ଭାରତର ୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲା ପ୍ରାଚୀରରୁ ଦେଶ ଉଦ୍ଦେଶ୍ୟରେ ଅଗଷ୍ଟ ୧୫ ତାରିଖରେ ଦେଇଥିବା ଭାଷଣରେ ନାରୀ ଶକ୍ତିକୁ ଉଲ୍ଲେଖ କରି ଦୁଃଖର ସହ କହିଥିଲେ, “ଆମେ ବେପରୁଆ ଭାବରେ ଭାଷା ଏବଂ ଶବ୍ଦ ବ୍ୟବହାର କରୁଛୁ ଯାହା ମହିଳାମାନଙ୍କୁ ଅପମାନିତ କରୁଛି।” ତା’ପରେ ତାଙ୍କର ଏକ ତୀକ୍ଷ୍ଣ ପ୍ରଶ୍ନ ଥିଲା, “ଆମେ କ’ଣ ଆମର ବ୍ୟବହାର, ସଂସ୍କୃତି ଓ ଦୈନନ୍ଦିନ ଜୀବନର ସବୁ କ୍ଷେତ୍ରରେ ସେ ସବୁକୁ ତ୍ୟାଗ କରିପାରିବା ନାହିଁ ଯାହା ନାରୀମାନଙ୍କୁ ଅପମାନିତ କରି ତାଙ୍କୁ ନିମ୍ନ ଓ ଅସଭ୍ୟ ଦୃଷ୍ଟିରେ ପରିଗଣିତ କରେ?” ସେ ଜୋର୍ ଦେଇ କହିଲେ ଯେ ଦେଶର ସ୍ୱପ୍ନ ସାକାର କରିବାରେ ମହିଳାଙ୍କ ଗୌରବ ଏକ ବୃହତ୍ ସମ୍ପଦ ଭାବେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀଙ୍କର ଏହିସବୁ ଉଚ୍ଚକୋଟୀର ଓ ମହତ ଉଦ୍ଦେଶ୍ୟପୂର୍ଣ୍ଣ ଶବ୍ଦାବଳୀ ଅର୍ଥହୀନ ମନେ ହେଲା। କାରଣ ସେହି ଅଗଷ୍ଟ ୧୫ ଦିନ ହିଁ ଗୁଜରାଟର ବିଜେପି ସରକାର ରାଜ୍ୟରେ ୨୦୦୨ର ସାମ୍ପ୍ରଦାୟିକ ଦଙ୍ଗା ସମୟରେ ପାଞ୍ଚ ମାସର ଗର୍ଭବତୀ ବିଲକିସ ବାନୋଙ୍କୁ ଗଣଧର୍ଷଣ ଓ ତାଙ୍କ ତିନି ବର୍ଷର ଝିଅ ଏବଂ ପରିବାରର ୧୫ ଜଣକୁ ହତ୍ୟା କରିଥିବା ଦୋଷରେ ଦଣ୍ଡିତ ହୋଇ ଆଜୀବନ କାରାବାସ କଟାଉଥିବା ୧୧ ଜଣଙ୍କୁ ୧୪ ବର୍ଷ ଜେଲରେ ରହିବା ପରେ, ଦଣ୍ଡ ଲାଘବ କରି, ଖଲାସ କରିଦେଲେ। ସେହି ନିଷ୍ପତ୍ତି ମହିଳା ସମାଜକୁ ଅପମାନିତ କରି ସମଗ୍ର ଦେଶକୁ କ୍ଷୁବ୍ଧ ଓ କ୍ରୋଧିତ କରିଛି। ପ୍ରଧାନମନ୍ତ୍ରୀ କିନ୍ତୁ ନିରବ।
୧୯୯୨ରେ ଲାଗୁ ହୋଇଥିବା ଗୁଜରାଟର କ୍ଷମା ଯାଚନା ନିୟମାବଳୀ ପ୍ରୟୋଗ କରି ଦୋଷୀମାନଙ୍କୁ ମୁକ୍ତ କରାଗଲା; ଅଥଚ ଯେଉଁ ନିୟମାବଳୀ ଧର୍ଷଣ ଓ ହତ୍ୟାରେ ଅଭିଯୁକ୍ତ ଦୋଷୀମାନଙ୍କୁ ମୁକ୍ତ ନ କରିବା ପାଇଁ ନିର୍ଦିଷ୍ଟ ଭାବେ ନିଷେଧ କରେ, ତାକୁ ନଜରଅନ୍ଦାଜ କରାଯାଇଛି। ସେହି ଅପରାଧୀମାନେ ପାରୋଲରେ ଜେଲରୁ ଆସି ଅନେକ ଥର ବିଲକିସ ଓ ଅନ୍ୟ ସାକ୍ଷୀମାନଙ୍କୁ ଧମକ ଦେବାର ଅଭିଯୋଗକୁ ବିଚାରକୁ ନିଆଯାଇ ନଥିଲା। ଆଶ୍ଚର୍ଯ୍ୟର କଥା ଯେ ଅପରାଧୀଙ୍କୁ ଖଲାସ କରିବା ପାଇଁ କମିଟିର ଅଧା ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ବିଜେପି ବିଧାୟକ ଓ ଅନ୍ୟମାନେ ସେହି ଦଳର ଅଧିକାରୀ ଥିଲେ। ଅଦ୍ଭୁତ ସ୍ପଷ୍ଟୀକରଣ ଦେଇ ସେହି କମିଟିର ସଦସ୍ୟ ଥିବା ବିଜେପି ବିଧାୟକ କହିଲେ ଯେ ସେ ଜାଣି ନାହାନ୍ତି ଅପରାଧୀମାନେ ଅପରାଧ କରିଛନ୍ତି ନା ନାହିଁ ଏବଂ ଖଲାସ ହୋଇଥିବା ଅଧିକାଂଶ ଲୋକ ବ୍ରାହ୍ମଣ ଜାତିର ହୋଇଥିବାରୁ ସେମାନଙ୍କର ସଂସ୍କାର ଅଛି; ତେଣୁ କ୍ଷମା ପାଇବାକୁ ଯୋଗ୍ୟ। ଦଣ୍ଡ ଲାଘବ ଆଦେଶର ନକଲ ଏ ପର୍ଯ୍ୟନ୍ତ ସରକାରୀ ଭାବେ ଉପଲବ୍ଧ ନାହିଁ। ଦୁଃଖ ଓ ପରିତାପର ବିଷୟ ଯେ ଜେଲରୁ ବାହାରିବା ପରେ ସେହି ଅପରାଧୀମାନଙ୍କୁ ଫୁଲ ମାଳ ପକାଇ ଓ ମିଠା ଖୁଆଇ ସ୍ୱାଗତ କରିବା ପରେ ସେମାନଙ୍କର ପାଦ ସ୍ପର୍ଶ କରାଯାଇଥିଲା।
୨୦୦୨ରେ ଗୁଜରାଟରେ ହୋଇଥିବା ଭୟାବହ ସାମ୍ପ୍ରଦାୟିକ ଦଙ୍ଗା ଓ ଜଘନ୍ୟ ଅପରାଧକୁ ଆମ ରାଷ୍ଟ୍ର ଓ ସମାଜର ସଙ୍କଟ ବୋଲି ଭାରତର ତତ୍କାଳୀନ ରାଷ୍ଟ୍ରପତି କେ. ଆର. ନାରାୟଣନ କହିଥିଲେ। କୋଡ଼ିଏ ବର୍ଷ ପରେ ଏବଂ ଭାରତର ସ୍ୱାଧୀନତାର ୭୫ତମ ବର୍ଷରେ, ୧୧ ଜଣ ଅପରାଧୀଙ୍କୁ ମୁକ୍ତ କରିବା ଦ୍ୱାରା ସେହି ସଙ୍କଟ ମୁଣ୍ଡ ଟେକି ଭାରତର ଭାବମୂର୍ତ୍ତିକୁ କଳୁଷିତ କରିଛି ଓ ନରେନ୍ଦ୍ର ମୋଦୀ ସରକାରଙ୍କ “ବେଟି ବଚାଓ, ବେଟି ପଢ଼ାଓ” ସ୍ଲୋଗାନକୁ ପରିହାସ କରି ମହିଳାମାନଙ୍କ ନିରାପତ୍ତା ଉପରେ ବଢୁଥିବା ବିପଦକୁ ଇଙ୍ଗିତ କରୁଛି। ସେହି ସଙ୍କଟର ଆଭାସ ମିଳିଥିଲା ବିଲକିସ ବାନୋଙ୍କ ବ୍ୟଥିତ ପ୍ରଶ୍ନରେ : “... ଯେ କୌଣସି ମହିଳାଙ୍କ ପାଇଁ ନ୍ୟାୟର ଅନ୍ତ କ’ଣ ଏମିତି ହେବ?” ସେ ତାଙ୍କର ଦୁଃଖ ଓ ଦରଦ ଭରା ବକ୍ତ୍ୟବରେ ଆହୁରି କହିଥିଲେ, “ମୁଁ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ବିଶ୍ୱାସ କଲି। ଶାସନ ଓ ନ୍ୟାୟିକ ପ୍ରଣାଳୀରେ ଆସ୍ଥା ରଖି ଏବଂ ମୋ ଉପରେ ହୋଇଥିବା ଆଘାତ ସତ୍ତ୍ବେ ମୁଁ ଧୀରେ ଧୀରେ ବଞ୍ଚିବାକୁ ଶିଖୁଥିଲି। ଏହି ଦୋଷୀମାନଙ୍କୁ ମୁକ୍ତ କରିବା ପରେ ମୁଁ ଶାନ୍ତି ହରାଇଛି ଏବଂ ନ୍ୟାୟ ଉପରେ ଥିବା ମୋର ବିଶ୍ୱାସ ଦୋହଲି ଯାଇଛି। ମୋର ଦୁଃଖ ଏବଂ ଦୋହଲି ଯାଇଥିବା ମୋର ବିଶ୍ୱାସ କେବଳ ମୋର ନୁହେଁ ବରଂ କୋର୍ଟରେ ନ୍ୟାୟ ପାଇଁ ଅନବରତ ସଂଗ୍ରାମ କରୁଥିବା ପ୍ରତ୍ୟେକ ମହିଳାଙ୍କର।”
ଉପରେ ଉଲ୍ଲେଖ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧୫ର ପ୍ରଶ୍ନ ଥିଲା: “ଆମେ କ’ଣ ଆମର ବ୍ୟବହାର, ସଂସ୍କୃତି ଓ ଦୈନନ୍ଦିନ ଜୀବନର ସବୁ କ୍ଷେତ୍ରରେ ସେହି ସବୁକୁ ତ୍ୟାଗ କରିପାରିବା ନାହିଁ ଯାହା ନାରୀମାନଙ୍କୁ ଅପମାନିତ କରି ତାଙ୍କୁ ନିମ୍ନ ଓ ଅସଭ୍ୟ ଦୃଷ୍ଟିରେ ଦେଖିଥାଏ?” ଏଗାର ଜଣ ଅପରାଧୀଙ୍କ ଖଲାସ ବିଲକିସଙ୍କୁ ଅପମାନିତ କରି ତାଙ୍କୁ ହୀନ ଚକ୍ଷୁରେ ଦେଖୁଛି। ବିବିସି ରେଡ଼ିଓ ତାଙ୍କର ଏକ ରିପୋର୍ଟରେ ପ୍ରଶ୍ନ କରିଛନ୍ତି, “ଭାରତରେ କ’ଣ ବଳାତ୍କାର ସ୍ୱାଭାବିକ ହୋଇଯାଇଛି?” ସ୍ୱାଧୀନତାର ୭୫ ବର୍ଷ ପାଳନର ସମୟ ହେଉଛି ଅମୃତ କାଳ ଏବଂ ୧୧ ଜଣ ଦାଗୀ ଅପରାଧୀଙ୍କୁ ଖଲାସ କରିବା ଦ୍ୱାରା ସମାଜରେ ମହିଳାମାନଙ୍କ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି ହୋଇଛି। ମହାତ୍ମା ଗାନ୍ଧୀ ୧୯୨୦ ଦଶକରେ ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୋଣରୁ ଦେଇଥିବା ସ୍ୱରାଜର ପରିକଳ୍ପନାକୁ ଏହା କୁଠାରାଘାତ କରୁଛି।
ଶହେ ବର୍ଷ ପୂର୍ବେ, ୧୪ ଅଗଷ୍ଟ ୧୯୨୧ରେ, ମହାତ୍ମା ଗାନ୍ଧୀ ‘ନବଜୀବନ’ରେ ପ୍ରକାଶିତ ତାଙ୍କ ଲେଖାରେ ଲେଖିଥିଲେ ଯେ ସ୍ୱରାଜର ଅନ୍ୟତମ ଅର୍ଥ ହେଉଛି ମହିଳାମାନଙ୍କୁ ଉଚ୍ଚ ସମ୍ମାନ ପ୍ରଦର୍ଶନ। ସେ ଲେଖିଥିଲେ ଯେ ସ୍ୱରାଜ ପ୍ରାପ୍ତ କରିଥିବା ଭାରତରେ ହିନ୍ଦୁ, ମୁସଲମାନ, ଶିଖ, ପାର୍ସୀ , ଖ୍ରୀଷ୍ଟିଆନ ଓ ୟିହୁଦୀମାନେ ନିଜ ନିଜ ଧର୍ମକୁ ଅନୁସରଣ କରି ଅନ୍ୟମାନଙ୍କ ଧର୍ମକୁ ସମ୍ମାନ ଦେବେ ଏବଂ ତାହା ଏମିତି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ ଯେ ଜଣେ ଯୁବତୀ ମଧ୍ୟ ରାତ୍ରିରେ ବିନା ବିପଦରେ ଏକା ଏକା ଯାତାୟାତ କରିବା ପାଇଁ ଭୟ କରିବ ନାହିଁ। ୨୦ ଅକ୍ଟୋବର, ୧୯୨୯ରେ ‘ନବଜୀବନ’ରେ ଅନ୍ୟ ଏକ ଲେଖାରେ ଗାନ୍ଧୀ ଲେଖିଥିଲେ ଯେ ସ୍ୱରାଜର ଅର୍ଥ ସଂକୀର୍ଣ୍ଣ ଓ ସୀମିତ ହୋଇଯିବ ଯଦି ଏହା ବ୍ରିଟିସ୍ମାନଙ୍କ ହାତରୁ ଭାରତୀୟମାନଙ୍କ ହାତକୁ କେବଳ କ୍ଷମତାର ହସ୍ତାନ୍ତରଣକୁ ବୁଝାଇବ। ତା’ର ବ୍ୟାପକ ଅର୍ଥକୁ ବ୍ୟାଖ୍ୟା କରି ସେ ଲେଖିଥିଲେ, “ମୋ ମତରେ ସ୍ୱରାଜର ଅର୍ଥ ହେଉଛି ତିରିଶ କୋଟି ଲୋକଙ୍କ ହାତରେ ନିୟନ୍ତ୍ରିତ କ୍ଷମତା ଯାହା ଫଳରେ ଜଣେ ଯୁବତୀ ମଧ୍ୟ ନିଜକୁ ସୁରକ୍ଷିତ ମନେ କରିବ।” ତେଣୁ ଗୁଜରାଟର ବିଜେପି ସରକାର ୧୧ ଜଣ ଅପରାଧୀଙ୍କୁ ଜେଲରୁ ମୁକ୍ତ କରି ବିଲକିସଙ୍କ ସୁରକ୍ଷା ତଥା ନିରାପତ୍ତାକୁ ବିପଦସଂକୁଳ କରି ମହାତ୍ମା ଗାନ୍ଧୀ ଦର୍ଶାଇଥିବା ସ୍ୱରାଜର ଅର୍ଥ ବିରୋଧରେ ଜାଣିଶୁଣି ପଦକ୍ଷେପ ନେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଭାରତର ବିଭାଜନ ସମୟରେ, ୫ ମାର୍ଚ୍ଚ ୧୯୪୭ରେ, କେହି ଜଣେ ଗାନ୍ଧୀଙ୍କୁ ପଚାରିଥିଲେ, “ଯେଉଁମାନେ ହତ୍ୟା, ବଳାତ୍କାର ଏବଂ ଅନ୍ୟାନ୍ୟ ଜଘନ୍ୟ ଅପରାଧରେ ଲିପ୍ତ ସେମାନଙ୍କୁ ଉଚିତ ଦଣ୍ଡ ମିଳିବା କଥା କି ନୁହେଁ?” ସେ ଜାଣିବାକୁ ଚାହୁଁଥିଲେ ଯେ ଗାନ୍ଧୀ ସରକାରକୁ ଏ ବିଷୟରେ କି ପରାମର୍ଶ ଦେବେ। ମହାତ୍ମା ଗାନ୍ଧୀଙ୍କ ଉତ୍ତର ଗୁଜରାଟରେ ୧୧ ଜଣ ଅପରାଧୀଙ୍କୁ ଜେଲରୁ ଖଲାସ କରିବା ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ସେ କହିଥିଲେ, “ଜଘନ୍ୟ ଅପରାଧ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଦଣ୍ଡ ଦିଆଯିବା ଆବଶ୍ୟକ; କିନ୍ତୁ ଯେଉଁ ସରକାର ଅପରାଧ ଏବଂ ଦଣ୍ଡର ସିଦ୍ଧାନ୍ତରେ ବିଶ୍ୱାସ କରନ୍ତି ଓ ଅପରାଧୀଙ୍କୁ ଦଣ୍ଡ ଦିଅନ୍ତି ନାହିଁ, ସେ ସରକାରକୁ ସରକାର କହିବା ବାହୁଲ୍ୟ ମାତ୍ର।” ଗାନ୍ଧୀଙ୍କ ସେହି ତର୍କକୁ ଗୁଜରାଟ ସରକାରଙ୍କ ଉପରେ ପ୍ରୟୋଗ କରି ଆମେ ଯଦି ୧୧ ଜଣ ଅପରାଧୀଙ୍କୁ ଖଲାସ କରିବା ନିଷ୍ପତ୍ତିକୁ ସମୀକ୍ଷା କରିବା ତେବେ ବୁଝିବା ଯେ ଅଦାଲତରେ ସାବ୍ୟସ୍ତ ହୋଇଥିବା ଦୋଷକୁ ଲାଘବ କରି ସରକାର ହିଂସାର ଶିକାର ହୋଇଥିବା ବିଲକିସଙ୍କ ସପକ୍ଷରେ ଠିଆ ନ ହୋଇ ଅପରାଧୀମାନଙ୍କ ସପକ୍ଷରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଲକିସ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସଂଘର୍ଷ କଲା ପରେ ନ୍ୟାୟ ପାଇଥିଲେ। ସୁପ୍ରିମ୍ କୋର୍ଟ ତାଙ୍କ ଉପରେ ହୋଇଥିବା ଗଣଧର୍ଷଣ ଓ ସମ୍ପର୍କୀୟଙ୍କ ହତ୍ୟା ମାମଲା ଗୁଜରାଟରୁ ମୁମ୍ବାଇକୁ ସ୍ଥାନାନ୍ତରିତ କରିଥିଲେ।
ବର୍ତ୍ତମାନ ସେହି ୧୧ ଜଣ ଦୋଷୀଙ୍କୁ ଖଲାସ ବିରୋଧରେ ସୁପ୍ରିମ୍ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ତିନି ଜଣ ମହିଳା - ସିପିଏମ୍ ନେତ୍ରୀ ସୁଭାଷିନୀ ଅଲି, ସାମ୍ବାଦିକା ରେବତୀ ଲାଉଲ ଓ ସମାଜସେବୀ ରୂପ ରେଖା ବର୍ମା - ଦାୟର କରିଛନ୍ତି। ସେହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଗୁଜରାଟ ସରକାରଙ୍କୁ ୧୪ ଦିନ ସମୟ ଦେଇଛନ୍ତି ଉତ୍ତର ଦେବା ପାଇଁ। ଆଶା କରାଯାଉଛି ଯେ ଏହି ପଦକ୍ଷେପ ଦ୍ୱାରା ୧୧ ଜଣ ଦଣ୍ଡିତ ଅପରାଧୀ ପୁଣି ଥରେ ଜେଲ ଯାଇ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେଠାରେ ବନ୍ଦୀ ରହିବେ। ବିଲକିସ ପଚାରି ଥିବା ପ୍ରଶ୍ନ, “... ଯେ କୌଣସି ମହିଳାଙ୍କ ପାଇଁ ନ୍ୟାୟର ଅନ୍ତ କ’ଣ ଏମିତି ହେବ?”ର ଉତ୍ତର ମିଳିବ ସେ ସମ୍ପୂର୍ଣ୍ଣ ନ୍ୟାୟ ପାଇବା ପରେ। ସେ ଓ ପ୍ରତ୍ୟେକ ମହିଳା ନିରାପଦରେ ଜୀବନ କାଟିବା ଅର୍ଥ ମହାତ୍ମା ଗାନ୍ଧୀ ପରିକଳ୍ପନା କରିଥିବା ସ୍ୱରାଜକୁ ଫଳବତୀ କରିବା।
ମୋ: ୯୮୭୧୮୯୪୫୩୪