ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍ ରାୟଙ୍କ ଉକ୍ତିରେ, ‘‘ଚଳଚ୍ଚିତ୍ର ଏକ ସାର୍ବଜନୀନ ଭାଷା କହିଥାଏ’’। ଏକତା ବଜାୟ ରଖିବାରେ ଚଳଚ୍ଚିତ୍ରର ଅଭିନବ ଶକ୍ତିକୁ ଚିହ୍ନି ସେ ଏହି ମତବ୍ୟକ୍ତ କରିଥିଲେ। ଭାରତୀୟ ଚଳଚ୍ଚିତ୍ର ଜଗତ ନିଜର ଭାଷାଗତ ଓ ସାଂସ୍କୃତିକ ବିବିଧତା ବଳରେ ଦେଶର କୋଣଅନୁକୋଣରୁ ଲୋକମାନଙ୍କୁ ଏକାଠି କରିଥାଏ, ସେମାନଙ୍କର ଭାବନା ଓ ଅନୁଭୂତିକୁ ବାଣ୍ଟିବା ଲାଗି ଗୋଟିଏ ମଞ୍ଚ ପ୍ରଦାନ କରିଥାଏ। ତାମିଲ ଡ୍ରାମା ହେଉ କିମ୍ବା ହିନ୍ଦୀ ବ୍ଲକ୍ବଷ୍ଟର୍, ଅଥବା ମରାଠୀ ଇଣ୍ଡି ଫିଲ୍ମ, ଚଳଚ୍ଚିତ୍ର ସବୁବେଳେ ଏକ ଗଭୀର ଆତ୍ମୀୟତାର ଭାବନାକୁ ପ୍ରୋତ୍ସାହିତ କରିଥାଏ, ବିଭାଜନ ଦୂର କରିଥାଏ ଓ ଭିନ୍ନତା ସତ୍ତ୍ୱେ ଆମେ ସମସ୍ତେ ଏକ ବୋଲି ଆମକୁ ମନେ ପକାଇ ଦେଇଥାଏ।
ଆଞ୍ଚଳିକ ଓ ଭାଷାଗତ ସୀମା ଅତିକ୍ରମ କରିବାର କ୍ଷମତା ହିଁ ଭାରତୀୟ ଚଳଚ୍ଚିତ୍ରକୁ ସାର୍ବଜନୀନ କରିଥାଏ, ଏହାକୁ ରାଷ୍ଟ୍ରୀୟ ଏକତା ପାଇଁ ଏକ ପ୍ରଭାବଶାଳୀ ଶକ୍ତିରେ ପରିଣତ କରିଥାଏ। ସବୁ ଭାରତୀୟ ଭାଷାରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିବା ରାଜ କପୁରଙ୍କ ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଶ୍ରୀ ୪୨୦’ ହେଉ କିମ୍ବା ଦେଶବ୍ୟାପୀ ପ୍ରଶଂସିତ ହୋଇଥିବା ମଣି ରତ୍ନମଙ୍କ ‘ରୋଜା’, ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ଏପରି ଭାବଗତ ଭାଷା କହିଥା’ନ୍ତି ଯାହାକୁ ସମସ୍ତେ ବୁଝିପାରିବେ। ଏମ୍.ଏସ୍. ସତ୍ୟୁଙ୍କ ‘ଗରମ୍ ହୱା’ ଓ ବିମଳ ରାୟଙ୍କ ‘ଦୋ ବିଘା ଜମିନ୍’ ଭଳି ଚଳଚ୍ଚିତ୍ର ଆମକୁ ସଂଘର୍ଷ, ପ୍ରେମ ଓ ବିଜୟର କାହାଣୀଗୁଡ଼ିକୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ କରାଯାଇପାରିବ ନାହିଁ ବୋଲି ସ୍ମରଣ କରାଇ ଦେଇଥା’ନ୍ତି। ବାସ୍ତବରେ ଭାରତକୁ ଏକଜୁଟ କରିବାର ସାମର୍ଥ୍ୟ ଚଳଚ୍ଚିତ୍ରରେ ରହିଛି ବୋଲି ଏଥିରୁ ପ୍ରମାଣ ମିଳେ।
ପ୍ରତିବର୍ଷ ଦେଶର ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ କଳାକାରମାନଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯିବା ସମୟରେ ଚଳଚ୍ଚିତ୍ରର ଏହି ସାର୍ବଜନୀନତାକୁ ସମ୍ମାନ ପ୍ରଦର୍ଶନ କରାଯାଏ। ଏହା କେବଳ ଏକ ଆଖିଦୃଶିଆ, ଚର୍ଚ୍ଚିତ କାର୍ଯ୍ୟକ୍ରମ ନୁହେଁ, ଯାହା ପ୍ରାୟତଃ ଏଭଳି କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ। ଏଥିରେ ନିର୍ମାତା, କାହାଣୀକାର ଓ ଅଭିନେତାଙ୍କ ମଧ୍ୟରେ ଥିବା ପ୍ରକୃତ ପ୍ରତିଭାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଏ। ଏହା ମାଧ୍ୟମରେ ଭାରତର ଭାଷା ଓ କଥିତ ଭାଷାଗୁଡ଼ିକର ବିବିଧତା ଓ ନାନା ରଙ୍ଗରେ ପରିପୂର୍ଣ୍ଣ ସ୍ୱତନ୍ତ୍ରତାକୁ ସମ୍ମାନ ବ୍ୟକ୍ତ କରାଯାଏ। ଏସବୁ ମିଶି ଏହି ମହାନ ରାଷ୍ଟ୍ରର ଯାଦୁକରୀ ଏକତାକୁ ସୁନ୍ଦର ଢଙ୍ଗରେ ପ୍ରଦର୍ଶିତ କରିଥା’ନ୍ତି। ଏହା ମଧ୍ୟ ଶତାଧିକ ଭାଷା କହୁଥିବା ପ୍ରାୟ ଦେଢ଼ ଶହ କୋଟି ଲୋକ ଓ ସେମାନଙ୍କ କଥିତ ଭାଷାକୁ ଏକୀକୃତ କରିଥାଏ।
ତିୱା ଭାଷାରେ ନିର୍ମିତ ଏକ ଚଳଚ୍ଚିତ୍ର ‘ସିକାଇସାଲ୍’ (ଯଦି କେବଳ ଗଛମାନେ କଥା କହିପାରନ୍ତେ) ଶ୍ରେଷ୍ଠ ଚଳଚ୍ଚିତ୍ର ବିଜେତାମାନଙ୍କ ମଧ୍ୟରେ ସ୍ଥାନ ପାଇବା ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ସ୍ୱତନ୍ତ୍ରତାକୁ ପ୍ରମାଣିତ କରିଥାଏ। ଏହା ହେଉଛି ତିୱା ଲୋକମାନଙ୍କର ଭାଷା। ଏମାନେ ହେଉଛନ୍ତି ଉତ୍ତର-ପୂର୍ବ ଭାରତ, ବାଂଲାଦେଶ ଓ ମ୍ୟାନ୍ମାରରେ ବସବାସ କରୁଥିବା ଏକ ତିବ୍ବତୀୟ-ବ୍ରହ୍ମଦେଶୀୟ ଆଦିବାସୀ ସମ୍ପ୍ରଦାୟ। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ସରକାରଙ୍କୁ ଫିଚର୍ ଫିଲ୍ମ ବର୍ଗରେ ୩୨ଟି ଭିନ୍ନ ଭିନ୍ନ ଭାଷାରେ ୩୦୯ଟି ଚଳଚ୍ଚିତ୍ର ପାଇଁ ଆବେଦନ ମିଳିଥିବା ବେଳେ ଅଣ-ଫିଚର୍ ଫିଲ୍ମ ବର୍ଗରେ ୧୭ଟି ଭାଷାରେ ୧୨୮ଟି ଚଳଚ୍ଚିତ୍ରର ନାମାଙ୍କନ ମିଳିଥିଲା। ଫିଚର୍ ଫିଲ୍ମ ବର୍ଗରେ ୪ଟି ଭାରତୀୟ ଭାଷାର ଫିଲ୍ମ ସ୍ୱର୍ଣ୍ଣ କମଳ ପୁରସ୍କାର ଜିତିଥିଲା, ସେଥିମଧ୍ୟରୁ ଗୋଟିଏ ହରିୟାଣୀ ଭାଷାରେ ଥିଲା। ଏହି ବର୍ଗରେ ହିନ୍ଦୀ ଓ ତାମିଲ ଭାଷାର ୫ଟି ଲେଖାଏଁ ଚଳଚ୍ଚିତ୍ର ରଜତ କମଳ ପୁରସ୍କାର ଜିତିଥିବା ବେଳେ ମାଲାୟାଲମ୍, ଗୁଜରାଟୀ, କନ୍ନଡ଼, ହରିୟାଣୀ ଓ ବଙ୍ଗଳା ଭାଷାର ଚଳଚ୍ଚିତ୍ର ମଧ୍ୟ ପୁରସ୍କୃତ ହୋଇଥିଲେ। ଭାରତୀୟ ସଂବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ଭାଷାଗୁଡ଼ିକରେ ୧୦ଟି ଚଳଚ୍ଚିତ୍ରକୁ ରଜତ କମଳ ପୁରସ୍କାର ପ୍ରଦାନ କରାଯାଇଥିଲା। ହିନ୍ଦୀ ଓ ଉର୍ଦ୍ଦୁରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ର ଶ୍ରେଷ୍ଠ ଅଣ-ଫିଚର୍ ଚଳଚ୍ଚିତ୍ର ପାଇଁ ସ୍ୱର୍ଣ୍ଣ କମଳ ପୁରସ୍କାର ଜିତିଥିଲା।
ଭାଷାଗତ ରାଜନୀତିର ନେତିବାଦୀମାନେ ଯେତେ ଯୁକ୍ତି ବାଢ଼ନ୍ତୁ ପଛେ, ଭାଷାଗତ ରାଜ୍ୟଗୁଡ଼ିକୁ ନେଇ ଭାରତୀୟ ଗଣତନ୍ତ୍ର ଗଠନ ହେବାର ପ୍ରାୟ ୭୫ ବର୍ଷ ପରେ, ଅତୀତର ବାଧାଗୁଡ଼ିକ ବିଗତ ଏକ ଦଶନ୍ଧି ମଧ୍ୟରେ ଅନେକାଂଶରେ ସମାପ୍ତ ହୋଇଯାଇଛି। ଏକଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ବଲିଉଡ୍ ଚଳଚ୍ଚିତ୍ରଗୁଡ଼ିକ ହିନ୍ଦୀକୁ ବ୍ୟାପକ ଭାବେ ଗ୍ରହଣୀୟ କରିଛନ୍ତି। କିନ୍ତୁ ଭାରତୀୟ ସମାଜର ବିବିଧ ଧାରା ଉପରେ ଏହା ହିଁ ଚଳଚ୍ଚିତ୍ରର ଏକମାତ୍ର ବଡ଼ ପ୍ରଭାବ। ଦ୍ୱିତୀୟ ବଡ଼ ପ୍ରଭାବ ହେଉଛି ‘ଅନ୍ୟ’ ଭାଷାଗତ ଗୋଷ୍ଠୀ ଓ ପରିଚୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ନେଇ ବିବିଧତାରେ ଏକତାର ଗଭୀର ଓ ଦୀର୍ଘସ୍ଥାୟୀ ଭାବନାକୁ ପ୍ରୋତ୍ସାହିତ କରିବା।
ଭାରତୀୟ ଚଳଚ୍ଚିତ୍ର ଜଗତ କଥା କହିଲେ ଏହା କେବଳ ଗୋଟିଏ ସ୍ଲୋଗାନ୍ ଠାରୁ ଊର୍ଦ୍ଧ୍ୱକୁ ଯାଇ ସୃଜନଶୀଳ ସ୍ରଷ୍ଟାମାନଙ୍କର ଏକ ଅକଳ୍ପନୀୟ ରୂପେ ବିଶାଳ ସମୁଦାୟକୁ ଏକତ୍ରିତ କରିଥାଏ। ଏହି ସ୍ରଷ୍ଟାମାନେ ରାଜନୀତି, ସମାଜ, ସଂସ୍କୃତି ଏବଂ ଆମେ ଯାହାକୁ ନୀତି ଓ ନୈତିକ ମୂଲ୍ୟବୋଧ ବୋଲି କହିଥାଉ, ସେହି ଅସଂଖ୍ୟ ବିଷୟ ଉପରେ ଆଧାରିତ ଯାଦୁକରୀ ମନୋରଞ୍ଜନ ଭେଟି ଦେବା ପାଇଁ ନିଜ ପ୍ରତିଭାକୁ ଏକତ୍ର ବିନିଯୋଗ କରିଥା’ନ୍ତି। ସେମାନଙ୍କର ଏହି ପ୍ରୟାସ ବ୍ୟକ୍ତିଗତ ଭାବେ ଆମକୁ ଓ ଦେଶର ସବୁ ଲୋକଙ୍କୁ ନେଇ ଏକ ରାଷ୍ଟ୍ର ରୂପେ ବାନ୍ଧି ରଖିଥାଏ। ଦେଖିବାକୁ ଗଲେ ନୀତି, ନୈତିକତା ଓ ନୈତିକ ମୂଲ୍ୟବୋଧକୁ ଦର୍ଶାଉଥିବା ଏହି ସାର୍ବଜନୀନ ଉପାଦାନ ବିନା କୌଣସି ଭାରତୀୟ କାହାଣୀ କୁହାଯାଇନାହିଁ ଏବଂ ଏହାକୁ କେବଳ ଚଳଚ୍ଚିତ୍ର ନିର୍ମାତା ଓ ଦର୍ଶକଙ୍କ ଅନ୍ତର୍ଦୃଷ୍ଟି ହିଁ ଅନୁଭବ କରିପାରିବ। ବର୍ତ୍ତମାନ ସୁଦ୍ଧା ଦୁଇଟି ଶ୍ରେଷ୍ଠ କାହାଣୀ ରୂପେ ମାନ୍ୟତା ପାଇଥିବା ରାମାୟଣ ଓ ମହାଭାରତ ଏହି କଥାକୁ ପ୍ରମାଣିତ କରିବାରେ ସହାୟକ ହୋଇଥାଏ।
ଆମ ସିନେମାର ଅନ୍ୟ ଏକ ସାଧାରଣ ଧାରା ହେଉଛି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ବିଭାଜନର ମୂଳରେ ଥିବା ବିଭାଜନକାରୀ ପ୍ରତୀକଗୁଡ଼ିକୁ ଆମ ଚଳଚ୍ଚିତ୍ର ନିର୍ମାତାମାନେ ସହଜରେ ହଟାଇ ଦିଅନ୍ତି। ଏହା ମଧ୍ୟ ଭାରତରେ କାହାଣୀ କହିବାର କଳାର ଅନନ୍ୟ ଶକ୍ତି: କଳାତ୍ମକ ଚଳଚ୍ଚିତ୍ର ହେଉ, ଲୋକପ୍ରିୟ ଚଳଚ୍ଚିତ୍ର ହେଉ, ବ୍ୟାବସାୟିକ ଚଳଚ୍ଚିତ୍ର ହେଉ କିମ୍ବା ଆଧୁନିକ ସମୟର ଆହ୍ୱାନ ଉପରେ ଆଧାରିତ ଚଳଚ୍ଚିତ୍ର ଅଥବା ଓଟିଟି ଚଳଚ୍ଚିତ୍ର ହେଉ, ଏସବୁ ଦେଖି ଆମେ ଏକାଠି ଉତ୍ସାହିତ ହୋଇଥାଉ, ଏକାଠି ପ୍ରଶଂସା କରିଥାଉ ଓ ଏକାଠି ଉତ୍ସବ ପାଳନ କରିଥାଉ। ଓସ୍କାର୍ ଓ ଗୋଲ୍ଡେନ୍ ଗ୍ଲୋବ୍ ଜିତିଥିବା ତେଲୁଗୁ ମ୍ୟୁଜିକାଲ୍ ‘ଆର୍ଆର୍ଆର୍’ର ଗୀତ ‘ନାଟୁ ନାଟୁ’ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଭାଷା, ଜାତି ଓ ଜାତୀୟତା ନିର୍ବିଶେଷରେ ସୁପର୍ହିଟ୍ ସାବ୍ୟସ୍ତ ହୋଇଥିଲା।
ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ଉନ୍ନତ କରିବା ପାଇଁ ସରକାର ତିନିଟି ମୁଖ୍ୟ ସ୍ତମ୍ଭ ଉପରେ ଧ୍ୟାନ ଦେଉଛନ୍ତି: ଏକ ଦୃଢ଼ ପ୍ରତିଭା ପାଇପ୍ଲାଇନ୍ ବିକଶିତ କରିବା, ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଭିତ୍ତିଭୂମି ବୃଦ୍ଧି କରିବା ଓ କାହାଣୀକାରମାନଙ୍କୁ ସଶକ୍ତ କରିବା ପାଇଁ ପ୍ରକ୍ରିୟାକୁ ସରଳ କରିବା। ସରକାର ନିକଟରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି, ଯାହା ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଥିସହିତ ଚଳଚ୍ଚିତ୍ର ନିର୍ମାଣ, ଇମର୍ସିଭ୍ ଏକ୍ସପିରିଏନ୍ସ (ଭୌତିକ ଜଗତ ଠାରୁ ଭିନ୍ନ ଅନୁଭୂତି ଯଥା: ଭର୍ଚୁଆଲ୍ ରିଅଲିଟି, ଅଗ୍ମେଣ୍ଟ ରିଅଲିଟି ଆଦି) ଏବଂ ଇଣ୍ଟର୍ଆକ୍ଟିଭ୍ (ପାରସ୍ପରିକ ଯୋଗାଯୋଗ) ମନୋରଞ୍ଜନର ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରହଣ କରି ଭାରତୀୟ ସିନେମା ଉଭୟ ଜାତୀୟ ଏକତା ପାଇଁ ଓ ବିଶ୍ୱ ମନୋରଞ୍ଜନ ନିମନ୍ତେ ଏକ ପ୍ରଭାବଶାଳୀ ଶକ୍ତି ଭାବେ ନିଜର ସ୍ଥିତି ସୁଦୃଢ଼ କରିଛି।
ଭବିଷ୍ୟତକୁ ଦେଖିଲେ ଏକ ଭାରତ ଶ୍ରେଷ୍ଠ ଭାରତରେ ସିନେମାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଦ୍ରୁତ ବିକାଶଶୀଳ ଦୁନିଆରେ ଭାରତୀୟ ସିନେମା ନିଜର ଦିଗନ୍ତକୁ ଅଭିନବ ଢଙ୍ଗରେ ବିସ୍ତାର କରିବା ଜାରି ରଖିଛି। ଏହା ଏପରି କାହାଣୀ କହୁଛି ଯାହା କେବଳ ଆମର ବିବିଧତାକୁ ପ୍ରତିଫଳିତ କରେ ନାହିଁ ବରଂ ଏକ ସହଭାଗୀ ଭବିଷ୍ୟତର କଳ୍ପନା ମଧ୍ୟ କରେ। ପ୍ରତ୍ୟେକ ଫ୍ରେମ୍ ସହିତ, ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀର ସୀମାକୁ ଆଗକୁ ବଢ଼ାଉଛନ୍ତି। ପରସ୍ପର ସହ ଯୋଡ଼ି ହୋଇ ରହିଥିବା ଓ ଆଗକୁ ବଢୁଥିବା ଭାରତର ଏକତା ଓ ପ୍ରଗତି ପାଇଁ ଚଳଚ୍ଚିତ୍ର ଯେପରି ଏକ ପ୍ରଭାବଶାଳୀ ଶକ୍ତି ହୋଇପାରିବ ତାହା ନିର୍ମାତାମାନେ ସୁନିଶ୍ଚିତ କରୁଛନ୍ତି।
ଅଶ୍ବିନୀ ବୈଷ୍ଣବ
କେନ୍ଦ୍ର ସୂଚନା ଓ ପ୍ରସାରଣ,
ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ