ବାଣୀବିହାର ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଦେଇ ଯଦି କେତେବେଳେ ଯାଉଥାନ୍ତି ଟିକେ ମା ସରସ୍ବତୀଙ୍କ ପ୍ରସ୍ତର ମୂର୍ତ୍ତିଟି ଉପରେ ଧ୍ୟାନ ଦେବେ। ଏକ ଭବ୍ୟ, କାରୁକାର୍ଯ୍ୟ ପୂର୍ଣ୍ଣ ଲାସ୍ୟମୟୀ ମୂର୍ତ୍ତିଟି ଉପରେ ଏକ ଶ୍ୱେତ ବସ୍ତ୍ର ଆଚ୍ଛାଦନ କରି ମୂର୍ତ୍ତି ତଥା ମୂର୍ତ୍ତିକାରଙ୍କ କଳାର ପରିହାସ କରାଯାଇଛି। ସେହିପରି ଓଡ଼ିଶାର ଅଗଣିତ ମନ୍ଦିର ଗାତ୍ରରେ ପୁରାତନ ପ୍ରସ୍ତର ନିର୍ମିତ, କାରୁକାର୍ଯ୍ୟପୂର୍ଣ୍ଣ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଅତ୍ୟନ୍ତ ଅରୁଚିକର ଭାବରେ ଶସ୍ତା ରଙ୍ଗିନ କପଡ଼ା ଘୋଡ଼ାଇ ତାହାର ସୌନ୍ଦର୍ଯ୍ୟ ଲୁକ୍କାୟିତ କରାଯାଇଥିବା ଲକ୍ଷ୍ୟ କରିବେ। ମନ୍ଦିର ଗର୍ଭଗୃହରେ ଥିବା ମୁଖ୍ୟ ଦେବୀ ଦେବତାଙ୍କ ପ୍ରସ୍ତର ମୂର୍ତ୍ତିଗୁଡ଼ିକୁ ପୂଜକମାନେ ଭକ୍ତ ପ୍ରଦତ୍ତ ବସ୍ତ୍ର ଆଚ୍ଛାଦିତ କରିବାରେ କାହାର କିଛି ଅଭିଯୋଗ ନାହିଁ, କିନ୍ତୁ ମନ୍ଦିରର ବାହାର ଗାତ୍ରରେ ଥିବା ମୂର୍ତ୍ତିଗୁଡ଼ିକୁ ସିନ୍ଦୂର, କଳା ବା ରଙ୍ଗିନ ବସ୍ତ୍ରରେ ଆବୃତ କରି କଦାକାର କରିବାର ଆବଶ୍ୟକତା କେଉଁଠି? କେତେଜଣ ବୁଦ୍ଧିମାନ ପାଠକ କହିବେ ଯେ ପାର୍ଶ୍ୱ ଦେବତାଙ୍କ ପୂଜା ଆବଶ୍ୟକ। ତାହା ସତ୍ୟ, ମାତ୍ର କେବଳ ପୁଷ୍ପ, ଦୀପରେ ପୂଜା ସମ୍ପୂର୍ଣ୍ଣ କରା ଯାଇପାରେ। ମନ୍ଦିରଗୁଡ଼ିକର ଉପର ଭାଗରେ ମଧ୍ୟ ଅନେକ ମୂର୍ତ୍ତି ଥାଆନ୍ତି, ଯେଉଁଠିକୁ ପୂଜାରୀ ଭାଇ ସୁବିଧାରେ ଚଢ଼ି ପାରନ୍ତିନାହିଁ। ସେଗୁଡ଼ିକୁ ଯଦି ସୁଦୂର ପ୍ରଣାମ ଜଣାଇ କାର୍ଯ୍ୟ ସିଦ୍ଧି ହୋଇପାରୁଛି, ତେବେ ହାତ ପହଞ୍ଚ ମୂର୍ତ୍ତିଗୁଡ଼ିକର ବିଭତ୍ସୀକରଣର ଆବଶ୍ୟକତା କେଉଁଠି? ପ୍ରତିଟି ପ୍ରସ୍ତର ମୂର୍ତ୍ତିରେ ମୂର୍ତ୍ତିକାର ନିଜର ସମସ୍ତ କଳା କୌଶଳ ବିନିଯୋଗ କରି ତହିଁରେ ବସ୍ତ୍ର, ଅଳଙ୍କାର, ବାହନ ଅସ୍ତ୍ରଶସ୍ତ୍ର ଇତ୍ୟାଦି ଖୋଦେଇ କରିଥାନ୍ତି। ତା’ ଉପରେ ଶସ୍ତା ରଙ୍ଗିନ କପଡ଼ା ଘୋଡ଼ାଇ ଆମେ ସୌନ୍ଦର୍ଯ୍ୟର ଅପମାନ ହିଁ କରିଥାଉଁ। ଦର୍ଶକ, ପରିବ୍ରାଜକ ତଥା ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକମାନେ ଉତ୍କଳୀୟ କଳାର ଉତ୍କର୍ଷ ସମ୍ବନ୍ଧରେ ବସ୍ତୁତଃ ଅଜ୍ଞ ହୋଇ ଫେରନ୍ତି।
ଆମର ପ୍ରସ୍ତର କଳାକୃତି ବିଶ୍ୱ ପ୍ରସିଦ୍ଧ। ପ୍ରତିଟି ମୂର୍ତ୍ତିରେ ସୁକ୍ଷ୍ମ କାରୁକାର୍ଯ୍ୟ ଦ୍ୱାରା ବସ୍ତ୍ର, ଅଳଙ୍କାର, ବାଦ୍ୟ ଯନ୍ତ୍ର ଇତ୍ୟାଦି ଖୋଦିତ ହୋଇ ମୂର୍ତ୍ତିଗୁଡ଼ିକୁ ଜୀବନ୍ତ କରିଥାଏ। କୌଣସି ବାହ୍ୟ ବସ୍ତୁ ଦ୍ୱାରା ସେଗୁଡ଼ିକର ସୌନ୍ଦର୍ଯ୍ୟ ବୃଦ୍ଧି ଅଥବା ଲଜ୍ଜା ନିବାରଣ ଅନାବଶ୍ୟକ। କୋଣାର୍କର ଶୃଙ୍ଗାରଧର୍ମୀ ମୂର୍ତ୍ତିଗୁଡ଼ିକୁ କପଡ଼ା ଦ୍ବାରା ଆଚ୍ଛାଦିତ କଲେ ତାହା କେବଳ ଦୃଷ୍ଟିକଟୁ ହେବ। ସେହି ପରି କେତୋଟି ପ୍ରାଚୀନ ମନ୍ଦିରରେ ମୂର୍ତ୍ତିଗୁଡ଼ିକ ଉପରେ ରଙ୍ଗିନ ରାସାୟନିକ ମୋଟା ପ୍ରଲେପ ଦେଇ ଏପରି ରୂପାନ୍ତର କରାଯାଉଛି ଯେ ମନେ ହେଉଛି ସତେ ଯେପରି ସେଗୁଡ଼ିକ ସିମେଣ୍ଟ ବା କଂକ୍ରିଟେର ତିଆରି। ସମସ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ସେ ପଲସ୍ତରା ଆବରଣ ତଳେ ମୃତପ୍ରାୟ ହୋଇ ରହନ୍ତି। କେତେକ ମନ୍ଦିରରେ ପୂଜକମାନଙ୍କ ଧ୍ୱଜାରୋହଣ ସୁବିଧା ନିମନ୍ତେ କଦାକାର ଲୌହ ନିର୍ମିତ ଶିଡ଼ିକୁ ମନ୍ଦିରର କଳସ ପର୍ଯ୍ୟନ୍ତ ଲମ୍ବେଇ ଦିଆଯାଉଛି। ଏହା ସୌନ୍ଦର୍ଯ୍ୟବୋଧ ଉପରେ ଏକ ଆକ୍ରମଣ। ଶିବରାତ୍ରି ବା ରାମ ନବମୀ ଭଳି ପର୍ବପର୍ବାଣିରେ ଅଥବା ଅନ୍ୟ ସାଧାରଣ ଦିନମାନଙ୍କରେ ଅସ୍ଥାୟୀ ଶିଡ଼ି ବା ମଞ୍ଚ ଆଦି ନିର୍ମାଣ କରାଯାଇପାରନ୍ତା। କିନ୍ତୁ ଲୌହ ନିର୍ମିତ ସ୍ଥାୟୀ ନିଶୁଣି ମନ୍ଦିରର ସୁନ୍ଦର ଅବୟବରେ କୁତ୍ସିତ ଦାଗ ପରି ଅପ୍ରୀତିକର ମନେ ହୁଏ।
ଅନେକ ଦେବୀ ମନ୍ଦିର ତଥା ଶକ୍ତି ପୀଠରେ ଦେବୀଙ୍କ ମୂର୍ତ୍ତିର ପ୍ରସ୍ତର ଚକ୍ଷୁ ଉପରେ ରୁପା ତିଆରି କୁତ୍ରିମ ଆଖି ଲଗାଇ ଦେବୀ ମୂର୍ତ୍ତିଟିକୁ ବୀଭତ୍ସ କରିଦିଆଯାଉଛି। ମୁକୁଟ ବା ସ୍ବର୍ଣ୍ଣ ଅଳଙ୍କାର ଇତ୍ୟାଦିରେ ଆଭୂଷିତ କରିବାରେ ଅସୁବିଧା ନାହିଁ; କିନ୍ତୁ ଧାତବ ଚକ୍ଷୁ ଦେବୀଙ୍କ ଚକ୍ଷୁ ଯୁଗଳକୁ ଅପ୍ରାକୃତିକ ତଥା ଜୀବନଶୂନ୍ୟ କରିଦିଏ; ଯାହା ସମ୍ପୂର୍ଣ୍ଣ ଅଯଥାର୍ଥ। ସେମିତି ଭକ୍ତ ପ୍ରଦତ୍ତ କାନ୍ଥ ଘଣ୍ଟା, କ୍ୟାଲେଣ୍ଡର ଅଥବା କୁତ୍ସିତ ଅକ୍ଷରରେ ଲିଖିତ ମନ୍ତ୍ରାବଳି ଦ୍ବାରା ମନ୍ଦିରର ଗର୍ଭ ଗୃହର ପରିବେଶଟିକୁ ବିରକ୍ତିକର କରି ଦିଆଯାଏ।
ଆସନ୍ତୁ ଉତ୍କଳୀୟ ଭାସ୍କର୍ଯ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତ ସୁଲଳିତ ପ୍ରସ୍ତର ମୂର୍ତ୍ତି ଉପରୁ ଅନାବଶ୍ୟକ ରଙ୍ଗ, ବସ୍ତ୍ର, ରାସାୟନିକ ଲେପ, ଧାତବ କୃତ୍ରିମ ଅଙ୍ଗ ଇତ୍ୟାଦି ହଟାଇ ଆମ ପ୍ରାଚୀନ କଳାକୃତି, ସଂସ୍କୃତି ତଥା କାରୁକାର୍ଯ୍ୟର ବାନା ଉଡ଼ାଇବା।
ମନୋଜ ପରିଡ଼ା
ମୋ- ୭୮୬୭୦୦୨୦୨୪