ଧନେଶ୍ବର ସାହୁ

Advertisment

ଭାରତୀୟ ସଂବିଧାନର ଜଣେ ବିଶିଷ୍ଟ ରୂପକାର ହେଲେ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର (୧୮୯୧-୧୯୫୬), ଯିଏ ବାବାସାହେବ ଭାବେ ଦେଶରେ ପରିଚିତ। ସେ ଥିଲେ ଜଣେ ସମାଜ-ବିଜ୍ଞାନୀ, ଶିକ୍ଷାବିତ୍, ଆଇନଜୀବୀ, ସମାଜ ସଂସ୍କାରକ, ସୁଲେଖକ ଓ ମାନବିକ ଅଧିକାରର ବଡ଼ ପ୍ରବକ୍ତା। ବହୁ ପ୍ରତିଭାର ଅଧିକାରୀ ହେଲେ ମଧ୍ୟ ତାଙ୍କ ଜୀବନ ଥିଲା ବହୁ ବିପର୍ଯ୍ୟୟ ଓ ନୈରାଶ୍ୟର କାହାଣୀ। ସେ ଏକ ଦଳିତ ପରିବାରରେ ଜନ୍ମ ହୋଇ ବହୁ ଅଭାବ, ଅସୁବିଧା, ଅସମ୍ମାନ ଓ ଭେଦଭାବକୁ ସାମ୍ନା କରିଥିଲେ। ଦଳିତମାନଙ୍କର ମାନବିକ ଅଧିକାର, ସାମାଜିକ ନ୍ୟାୟ ଓ ଏକ ଭେଦଭାବମୁକ୍ତ ସମାଜ ନିର୍ମାଣ ପାଇଁ ସେ ଜୀବନ ସାରା ସଂଗ୍ରାମ କରିଥିଲେ।
ଭାରତ ସ୍ବାଧୀନତାର ପ୍ରାକ୍ କାଳରେ ବ୍ରିଟିସ ସରକାର ଏକ ସଂବିଧାନ ସଭା ଗଠନ କଲେ। ଭାରତ ସ୍ବାଧୀନ ହେଲେ ଦେଶ କିପରି ଶାସିତ ହେବ ସେଥିପାଇଁ ଏକ ସଂବିଧାନ ପ୍ରସ୍ତୁତ କରିବା ଏହି ସଭାର ଲକ୍ଷ୍ୟ ଥିଲା। ବାବାସାହେବ ଆମ୍ବେଦକର ସମାଜରୁ ଅସ୍ପୃଶ୍ୟତା ଦୂର କରିବା, ଦଳିତମାନଙ୍କର ଅଧିକାରକୁ ସଂବିଧାନରେ ସାବ୍ୟସ୍ତ କରିବା ଓ ସମାଜରୁ ସକଳ ଭେଦଭାବ ବିଲୋପ କରି ଏହି ବଞ୍ଚିତ ଗୋଷ୍ଠୀକୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସଂବିଧାନ ସଭାର ସଭ୍ୟ ହେବାକୁ ଆଗ୍ରହୀ ଥିଲେ। ପ୍ରତ୍ୟେକ ରାଜ୍ୟର ବିଧାନ ମଣ୍ଡଳ ସଂବିଧାନ ସଭାକୁ ପ୍ରତିନିଧି ପଠାଇବାର ବ୍ୟବସ୍ଥା ଥାଏ। କିନ୍ତୁ ଆମ୍ବେଦକରଙ୍କ ‘ସ୍ବାଧୀନ ଶ୍ରମିକ ଦଳ’ର କୌଣସି ପ୍ରାର୍ଥୀ ବମ୍ବେ ବିଧାନ ମଣ୍ଡଳକୁ ନିର୍ବାଚିତ ହୋଇପାରିଲେ ନାହିଁ। ଏହି ସ୍ଥିତିରେ ବେଙ୍ଗଲ ପ୍ରାଦେଶିକ ବିଧାନ ମଣ୍ଡଳରେ ରହିଥିବା ଅନୁସୂଚିତ ଜାତିର ସଭ୍ୟମାନେ ଆମ୍ବେଦକରଙ୍କୁ ପ୍ରାର୍ଥୀ କଲେ ଏବଂ ତାଙ୍କ ପ୍ରାର୍ଥିତ୍ବକୁ ମୁସଲିମ ଲିଗ୍‌ର ପ୍ରାର୍ଥୀମାନେ ସମର୍ଥନ ଦେବାରୁ ସେ ବେଙ୍ଗଲରୁ ସଂବିଧାନ ସଭାର ସଭ୍ୟ ହେଲେ।
୧୯୪୬ ଡିସେମ୍ବର ୯ରେ ସଂବିଧାନ ସଭାର ପ୍ରଥମ ବୈଠକ ଅନୁଷ୍ଠିତ ହେଲା ଓ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସଂବିଧାନ ସଭାର ସଭାପତି ମନୋନୀତ ହେଲେ। ପଣ୍ଡିତ ନେହେରୁ ଏକ ଭାବୋଦ୍ଦୀପକ ଭାଷଣ ଦେଇ ଦେଶକୁ ଏକ ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବାକୁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଦେଶର ସମସ୍ତ ଜନଗଣଙ୍କୁ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଦେବା, ସମସ୍ତଙ୍କୁ ଆଇନ ଦୃଷ୍ଟିରେ ସମାନ ବିଚାର କରିବା, ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାର ଦେବା ଓ ସାଧାରଣ ଜୀବନରେ ନୈତିକତା ପାଳନ କରିବା ଆମ ସଂବିଧାନର ମୁଖ୍ୟ ଆଦର୍ଶ ହେବ ବୋଲି ପଣ୍ଡିତ ନେହେରୁ ମତପୋଷଣ କରିଥିଲେ। ସଂବିଧାନ ସଭାର ମୁଖ୍ୟ ଆଭିମୁଖ୍ୟ ସଂପର୍କରେ ନେହେରୁଙ୍କ ବକ୍ତବ୍ୟ ପରେ ଏହା ଉପରେ ଆଲୋଚନା ଆରମ୍ଭ ହେଲା। ସେତେବେଳର ବିଶିଷ୍ଟ ଆଇନଜ୍ଞ ଡକ୍ଟର ଏମ୍. ଆର୍. ଜୟକାର ନେହେରୁଙ୍କ ପ୍ରସ୍ତାବ ଉପରେ ଏକ ସଂଶୋଧନ ପ୍ରସ୍ତାବ ଆଣିଲେ। ଜୟକାରଙ୍କ ମନ୍ତବ୍ୟ ଥିଲା ଯେ ସଂବିଧାନ ପ୍ରସ୍ତୁତି ସଭାରେ ମୁସଲିମ ଲିଗ୍ ଓ ରାଜନ୍ୟ ବର୍ଗ ଦ୍ବାରା ଶାସିତ ରାଜ୍ୟମାନଙ୍କର ପ୍ରତିନିଧି ନାହାନ୍ତି। ଏହି ପରିପ୍ରେକ୍ଷୀରେ ସଭାପତି ରାଜେନ୍ଦ୍ର ପ୍ରସାଦ ଆମ୍ବେଦକରଙ୍କ ମତାମତ ଜାଣିବାକୁ ଚାହିଲେ। ସଂବିଧାନ ସଭାର କେତେକ କଂଗ୍ରେସ ସଦସ୍ୟ ଆମ୍ବେଦକରଙ୍କ ବିଷୟରେ ଶୁଣି ନ ଥିଲେ କି ତାଙ୍କୁ ଦେଖି ନ ଥିଲେ। ସେ ଯେ କଂଗ୍ରେସ ବିରୋଧୀ ଓ ମହାତ୍ମା ଗାନ୍ଧୀଙ୍କର ଜଣେ ସମାଲୋଚକ ଏହି ଧାରଣା ଅନେକଙ୍କର ଥିଲା। ଆମ୍ବେଦକର ଯେତେବେଳେ ଛିଡ଼ାହେଲେ କେତେକ ସଦସ୍ୟ କିଛି ଗୁଞ୍ଜରଣ ସୃଷ୍ଟିକଲେ। ଆମ୍ବେଦକର ବି କହିବାକୁ କିଛି ପ୍ରସ୍ତୁତି କରି ନ ଥିଲେ। କିନ୍ତୁ ସେ ଅପ୍ରସ୍ତୁତ ହୋଇ ମଧ୍ୟ ଯେଉଁ ଘଣ୍ଟାକର ଭାଷଣ ଦେଇଥିଲେ ତାହା ସଂବିଧାନ ସଭାର ଇତିହାସରେ ଥିଲା ସବୁଠାରୁ ପାଣ୍ଡିତ୍ୟପୂର୍ଣ୍ଣ, ଭାବଗର୍ଭକ ଓ ସ୍ମରଣଯୋଗ୍ୟ। ଅନେକ ବିଷୟ‌ର ଅବତାରଣା କରି ସେ କହିଥିଲେ ଯେ ନାନା ବିବିଧତା ଭିତରେ ଏକ ସ୍ବାଧୀନ, ସଂହତିପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରିବା ଦେଶ ପାଇଁ ବଡ଼ ଆହ୍ବାନ। ଏକ ସ୍ବାଧୀନ ରାଷ୍ଟ୍ର ପାଇଁ ସଂବିଧାନ ପ୍ରସ୍ତୁତ କରିବାବେଳେ ସବୁ ନାଗରିକଙ୍କର ଆତ୍ମସମ୍ମାନ, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିଚାରଶୀଳ ମାନବବାଦୀ ଆଭିମୁଖ୍ୟ ଦେଶ ପାଇଁ ପ୍ରେରଣାଦାୟୀ ଆଦର୍ଶ ହୋଇ ରହିବ। ଯେଉଁମାନେ ତାଙ୍କ ପାଇଁ ପ୍ରଥମେ ବିଦ୍ରୂପର ଗୁଞ୍ଜରଣ କରିଥିଲେ, ତାଙ୍କର ଓଜସ୍ବିନୀ ଭାଷା, ଗଭୀରତା ଓ ବୌଦ୍ଧିକ ସ୍ପଷ୍ଟତା ଦେଖି ଚମତ୍କୃତ ହୋଇଥିଲେ। କେତେକ ସମ୍ବାଦପତ୍ର ତାଙ୍କ ଭାଷଣକୁ ବର୍ଣ୍ଣନା କରି ଲେଖିଥିଲେ ଆମ୍ବେଦକରଙ୍କର ଏହା ଥିଲା ଏକ ଐକ୍ୟବଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଏକ ଉଦ୍‌ଘୋଷଣା। ଆମ୍ବେଦକରଙ୍କ କେତେକ ଜୀବନୀକାର ଏ ପ୍ରସଙ୍ଗରେ ଲେଖିଛନ୍ତି, ‘‘ଯେଉଁମାନେ ତାଙ୍କ ଉପରକୁ ପଥର ପକାଇବା ପାଇଁ ହାତ ଉଠାଇଥିଲେ, ସେମାନେ ତାଙ୍କର ଏକ ଘଣ୍ଟାର ଭାଷଣ ଶୁଣି ତାଙ୍କ ଉପରକୁ ପୁଷ୍ପ ବୃଷ୍ଟିକଲେ।’’ ପରେ ପଣ୍ଡିତ ନେହେରୁଙ୍କ ପ୍ରସ୍ତାବ ସଂବିଧାନ ସଭାରେ ୧୯୪୭ ଜାନୁଆରିରେ ଗୃହୀତ ହୋଇଥିଲା।
ସ୍ବାଧୀନତା ପୂର୍ବରୁ ସଂବିଧାନ ସଭାର ସଦସ୍ୟମାନଙ୍କୁ ନେଇ ବିଭିନ୍ନ କମିଟିମାନ ଗଠନ କରାଗଲା। ‘ନାଗରିକ ମୌଳିକ ଅଧିକାର କମିଟି’ ସର୍ଦ୍ଦାର ପଟେଲଙ୍କ ସଭାପତିତ୍ବରେ ଗଠନ କରାଗଲା, ଯେଉଁ‌ଥିରେ ଆମ୍ବେଦକର ସଭ୍ୟ ରହିଥିଲେ। ସେହିପରି ସଂଖ୍ୟାଲଘୁ କମିଟିରେ ମଧ୍ୟ ଆମ୍ବେଦକରଙ୍କୁ ସଦସ୍ୟ ନିଆଯାଇଥିଲା। ୧୯୪୭ରେ ଜୁନ୍‌ରେ ଲର୍ଡ ମାଉଣ୍ଟବାଟେନ୍ ଭାରତକୁ ଭାଇସରୟ ହୋଇ ଆସିଲେ। ଏହା ପରେ ୧୯୪୭ ଜୁଲାଇ ମାସରେ ବ୍ରିଟିସ ସଂସଦ ଭାରତର ସ୍ବାଧୀନତା ପ୍ରସ୍ତାବକୁ ଅନୁମୋଦନ କଲା। ପରିଣାମ ସ୍ବରୂପ ଆମ ଦେଶ ଅଗଷ୍ଟ ୧୫ରୁ ଏକ ସ୍ବାଧୀନ ଓ ସାର୍ବଭୌମ ରାଷ୍ଟ୍ର ହେଲା। ଦେଶରେ ଏକ ସ୍ବାଧୀନ ସରକାର ଗଠିତ ହେଲା। ପଣ୍ଡିତ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ଆମ୍ବେଦକର ପ୍ରଥମ ଆଇନ ମନ୍ତ୍ରୀ ହେଲେ।
ସ୍ବାଧୀନ ଭାରତ ପାଇଁ ସଂବିଧାନ ପ୍ରସ୍ତୁତ କରିବାକୁ କାହାଙ୍କୁ ଦାୟିତ୍ବ ଦିଆଯିବ ସେ ଆଲୋଚନାରେ ବିଶିଷ୍ଟ ଆଇନଜ୍ଞ, କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ସଂବିଧାନ ବିଶାରଦ ସାର୍ ଆଇଭର୍ ଜେନିଙ୍ଗସ୍‌ଙ୍କ ନାମ ଅଧିକ ଚର୍ଚ୍ଚାରେ ଥାଏ। ତେବେ ଭାରତବର୍ଷର ସଂବିଧାନ ପ୍ରସ୍ତୁତ କରିବାର ଦାୟିତ୍ବ ଜଣେ ବିଦେଶୀଙ୍କୁ ଦେବା ପାଇଁ ମାହାତ୍ମା ଗାନ୍ଧୀ ଆଗ୍ରହୀ ନ ଥିଲେ। ପରେ ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ ଓ ମହାତ୍ମା ଗାନ୍ଧୀଙ୍କ ଭିତରେ ଆଲୋଚନା ହୋଇ ଆମ୍ବେଦକରଙ୍କର ନାମ ସ୍ଥିର ହେଲା। ସଂବିଧାନ ସଭାର ସଭାପତି ରାଜେନ୍ଦ୍ର ପ୍ରସାଦ ଶେଷରେ ନେହେରୁଙ୍କ ପରାମର୍ଶ କ୍ରମେ ୧୯୪୭ ଅଗଷ୍ଟ ୨୯ରେ ଆମ୍ବେଦକରଙ୍କ ନାମ ସଂବିଧାନ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ବୋଲି ସଂବିଧାନ ସଭାରେ ଘୋଷଣା କଲେ। ତାଙ୍କ ସହିତ ଆ‌ଉ ଛ’ଜଣ ବ୍ୟକ୍ତି ସଂବିଧାନ ପ୍ରସ୍ତୁତି କମିଟିରେ ମଧ୍ୟ ସଦସ୍ୟ ରହିଲେ। ସଂବିଧାନ ପ୍ରସ୍ତୁତ କରିବାର କାର୍ଯ୍ୟଟି ଶେଷରେ ଆମ୍ବେଦକରଙ୍କ ଉପରେ ନ୍ୟସ୍ତ ରହିଲା। ସଂବିଧାନର ପ୍ରଥମ ଡ୍ରାଫ୍‌ଟଟି ପ୍ରସ୍ତୁତ ହେବା ପରେ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ଲୋକମାନଙ୍କର ମତାମତ ସଂଗ୍ରହ କରାଗଲା। ଲୋକମାନଙ୍କ ଠାରୁ ମିଳିଥିବା ମତାମତ ଓ ସଂବିଧାନ ସଭାରେ ଏହାର ପଠନ ବେଳେ ଆସିଥିବା କିଛି କିଛି ପରାମର୍ଶକୁ ନେଇ ସଂବିଧାନକୁ ପୂର୍ଣ୍ଣାଙ୍ଗ ରୂପରେଖ ଦିଆଗଲା। 
ସଂବିଧାନର ବିସ୍ତୃତ ଆଲୋଚନା ପରିପ୍ରେକ୍ଷୀରେ ସଂବିଧାନର ବହୁ ସଦସ୍ୟ ଆମ୍ବେଦକରଙ୍କର ନିଷ୍ଠାପର ଉଦ୍ୟମ ଓ ପ୍ରୟାସକୁ ବହୁ ପ୍ରଶଂସା କରିଛନ୍ତି। ଏଠା‌ରେ କିଛି ମତର ଅବତାରଣା କରାଯାଇପାରେ। ସଂବିଧାନ ସଭାର ସଦସ୍ୟ ପ୍ରାଙ୍କ ଆନ୍ଥୋନି ମତବ୍ୟକ୍ତ କରିଥିଲେ, ‘‘ସଂବିଧାନର ଖସଡ଼ା ପ୍ରସ୍ତୁତ କରିବାରେ ଓ ଏହାର ଭାଷାକୁ ସୁନ୍ଦର ଭାବେ ଅଭିବ୍ୟକ୍ତି ଦେବାରେ ଆମ୍ବେଦକର ଯେଉଁ ଶ୍ରମ, ଶକ୍ତି ଓ ସମୟ ବ୍ୟୟ କରିଛନ୍ତି ତାହା ପ୍ରକୃତରେ ଅଭିନନ୍ଦନୀୟ। ତାଙ୍କର ଯୁକ୍ତି, ଅବବୋଧ, ପ୍ରଶ୍ନୋତ୍ତର ତଥା ବ୍ୟାଖ୍ୟାନ ଶୁଣିବାରେ ମୁଁ ଅଧିକ ଆନନ୍ଦ ପାଇଛି। ପୃଥିବୀର ବିଭିନ୍ନ ଦେଶର ଆଇନ ଓ ସଂବିଧାନ ବିଷୟରେ ଏତେକଥା ଜାଣିବା ସମ୍ଭବତଃ କାହା ପାଖରେ ସମ୍ଭବ ନୁହେଁ, ସେ ଯଥାର୍ଥରେ ଜଣେ ସଂବିଧାନ ବିଶାରଦ।’’ ଅନ୍ୟ ଜଣେ ସଦସ୍ୟ ଏଚ୍. ଜେ. ଖଣ୍ଡେକର କହିଥିଲେ, ‘‘ଭାରତର ସଂବିଧାନ ଏକ ମାହାର ସଂବିଧାନ, କାରଣ ଆମ୍ବେଦକର ଜଣେ ମାହାର। ମନୁ ଭାରତ ପାଇଁ ଯେଉଁ ସଂହିତା ପ୍ରସ୍ତୁତ କରିଥିଲେ ତାହା ଭାରତର ବିକାଶ ପରିବର୍ତ୍ତେ ବିନାଶ ପାଇଁ ବାଟ ଫିଟାଇଥିଲା। କିନ୍ତୁ ଆମ୍ବେଦକରଙ୍କ ସଂବିଧାନ ଦେଶରେ ନ୍ୟାୟ ଓ ମାନବିକତାର ବାଟ ଫିଟାଇବ। ଭାରତର ଏତେ ସଂସ୍କାରକ ଭାରତୀୟ ସମାଜରୁ ଅସ୍ପୃଶ୍ୟତା ଦୂର କରିପାରି ନ ଥିଲେ। ଆମେ ଏପରି ଜଣେ ବିଜ୍ଞ ସଂସ୍କାରକଙ୍କୁ ପାଇଛେ ଯିଏ ସଂବିଧାନର ଧାରା-୧୭ରେ ଦେଶରୁ ଅସ୍ପୃଶ୍ୟତାର ବିଲୋପ ପାଇଁ ପ୍ରୟାସ କରିଛନ୍ତି।’’ ସଂବିଧାନ ସଭାର ସଭାପତି ରାଜେନ୍ଦ୍ର ପ୍ରସାଦ ଆଲୋଚନା ଶେଷରେ କହିଥିଲେ, ‘‘ଆମ୍ବେଦକରଙ୍କୁ ସଂବିଧାନ ପ୍ରସ୍ତୁତ କରିବାର ଯେଉଁ ଦାୟିତ୍ବ ଦିଆଯାଇଥିଲା ସେ ଯେ ତାହାକୁ କେବଳ ସଫଳତାର ସହ ସମାପନ କରିଛନ୍ତି, ତାହା ନୁହେଁ, ସେ ସଂବିଧାନ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଭାବେ ସେହି ପଦର ଗରିମା ବୃଦ୍ଧି କରିଛନ୍ତି।’’
ସଂବିଧାନ ସଭାରେ ସଂବିଧାନ ପାରିତ ‌େହବା ପୂର୍ବରୁ ଆମ୍ବେଦକର ମାନନୀୟ ସଦସ୍ୟମାନଙ୍କର ମତାମତକୁ ଶୁଣିବା ପ‌େର ଯେଉଁ ମତବ୍ୟକ୍ତ କରିଥିଲେ ତାହା ମଧ୍ୟ ଅତ୍ୟନ୍ତ ଭାବଗର୍ଭକ ଥିଲା। ସେ କହିଥିଲେ ‌େଯ ଏକ ସଂବିଧାନର କାର୍ଯ୍ୟକାରିତା ଏହାର ସ୍ବରୂପ ଉପରେ ନିର୍ଭର କରେ ନାହିଁ। ଏହା ଏକ ରାଷ୍ଟ୍ରର ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଉପରେ ନିର୍ଭର କରେ। ଲୋକମାନେ ଓ ରାଜନୈତିକ ଶକ୍ତିମାନେ ସାଂବିଧାନିକ ଆଦର୍ଶଗୁଡ଼ିକୁ କିପରି ପାଳନ କରିବେ ଓ ଏହାର ମର୍ଯ୍ୟାଦା ରକ୍ଷା କରିବେ ଏହା ସେମାନଙ୍କ ଉପରେ ନିର୍ଭର କରୁଛି। ଏକ ସଂବିଧାନର ଆଭିମୁଖ୍ୟ ଯେତେ ମହତ୍ ହେଲେ ମଧ୍ୟ ଯଦି ଲୋକମାନେ ଓ ରାଜନୈତିକ ଶକ୍ତିମାନେ ଅସାଂବିଧାନିକ ବା ବୈପ୍ଳବିକ ପନ୍ଥାର ଆଶ୍ରୟ ନେବେ ତେବେ ସଂବିଧାନର ପନ୍ଥା ଯେ ବ୍ୟର୍ଥ ହୋଇଛି ଏହା କେବଳ କେହି ପ୍ରଫେଟ୍ ହିଁ କହିପାରିବେ। ବସ୍ତୁତଃ ଏକ ସଂବିଧାନ ରାଷ୍ଟ୍ରର ଲକ୍ଷ୍ୟ, ସ୍ବପ୍ନ ଓ ଆଦର୍ଶକୁ କେତେ ସାର୍ଥକ କରିପାରିବ ତାହା ଭବିଷ୍ୟତ ହିଁ କହିବ। ସେ ଏହା ମଧ୍ୟ କହିଥିଲେ ଯେ ସାମାଜିକ ଓ ଅର୍ଥନୈତିକ ସ୍ତରରେ ଗଣତନ୍ତ୍ର ବା ସମତା ନ ରହିଲେ ରାଜନୈତିକ ଗଣତନ୍ତ୍ର ମହତ୍ତ୍ବ ହରାଇବ। ସାମାଜିକ ଗଣତନ୍ତ୍ରର ଭାବନା ହେଉଛି ଏକ ଉତ୍ତମ ଜୀବନଦର୍ଶନ। ଏହି ଜୀବନଦର୍ଶନର ଆଧାର ହେଉଛି ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବଭାବ। ଏହି ତିନି ଆଦର୍ଶ ପରସ୍ପରର ଅନୁପୂରକ। ସମାଜରେ ରହିଥିବା ସ୍ତର ସ୍ତରର ବୈଷମ୍ୟ ଓ ସାଂପ୍ରଦାୟିକ ମନୋଭାବର ଦୂରୀକରଣ ନ ହେଲେ ଏକ ସୁସ୍ଥ ସମାଜ ତଥା ଏକ ସଂହତିପୂର୍ଣ୍ଣ ରାଷ୍ଟ୍ର ସମ୍ଭବ ହେବ ନାହିଁ। 
ସଂବିଧାନ ସଭାରେ ଆମ୍ବେଦକର ଯାହାସବୁ ୧୯୪୯ରେ କହିଥିଲେ ତାହା ଆଜି ବି ଅନେକଟା ମହତ୍ତ୍ବପୂର୍ଣ୍ଣ ମନେ ହୁଏ। ଜଣେ ରାଷ୍ଟ୍ରନୀତିଜ୍ଞ ଓ ଚିନ୍ତାନାୟକ ଭାବେ ତାଙ୍କ ବିଚାରର ଯେ ସାର୍ବଜନୀନ ମୂଲ୍ୟ ରହିଛି ତାହା କହିବା ବାହୁଲ୍ୟ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]