କୁମାର ପ୍ରଶାନ୍ତ
ଜଗଦୀପ ଛୋକର ଆଉ ନାହାନ୍ତି! ଏଇ ଖବରଟି କେବେ ନିରବରେ ଆମ ପାଖ ଦେଇ ଚାଲି ଯିବନାହିଁ, ଏହା ଆମକୁ ବେଶ୍ ଛୁଇଁଛି ଏବଂ ଛୁଇଁ ରହିଥିବ ମଧ୍ୟ। ଜଣେ ମନୁଷ୍ୟର ମୃତ୍ୟୁ ଓ ଏକ ଆବେଗର ମୃତ୍ୟୁ ମଧ୍ୟରେ କିଛି ଫରକ ରହିଛି। ଜଗଦୀପ ଛୋକରଙ୍କ ମୃତ୍ୟୁ ହେଉଛି ଏପରି ଏକ ଆବେଗର ମୃତ୍ୟୁ, ଯାହା ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାର ସଂରକ୍ଷଣ ଓ ସୁଧାର ପାଇଁ ପୂର୍ଣ୍ଣ ପ୍ରାଣରେ ଚିନ୍ତା କରିଥିଲା ଏବଂ ପଦକ୍ଷେପ ମଧ୍ୟ ନେଇଥିଲା। କିନ୍ତୁ ଏବେ ଲାଗୁଛି ସେ ହୁଏତ ଅଭିମାନରେ ଚାଲିଗଲେ। ଥରେ ଯଦି ମନ ଭାଙ୍ଗିଗଲା ତା’ହେଲେ ସବୁକିଛି ଭାଙ୍ଗିଯାଏ।
ନାମ ଏବଂ କାମ ମଧ୍ୟରେ ମେଳ ନ ଥିବା ବାବଦରେ ସ୍ୱର୍ଗତ କାକା ହାଥରସି ଅନେକ ହାସ୍ୟରସପୂର୍ଣ୍ଣ କବିତା ଲେଖିଥିଲେ। କିନ୍ତୁ ସେ କେବେ କଳ୍ପନା ମଧ୍ୟ କରି ନଥିଲେ ଯେ ସମାନ ନାମର ଦୁଇ ଜଣ ବ୍ୟକ୍ତି ଏତେ ବିପରୀତ ଭୂମିକାରେ ରହିପାରିବେ! ମୁଁ କେବେ ଏପରି ତୁଳନାର ଚିନ୍ତା କରି ନଥାନ୍ତି, କିନ୍ତୁ ‘ଲାପତା ଲେଡିଜ୍’ ଶୈଳୀରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରାୟ ୫୩ ଦିନ ପରେ ପୁନର୍ବାର ଦେଖା ଦେବା ଦିନ ହିଁ ଜଗଦୀପ ଛୋକର ବିଦାୟ ନେଲେ। ତା’ପରେ ମୋତେ ଲାଗିଲା ଯେ ସମାନ ନାମର ଦୁଇ ଜଣ ପୁରୁଷଙ୍କ ମଧ୍ୟରେ ପାର୍ଥକ୍ୟ କେତେ ଗଭୀର! ଜଗଦୀପ ଛୋକର ଚାଲି ଯାଉଥିବା ବେଳେ ବି କ୍ଷମତା ପ୍ରତି ମେରୁଦଣ୍ଡହୀନ ଲାଳସା ବିରୋଧରେ ତାଙ୍କର ବୟାନ ଜାହିର କରୁଛନ୍ତି ଭଳି ମନେ ହେଉଥିଲା।
ବଡ଼ ଚତୁରତାର ସହିତ ଉଚ୍ଚ ପଦପଦବି ଅକ୍ତିଆର କରିଥିବା ଧନଖଡ଼ ସାହେବ କ୍ଷମତାର ସୁଖସମୃଦ୍ଧିକୁ ସମ୍ପୂର୍ଣ୍ଣ ହାସଲ କରିଥିଲେ ଏବଂ ତା’ ପରେ କ୍ଷମତାରୁ ଏପରି ତଡ଼ା ଖାଇଲେ ଯେ ତାଙ୍କୁ କେହି ପାଣି ଟିେକ ଯାଚିଲେନି। ଅନ୍ଧକାରରେ ବିଲୀନ ହେବା ପରେ ସେ ଏବେ ଅନୁଭବ କଲେ ଯେ ତାଙ୍କର ଏକାନ୍ତ ବାସ ଯଥେଷ୍ଟ ହୋଇଗଲା; କ୍ଷମତାର ଦରବାରୀଙ୍କୁ ଏପରି ଦୀର୍ଘ ସମୟ ପାଇଁ କ୍ଷମତାର ଆଭା ମଣ୍ଡଳ ଠାରୁ ଦୂରେଇ ରଖାଯିବା ଉଚିତ ନୁହେଁ। କ୍ଷମତାର ନୀତିଶାସ୍ତ୍ର କୁହେ ଯେ ଯଦି କେହି ଚୌକି ଛାଡ଼ିଦିଏ, ତେବେ ତାଙ୍କର ଛାଇ ମଧ୍ୟ ସେଠୁ ଚାଲିଯାଏ। ତେଣୁ ଏକ ରାଜକୀୟ ଉତ୍ସବରେ, ରାଜକୀୟ ଲୋକଙ୍କ ଭିତରେ ସେ ଅଚାନକ ପ୍ରକଟ ହେଲେ। କ୍ଷମତାର ଅଳିନ୍ଦରେ ରହିବା ପାଇଁ ଦରବାର ଠାରୁ ଆଉ ଉତ୍ତମ ସ୍ଥାନ କ’ଣ ଭଲା ରହିଛି! ଏବଂ ସେଠାରେ ଟହଲ ମାରିବା ଠାରୁ ଆଉ ଭଲ ଉପାୟ ବା କ’ଣ ହୋଇପାରିବ!
ଅପରପକ୍ଷେ, ଜଗଦୀପ ଛୋକର ଦରବାରର ସଦସ୍ୟ ନଥିଲେ। ଏକଦା ଆଇ.ଆଇ.ଏମ୍., ଅହମ୍ମଦାବାଦର ପ୍ରାଧ୍ୟାପକ ଥିବା ଛୋକର ସାହେବ ସେଠାରୁ ଅବସର ନେବା ପରେ କିଛି ସହାନୁଭୂତିଶୀଳ ବ୍ୟକ୍ତିମାନଙ୍କ ସହିତ ମିଶି ‘ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ’ ବା ‘ଏ.ଡି.ଆର୍.’ ନାମକ ଏକ ସଂଗଠନ ସ୍ଥାପନ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ତାହା ସହିତ ଜଡ଼ିତ ହୋଇ ରହିଥିଲେ। ସଂସଦୀୟ ଗଣତନ୍ତ୍ରରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଯାହାକୁ ବଦଳାଇ ଦେଇ ହେବନି କି ଯାହାକୁ ଚୋରି କରିହେବନି କି ହଡ଼ପ କିମ୍ବା କାହାରି ପକେଟରେ ଛାଡ଼ି ଦିଆଯାଇପାରିବ ନାହିଁ। ଯଦି ଏପରି କିଛି ଘଟେ, ତେବେ ଗଣତନ୍ତ୍ରର ତନ୍ତ୍ର ଅକ୍ଷୁଣ୍ଣ ରହିପାରେ, କିନ୍ତୁ ତା’ର ଆତ୍ମାର ମୃତ୍ୟୁ ଘଟେ। ଏହା ହିଁ ହେଉଛି ତାଙ୍କ ସଂଗଠନର ମୂଳ କଥା।
ଯେତେବେଳେ ଭାରତରେ ସଂସଦୀୟ ଗଣତନ୍ତ୍ରର ପ୍ରାରମ୍ଭ ହେଉଥିଲା, ସେତେବେଳେ ସଂସଦୀୟ ବ୍ୟବସ୍ଥାକୁ ଏକ ପ୍ରକାର ନାପସନ୍ଦ କରୁଥିବା ଗାନ୍ଧୀଜୀ ମଧ୍ୟ ନିର୍ବାଚନର ଏହି ଭୂମିକାକୁ ବୁଝିଥିଲେ ଏବଂ ସେଥି ପ୍ରତି ସତର୍କ ମଧ୍ୟ ଥିଲେ। ଭିନ୍ନ ଶବ୍ଦରେ ସେ ବାରମ୍ବାର କହି ଚାଲିଥିଲେ ଯେ ଆମେ ନିଜ ପାଇଁ ଯେଉଁ ପ୍ରକାରର ସଂସଦୀୟ ଗଣତନ୍ତ୍ର ବାଛିଛୁ, ତା’ ପାଇଁ ଦୃଢ଼ ନିର୍ବାଚନ ତଦାରଖର ଆବଶ୍ୟକତା ରହିଛି। କାରଣ ଏହିଠାରୁ ହିଁ ଗଣତନ୍ତ୍ରର ପ୍ରତାରଣା ଆରମ୍ଭ ହୋଇପାରେ। ତେଣୁ ତାଙ୍କୁ ଗୁଳି କରାଯିବାର ପୂର୍ବ ରାତିରେ ସେ ତାଙ୍କ ଜୀବନର ଶେଷ ଦଲିଲ ଲେଖିଥିଲେ ଯାହାକୁ କଂଗ୍ରେସ ଓ ଦେଶ ବିଚାର କରିବା ପାଇଁ ସେ ଆଶା ରଖିଥିଲେ। ସେ ଅନ୍ୟାନ୍ୟ ବିଷୟ ମଧ୍ୟରେ କହିଥିଲେ ଯେ ଭୋଟର ତାଲିକାରେ ନାମ ଯୋଡ଼ିବା, କାଟିବା ଓ ହଟାଇବା ଆଦି କାର୍ଯ୍ୟର ସମ୍ପୂର୍ଣ୍ଣ ବିକେନ୍ଦ୍ରୀକରଣ କରାଯିବା ଉଚିତ ଏବଂ ତାହା ଗ୍ରାମ ସ୍ତରରେ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ। ନିର୍ବାଚନ ଆୟୋଗ ଭଳି ଏକ ବିଶାଳ ଧଳା ହାତୀ ପୋଷିବା ଧାରଣାକୁ ସେ କେବେ ପସନ୍ଦ କରି ନଥିଲେ। ଗ୍ରାମ ସ୍ତରରେ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଭୋଟର ତାଲିକାକୁ ଚୂଡ଼ାନ୍ତ ଓ ପ୍ରାଧିକୃତ ବିବେଚନା କରାଯିବ ଏବଂ ସେହି ଆଧାରରେ ନିର୍ବାଚନ କରାଯିବ ବୋଲି ସେ କଳ୍ପନା କରିଥିଲେ। ଗାନ୍ଧୀଜୀ ଦେଶକୁ ନିରନ୍ତର ବିପଜ୍ଜନକ ବିକଳ୍ପ ଆଡ଼କୁ ନେଇ ଯାଉଥିବାରୁ ତାଙ୍କୁ ପ୍ରକୃତରେ ଗୁଳି କରାଯାଇଥିଲା।
କ୍ଷମତା ପାଇଁ କେବଳ ସେତିକି ଗଣତନ୍ତ୍ର ଆବଶ୍ୟକ, ଯାହା ଏହାର ଶାସନର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ। ଯେଉଁମାନେ ଗଣତନ୍ତ୍ରକୁ ଆଦର କରନ୍ତି, ସେମାନେ ଏକ ବିକାଶଶୀଳ ଗଣତନ୍ତ୍ର ବ୍ୟତୀତ ଅନ୍ୟ କିଛି ସହ୍ୟ କରିବେ ନାହିଁ। ଗଣତନ୍ତ୍ରର ଆକାଶକୁ ନିରନ୍ତର ସଂପ୍ରସାରିତ କରିବା ଆବଶ୍ୟକ, କାରଣ ଯାହା ନାଗରିକଙ୍କ ସପକ୍ଷରେ ବିକଶିତ ହୁଏ ନାହିଁ, ତାହା ଗଣତନ୍ତ୍ର ନୁହେଁ। ଜଗଦୀପ ଛୋକର ଏପରି ବିକାଶଶୀଳ ଗଣତନ୍ତ୍ରର ଜଣେ ସିପାହି ଥିଲେ।
ସ୍ୱାଧୀନତା ପରେ ଓ ଗାନ୍ଧୀଙ୍କ ପରେ ଗଣତନ୍ତ୍ରକୁ ସମୃଦ୍ଧ କରିବା ପାଇଁ ସର୍ବାଧିକ ଧ୍ୟାନ ଦେଇଥିବା ଓ କାର୍ଯ୍ୟ କରିଥିବା ବ୍ୟକ୍ତି ଥିଲେ ଜୟପ୍ରକାଶ ନାରାୟଣ। ସେତେବେଳେ ସେ ଥିଲେ ସମାଜବାଦୀ ଦଳର ପ୍ରମୁଖ ନେତା ଏବଂ ଦେଶ ମନେମନେ ତାଙ୍କୁ ଜବାହରଲାଲ ନେହେରୁଙ୍କ ବିକଳ୍ପ ବୋଲି ବିବେଚନା କରୁଥିଲା। କିନ୍ତୁ ତାଙ୍କ ନିର୍ବାଚନ ପରାଜୟ ପରେ, ତାଙ୍କର ସମସ୍ତ ପ୍ରୟାସକୁ ପରାଜିତ ବିରୋଧୀଙ୍କ ବିଳାପ ବୋଲି ମଧ୍ୟ ବିବେଚନା କରାଯାଉଥିଲା। କିନ୍ତୁ ପ୍ରସଙ୍ଗ ତା’ଠାରୁ ଅଧିକ ଗମ୍ଭୀର ଥିଲା; କାରଣ ଜୟପ୍ରକାଶ ସେ ସବୁ ପ୍ରସଙ୍ଗ ଅପେକ୍ଷା ଅଧିକ ଗଭୀର ଥିଲେ। ତେଣୁ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜୟପ୍ରକାଶ ହିଁ ନିର୍ବାଚନ ସଂସ୍କାର ଉପରେ ସମ୍ପୂର୍ଣ୍ଣ ବିଚାର ଓ ସୁପାରିସ କରିବା ପାଇଁ ଏକ କମିଟି ଗଠନ କରିଥିଲେ। ସେଥିରେ କେବଳ ସରକାରୀ କମିଟି ନୁହେଁ, ବରଂ ନାଗରିକ କମିଟି ଗଠନ କରିବା ଏବଂ ତଦନ୍ତ କମିସନ ପ୍ରତିଷ୍ଠା କରିବା ଭଳି ସୁପାରିସ ମଧ୍ୟ ଥିଲା, ଯାହା ଗଣତନ୍ତ୍ର ପରିପ୍ରେକ୍ଷୀରେ ଏକ ନୂତନ ପରୀକ୍ଷଣ ଭଳି ଥିଲା। ଆମେ ପରାଧୀନ ଥିବା ବେଳେ ଜାଲିଆନୱାଲାବାଗ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗାନ୍ଧୀଙ୍କ ଉଦ୍ୟମରେ ମଧ୍ୟ ଏକ ନାଗରିକ କମିଟି ଗଠନ କରାଯାଇଥିଲା, ଯାହାର ଜଣେ ସଦସ୍ୟ ଥିଲେ ସ୍ବୟଂ ଗାନ୍ଧୀ। ଜୟପ୍ରକାଶ ପ୍ରାଶାସନିକ ସଂସ୍କାର, ଶିକ୍ଷା ବ୍ୟବସ୍ଥା, ନିର୍ବାଚନ ସଂସ୍କାର ଓ ପଞ୍ଚାୟତିରାଜ ଉପରେ ଏପରି ଅନେକ କମିସନ ଗଠନ କରିଥିଲେ। ପରେ ସେ ଗଣତନ୍ତ୍ର ପ୍ରସଙ୍ଗକୁ ଏତେ ଗୁରୁତ୍ୱପୂର୍ଣ୍ଣ କରିଦେଇଥିଲେ ଯେ ସମ୍ପୂର୍ଣ୍ଣ କ୍ରାନ୍ତିର ଏକ ପୂରା ଆନ୍ଦୋଳନ ଓ ଦର୍ଶନ ଆରମ୍ଭ ହୋଇଯାଇଥିଲା।
ଛୋକର ସାହେବଙ୍କ ସହିତ ଏହି ପ୍ରକାରର ଆଲୋଚନା ଅନେକ ଥର ହୋଇଥିଲା। ନିର୍ବାଚନ ବ୍ୟବସ୍ଥାକୁ ଏତେ କେନ୍ଦ୍ରୀକୃତ କରି ରଖାଯିବା ଏବଂ କ୍ଷମତା ଦ୍ୱାରା ତାହାର ଅପବ୍ୟବହାର କରାଯାଇପାରିବ ନାହିଁ ବୋଲି ଭାବିବା ମୂର୍ଖତା ଓ କିଛି ପରିମାଣରେ ନିଷ୍ଫଳ ବୋଲି ସେ ନିଶ୍ଚିତ ଥିଲେ। ସେ ଏ ପ୍ରସଙ୍ଗରେ ମୋ’ ସହିତ ଥରେ କି ଦୁଇ ଥର ଯୁକ୍ତି କରିଥିଲେ ଏବଂ କିଛି ନୂତନ ସୃଷ୍ଟି କରିବାର କ୍ଷମତା ମୋର ନାହିଁ କହି ଆଲୋଚନାକୁ ଶେଷ କରିଦେଇଥିଲେ। ମୋର ପ୍ରୟାସ ଥିଲା ଯେ କେବଳ ଯାହା ଚାଲୁ ରହିଛି, ସେଥିରେ ତାଳି ପକାଇ ସେଗୁଡ଼ିକୁ ସଜାଡ଼ି ଦିଆଯାଉ।
ଏଭଳି ତାଳିପକା କାମ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ। ସଂସଦୀୟ ଗଣତନ୍ତ୍ର ଗଠନ କରିବା କାମ ଯେତେ ଆହ୍ବାନପୂର୍ଣ୍ଣ, ତାହାକୁ ଗଣତାନ୍ତ୍ରିକ ଭାବରେ ଚଳାଇ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। କ୍ଷମତା ପାଇଁ କେବଳ ସେତିକି ଗଣତନ୍ତ୍ର ଆବଶ୍ୟକ, ଯାହା ଏହାର ଶାସନର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ। ଯେଉଁମାନେ ଗଣତନ୍ତ୍ରକୁ ଆଦର କରନ୍ତି, ସେମାନେ ଏକ ବିକାଶଶୀଳ ଗଣତନ୍ତ୍ର ବ୍ୟତୀତ ଅନ୍ୟ କିଛି ସହ୍ୟ କରିବେ ନାହିଁ। ଗଣତନ୍ତ୍ରର ଆକାଶକୁ ନିରନ୍ତର ସଂପ୍ରସାରିତ କରିବା ଆବଶ୍ୟକ, କାରଣ ଯାହା ନାଗରିକଙ୍କ ସପକ୍ଷରେ ବିକଶିତ ହୁଏ ନାହିଁ, ତାହା ଗଣତନ୍ତ୍ର ନୁହେଁ। ଜଗଦୀପ ଛୋକର ଏପରି ବିକାଶଶୀଳ ଗଣତନ୍ତ୍ରର ଜଣେ ସିପାହି ଥିଲେ। ସେ ଆଉ ଏବେ ନାହାନ୍ତି। କୋଉ ଗଣତନ୍ତ୍ର ବା ବାକି ରହିଛି? ପୁଟିନଙ୍କ ଗଣତନ୍ତ୍ର ରହିଛି ଅଥବା ସି ଜିନପିଙ୍ଗଙ୍କ କିମ୍ବା ନେତନ୍ୟାହୁଙ୍କ ଗଣତନ୍ତ୍ର ରହିଥାଇପାରେ! ମୋଦୀ ମାର୍କା ଗଣତନ୍ତ୍ର ମଧ୍ୟ ରହିଛି, ଯାହା କେବଳ ‘ୟୁଏପିଏ’(ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ)ର ଆଶା ବାଡ଼ି ଧରି ଚାଲିପାରିବ।
ଗଣତନ୍ତ୍ର କ’ଣ ବଞ୍ଚି ରହିବ? ଏହି ପ୍ରଶ୍ନ ଓ ଏହି ଆହ୍ବାନ ଆମକୁ ଛାଡ଼ି ଦେବା ପରେ, ଛୋକର ସାହେବ ଯେଉଁଠାକୁ ଯାଇଛନ୍ତି, ସେଠାରେ ମଧ୍ୟ ସେ ଗଣତନ୍ତ୍ର ପାଇଁ ଲଢୁଥିବେ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ
(ମତାମତ ଲେଖକଙ୍କ ନିଜସ୍ବ)