କେହି ହୁଏତ ବିଶ୍ବାସ କରିବେ ନାହିଁ ଯେ ଗଣିତଜ୍ଞ ଓ ଦାର୍ଶନିକ ହାରାଲ୍ଡ ବୋର୍ ୧୯୦୮ ମସିହା ଡେନ୍ମାର୍କ ଫୁଟ୍ବଲ୍ ଦଳର ସଦସ୍ୟ ଥିଲେ। ସେ ଥିଲେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ବିଜେତା ନିଲ୍ସ ବୋର୍ଙ୍କ ସାନ ଭାଇ। ପ୍ରକାଶ ଥାଉ କି ଫୁଟ୍ବଲ୍ ଖେଳାଳି ଭାବେ ଭ୍ରାତୃଦ୍ବୟଙ୍କ ପ୍ରଚୁର ଖ୍ୟାତି ରହିଥିଲା। ସୁତରାଂ, ଏହା ପ୍ରମାଣ କରିଥାଏ ଯେ ଉଚ୍ଚଶିକ୍ଷା, ଉଚ୍ଚାଙ୍ଗ ଗେବଷଣା ଓ ଖେଳାଖେଳି ଏକା ସାଙ୍ଗରେ ଚାଲିପାରିବ।
ଏବେ ଆସିବା ଆନ୍ନା କିସେନ୍ହୋଫର୍ଙ୍କ ନିକଟକୁ। ଗତ ଟୋକିଓ ଅଲିମ୍ପିକ୍ସରେ ସେ ମହିଳା ବିଭାଗ ସାଇକେଲ୍ ଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହି ବିଜୟ ହାସଲ କରିବା ପାଇଁ ସେ ସାଇକେଲ୍ରେ ୧୪୭ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଅଷ୍ଟ୍ରିଆ ପାଇଁ ସାଇକେଲ୍ ଚାଳନାରେ ଏହା ଥିଲା ପ୍ରଥମ ସ୍ୱର୍ଣ୍ଣ ପଦକ। କିନ୍ତୁ ବଡ଼ କଥା ହେଲା, ଆନ୍ନା ଜଣେ ପେସାଦାର ଖେଳାଳି ନୁହନ୍ତି, ସେ ସୁଇଜର୍ଲାଣ୍ଡ୍ର ଇକୋଲ୍ ପଲିଟେକ୍ନିକ୍ ଇନ୍ଷ୍ଟିଚ୍ୟୁଟ୍ରେ ଜଣେ ଗବେଷିକା ଭାବେ କାର୍ଯ୍ୟରତ। ଗଣିତରେ ସେ ଜଣେ ବିଦୂଷୀ, ଭିଏନା ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି।
ସେମିତି ଇଜିପ୍ଟର ହାଦିଆ ହାନ୍ସି। ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ୍ ସକାଶେ ଇଜିପ୍ଟକୁ ତିନି ଥର ପ୍ରତିନିଧିତ୍ୱ କରିଥିବା ହାଦିଆ ହେଉଛନ୍ତି ଜଣେ ବାୟୋକେମିଷ୍ଟ ଓ ଗବେଷିକା। ଇଜିପ୍ଟରେ ତାଙ୍କୁ ମହିଳାମାନଙ୍କ ଆଦର୍ଶ ରୂପେ ବିବେଚନା କରାଯାଏ।
ଗ୍ରାବିଏଲା ଥୋମାସ୍ ଜଣେ ଦ୍ରୁତଗତିର ଧାବିକା ଏବଂ ଶହେ ଓ ଦୁଇ ଶହ ମିଟର ଦୌଡ଼ ପ୍ରତିଯୋଗିତା ହେଉଛି ତାଙ୍କର ବିଭାଗ। ୨୦୨୦ ମସିହାର ଟୋକିଓ ଅଲିମ୍ପିକ୍ସରେ ସେ ବ୍ୟକ୍ତିିଗତ ଭାବେ ଶହେ ମିଟର ଦୌଡ଼ରେ ବ୍ରୋଞ୍ଜ ଓ ରିଲେ ରେସ୍ରେ ଦଳଗତ ଭାବରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ପରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ସଂକ୍ରାମକ ବ୍ୟାଧି ବିଷୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରୁଛନ୍ତି।
ଜର୍ମାନ୍ର ମହିଳା ମୁଷ୍ଟିଯୋଦ୍ଧା ନାଦିନେ ଆପେଜ୍ ହେଉଛନ୍ତି ଜଣେ ସ୍ନାୟୁ ବିଜ୍ଞାନୀ, ଯିଏ ଅଲିମ୍ପିକ୍ସରେ ଭାଗ ନେବା ସହିତ ବିଶ୍ବ ଚାମ୍ପିଅନ୍ସିପ୍ରେ ମଧ୍ୟ ପଦକ ଜିଣିଛନ୍ତି। ସେମିତି ଆଣ୍ଡ୍ରିଆ ମୁରେଜ୍। ସେ ପୃଥିବୀ ପ୍ରସିଦ୍ଧ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟରେ ଜୀବବିଜ୍ଞାନୀ ଭାବେ କାର୍ଯ୍ୟରତ। ୨୦୧୬ ଓ ୨୦୨୦ ଅଲିମ୍ପିକ୍ସରେ ସେ ସନ୍ତରଣରେ ଇସ୍ରାଏଲ୍କୁ ପ୍ରତିନିଧିତ୍ୱ କରିଥିଲେ।
ଇତିହାସ କେବେ ହେଲେ ଇଂଲାଣ୍ଡ୍ର ଚିକିତ୍ସା ବିଜ୍ଞାନୀ ରୋଜର୍ ବାନିଷ୍ଟର୍ଙ୍କୁ ବିସ୍ମୃତିର ଗର୍ଭକୁ ଠେଲି ଦେଇ ପାରିବ ନାହିଁ। କାରଣ ସେ ହେଉଛନ୍ତି ପୃଥିବୀର ସର୍ବପ୍ରଥମ ଧାବକ ଯିଏ ୧ କିଲୋମିଟର ଦୂରତାକୁ ୪ ମିନିଟ ମଧ୍ୟରେ ଅତିକ୍ରମ କରିଥିଲେ।
େସମିତି ସିଡ୍ନିରେ ବାସ କରୁଥିବା ଜାନ୍ପିଟ୍ନେମ୍ ହେଉଛନ୍ତି ପେସାରେ ଜଣେ ଡାକ୍ତର, ଯିଏ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସ ଓ ୨୦୦୮ ମସିହାର ବେଜିଂ ଅଲିମ୍ପିକ୍ସରେ ଭାଗ ନେବାକୁ ମନୋନୀତ ହୋଇ ସୁଦ୍ଧା ଶାରୀରିକ ଅସୁସ୍ଥତା ଓ ଆଘାତ କାରଣରୁ ଯୋଗ ଦେଇପାରି ନ ଥିଲେ। ତେବେ, ୪୦୦ ମିଟର ହର୍ଡଲ୍ସରେ ସେ ଦୁଇ ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଛନ୍ତି। ଜେନି ଥମ୍ପସନ୍ ଅଲିମ୍ପିକ୍ସରେ ୧୨ଟି ପଦକ ହାସଲ କରିଛନ୍ତି, ଯହିଁରେ ଅଛି ଆଠଟି ସ୍ବର୍ଣ୍ଣ। ସେ ଜଣେ ଡାକ୍ତର ଓ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ଏହି ଆଲୋଚନା ବେଳେ ପ୍ରଫେସର ସେବାଷ୍ଟିଆନ୍ କୋ ମଧ୍ୟ ମନେ ପଡ଼ନ୍ତି। ଇଂଲାଣ୍ଡର ଏହି ଧାବକ ତିନିଟି ଅଲିଂପିକ୍ ସ୍ବର୍ଣ୍ଣ ଲାଭ କରିଥିଲେ ଏବଂ ଛଅଟି ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେ ହେଉଛନ୍ତି ଜଣେ ଅର୍ଥଶାସ୍ତ୍ର ବିଦ୍ବାନ।
ଏଭଳି ଉଦାହରଣ ଆହୁରି ଅନେକ ଅଛି। ଅଲିମ୍ପିକ୍ସର ଇତିହାସରେ ମେଧା ଓ ଶାରୀରିକ ଦକ୍ଷତାର ଏଭଳି ଯୁଗଳବନ୍ଦୀମାନ ଏହି କଥାକୁ ପ୍ରମାଣିତ କରିଥାଏ ଯେ ବିଦ୍ୟା ଓ କ୍ରୀଡ଼ା ଏକା ସାଙ୍ଗରେ ଚାଲିପାରିବ, ଯାହା ଆମ ଦେଶରେ ଅଧିକାଂଶ ପିତାମାତା ବା ଅଭିଭାବକ ଗ୍ରହଣ କରି ନ ଥାଆନ୍ତି।
ମୋ: ୯୯୩୭୮୬୩୫୨୮
ଆନ୍ନା କିସେନ୍ହୋଫର୍: ଅଲିମ୍ପିକ୍ସରେ ମେଧା ଓ କ୍ରୀଡ଼ାର ଯୁଗଳବନ୍ଦୀ
ମିହିର ପ୍ରତାପ ଦାସ
/sambad/media/post_attachments/wp-content/uploads/2024/08/dgddggdrr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)