ସ୍ୱର୍ଗ ଏକ ସାର୍ବଜନୀନ ଅବଧାରଣା। ସବୁ ଧର୍ମ, ସବୁ ସଂସ୍କୃତିରେ ଗୋଟେ ଅଜଣା ରାଜ୍ୟ ବିଷୟରେ ସମ୍ୟକ୍ ସୂଚନା ଦିଆଯାଇଛି। ସେହି ରାଜ୍ୟଟି ଆମ ପ୍ରିୟ ପୃଥିବୀ ଠାରୁ ଢେର ଗୁଣରେ ଭିନ୍ନ। ସେଠି ନିଃଶ୍ୱାସର ନାମ ମଳୟ ତ ସଙ୍ଗୀତର ନାମ ମର୍ମର। ସେଠି ନା ଦିନ ଅଛି ନା ରାତି। ସବୁଠି ଖାଲି ଆଲୋକର ପ୍ଳାବନ। ସେଠି ପତ୍ରଝଡ଼ା ଅଛି ନା ଅଛି ଧୂଆଁ, ଧୂଳି, ଧୂମାଳ! ସେଠି ସଦା ସବୁଜ ଦ୍ରୁମ ଓ ଦୂର୍ବା। ସେଠି ପୁଣି ସଲିଳର ନାମ ସୁଧା, ଅନ୍ନର ନାମ ଅମୃତ।
ଆଉ ସେଠାର ଜୀବନ? ସେଠି ଜୀବନ ଜୀବନ ନୁହେଁ ତ, ବିପୁଳ ବିଳାସ। ମରଣ ପାଇଁ ତାହା ଏକ ନିଷିଦ୍ଧ ଇଲାକା, ଜରାବ୍ୟାଧି ପାଇଁ ଅଭେଦ୍ୟ ଗଡ଼। ସେଠି ବୋଧେ ସମୟ ସ୍ଥିର, ନ ହେଲେ ଆୟୁର କ୍ଷୟବୃଦ୍ଧି ନ ଥା’ନ୍ତା କିପରି? ସେଠି ବିଷ୍ଣୁଙ୍କୁ ବାର୍ଦ୍ଧକ୍ୟ ଗ୍ରାସେ ନାହିଁ। ଗଳିତ ହୁଏନାହିଁ ପୁଣି ଇନ୍ଦ୍ରାଦି ଦେବତା ବା ନାରଦାଦି ଋଷିମାନଙ୍କ ଚର୍ମ। ସେଠି ରମ୍ଭା, ଉର୍ବଶୀ ଓ ମେନକାମାନେ ଅନନ୍ତ-ଯୌବନା। ତେବେ ସେହି ସ୍ୱର୍ଗରାଜ୍ୟଟିକୁ ଦେଖିଛି କିଏ? ମୁନିଜନମାନେ ସେମାନଙ୍କ ତୃତୀୟ ନୟନରେ ଦେଖିଛନ୍ତି କି ତା’ ରୂପମୋହନ? ଦାର୍ଶନିକମାନଙ୍କ ଦୃଷ୍ଟି ଭେଦ କରିଛି କି ସେ ଅପୂର୍ବ ଇଲାକାକୁ? ବୈଜ୍ଞାନିକମାନେ ପାଇଛନ୍ତି କି ସେ ଭୂମାରୂପୀ ଭୂମିର ଠିକଣା? ଚନ୍ଦ୍ରପୃଷ୍ଠରେ ପାଦ ଦେଲା ପରେ ମଙ୍ଗଳରେ ଜୀବନ ଅନ୍ୱେଷଣରେ ମଗ୍ନ ଏବେ ବିଜ୍ଞାନୀଗଣ। ମହାକାଶର କୋଣ-ଅନୁକୋଣ ତାଙ୍କ ନଖଦର୍ପଣରେ। କିନ୍ତୁ ସ୍ୱର୍ଗର ଅବସ୍ଥିତି ବିଷୟରେ ମନେହୁଏ ସେମାନେ ଅଦ୍ୟାପି ଅଜ୍ଞ।
କିନ୍ତୁ ସ୍ୱର୍ଗ ଖୋଜିବା ଏବେ ଅବାନ୍ତର ହୋଇପଡ଼ିଲାଣି। ମର୍ତ୍ତ୍ୟବାସୀ ସ୍ୱର୍ଗ ଖୋଜିବେ କ’ଣ, ସ୍ୱର୍ଗ ଧୀରେଧୀରେ ଧରାବତରଣ କରୁଛି। ମାଟି ପାଲଟୁଛି ବୈକୁଣ୍ଠ। ମଣିଷର ତନୁତରୁ ଚିରପଲ୍ଲବିତ ହେବା ଅପେକ୍ଷାରେ। ମଣିଷର ମନ ନିତ୍ୟ ନୂତନତାରେ ଶିହରିତ ହେବା ବି ଡେରି ନାହିଁ। ମୁଣ୍ଡରୁ କେଶ ଉପୁଡ଼ିଗଲେ, ଦାନ୍ତ ପଡ଼ିଗଲେ, ଆଖିକୁ ନ ଦିଶିଲେ, କାନକୁ ନ ଶୁଭିଲେ ବାର୍ଦ୍ଧକ୍ୟର ଆଗମନ ଆସନ୍ନ ବୋଲି ମାନିବାକୁ ମଣିଷ କ’ଣ ବାଧ୍ୟ? କେଶ ରୋପଣ ଆଜିକାଲି ଅତି ସାଧାରଣ କଥା। ଅସ୍ଥାୟୀ ଭାବରେ ବା ସ୍ଥାୟୀ ଭାବରେ ବିକଳ୍ପ ଦାନ୍ତର ବ୍ୟବସ୍ଥା ବି ଭାରି ସହଜ। ମଣିଷ ପାଇଁ ଶ୍ରବଣ ବା ଦର୍ଶନ ଆଉ ପ୍ରତିବନ୍ଧକ ହୋଇ ରହିନାହିଁ। ସେଥିପାଇଁ ଅସ୍ତ୍ରୋପଚାର ଓ ଆଧୁନିକ ଯନ୍ତ୍ରପାତି ଗଳିକନ୍ଦିରେ ଉପଲବ୍ଧ। ହାତ କଟିଗଲେ କି ଗୋଡ଼ କଟିଗଲେ, କାହାର ଆଉ ଚିନ୍ତା ଅଛି କି ଆଗପରି? କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ଏବେ ସୁଲଭ ହେଲାଣି। ମଣିଷର ନବଯୌବନ ପ୍ରାପ୍ତି ଦିଗରେ ଏସବୁ ବିଜ୍ଞାନର ଉଦାର ଅବଦାନ। କିନ୍ତୁ ପୁନଃଯୌବନ ପ୍ରାପ୍ତି ଅଭିଯାନର ଏହା ପ୍ରାରମ୍ଭିକ ପର୍ଯ୍ୟାୟ ମାତ୍ର। ହାତଗୋଡ଼, ଆଖିକାନ କଥା ପଚାରେ କିଏ? ପୁରୁଣା ହୃତ୍ପିଣ୍ଡକୁ କାଟି ଫିଙ୍ଗିଦେଇ ନୂଆ ହୃତ୍ପିଣ୍ଡଟିଏ ଯୋଖିଦେବା ଆଜିକାଲି ଭେଷଜ ବିଜ୍ଞାନ ପାଇଁ କ’ଣ ଗୋଟେ ବଡ଼ କଥା? ଫୁସ୍ଫୁସ୍, ବୃକ୍କ ଆଦିର ପ୍ରତିରୋପଣ ଆଉ ଜଟିଳ ଅସ୍ତ୍ରୋପଚାର ଭାବରେ ଗଣ୍ୟ ନୁହେଁ।
ତେବେ ମଣିଷ କେବଳ ସୁସ୍ଥ ନୁହେଁ, ସୁନ୍ଦର ମଧ୍ୟ ହେବା ଚାହି। ସେ ସ୍ତ୍ରୀ ହେଉ କି ପୁରୁଷ, ନ୍ୟୂନତମ ସୌନ୍ଦର୍ଯ୍ୟରେ ଶୋଭିତ ନ ହେଲେ, ତାକୁ ସୁସ୍ଥତା ଅର୍ଥହୀନ ମନେ ହୋଇପାରେ। ସୌନ୍ଦର୍ଯ୍ୟର ଆଭରଣ ମଣିଷର ଚର୍ମ। ଗଳିତ ଚର୍ମ ବାର୍ଦ୍ଧକ୍ୟର ପ୍ରତିଛବି। ମଣିଷର ଚର୍ମ ଆଉ ଗଳିତ ହେବନାହିଁ। ପ୍ଲାଷ୍ଟିକ୍ ସର୍ଜରି ମାଧ୍ୟମରେ ମହିଳା ଜଣକ ଚାହିଁଲେ ଅନିନ୍ଦ୍ୟା ଉର୍ବଶୀ ନହେଲେ ବି କୌଣସି ଅପ୍ସରା ସୁନ୍ଦରୀ ଅଭିନେତ୍ରୀ ପରି ସୁମୁଖୀ ହୋଇପାରିବେ। କୌଣସି ଖେଳୁଆଡ଼ର ଶିଳାସମ ବପୁ ଧାରଣ କରିପାରିବେ ଉତ୍ତର ଷାଠିଏର ବୟସ୍କ ବ୍ୟକ୍ତି। ଜେଜେବାପା ନିଶ ଗଜରୁଥିବା କିଶୋରଟିଏ ପରି ପ୍ରତୀୟମାନ ହୋଇପାରିବେ ତ ଜେଜେମା’ ମନେହେବେ ଯେମିତି ସେ ଶୁଭ-ଦର୍ଶନା କଲେଜ ଗାର୍ଲ। କିଏ ଆଈ କିଏ ନାତୁଣୀ? ଚିହ୍ନିବା ସମ୍ଭବ ଆଉ ହେବନାହିଁ।
ଦେହରେ ଯୌବନ ଲହଡ଼ି ଭାଙ୍ଗିଲେ ମନରୁ ଯୌବନ କ’ଣ ଅପସରି ଯାଇପାରିବ? ମନରେ ଥରେ ଯୌବନର ଚମକ ଖେଳିଲେ ଆଉ ସେ ଫେରେନାହିଁ। ଦେହରୁ ଯୌବନ ଥରେ ଚାଲିଗଲେ ଆଉ ମଧ୍ୟ ଆସେନାହିଁ। କିନ୍ତୁ ଦେହରୁ ଆଉ ଯୌବନ ବାହୁଡ଼ିବ ନାହିଁ। ମନରେ ଥିବା ଯୌବନ ଆହୁରି ସ୍ନିଗ୍ଧ ଓ ଶାଣିତ ହୋଇଯିବ। ‘ଆୟୁର୍ନଶ୍ୟତି ପଶ୍ୟତାଂ ପ୍ରତିଦିନଂ ଯାତି କ୍ଷୟଂ ଯୌବନମ୍’, ଅର୍ଥାତ୍ ଦେଖୁଦେଖୁ ଆୟୁ ନାଶ ହେଉଛି ପ୍ରତିଦିନ ଏବଂ କ୍ଷୟ ଯାଉଛି ଯୌବନ, ଆଦିଶଙ୍କରଙ୍କର ଏ ଉକ୍ତି ପ୍ରାସଙ୍ଗିକତା ହରାଇବସିଲାଣି।
ତେବେ କାଳାନ୍ତରେ ଅନ୍ତହୀନ ଉଚ୍ଛ୍ୱାସ ଅନ୍ତହୀନ ଦୀର୍ଘଶ୍ୱାସରେ ରୂପାନ୍ତରିତ ହେବନାହିଁ ତ? ଅନନ୍ତ ଯୌବନ ପାଲଟିବ ନାହିଁ ତ ଅନନ୍ତ ଯାତନାର ଜତୁଗୃହ? ରାତି ନଥିଲେ ଥାଏ କି ଜହ୍ନରାତିର ଆକର୍ଷଣ? ନିଦାଘ ନଥିଲେ ମିଠା ଲାଗନ୍ତା କି ଶ୍ରାବଣ-ସଙ୍ଗୀତ? ଯୌବନକୁ ଜାଜ୍ୱଲ୍ୟମାନ କରେ ନାହିଁ କି ଜରା? ମଣିଷ ମନ ସର୍ବଦା ବ୍ୟାକୁଳ ହେଉଥାଏ ନୂଆ କିଛି ପାଇଁ। ପରିବର୍ତ୍ତନ ବିନା ଜୀବନ କ’ଣ ଜୀବନ? ସଦା ନୂତନତା ଖୋଜୁଥିବା ମଣିଷ ପ୍ରଲମ୍ବିତ ଗତାନୁଗତିକତାକୁ କ’ଣ ଗ୍ରହଣ କରିପାରିବ? ଉଷା ଓ ଗୋଧୂଳିର ସାଦୃଶ୍ୟ ଓ ବୈସାଦୃଶ୍ୟରେ ଥାଏ ଅମିତ ଆକର୍ଷଣ। ନଥାଏ ଆଲୋକର ଅର୍ଗଳିରେ।
କହାଯାଏ, ସ୍ୱର୍ଗ ଠାରୁ ପୃଥିବୀ ଅଧିକ ସୁନ୍ଦର କାରଣ ବିବିଧ ଅନୁଭବର ଗନ୍ତାଘର ଏହି ମର୍ତ୍ତ୍ୟମଣ୍ଡଳ। ହସକାନ୍ଦ, ଯୌବନ ଓ ଜରା ତଥା ଜନ୍ମମୃତ୍ୟୁର ଅନନ୍ୟ ଅଭିଜ୍ଞତା ଲାଭ କରିବା ପାଇଁ ଦେବତାମାନେ କୁଆଡ଼େ ନରଦେହ ଧାରଣ କରନ୍ତି। ମଣିଷ ବି ଜୀବନର ଅର୍ଥ ଖୋଜେ ହର୍ଷବିଷାଦର ଛାୟାଚ୍ଛନ୍ନ ଦିଗଦିଗନ୍ତରେ: “ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ, ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ। ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା, ଜରାମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ” (ଗୁରୁ ପ୍ରସାଦ ମହାନ୍ତି)। ଚିର ବସନ୍ତ ଠାରୁ ଦିନେ ହୁଏତ ମୁହଁ ଫେରାଇ ଆଣିବ ମଣିଷ। ଅନୁନୟ ହୋଇ କହିବ ବିଜ୍ଞାନକୁ, ଫେରାଇ ନେ ତୋ ବରଦାନ। ସେତେବେଳକୁ କିନ୍ତୁ ବିଜ୍ଞାନ ତୂଣୀରରୁ ତୀର ଖସି ଯାଇଥିବ!
ମୋ: ୯୪୩୭୧୪୩୮୯୬