ପାଠକ ପଢ଼ାଇଲେ ପାଠ, ପରୀ କରୁଛି ପରୀକ୍ଷା

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ଗତ ଦୁଇଦିନ ଧରି ପରୀ ହତ୍ୟାକାଣ୍ଡକୁ କେନ୍ଦ୍ର କରି ବିଧାନସଭା ଏକରକମ ଅଚଳ ହୋଇପଡ଼ିଥିବା ବେଳେ ବନ ବିଭାଗର ବରିଷ୍ଠ ପ୍ରଶାସକ ଅଭୟକାନ୍ତ ପାଠକଙ୍କ କାରନାମା ଆମ ସମସ୍ତଙ୍କୁ ହତଚକିତ କରୁଛି। ଉଭୟ ଘଟଣାରେ ଓଡ଼ିଶା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠୁଛି। ପାଠକଙ୍କ ବିରୋଧରେ ଭିଜିଲାନ୍ସ ପୁଲିସର ଅଭିଯାନକୁ କିପରି ଗ୍ରହଣ କରାଯିବ ହଠାତ୍‌ ସ୍ଥିର କରି ହେଉନାହିଁ। ପ୍ରଥମ ନଜରରେ ପୁଲିସର ସାହସିକତାକୁ ଅଭିନନ୍ଦନ ଜଣାଇବାକୁ ଇଚ୍ଛା ହେଉଛି। କାରଣ ଓଡ଼ିଶାର ପାଠକମାନେ ପ୍ରାୟତଃ ଭିଜିଲାନ୍ସର ଚଢ଼ଉ କିରାଣି ଓ ତଳିଆ କର୍ମଚାରୀଙ୍କ ବିରୋଧରେ ହୋଇଥାଏ ବୋଲି ଜାଣନ୍ତି ଏବଂ ସେମାନଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେଲା ବୋଲି ଗଣମାଧ୍ୟମକୁ ଜଣାଇ ଦିଆଯାଏ।

ବେଳେବେଳେ ଭୁବନେଶ୍ବରରେ ଛୋଟିଆ ଗୋଟିଏ ଘରର ମୂଲ୍ୟାୟନ ଏକକୋଟି ଛୁଇଁଲେ ‘କୋଟିପତି କିରାଣି ଗିରଫ’ର ଶିରୋନାମ ଆମକୁ ଆମୋଦିତ କରେ। କିନ୍ତୁ ଗତକାଲି ପାଠକବାବୁଙ୍କୁ ନେଇ ପ୍ରକାଶିତ ହୋଇଥିବା ସମୁଦାୟ ଘଟଣାର ବିବରଣୀ କୌଣସି ସୁପରହିଟ୍‌ ସିନେମାର କାହାଣୀଠାରୁ କମ୍‌ ରୋମାଞ୍ଚକର ନୁହେଁ। ଅଭୟକାନ୍ତ ପାଠକ ସାମାନ୍ୟ ଜଣେ ପ୍ରଶାସକ ନ ଥିଲେ। ତାଙ୍କୁ ତାଙ୍କ ବିଭାଗର ସହକର୍ମୀମାନେ ପାଠକବାବୁ ନ କହି ପରିହାସରେ ‘ପାରିବାର ଠକ’ ବୋଲି କହୁଥିଲେ। ଦୁଇମାସ ପରେ ସେ ଓଡ଼ିଶା ବନବିଭାଗର ମୁଖ୍ୟ ହୋଇଥାନ୍ତେ। ଏଭଳି ଜଣେ ପ୍ରଶାସକଙ୍କ ବିରୋଧରେ ସାରା ଭାରତରେ ବ୍ୟାପିଥିବା ତାଙ୍କ ଦୁର୍ନୀତିର ପ୍ରମାଣଗୁଡ଼ିକୁ ସଂଗ୍ରହ କରିବାର ପ୍ରସ୍ତୁତି ଏବଂ ସଫଳତା ନିଶ୍ଚୟ ଅଭିନନ୍ଦନୀୟ। ଅନ୍ୟପକ୍ଷରେ ଆଉ ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି, ପାଠକ ମହାଶୟଙ୍କର ଏଭଳି ଅର୍ଥଲୋଭ ଏବଂ ବେପରୁଆ ମନୋଭାବ କରୋନା ମହାମାରୀ ଯୋଗୁଁ ହୋଇ ନଥିବ। ଚାକିରିର ଦୀର୍ଘ ୩୩ ବର୍ଷ ଭିତରେ ଆଜି ପର୍ଯ୍ୟନ୍ତ ସେ ଧରାପଡ଼ି ନଥିଲେ କିପରି? ସେ ପ୍ରକୃତରେ ଜଣେ ପାରିବାର ଠକ ଥିଲେ ଏବଂ ତାଙ୍କୁ ସୁରକ୍ଷା କବଚ ମିଳିଥିଲା। ଏଥିରେ ଆଦୌ ସନ୍ଦେହ ହୁଏ ନାହିଁ ଯେତେବେଳେ ଆମେ ଦେଖୁ ଯେ ଛଅ ମାସ ହେଲା ତାଙ୍କ ପାରିବାର ପୁଅଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ପରୀ ହତ୍ୟାକାଣ୍ଡ ଘଟଣାରେ ପୁଲିସର ଆଚରଣକୁ ଆଦୌ ଗ୍ରହଣ କରି ହେଉନାହିଁ। ପାଞ୍ଚ ଛଅ ବର୍ଷର ବାଳିକାଟିଏ ହଠାତ୍‌ ନିଖୋଜ ହୋଇଯାଉଛି। ତା’ର ବାପା ପୁଲିସରେ ଏତଲା ଦେଉଛନ୍ତି। ପୁଲିସ ମଧ୍ୟ ଏତଲା ଗ୍ରହଣ କରି ଏକ ନିଖୋଜ ମାମଲା ରୁଜୁ କରୁଛି। କିନ୍ତୁ ବାଳିକାର କୌଣସି ଖୋଜ୍‌ଖବର ମିଳୁନାହିଁ। ଏହାର କିଛି ଦିନ ପରେ ପରୀର ଗଳିତ ମୃତଶରୀର ଗୋଟିଏ ଅଖାରେ ବନ୍ଧା ହୋଇ ମିଳୁଛି। ପୁଲିସ୍‌ ନିଖୋଜ ମାମଲାକୁ ହତ୍ୟା ମାମଲାରେ ପରିଣତ କରି ଅନୁସନ୍ଧାନ କରୁଛି। ଗଳିତ ଶବର ବ୍ୟବଚ୍ଛେଦରୁ କୌଣସି ସୁରାକ୍‌ ମିଳୁ ନାହିଁ। ଡିଏନ୍‌ଏ ରିପୋର୍ଟ କେବଳ କହୁଛି ଏହା ପରୀର ଶବ ବୋଲି। ଏଠାରେ ମନେ ରଖିବାକୁ ହେବ ଯେ ଘଟଣାଟି ଚାରି ମାସ ତଳର ଏବଂ ପରୀର ବାପା ଜଣେ ସାଧାରଣ ଅଟୋ ଚାଳକ। ମୋ ମନକୁ ଏ କ୍ଷେତ୍ରରେ ଯେଉଁ ପ୍ରଶ୍ନଗୁଡ଼ିକ ଆନ୍ଦୋଳିତ କରୁଛନ୍ତି, ସେଗୁଡ଼ିକ ହେଲା- ପରୀ ମୋ ଝିଅ ହୋଇଥିଲେ ମୁଁ କ’ଣ କରିଥାନ୍ତି ବା କ’ଣ କହୁଥାନ୍ତି? ଅଟୋଚାଳକର ଝିଅ ହେଲା‌ ବୋଲି କ’ଣ ତା’ ଜୀବନର ମୂଲ୍ୟ ମୋ ଝିଅ ଜୀବନର ମୂଲ୍ୟଠାରୁ କମ୍‌? ସବୁଠାରୁ ବଡ଼ ଅଡ଼ୁଆ ପ୍ରଶ୍ନ ହେଲା, ପାଞ୍ଚ ଛଅ ବର୍ଷର ବାଳିକାଟିକୁ ଗାଁ ଦାଣ୍ଡରୁ କିଏ ବା କାହିଁକି ଉଠାଇ ନେବ ଏବଂ ଏଭଳି ହତ୍ୟା କରି କାହିଁକି ଫୋପାଡ଼ି ଦେବ? ମୋତେ ଆହୁରି ବିବ୍ରତ କରୁଛି ପୁଲିସର ଆଚରଣ।

ଅଭୟକାନ୍ତ ପାଠକଙ୍କୁ ଧରି ପାରୁଥିବା ପୁଲିସ, କଟକ ସୁନାଚୋରିର ରହସ୍ୟକୁ ଅତି ସହଜରେ ପର୍ଦାଫାସ୍‌ କରିପାରୁଥିବା ପୁଲିସ, ପରୀର ହତ୍ୟାକାରୀକୁ ଧରି ପାରୁନାହିଁ କାହିଁକି? ଏହା କ’ଣ ଦକ୍ଷ ପୁଲିସ ଅଫିସରଙ୍କ ପାଇଁ ଏକ ଆହ୍ବାନ ନୁହେଁ? ପୁଲିସ ଏହି ଆହ୍ବାନକୁ ଗ୍ରହଣ ନ କରିବା ଫଳରେ ରାଜନେତାମାନଙ୍କୁ ଗୋଳିଆ ପାଣିରେ ମାଛ ମାରିବାର ସୁଯୋଗ ମିଳୁଛି। ପରୀ ରାଜନେତାମାନଙ୍କର ପରସ୍ପର ଦୋଷାରୋପ ଖେଳରେ ସୁନ୍ଦର ଏକ ପେଣ୍ଡୁ ପାଲଟିଛି। ପବିତ୍ର ବିଧାନସଭା ଅପବିତ୍ର ହେଉଛି। ଅଯଥାରେ ସମୟ ନଷ୍ଟ ହେଉଛି। ତେବେ ସମୁଦାୟ ବ୍ୟାପାରରେ ଆଉ ଯେଉଁ କଥାଟି ଆଲୋଚିତ ହୋଇପାରୁ ନାହିଁ, ତାହା ହେଲା ଏଥିପାଇଁ ଦାୟୀ କିଏ? ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଆମେ ପଢ଼ିଥିଲୁ ଯେ ‌ଗଣତାନ୍ତ୍ରିକ ପ୍ରଶାସନର ମୂଳମନ୍ତ୍ର ହେଲା ଉତ୍ତରଦାୟିତ୍ବ। ପ୍ରଶାସକମାନେ ମନ୍ତ୍ରୀମାନଙ୍କ ଦାୟିତ୍ବର ଆଢ଼ୁଆଳରେ ରହି ଶାସନରେ ସହଯୋଗ କରିଥାନ୍ତି (Bureaucracy thrives under ministerial responsibility)। ଏବେ କାହିଁକି ମନେ ହେଉଛି ବ୍ୟବସ୍ଥାଟି କେଉଁଠି କେମିତି ଓଲଟପାଲଟ ହୋଇଯାଇଛି। ପ୍ରଶାସକମାନେ କେବଳ ଅହଙ୍କାରୀ ହୋଇନାହାନ୍ତି, ଉତ୍ତରଦାୟିତ୍ବ କଥାଟିକୁ ମଧ୍ୟ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ସେମାନଙ୍କର ଅହଙ୍କାରରେ ଅଙ୍କୁଶ ଲଗାଇବ କିଏ? ଗଣମାଧ୍ୟମ ଛଡ଼ା ଆଉ କିଏ?

ଶେଷ କଥାଟି ହେଲା, ଜଗନ୍ନାଥ ଆମକୁ ଅନେକ କିଛି ଦେଇଛନ୍ତି। ଭୂଇଁ ତଳେ ଖଣିଜ ସମ୍ପଦ, ଭୂଇଁ କଡ଼ରେ ସୁଦୀର୍ଘ ବେଳାଭୂମି ଆଉ ଭୂଇଁ ଉପରେ ମୂଲ୍ୟବାନ ଜଙ୍ଗଲ ସମ୍ପଦ। ଜଗନ୍ନାଥଙ୍କଠାରୁ ପାଇଥିବା ଏହି ଭୂମି ଓ ସମ୍ପଦକୁ ସୁରକ୍ଷିତ ରଖିବା ଓ ସମୃଦ୍ଧ କରିବାର ଦାୟିତ୍ବ ଆମର। ଯେତେବେଳେ ଆମ ଜଙ୍ଗଲ କୁଆଡ଼େ ଗଲା ବୋଲି ହୁରି ପଡ଼ିଛି, ପାଠକବାବୁଙ୍କ ଭଳି ଚରିତ୍ରମାନଙ୍କୁ ଦେଖିଲେ ଏଭଳି ପ୍ରଶ୍ନ ଅବାନ୍ତର ମନେ ହେଉଛି।

ସମ୍ବନ୍ଧିତ ଖବର