ସୁଧାଂଶୁ ଷଡ଼ଙ୍ଗୀ
ଏକ ସମୟରେ ଏବେ ପୃଥିବୀର ଅନେକ ଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ପ୍ରାୟତଃ ସବୁଆଡ଼େ ସାଂସ୍କୃତିକ ଅସ୍ମିତା ଓ ପରିଚୟକୁ ନେଇ ବିଦ୍ରୋହ। ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ହେଲାଣି। ତେଣୁ ଆତ୍ମ-ସମ୍ମାନ ଓ ସାଂସ୍କୃତିକ ଚେତନା ମୂଳ ପ୍ରସଙ୍ଗ। ଆତ୍ମ-ମର୍ଯ୍ୟାଦାକୁ ବାଧିଲେ, ଲୋକେ ନିରବଦ୍ରଷ୍ଟା ହେବାକୁ ପ୍ରସ୍ତୁତ ନୁହନ୍ତି। ସବୁଆଡ଼େ ଅପମାନିତ ଲୋକେ ବିଦ୍ରୋହ କରୁଛନ୍ତି। ରାଜନୈତିକ ହିଂସା ଓ ଅସ୍ଥିରତା ସୃଷ୍ଟି ହେଉଛି। ନିର୍ବାଚନ ଗଣିତ ଓଲଟପାଲଟ ହେଇଯାଉଛି। ଅର୍ଥନୈତିକ ବିକାଶ ହେଲେ ନିର୍ବାଚିତ ସରକାରକୁ ସଫଳତା ମିଳେ ବୋଲି ଆଗରୁ ଧରା ଯାଉଥିଲା। ଆମେରିକାର ପୂର୍ବ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏହି ପରିପ୍ରେକ୍ଷୀରେ କହିଥିଲେ ‘ଇଟ୍ ଇଜ୍ ଇକୋନୋମି ଷ୍ଟୁପିଡ୍’। ଅର୍ଥାତ୍, ଅର୍ଥନୈତିକ ବିକାଶ ହେଉଛି ମୂଳ। ଏବେକାର ସ୍ଥିତି ହେଲା, ଅର୍ଥନୈତିକ ବିକାଶ ଯଥେଷ୍ଟ ନୁହେଁ; ସାଂସ୍କୃତିକ ଅସ୍ମିତାର ପ୍ରଶ୍ନକୁ ସଂକୀର୍ଣ୍ଣ ମାନସିକତା କହି ହେୟଜ୍ଞାନ କଲେ ଶାସକଙ୍କୁ ବହୁ ମୂଲ୍ୟ ଦେବାକୁ ପଡୁଛି। ସବୁ ବିଦ୍ରୋହ ସଫଳ ହେଉନି। କିଛି ତ ମାସ କେତେଟାରେ ଦିଗହାର ହୋଇ ମଉଳି ଯାଉଛନ୍ତି। ସଂକ୍ଷେପରେ କିନ୍ତୁ ଏହା ହିଁ ସାମ୍ପ୍ରତିକ ପୃଥିବୀର ରାଜନୈତିକ ଇତିହାସ।
ଇଂଲାଣ୍ଡ୍ର ଲିଭରପୁଲ୍ ବିଶ୍ୱବିଦ୍ୟାଳୟରେ ମୁଁ ପାଞ୍ଚ ବର୍ଷ ଛାତ୍ର ଥିଲି। ଲିଭରପୁଲ୍ରୁ ୨୦ ମାଇଲ ଦୂର ସାଉଥ୍ପୋର୍ଟ ସହର। ଗଲା ୨୯ ଜୁଲାଇରେ ସେଠି ଏକ ବଡ଼ ଅଘଟଣ ଘଟିଗଲା। ଜଣେ କୃଷ୍ଣକାୟ ଯୁବକଙ୍କ ଆକ୍ରମଣରେ ତିନିଜଣ ଝିଅଙ୍କର ମୃତ୍ୟୁ ଘଟିଲା। ଏହାପରେ ଇଂଲାଣ୍ଡ୍ର ବିଭିନ୍ନ ସହରରେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଲା। ଆଗରୁ ୨୦୧୧ରେ ଲଣ୍ଡନରେ ଦଙ୍ଗା ହୋଇଥିଲା। କିନ୍ତୁ ବର୍ତ୍ତମାନର ହିଂସା ଭିନ୍ନ; ଅନେକ ଦିନ ଚାଲିଲା, ଅନେକ ସହର, ଏପରିକି ଆୟର୍ଲାଣ୍ଡର ଡବ୍ଲିନ୍ ପର୍ଯ୍ୟନ୍ତ ବ୍ୟାପିଲା। ବିଭିନ୍ନ ଦେଶରୁ ଯାଇ ଇଂଲାଣ୍ଡ୍ରେ ଲୋକ ବସବାସ କରୁଛନ୍ତି। ସେମାନେ ବ୍ରିଟେନ୍ର ନାଗରିକତ୍ବ ଗ୍ରହଣ କଲେ ମଧ୍ୟ ନିଜ ଧର୍ମ, ପରମ୍ପରା ଅନେକ ମାତ୍ରାରେ ସୁରକ୍ଷିତ ରଖିଛନ୍ତି। ଏହା ସତ୍ତ୍ବେ ସମାଜର ଅଭିନ୍ନ ଅଙ୍ଗ ହୋଇ ବ୍ରିଟେନ୍ର ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। ପ୍ରାୟ ୨୦୦୦ ମସିହା ପ୍ରଥମ ଭାଗରୁ ସେଠି ସାଂସ୍କୃତିକ ବିବିଧତାକୁ ନେଇ ବିତର୍କ ଆରମ୍ଭ ହେଲାଣି। ଗଲା ତିନି ଦଶନ୍ଧିରେ ଏଭଳି ଲୋକ ଇଂଲାଣ୍ଡ୍ ଆସିବାକୁ ଲାଗିଲେ ଯେଉଁମାନେ ଇଂରେଜୀ ଭାଷା ଶିଖିଲେନି ବା ବ୍ରିଟେନ୍ର ସଂସ୍କୃତିକୁ ଗ୍ରହଣ କଲେନାହିଁ। ବିଶେଷ କରି ଇସଲାମୀୟ ମୌଳବାଦୀମାନେ ବ୍ରିଟେନ୍ର ସଂସ୍କୃତିକୁ ପ୍ରତ୍ୟାଖ୍ୟାନ କଲେ ଓ ତାଙ୍କ ନିଜ ସଂସ୍କୃତି ପାଶ୍ଚାତ୍ୟ ସଂସ୍କୃତିଠାରୁ ଭଲ ବୋଲି ଦାବି କଲେ। ସେମାନେ ନିଜର ଅଲଗା ପରିଚୟ ଓ ପରମ୍ପରା ଜାହିର କରିବାକୁ ଲାଗିଲେ। ପ୍ରଶ୍ନ ଉଠିଲା- ବ୍ରିଟେନ୍ର ନାଗରିକ ହବାର ଅର୍ଥ କ’ଣ? ବ୍ରିଟେନରୁ ଆଶ୍ରୟ ଓ ସୁଖସୁବିଧା ପାଇ ଦେଶର ସଂସ୍କୃତିକୁ ସମ୍ମାନ ନ କରିବା, ଭାଷା ନ ଶିଖିବା, ଅଲଗା ବେଶପୋଷାକ ଓ ପରମ୍ପରା ପାଳନ କରିବା, ଜାତୀୟ ସଙ୍ଗୀତ ନ ଗାଇବା ଇତ୍ୟାଦି ସମୀଚୀନ କି? ଆଗରୁ ସ୍ବେଚ୍ଛାକୃତ ଭାବେ ଆପ୍ରବାସୀମାନେ ବ୍ରିଟେନ୍ର ମୂଳ ସଂସ୍କୃତିକୁ ଗ୍ରହଣ କରି ନେଉଥିଲେ। ଗୋଟିଏ ଗଣତାନ୍ତ୍ରିକ ଦେଶରେ କାହାକୁ ଏଥିପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ଗୋଟିଏ ବହୁସଂସ୍କୃତିର ସମାଜ ସହନଶୀଳତା ଓ ପରସ୍ପର ପ୍ରତି ସମ୍ମାନ ବିନା ତିଷ୍ଠିବା ଅସମ୍ଭବ। ଏହି କାରଣରୁ ଦକ୍ଷିଣ-ଚରମପନ୍ଥୀ ଗୋଷ୍ଠୀ ବ୍ରିଟେନ୍ରେ ସକ୍ରିୟ ହେଲେଣି। ସାମାଜିକ ଗଣମାଧ୍ୟମରେ ସେମାନେ ନିଜ ଦେଶ ଓ ସଂସ୍କୃତିର ସୁରକ୍ଷାପାଇଁ ଯୁଦ୍ଧ ଡାକରା ଦେଉଛନ୍ତି, ସମର୍ଥନ ପାଉଛନ୍ତି। ଆଶା କରିବା ଶେଷରେ ଶାନ୍ତି ଫେରିବ। କିନ୍ତୁ ଏଥିରୁ ଜଣାଯାଉଛି ଯେ ସାଂସ୍କୃତିକ ଅସ୍ମିତାର ପ୍ରଶ୍ନଗୁଡ଼ିକୁ କୌଣସି ଦେଶ ହାଲୁକାରେ ନେବା ଉଚିତ ନୁହେଁ।
ବ୍ରିଟେନ୍ରେ ଦେଖାଦେଇଥିବା ଅସ୍ଥିରତା ଅଳ୍ପବହୁତ ୟୁରୋପର ସବୁ ଦେଶରେ ଦେଖାଦେଇଛି। ଚାରିଆଡ଼େ ଦକ୍ଷିଣ-ଚରମପନ୍ଥୀଙ୍କ ଲୋକପ୍ରିୟତା ବଢୁଛି। ଏମାନଙ୍କ ମଧ୍ୟରୁ ଅନେକ ଫାସିବାଦୀ ଚିନ୍ତାଧାରାରେ ବିଶ୍ୱାସ କରନ୍ତି। ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଫାସିବାଦର ସବୁଦିନ ପାଇଁ ପତନ ଘଟିଛି ବୋଲି ଚିନ୍ତା କରାଯାଉଥିଲା। ଏବେ ପୁଣି ସେହି ସମାନ ପ୍ରକାରର ବର୍ଣ୍ଣ-ବୈଷମ୍ୟ ଓ ହିଂସ୍ର ଆଦର୍ଶ ଅନେକ ଲୋକଙ୍କୁ ଆକୃଷ୍ଟ କରୁଛି। ଯେଉଁ ଦଳମାନେ ଦୁଇ-ତିନି ପ୍ରତିଶତ ଭୋଟ ପାଉଥିଲେ, ଏବେ ସେମାନଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ବଢ଼ିଚାଲିଛି। ଆମେରିକାରେ ସ୍ଥିତି ମଧ୍ୟ ସମାନ।
୧୯୯୦ ମସିହା ପରେ ଆମେରିକାର ବଜାରରେ ବିଦେଶ, ବିଶେଷକରି ଚୀନ ତିଆରି ଶସ୍ତା ଜିନିଷ ବିକ୍ରି ହେବାକୁ ଲାଗିଲା। ଚୀନରେ ଶ୍ରମିକଙ୍କ ମଜୁରି ଆମେରିକାଠାରୁ ବହୁ ପରିମାଣରେ କମ୍। ଧୀରେ ଧୀରେ ଆମେରିକାରେ କଳକାରଖାନା ବନ୍ଦ ହେବାକୁ ଲାଗିଲା। ଶ୍ବେତାଙ୍ଗ ଶ୍ରମିକ ଚାକିରି ହରାଇଲେ। ଅର୍ଥନୀତି ଓ ବୈଷୟିକ ବିଜ୍ଞାନରେ ଆମୂଳଚୂଳ ପରିବର୍ତ୍ତନ ହେଲେ ବ୍ୟକ୍ତିର ସାଂସ୍କୃତିକ ପରିଚୟ ବଦଳିଯାଏ। ସମାଜରେ ନୂଆ ସମୀକରଣ ସୃଷ୍ଟି ହୁଏ। ଜଗତୀକରଣ, ମେଧାତନ୍ତ୍ର ଓ ନୂଆ ବୈଷୟିକ ଜ୍ଞାନ ଯୋଗୁଁ ହୋଇଥିବା ଅର୍ଥନୈତିକ ପରିବର୍ତ୍ତନ ଶ୍ବେତାଙ୍ଗ ଶ୍ରମିକ ବର୍ଗ ଓ ତାଙ୍କ ଜୀବନକୁ ଛାରଖାର କଲା। ଅନ୍ୟ ପକ୍ଷରେ ପ୍ରଯୁକ୍ତିବିଦ୍ୟା, ବ୍ୟାଙ୍କିଂ, ଫାଇନାନ୍ସ ଇତ୍ୟାଦିରେ ଉଚ୍ଚ ବେତନରେ ନୂଆ ପଦ ସୃଷ୍ଟି ହେଲା। ସେଗୁଡ଼ିକ ବିଶ୍ୱବିଦ୍ୟାଳୟରେ ପଢ଼ିଥିବା ଦେଶର ସମ୍ଭ୍ରାନ୍ତ ବର୍ଗ ଓ ଭାରତ-ଚୀନ ଭଳି ଦେଶରୁ ଆସିଥିବା ଉଚ୍ଚଶିକ୍ଷିତ ଲୋକେ ଅକ୍ତିଆର କଲେ। ଆମେରିକାର ଗ୍ରାମାଞ୍ଚଳ ଓ ଛୋଟ ସହରରେ ରହୁଥିବା ଲୋକଙ୍କୁ କୁହାଗଲା- ‘ପାଠ ପଢ଼, ଗଣିତ-କମ୍ପ୍ୟୁଟର ଶିଖ, ବିଶ୍ୱବିଦ୍ୟାଳୟ ଯାଅ, ଭାରତ-ଚୀନରୁ ଆସୁଥିବା ଉଚ୍ଚଶିକ୍ଷିତ ଓ କୁଶଳୀ ଲୋକଙ୍କ ସାଙ୍ଗରେ ପ୍ରତିଯୋଗିତା କର। ଗାଁ ଛାଡ଼। ଲୋକେ ନିଜ ଗାଁ ବା ଛୋଟ ସହର ଛାଡି ବଡ଼ ବଡ଼ ସହରକୁ ଚାକିରି କରିବାକୁ ଗଲେ ନିଜର ମୂଳ ଜୀବନ ଓ ସଂସ୍କୃତି ପରିତ୍ୟାଗ କରିବାକୁ ପଡ଼େ। ଶ୍ବେତାଙ୍ଗଙ୍କ ଆଶଙ୍କା ତାଙ୍କ ସଂସ୍କୃତି ବିପଦରେ। ସେମାନେ ନିଜ ଦେଶରେ ଦ୍ବିତୀୟ ଶ୍ରେଣୀ ନାଗରିକ ହୋଇ ଅନ୍ୟ ସଂସ୍କୃତିର ଲୋକଙ୍କ ହାକିମି ମାନିବେ। କେହି ସେମାନଙ୍କ ସମସ୍ୟା ବିଷୟରେ ଚିନ୍ତିତ ନୁହେଁ କି ସେ ବିଷୟରେ ଆଲୋଚନା କରୁ ନାହାନ୍ତି। ଅନ୍ୟପକ୍ଷରେ କୃଷ୍ଣକାୟ ଆମେରିକୀୟ, ଅଳ୍ପସଂଖ୍ୟକ, ମହିଳା, ସମଲିଙ୍ଗୀଙ୍କ ଅଧିକାର ବିଷୟରେ ଚାରିଆଡ଼େ ଆଲୋଚନା ଚାଲିଛି। ତେଣୁ ସେମାନେ ଲାଂଛିତ ଅନୁଭବ କଲେ। ଲିଙ୍କନ୍-ରେଗାନ୍ଙ୍କ ରିପବ୍ଲିକାନ୍ ଦଳ ଧୀରେ ଧୀରେ ଟ୍ରମ୍ପଙ୍କ ଦଳରେ ରୂପାନ୍ତରିତ ହେଲା। ସେମାନଙ୍କ ସ୍ଲୋଗାନ୍ ହେଲା ‘ପୁଣି ଆମେରିକାକୁ ଶ୍ରେଷ୍ଠ କରିବା’। ଆମେରିକାରେ ସମାଜ ଉତ୍କଟ ଧ୍ରୁବୀକରଣ ଯୋଗୁଁ ଏବେ ଦୁଇଭାଗରେ ବିଭକ୍ତ। ଗୋଟିଏ ପକ୍ଷ, ଅର୍ଥାତ୍ ବିଦ୍ରୋହୀ ଶ୍ବେତାଙ୍ଗମାନେ ପୂରା ବ୍ୟବସ୍ଥା ଯଥା: ସରକାରୀ କଳ, ବିଚାର ବ୍ୟବସ୍ଥା, ଗଣମାଧ୍ୟମ, ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟ ଇତ୍ୟାଦିକୁ ଗ୍ରହଣ କରିବାକୁ ନାରାଜ। କହିବାକୁ ଗଲେ ଏକ ରୀତିମତ ଯୁଦ୍ଧର ପରିବେଶ।
ସାଂବିଧାନିକ ବ୍ୟବସ୍ଥା ଓ ରାଷ୍ଟ୍ର ଗଠନ ପୂର୍ବରୁ ପରିବାର, ଧାର୍ମିକ ଭାବନା, ଭାଷା ଓ ସଂସ୍କୃତି ଅଛି; ଯାହା ସମାଜରେ କିଛି ଶାଶ୍ୱତ ଚିନ୍ତା, ଚେତନା ଓ ନୈତିକ ମାନଦଣ୍ଡ ନିର୍ଦ୍ଧାରିତ କରେ। ବିପଦରେ ପଡ଼ିଲେ ପରିବାର, ଆତ୍ମୀୟସ୍ୱଜନ, ନିଜ ଲୋକଙ୍କ ମଧ୍ୟରେ ଲୋକେ ଆଶ୍ରୟ ନିଅନ୍ତି। ଏବେ କିନ୍ତୁ ଅନେକ ଦେଶରେ ପରିବାର ବ୍ୟବସ୍ଥାଟି ସଙ୍କଟରେ। ଆଗରୁ ଲୋକେ ଭଗବାନଙ୍କ ଉପରେ ଆସ୍ଥା ରଖି ଚଳୁଥିଲେ। ଧାର୍ମିକ ଭାବନାର ଅବକ୍ଷୟ ହେଲେ ଜୀବନର ଆଉ ଏକ ଢେର ଭୁଶୁଡ଼ି ପଡ଼େ। ସ୍ଥାୟୀ ଓ ଚିରନ୍ତନ ମାନଦଣ୍ଡ ଭୁଶୁଡ଼ି ପଡ଼ିବା, କିନ୍ତୁ କୌଣସି ବିକଳ୍ପ ସୃଷ୍ଟି ନହେବା ପରିସ୍ଥିତିରୁ ଲୋକେ ଅତୀତକୁ ଫେରିବାକୁ ଚାହୁଁଛନ୍ତି। ଲୋକେ ନିଜ ପରିବାର, ମାତୃଭାଷା, ଧାର୍ମିକ ଭାବନା ଇତ୍ୟାଦି ଭୁଲି ଏକ ଅଜଣା ଓ ଅସ୍ଥିର ସହରରେ ଲୀନ ହେବାକୁ ପ୍ରସ୍ତୁତ ନୁହନ୍ତି। ବିଫଳତାର ଗ୍ଳାନି ଓ ସାଂସ୍କୃତିକ ଅସ୍ମିତାର ସଙ୍କଟ ଯୋଗୁଁ ଅପମାନିତ ଲୋକେ ପ୍ରତିଶୋଧ ଖୋଜୁଛନ୍ତି। ମେଧା ନାମରେ ସୃଷ୍ଟି ହୋଇଥିବା ଆଧୁନିକ ସମ୍ଭ୍ରାନ୍ତବାଦ ଏସବୁ ବୁଝେ ନାହିଁ। ଲଣ୍ଡନ୍ରେ ଥିବା ମେଧାବୀ ଲୋକଟି ତା’ ଗାଁର କାହାକୁ ଚିହ୍ନେନି, ତା’ ପିଲା ମାତୃଭାଷା ଜାଣନ୍ତିନି, ତା’ର ସବୁଠାରୁ ଘନିଷ୍ଠ ବନ୍ଧୁ ଗାଁରେ ନୁହେଁ, ଲଣ୍ଡନ୍ କି ଆମେରିକାରେ ରହେ। ନିଜର ମୂଳ ସମାଜରୁ ସେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ଅଷ୍ଟ୍ରେଲିଆରେ ଜନ୍ମିତ ଖେଳାଳି ମେଧା (ଦକ୍ଷତା) ଭିତ୍ତିରେ ଏ ବର୍ଷ କଲିକତା ଆଇପିଏଲ୍ ଦଳ ପାଇଁ ଖେଳେ, କଲିକତା ଲୋକ ସମର୍ଥନ କରନ୍ତି। ଆର ଥରକୁ ହୁଏତ ବେଙ୍ଗାଲୁରୁ ପାଇଁ ଖେଳିବ, ବେଙ୍ଗାଲୁରୁ ଲୋକ ସମର୍ଥନ କରିବେ। ଥରେ ଅବସର ଗ୍ରହଣ କଲେ କେହି ସମର୍ଥନ କରିବେନି। ଶୀର୍ଷ ସ୍ତରରେ ଥିବା ଲୋକଙ୍କ ସମାଜ ସଙ୍ଗେ ସମ୍ପର୍କ ଏକ ଦିଆ-ନିଆର ଭଡ଼ାଟିଆ ସମ୍ପର୍କ ହୋଇଗଲାଣି। ଏଥିରେ ଆତ୍ମୀୟତା ନାହିଁ। ସ୍ଥାୟିତ୍ୱ ନାହିଁ। ସଫଳ ଲୋକେ ଯୁଆଡ଼େ ଅର୍ଥ ଓ କ୍ଷମତା ମିଳିବ ଯିବେ। ସେମାନଙ୍କ ପାଇଁ ସ୍ଥାୟୀ ସମ୍ପର୍କ ଏକ ଭାବପ୍ରବଣତା, ପ୍ରବଞ୍ଚନା। ସେମାନେ ଫେରିବାଲା। ଆଜି ଏଠି ଅଛନ୍ତି, କାଲି ସେଠି ଥିବେ। ଅନ୍ୟ ପକ୍ଷରେ ରାଜନୈତିକ ସମ୍ପର୍କ ଦିଆ-ନିଆ ଭିତ୍ତିରେ ସୃଷ୍ଟି ହୁଏ ନାହିଁ ବା ଅସ୍ଥାୟୀ ନୁହେଁ। ସେଗୁଡ଼ିକ ସ୍ଥିର ଓ ଆଜୀବନ। ଅନେକ ବୁଦ୍ଧିଜୀବୀ ଅନୁଶୋଚନା କରନ୍ତି ଯେ ଜନତା ନିଜ ହିତ, ବିଶେଷ କରି ଅର୍ଥନୈତିକ ସ୍ୱାର୍ଥର ସୁରକ୍ଷା ନକରି ଭାବପ୍ରବଣତାର ନଦୀରେ ବହି ଯାଉଛନ୍ତି। ବାସ୍ତବତା ହେଲା, ପୃଥିବୀର କୌଣସି ଗଣତନ୍ତ୍ରରେ, ଭୋଟ ଅଭିବ୍ୟକ୍ତି ଯୌକ୍ତିକତା ବା ଅର୍ଥନୈତିକ ସ୍ୱାର୍ଥର ପରିପ୍ରକାଶ ନୁହେଁ। ଗବେଷଣାରୁ ମିଳୁଥିବା ତଥ୍ୟ ଅନୁସାରେ ଲୋକେ ଭୋଟ ଦେଲାବେଳେ ନିଜ ଭାବାବେଗ, ଆଶଙ୍କା, ଆଦର୍ଶ, ପରିଚୟ ଇତ୍ୟାଦିର ଅଭିବ୍ୟକ୍ତି କରନ୍ତି। ଇଂରେଜୀରେ ଏହାକୁ ଆମେ ‘ସେଣ୍ଟିମେଣ୍ଟସ୍’ କହିବା। ଅନ୍ୟ ପ୍ରସଙ୍ଗ ହୁଏତ ଆଗରେ ଉପସ୍ଥାପିତ କରାଯାଇପାରେ। ନିଜ ଭାଷା, ଧାର୍ମିକ ଭାବନା, ସାଂସ୍କୃତିକ ପରିଚୟ ଇତ୍ୟାଦି ପ୍ରତି ଅବହେଳା ବା ଅପମାନ ଆକ୍ରୋଶ, କ୍ରୋଧ ଓ ବିଦ୍ରୋହ ସୃଷ୍ଟି କରେ। ଯେତେବେଳେ ନେତା ବା ଦଳ ଜନଗଣଙ୍କ ଭାବନାକୁ ସମ୍ମାନ ନଦେଇ ବା ପରାମର୍ଶ ନକରି ଅକାରଣେ ନିଜ ନିଷ୍ପତ୍ତି ଲୋକଙ୍କ ଉପରେ ଏକତରଫା ଲଦନ୍ତି, ସେତେବେଳେ ନିଜର ରାଜନୈତିକ ଆଧାର ଓ ଗ୍ରହଣୀୟତା ହରାନ୍ତି। ଆଇପିଏଲ୍ ଖେଳାଳି କଲିକତା ଛାଡ଼ି ବେଙ୍ଗାଲୁରୁ ପଳେଇବ, ରାଜନେତାକୁ କିନ୍ତୁ ପୁଣି ସେହି ସମାନ ଭୋଟର ପାଖକୁ ଫେରିବାକୁ ପଡ଼ିବ।
ମେଧାତନ୍ତ୍ରରେ ସଫଳ ଲୋକଙ୍କ ଚେର ମାଟିରେ ରହେନି, ସେମାନେ ଢେଉରେ ଉଡୁଥିବା ପକ୍ଷୀ। ତାଙ୍କୁ ଅସ୍ମିତାର ପ୍ରଶ୍ନ ବୃଥା, ମୂଲ୍ୟହୀନ ଓ ସଂକୀର୍ଣ୍ଣ ମନେହୁଏ। ସେମାନଙ୍କ ଅହମିକା ମଧ୍ୟରେ ଲୋକଙ୍କ ସାଂସ୍କୃତିକ ପରିଚୟ ଓ ଜୀବନଧାରା ଧରାଶାୟୀ। ନେତା ଏହି ଜଟିଳତା ନବୁଝି ଲୋକଙ୍କଠୁ ଦୂରେଇଗଲେ ଅସ୍ଥାୟୀ ହୋଇ ମୂଳପୋଛ ହୋଇଯିବେ। ଆଗକୁ ସମସ୍ୟା ଅଧିକ ଜଟିଳ ହେବାକୁ ଯାଉଛି। କ୍ଲିଣ୍ଟନ୍ଙ୍କ ବକ୍ତବ୍ୟକୁ ବଦଳାଇ କହିବା ‘ଇଟ୍ ଇଜ୍ କଲଚର୍ ଷ୍ଟୁପିଡ୍’, ଅର୍ଥାତ୍ ସାଂସ୍କୃତିକ ଅସ୍ମିତା ହେଉଛି ମୂଳ ପ୍ରସଙ୍ଗ। ବୌଦ୍ଧିକ ସ୍ତରରେ ସମସ୍ତଙ୍କୁ ସାଂସ୍କୃତିକ ପରିଚୟ ଓ ଚିନ୍ତା-ଚେତନା ଉପରେ ଅଧିକ ସମ୍ବେଦନଶୀଳ ହେବାକୁ ପଡ଼ିବ। ଲୋକେ ଅପମାନିତ ଅନୁଭବ କଲେ ବ୍ୟବସ୍ଥା ସ୍ଥିର ରହିବନି।
(ଲେଖକ ଭାରତୀୟ ପୁଲିସ୍ ସେବାର ଅଧିକାରୀ, ମତ ବ୍ୟକ୍ତିଗତ)