ଜଣେ ବରେଣ୍ୟ ମାନବବାଦୀ

ଧନେଶ୍ବର ସାହୁ

 

ଆମ ସମୟରେ ଆଦର୍ଶ, ସତ୍ୟନିଷ୍ଠତା ଓ ମାନବିକ ମୂଲ୍ୟବୋଧର ଧାରା ସୃଷ୍ଟି କରିଥିବା ଜଣେ ବ୍ୟକ୍ତି ହେଲେ ଅଧୢାପକ ରାଧାମୋହନ। ସମୟର ବେଳାଭୂମିରେ ସେ ମାନବିକତାର ଯେଉଁ ପଦଚିହ୍ନ ଛାଡ଼ିଯାଇଛନ୍ତି ତାହା ବହୁଦିନ ପର୍ଯ୍ୟନ୍ତ ଅଲିଭା ରହିବ।

ସେ ଥିଲେ ଆମ ସମୟର ଓ ଓଡ଼ିଶାର ବିବେକ ଓ ଗାନ୍ଧୀବାଦୀ ମୂଲ୍ୟବୋଧର ଏକ ପ୍ରତୀକ। ଅଧୢାପକ ରାଧାମୋହନ ଅଧୢାପନା ବୃତ୍ତିରୁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଅଧୢାପନା ଓ ସମାଜସେବା ଉଭୟର ସମନ୍ବୟ ହୋଇଥିଲା ତାଙ୍କ ବ୍ୟକ୍ତିତ୍ବରେ। ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟ କରି ୨୦୦୧ରେ ପୁରୀ ସ୍ଥିତ ଏସ୍‌.ସି.ଏସ୍‌ କଲେଜର ଅଧୢକ୍ଷ ପଦରୁ ଅବସର ନେଇଥିଲେ। ଯେଉଁ କଲେଜକୁ ଯାଇଛନ୍ତି ସେଠାରେ ନିଜର କର୍ତ୍ତବ୍ୟ ସହ ସମାଜସେବାରେ ନିଜକୁ ବ୍ରତୀ କରିଛନ୍ତି ଓ ସେ ଅଞ୍ଚଳରେ ପରିବେଶ ସୁରକ୍ଷା ନେଇ ସାମାଜିକ ସଚେତନତା ସୃଷ୍ଟି ଦିଗରେ ବ୍ରତୀ ହୋଇଛନ୍ତି।

ମୁଁ ତାଙ୍କର ଛାତ୍ର ବା ସହକର୍ମୀ ହେବାର ସୌଭାଗ୍ୟ ପାଇ ନାହିଁ। ୧୯୯୮ରେ ମୁଁ ଢେଙ୍କାନାଳ କଲେଜରେ ଅଧୢାପକ ଭାବରେ ଯୋଗ ଦେବାର ଦୁଇ ଦଶନ୍ଧି ପୂର୍ବରୁ ସେ ଢେଙ୍କାନାଳ କଲେଜରୁ ବଦଳି ହୋଇ ଯାଇସାରିଥିଲେ। ଢେଙ୍କାନାଳ କଲେଜରେ ସେ ପ୍ରାୟ ସାତ ବର୍ଷ ଅଧୢାପକ ରହିବା ଭିତରେ ସମାଜ ସେବା କ୍ଷେତ୍ରରେ ଯେଉଁ କୀର୍ତ୍ତି ଅର୍ଜନ କରିଛନ୍ତି ତାହା ସାଧାରଣ ଜୀବନରେ ଜୀବନ୍ତ କାହାଣୀ ହୋଇ ରହିଛି। ଅନେକ କାର୍ଯ୍ୟ ମଧୢରୁ ଦୁଇ ତିନିଟି ଘଟଣାର ବର୍ଣ୍ଣନା ଏଠାରେ ପ୍ରଦାନ କରାଯାଇପାରେ।

୧୯୭୨-୭୩ ମସିହାର ଘଟଣା। ହିନ୍ଦୋଳ ସବ୍‌ଡିଭିଜନ୍‌ର ଏକ ପଞ୍ଚାୟତ ବାବନ୍ଧ। ସେଠାରେ ମନ୍ଦିର ପ୍ରବେଶ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣମାନଙ୍କ ମଧୢରେ ଏକ ଭୀଷଣ ଜାତିଗତ ଦଙ୍ଗା ସୃଷ୍ଟି ହୋଇଥିଲା। ମାସ ମାସ ଧରି ଏକ ଉତ୍ତେଜନାର ବାତାବରଣ ଲାଗି ରହିଲା। ଏହି ସ୍ଥିତିରେ ଅଧୢାପକ ରାଧାମୋହନ କିଛି ଛାତ୍ରଙ୍କୁ ନେଇ ସେହି ଗ୍ରାମରେ କିଛି ଦିନ କ୍ୟାମ୍ପ୍‌ କରି ରହିଲେ। ପ୍ରତି ପରିବାରକୁ ଗଲେ, ଲୋକଙ୍କର ସମସ୍ୟା ବୁଝିଲେ ଓ ଉଭୟ ଗୋଷ୍ଠୀ ଭିତରେ ଏପରି ବିଶ୍ବାସ ସୃଷ୍ଟି କଲେ ଯାହାଦ୍ବାରା ସେମାନେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ଗ୍ରାମରେ ଫେରାଇ ଆଣିବାକୁ ସମ୍ମତ ହେଲେ। ଏହି ଘଟଣା ଘଟିବାର ୪୫ ବର୍ଷ ପରେ ମୁଁ ଥରେ ତାଙ୍କ ସହ ସେ ଗାଁକୁ ଯାଇଥିଲି। ଅନେକ ବୟସ୍କ ଲୋକ ତାଙ୍କୁ ଦେଖି ଆସି ମୁଣ୍ତିଆ ମାରିଲେ। ଢେଙ୍କାନାଳ ଠାରୁ ୧୨-୧୩ କି.ମି ଦୂରରେ ଖଳିବନ୍ଧ ନୂଆଗାଁ ଅନ୍ୟ ଏକ ଗ୍ରାମ। ସେହି ଗ୍ରାମରେ ସେ ଜାତୀୟ ସେବା ସ˚ସ୍ଥା ବା ଏନଏସ୍‌ଏସ୍‌ କ୍ୟାମ୍ପ୍‌ କରିଥିଲେ। ଗାଁରେ ପରିମଳ, ବୃକ୍ଷରୋପଣ, ଅଞ୍ଚଳର ପାହାଡ଼ ସୁରକ୍ଷା ଇତ୍ୟାଦି କାର୍ଯ୍ୟ ସହ ସେ ଗାଁର ବିଭିନ୍ନ ସମସ୍ୟା ବିଷୟରେ ବି ବୁଝିଲେ। ପାରିବାରିକ କନ୍ଦଳର ମୀମାଂସା କଲେ। ସେହି ଗ୍ରାମରେ ଏକ ଗଣବିବାହ କାର୍ଯ୍ୟକ୍ରମ କଲେ, ଯାହା ସେତେବେଳେ ରାଜ୍ୟରେ ଏକ ମୁଖ୍ୟ ସମ୍ବାଦ ହୋଇଥିଲା। ସେହିପରି କପିଳାସ ପାଖରେ ଦେବୋତ୍ତର ଜମିରେ ପ୍ରାୟ ନ’ଶହ ଏକର ଜମିରେ ସେ ଏନଏସ୍‌ଏସ୍‌ ସ୍ବେଚ୍ଛାସେବୀଙ୍କୁ ନେଇ ଏକ ବିଶାଳ କାଜୁ ଜଙ୍ଗଲ ସୃଷ୍ଟି କରିଥିଲେ। ଏହି କାଜୁ ଜଙ୍ଗଲ ହେବା ପରେ ଆଖପାଖ ଅନେକ ଗ୍ରାମର ଲୋକମାନେ ସ୍ବାବଲମ୍ବୀ ହୋଇପାରିଲେ।

ଜାତୀୟ ସେବା ସ˚ସ୍ଥାର କାର୍ଯ୍ୟକ୍ରମରେ ସେ ନିଜେ ନାଲି ଗାମୁଛାଟିଏ ପିନ୍ଧି ମାଟି ହାଣିବେ, ପୋଖରୀର ଦଳ ସଫା କରିବେ; ଫଳରେ ପିଲାମାନେ ଶ୍ରମର ମର୍ଯ୍ୟାଦାର ମୂଲ୍ୟ ବୁଝିବେ। ଏଣେ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀମାନଙ୍କର ଅଭିଭାବକଙ୍କ ସହ ସମ୍ବନ୍ଧ ରକ୍ଷାକରି ପିଲାମାନେ କିପରି ସୁନାଗରିକ ହେବେ, ପରାମର୍ଶ ଦେବେ। ସେ କୌଣସି ସାମାଜିକ ଭେଦଭାବକୁ ଗ୍ରହଣ କରୁ ନ ଥିଲେ। ଏକ ସରଳ ଜୀବନ ପ୍ରତି ନିଷ୍ଠାବଦ୍ଧ ଥିଲେ। ଜାତି ଭେଦକୁ ବିରୋଧ କରି ନିଜର ପଇତା ପିଙ୍ଗି ଦେଇଥିଲେ ଓ ନାମରୁ ଜାତିବାଚକ ସାଙ୍ଗିଆକୁ କାଟି ଦେଇଥିଲେ। ଗ୍ରାମୀଣ ଅର୍ଥନୀତିକୁ କିପରି ସୁଦୃଢ଼ କରାଯାଇ ସବୁଲୋକଙ୍କୁ ସ୍ବାବଲମ୍ବୀ କରାଯାଇପାରିବ ଏ କ୍ଷେତ୍ରରେ ତାଙ୍କର ନିଜସ୍ବ ଅବବୋଧ ରହିଥିଲା।

ତାଙ୍କ ବ୍ୟକ୍ତିଗତ ସମ୍ପର୍କରେ ଆସିଥିବା ଲୋକମାନେ ଜାଣନ୍ତି ଯେ ସେ ଘଣ୍ଟା ପିନ୍ଧୁନଥିଲେ, ଚିନି ବା ଚିନି ପ୍ରସ୍ତୁତ ଖାଦ୍ୟ ନ ଖାଇ ଗୁଡ଼ ଖାଉଥିଲେ ଓ ଭାତ ସାଙ୍ଗରେ କେବଳ ଦୁଇଟି ଜିନିଷ ଡାଲି ଓ ଗୋଟିଏ ତରକାରି ବା ଡାଲମା, ଖଟା ଖାଉଥିଲେ। ତାଙ୍କ ସରଳ ଜୀବନ ପ୍ରେରଣାଦାୟୀ ଥିଲା। ଜଣେ ଶିକ୍ଷାବିତ୍‌, ପରିବେଶବିତ୍‌, ମାନବିକ ଅଧିକାରର ପ୍ରବକ୍ତା, ସମାଜ ସ˚ସ୍କାରକ ଓ ଗାନ୍ଧୀବାଦୀ ମୂଲ୍ୟବୋଧର ପ୍ରବକ୍ତା ଭାବେ ସେ ଓଡ଼ିଶାର ଜନଜୀବନରେ ପରିଚିତ ଥିଲେ।

ଏ୪/୪୦୫, ଜୀବନ ଆନନ୍ଦ ଏଲ୍‌ଆଇସି ଫ୍ଲାଟ୍‌ସ, ଖଣ୍ତଗିରି, ଭୁବନେଶ୍ବର

ସମ୍ବନ୍ଧିତ ଖବର