରୁଣା ମଦ ପରି ହେବ। ବହୁଗୁଣରେ ଚଢ଼ା ଦରମା ପାଇ କାମ କରୁଥିବା ବ୍ୟକ୍ତିମାନଙ୍କଠୁ କମ୍‌ ଦରମାରେ କିପରି କାମ ଆଦାୟ କରାଯାଇ ପାରିବ ତାହା ବୁଝାପଡ଼ୁନାହିଁ। ଅର୍ଥନୈତିକ ମାନ୍ଦାବସ୍ଥାରେ ବାଧ୍ୟବାଧକତା ଯୋଗୁଁ ସେମାନେ ରାଜି ହେଉଥିଲେ ମଧ୍ୟ ବିଲେଇ ଥରେ ମାଛ ଚାଖିଦେଲେ ଆଉ ଯେ କ୍ଷୀର ପିଇବାକୁ ରାଜି ହୁଏନାହିଁ ଏକଥା ଆମକୁ ବୁଝିବାକୁ ପଡ଼ିବ। ଏଇଏସ୍‌ର ଅଂଶଧନକୁ ନିଜ ହାତକୁ ନେଇ ଓପିଜିସିର ସଂସ୍କାର ମହାଯଜ୍ଞରେ ପ୍ରଥମ ଆହୁତି ଦେଇଛନ୍ତି। ଏବେ ପ୍ରବଳ ଇଚ୍ଛାଶକ୍ତି ପ୍ରଦର୍ଶନପୂର୍ବକ ଅତୀତ ଅନୁଭୂତିରୁ ଶିକ୍ଷାଲାଭ କରି ସଂସ୍କାରମୂଳକ ପଦକ୍ଷେପ ନିଅନ୍ତୁ। ଏବଂ ଏ ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଅନ୍ତୁ।