ସ୍ବାଧୀନତାର ଅମୃତ ମହୋତ୍ସବ ପାଳନର ଅବସରରେ ହିଁ ୨୦୦୨ ଗୁଜରାଟ ଦଙ୍ଗାରେ ଗର୍ଭବତୀ ବିଲକିସ ବାନୋଙ୍କ ସମେତ ତିନି ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ଚଉଦ ଜଣଙ୍କୁ ହତ୍ୟା କରିଥିବା କାରଣରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଏଗାର ଜଣଙ୍କୁ ଗୁଜରାଟ ରାଜ୍ୟ ସରକାର ଜେଲରୁ ମୁକ୍ତ କରିଦେଲେ। ପନ୍ଦର ବର୍ଷ ଧରି ସେମାନେ ଜେଲରେ ଥିବାରୁ ସେମାନଙ୍କୁ ମୁକ୍ତ କରି ଦିଆଗଲା ବୋଲି ସରକାର କହିଲେ। ଏହି ଅପରାଧୀମାନଙ୍କୁ ଫୁଲ ମାଳ ପିନ୍ଧାଇ, ମିଠା ଖୁଆଇ ଏବଂ ସେମାନଙ୍କ କପାଳରେ ଟିକା ଲଗାଇ ଏଭଳି ସମ୍ବର୍ଦ୍ଧନା ପ୍ରଦାନ କରାଗଲା, ସତେ ଯେମିତି ସେମାନେ ଜଣେ ଜଣେ ସମର ବିଜୟୀ ସୈନିକ।

Advertisment

ଏହି ଘଟଣାରେ ଅସଂଖ୍ୟ ଭାରତୀୟଙ୍କ ମଥା ଲଜ୍ଜାନତ ହୋଇଛି ଏବଂ କିଛି ମହିଳାଙ୍କ ଦ୍ବାରା ସେମାନଙ୍କ ମଥାରେ ତିଳକ ଲଗାଯିବା ପ୍ରକରଣଟି ଗଭୀର ହତାଶା ସହିତ ଏକ ବିଡ଼ମ୍ବିତ ବିସ୍ମୟ ମଧ୍ୟ ସୃଷ୍ଟି କରିଛି। ଏ ପରିପ୍ରେକ୍ଷୀରେ ଯାହା ଆହୁରି ବିସ୍ମୟକର ତାହା ହେଲା, ୨୦୧୨ ମସିହାରେ ନିର୍ଭୟା ବଳାତ୍କାର ଓ ହତ୍ୟା ଘଟଣାରେ ଅସରନ୍ତି ଅଶ୍ରୁ ତର୍ପଣ କରିଥିବା ଭାରତ ବା ବିଶାଖାପାଟଣାରେ ଜଣେ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟା ପରେ ଅଭିଯୁକ୍ତମାନଙ୍କୁ (ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ) ପୁଲିସ ଏନ୍‌କାଉଣ୍ଟର୍‌ରେ ହତ୍ୟାକୁ ସମର୍ଥନ କରିଥିବା ଅସଂଖ୍ୟ ଭାରତୀୟ କିନ୍ତୁ ବିଲକିସ ବାନୋ ଘଟଣାରେ ନିରବ ରହିଲେ।

ସତ କହିଲେ ଦୁଷ୍କର୍ମକାରୀଙ୍କ ପ୍ରତି ଭାରତୀୟଙ୍କ ଆଭିମୁଖ୍ୟ ସର୍ବଦା ନକାରାତ୍ମକ ଏବଂ ଘୃଣା ବ୍ୟଂଜକ ହୋଇ ରହି ଆସିଛି। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ହେଉ ବା ମମିତା ମେହେର ଦୁଷ୍କର୍ମ ଏବଂ ହତ୍ୟା ଘଟଣା; ସର୍ବଦା ସରକାର ଗଣ ପ୍ରତିବାଦର ସାମନା କରି ଅସ୍ବସ୍ତିକର ପରିସ୍ଥିତିରେ ପଡ଼ିଛନ୍ତି। ସେମିତି ବଲାଙ୍ଗୀର ଜିଲ୍ଲା ସ୍ନେହଲତା ଛତ୍ରିଆ ଦୁଷ୍କର୍ମ ଏବଂ ହତ୍ୟା ହେଉ ବା କୁନ୍ଦୁଲି ଦୁଷ୍କର୍ମ ଏବଂ ଆତ୍ମହତ୍ୟା ମାମଲା ଅଥବା ଉତ୍ତର ପ୍ରଦେଶର ଉନ୍ନାଓ ଘଟଣା; ସର୍ବତ୍ର ଅଭିଯୁକ୍ତଙ୍କ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି। ତେଣୁ ପ୍ରଶ୍ନ ଉଠେ ଯେ ବିଲକିସ ବାନୋଙ୍କ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସତ୍ତ୍ବେ ସମସ୍ତ ଏଗାର ଜଣ ଅପରାଧୀଙ୍କୁ ମୁକ୍ତ କରାଯିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାକୁ କେଉଁ ଭଳି ଦୃଷ୍ଟିରେ ଦେଖି ହେବ?

ଏହାର ଉତ୍ତର ଖୋଜିଲା ବେଳେ କଠୁଆ କଥା ସ୍ମରଣକୁ ଆସେ। ସେଠାରେ ହୋଇଥିବା ଶିଶୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଛାଡ଼ି ଦେବା ପାଇଁ ବିଜେପି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। ପ୍ରକାଶ ଥାଉ କି କଠୁଆର ହିଂସାର ଶିକାର ଥିଲା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବାଳିକା। ସୁତରାଂ, ସେହି ଦୃଷ୍ଟିରୁ ଗୁଜରାଟରେ ବିଜେପି ସରକାର ଶାସନ କରୁଥିବା ପରିପ୍ରେକ୍ଷୀରେ ବିଲକିସ ବାନୋଙ୍କ ଅପରାଧୀମାନେ ମୁକ୍ତି ପାଇବା ଏକ ଧାରଣା ସୃଷ୍ଟି କରେ ଯେ ସମ୍ଭବତଃ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାଙ୍କ ପ୍ରତି ବିଜେପି ଶାସିତ ସରକାରଙ୍କ ଆଭିମୁଖ୍ୟ ଅନ୍ୟ ଭାରତୀୟ ମହିଳାଙ୍କ ପ୍ରତି ପ୍ରଦର୍ଶିତ ଆଭିମୁଖ୍ୟ ଠାରୁ ଭିନ୍ନ!

କେବଳ ସେତିକି ନୁହେଁ, କ୍ରମେ ଭାରତୀୟ ସମାଜରେ ମଧ୍ୟ ଏକ ସମତୁଲ ମାନସିକତା ପରିଦୃଷ୍ଟ ହେଉଛି, ଯହିଁରେ ସଂଖ୍ୟାଲଘୁ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଶେଷ ପ୍ରତିବାଦ ସୃଷ୍ଟି କରୁନାହିଁ। ସ୍ଥଳ ବିଶେଷରେ ଏଭଳି ଅଭିଯୁକ୍ତ ବା ଦୋଷୀଙ୍କୁ ବୀର ପୁରୁଷ ରୂପେ ଚିତ୍ରଣ ମଧ୍ୟ କରାଯାଉଛି!

ଏହା ଏକ ବାସ୍ତବତା ଯେ ଦଙ୍ଗାଗୁଡ଼ିକରେ ଦୁଷ୍କର୍ମକୁ ହିଁ ସବୁଠାରୁ ବଡ଼ ଅସ୍ତ୍ର ରୂପେ ବ୍ୟବହାର କରାଯାଏ ଏବଂ ଏଥିରେ ସଂପ୍ରଦାୟ ବା ଜାତି ନିର୍ବି‌େଶଷରେ ସଂଖ୍ୟାଲଘୁମାନେ ହିଁ ଶିକାର ହୁଅନ୍ତି। ଏଭଳି ଏକ ଆଲୋଚନା ବେଳେ ୨୦୦୮ ମସିହାରେ ସଂଘଟିତ ହୋଇଥିବା କନ୍ଧମାଳ ଦଙ୍ଗା ସ୍ମରଣକୁ ଆସେ। ସେଥିରେ ଜଣେ ନନ୍‌ ଅମାନବୀୟ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ତାହାଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ନ୍ୟାୟ ମିଳି ପାରି ନାହିଁ। ଏଥିରେ ଥିବା ସମୁଦାୟ ତିରିଶ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ମାତ୍ର ତିନି ଜଣ ସେସନ୍‌ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସିନା, ବର୍ତ୍ତମାନ ହାଇକୋର୍ଟରୁ ଜାମିନ ଆଣି ମୁକ୍ତ ଜୀବନ କାଟୁଛନ୍ତି।

ଏକ ସାକ୍ଷାତକାରରେ ନନ୍‌ ଜଣକ କହିଥିଲେ ଯେ କନ୍ଧମାଳ ଦଙ୍ଗାରେ ଯେଉଁ ସଂପ୍ରଦାୟର ସଦସ୍ୟମାନଙ୍କ ଦ୍ବାରା ସେ ଅତ୍ୟାଚାରିତ ହୋଇଥିଲେ, ସେହି ସଂପ୍ରଦାୟର ଅନେକ ସଦସ୍ୟ ତାଙ୍କ ପ୍ରତି ସମବେଦନା‌ ଜ୍ଞାପନ କରିଥିଲେ, ଏପରିକି ସେହି ସମୟରେ ସହାୟତାର ହାତ ମଧ୍ୟ ବଢ଼ାଇଥିଲେ। ତେବେ ଯାହା ତାଙ୍କୁ ମୁହ୍ୟମାନ କରିଥିଲା, ତାହା ଥିଲା ପୁଲିସ ଓ ପ୍ରଶାସନର ଉଦାସୀନତା ଓ ଅନେକାଂଶରେ ଅସହଯୋଗ ମଧ୍ୟ।

ଏଭଳି ଏକ ସଂଦର୍ଭରେ ପ୍ରଶ୍ନ ଉଠେ ବିଲକିସ ବାନୋ ଓ ଓଡ଼ିଶାର ନନ୍‌ଙ୍କ ଭଳି ମହିଳା କ’ଣ ଭାରତୀୟ ମହିଳା ଭାବେ ପରିଗଣିତ ହୁଅନ୍ତି ନାହିଁ? ଏମାନେ କ’ଣ ଏ ଦେଶର ଝିଅ ନୁହନ୍ତି? ତାହା ସହିତ ବିଚଳିତ କଲା ଭଳି ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଉଠେ ଯେ ମହିଳାଙ୍କ ପ୍ରତି ହେଉଥିବା ଶୋଷଣ ଓ ଅତ୍ୟାଚାର ଲାଗି ଅପରାଧୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ କ’ଣ ଧର୍ମ ଆଧାରରେ ନିର୍ଣ୍ଣିତ ହେବ? କ୍ରମେ ଦେଶରେ ଯେଉଁଭଳି ପରିବେଶ ସୃଷ୍ଟି ହେବାକୁ ଲାଗିଲାଣି, ତହିଁରୁ ଏଭଳି ଭୟ ହିଁ ଏକ କଳା ବାଦଲ ଭଳି ଘୋଟି ଆସିଥାଏ।
ମୋ: ୮୮୯୫୬୨୫୬୪୬