ଅବଶ ପରିଡ଼ା
ସଦ୍ୟ ପ୍ରକାଶିତ ଏକ ସର୍ଭେରୁ ଜଣାପଡ଼ିଛି ଯେ ଶତକଡ଼ା ଷାଠିଏ ପ୍ରତିଶତ ଭାରତୀୟ କାମ ହାସଲ କରିବା ପାଇଁ ଲାଞ୍ଚ ଦେବାକୁ ପ୍ରସ୍ତୁତ। ଦୁର୍ନୀତି ପ୍ରତି ସାମାଜିକ ଗ୍ରହଣୀୟତାର ଏହା ଏକ ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଡ଼ମ୍ବନା ଯେ ମହିଳା ଓ ପୁରୁଷ ଉଭୟ ଲାଞ୍ଚ ନେବା ଓ ଲାଞ୍ଚ ଦେବାକୁ ନୈତିକ ବିଫଳତା ଭାବେ ଆଉ ସ୍ୱୀକାର କରୁନାହାନ୍ତି। ଭାରତରେ ଭ୍ରଷ୍ଟାଚାର, ଲାଞ୍ଚ ଓ ଦୁର୍ନୀତିରେ ଲିଙ୍ଗଗତ ଭୂମିକା ଜାଣିବା ପାଇଁ ସମାଜବିଜ୍ଞାନରେ ଏବେ ଅନେକ ଅଧ୍ୟୟନ ହେଉଛି। ସମସ୍ତ ଗବେଷଣାର ମୂଳ ଅନୁସନ୍ଧାନ ପ୍ରଶ୍ନ ହେଉଛି ଯେ ପୁରୁଷ ନା ମହିଳା କିଏ ଅଧିକ ଦୁର୍ନୀତିଗ୍ରସ୍ତ ଓ କିଏ ବେଶୀ ଲାଞ୍ଚୁଆ?
ଅବଶ୍ୟ ଏ ପର୍ଯ୍ୟନ୍ତ ହୋଇଥିବା ପ୍ରାୟ ସମସ୍ତ ଗବେଷଣାରେ ମହିଳାଙ୍କୁ କମ୍ ଦୁର୍ନୀତିଗ୍ରସ୍ତ ଭାବେ ଚିତ୍ରଣ କରାଯାଇଛି। କିନ୍ତୁ ଏବେ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଦୁଇଟି ପରସ୍ପର ବିରୋଧ ଚିନ୍ତାଧାରା ଗଢ଼ି ଉଠିଛି। ପ୍ରଥମ ମହଲ ଅନୁଯାୟୀ, ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଲାଞ୍ଚ ଓ ଦୁର୍ନୀତି ପ୍ରତି କମ୍ ସହନଶୀଳତା ଅଛି ଏବଂ ମହିଳାମାନେ ଅଧିକ ଦୁର୍ନୀତିର ଶିକାର ହୋଇଥାନ୍ତି। ଏହାର ପ୍ରତିପକ୍ଷ ଚିନ୍ତାଧାରା କୁହେ ଯେ ଯଦି ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ସ୍ୱାଧୀନତା, କ୍ଷମତା ଓ ଦୁର୍ନୀତିଗ୍ରସ୍ତ ହେବାକୁ ସୁଯୋଗ ଦିଆଯାଏ ତେବେ ସେମାନେ ଦୁର୍ନୀତିଗ୍ରସ୍ତ ପୁରୁଷଙ୍କ ସହ ସମାନ ହୋଇପାରନ୍ତି।
ଦୁର୍ନୀତିର ସାମାଜିକ ଧାରଣା ନିମନ୍ତେ ଲିଙ୍ଗଗତ ବିଭେଦ ମଧ୍ୟ ଏକ ଭୂମିକା ଗ୍ରହଣ କରେ। ଚୁମ୍ବକରେ କହିଲେ, ଆମ ସମାଜ ସର୍ବଦା ମହିଳାଙ୍କୁ ଉଚ୍ଚ-ନୈତିକ ମାନଦଣ୍ଡରେ ମୂଲ୍ୟାଙ୍କନ କରିଆସିଛି। ତେଣୁ ଲାଞ୍ଚ କାରବାରରେ ସେମାନଙ୍କର ସମ୍ପୃକ୍ତିକୁ ଅଧିକ ଆଶ୍ଚର୍ଯ୍ୟଜନକ ଭାବେ କିମ୍ବା ଅତ୍ୟଧିକ ନିରାଶାଜନକ ଭାବରେ ଗ୍ରହଣ କରାଯାଏ।
ଏକ ଗବେଷଣାରେ ପ୍ରକାଶ ପାଇଛି ଯେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ସାଧାରଣତଃ ଦୁର୍ନୀତି ପ୍ରତି କମ୍ ସହନଶୀଳତା ପ୍ରଦର୍ଶନ କରନ୍ତି। ବିଶେଷକରି, ଦକ୍ଷିଣ ଏସିଆର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ମହିଳାଙ୍କ ଦୁର୍ନୀତି ପ୍ରତି ସହନଶୀଳତା ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ତୁଳନାରେ ଯଥେଷ୍ଟ କମ୍। ମହିଳାମାନେ କମ୍ ଦୁର୍ନୀତିଗ୍ରସ୍ତ ହେବାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ‘ଦାୟିତ୍ୱବୋଧ’। ଯେତେବେଳେ ସରକାରୀ ଅଧିକାରୀମାନଙ୍କୁ ଦୁର୍ନୀତି ପାଇଁ ବ୍ୟକ୍ତିଗତ ଭାବରେ ଦାୟୀ କରାଯାଏ ସେତେବେଳେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ହେବାର ସମ୍ଭାବନା କମ୍ ହୋଇଯାଏ। ଦାୟିତ୍ୱ ବ୍ୟବସ୍ଥାର ଉପସ୍ଥିତି ଓ ଉତ୍ତରଦାୟିତ୍ବ ଅନେକ ସମୟରେ ମହିଳାଙ୍କୁ ଲାଞ୍ଚ କାରବାରରେ ଅଂଶଗ୍ରହଣ କରିବାରୁ ନିବୃତ୍ତ ରଖେ ବୋଲି ସମାଜବିଜ୍ଞାନୀମାନେ ମତ ପୋଷଣ କରନ୍ତି।
ଏହା ବ୍ୟତୀତ ମହିଳାମାନେ ଅଧିକ ସଚ୍ଚୋଟ ହେବା ପାଇଁ ତିନିଟି ସୁକ୍ଷ୍ମ ଆଚରଣ ଦାୟୀ। ପ୍ରଥମଟି ହେଉଛି ସାମାଜିକ ପଦ୍ଧତି। ମହିଳାମାନେ ବିଶ୍ୱସ୍ତ ଓ ସଚ୍ଚୋଟ ହେବା ଉଚିତ- ଏହା ଏକ ପୁରୁଷପ୍ରାଧାନ୍ୟ ସମାଜର ନିୟମ। ଏହି ଆଭ୍ୟନ୍ତରୀଣ ଆଚରଣ ଅନେକ ମହିଳାଙ୍କୁ ଦୁର୍ନୀତି ଠାରୁ ଦୁରେଇ ରଖେ। ଦ୍ବିତୀୟଟି ହେଉଛି ‘ଧରାପଡ଼ିବାର ଭୟ’, ଯାହା ଦୁର୍ନୀତିଗ୍ରସ୍ତ ହେବାର ପ୍ରବୃତ୍ତିକୁ ନକାରାତ୍ମକ ଭାବରେ ପ୍ରଭାବିତ କରେ। ତୃତୀୟ କାରଣ ହେଉଛି ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ‘ବିପଦ ପ୍ରତିରୋଧୀ’। ସେହିପରି ସମାଜଶାସ୍ତ୍ରୀମାନେ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ର ଉପରେ ମହିଳାମାନଙ୍କର ନିର୍ଭରଶୀଳତା ସହିତ ରାଜନୀତି ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କମ୍ ଅଂଶଗ୍ରହଣ ଅନେକାଂଶରେ ମହିଳାଙ୍କ ଦୁର୍ନୀତିଗ୍ରସ୍ତ ହେବାର ସୁଯୋଗକୁ ହ୍ରାସ କରେ।
ଭାରତରେ ଉଚ୍ଚ ପଦ ଚାକିରି ଓ ନେତୃତ୍ୱ ପଦରେ ମହିଳାମାନଙ୍କର ପ୍ରତିନିଧିତ୍ୱ ୨୦ ପ୍ରତିଶତରୁ କମ୍। ଏହା ସତ୍ତ୍ବେ ଏପରି ଅନେକ ଉଦାହରଣ ଅଛି ଯେଉଁଠି କ୍ଷମତା ବ୍ୟବସ୍ଥାରେ, ବିଶେଷକରି ରାଜନୀତି ଓ ବ୍ୟବସାୟରେ, ମହିଳାମାନଙ୍କ ଦ୍ୱାରା ଦୁର୍ନୀତି ହୋଇଛି। ବିଗତ କିଛି ବର୍ଷ ମଧ୍ୟରେ ଅନେକ ଦୁର୍ନୀତିଗ୍ରସ୍ତ ମହିଳା ପ୍ରଶାସନିକ ଅଧିକାରୀ ଓ ଲାଞ୍ଚୁଆ ମହିଳା ସରକାରୀ ଚାକିରିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଭିଜିଲାସନ୍ସ ଦ୍ୱାରା ଗିରଫ ହେବାର ଅନେକ ଉଦାହରଣ ଅଛି।
ସମାଜ ବିଜ୍ଞାନର ଏକ ତତ୍ତ୍ୱ ଅନୁଯାୟୀ ଦୈନନ୍ଦିନ ପାରସ୍ପରିକ କ୍ରିୟା ମାଧ୍ୟମରେ ମଧ୍ୟ ଦୁର୍ନୀତି ସ୍ୱାଭାବିକ ହୁଏ। ଉଦାହରଣ ସ୍ୱରୂପ, ଯଦି ଜଣେ ମହିଳାଙ୍କ ବୃତ୍ତିଗତ ପରିବେଶରେ ଲାଞ୍ଚ କାରବାର ନିୟମିତ ହୋଇଥାଏ ତେବେ ମହିଳାଟି ଲାଞ୍ଚ ନ ନେଇପାରେ, କିନ୍ତୁ ଦୁର୍ନୀତିମୂଳକ ଅଭ୍ୟାସକୁ ଯୁକ୍ତିଯୁକ୍ତ ବୋଲି ବର୍ଣ୍ଣନା କରିବାର ସମ୍ଭାବନା ଅଧିକ ଥାଏ। କିଛି କ୍ଷେତ୍ରରେ ମହିଳାଟି ଲାଞ୍ଚ ଗ୍ରହଣ କରିବା ମଧ୍ୟ ଶିଖିପାରେ। ଆଫ୍ରିକା ଓ ଇଣ୍ଡୋନେସିଆରେ, ଦୁର୍ନୀତିରେ ମହିଳାଙ୍କ ସମ୍ପୃକ୍ତି ବୃଦ୍ଧି ପାଉଛି। ଏହା ଏକ ପରିବର୍ତ୍ତନକୁ ପ୍ରତିଫଳିତ କରେ ଯେଉଁଠାରେ ଉଭୟ ଲିଙ୍ଗ ଏବେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟରେ ସମାନ ଭାବେ ଅଂଶଗ୍ରହଣ କରୁଛନ୍ତି। ରାଜନୀତି କ୍ଷେତ୍ରରେ ମହିଳାମାନେ ପ୍ରାରମ୍ଭରେ ଦୁର୍ନୀତିଗ୍ରସ୍ତ ଆଚରଣରେ କମ୍ ପ୍ରବୃତ୍ତ ହୋଇଥାନ୍ତି। ଅଭିଜ୍ଞତା ପରେ ଉଭୟ ପୁରୁଷ ଓ ମହିଳାମାନେ ଅସତ୍ କିମ୍ବା ଦୁର୍ନୀତିଗ୍ରସ୍ତ ଆଚରଣରେ ଲିପ୍ତ ହେବାର ସମ୍ଭାବନା ସମାନ ହୋଇଥାଏ। ରାଜନୀତିରେ ଅନେକ ମହିଳା ନେତ୍ରୀ ନିଷ୍କ୍ରିୟ ଦୁର୍ନୀତି କିମ୍ବା ପରୋକ୍ଷ ଦୁର୍ନୀତିରେ ଜଡ଼ିତ ବୋଲି ପ୍ରମାଣ ମିଳିଛି।
ନାରୀବାଦୀ ତତ୍ତ୍ୱବିତ୍ମାନେ ଯୁକ୍ତି କରନ୍ତି ଯେ ଦୁର୍ନୀତି ଓ ଲାଞ୍ଚ ହେଉଛି ‘ପୁରୁଷତ୍ବର ପ୍ରତୀକ’। କାରଣ ଏହା ସହ ଆକ୍ରମଣାତ୍ମକତା, ପ୍ରାଧାନ୍ୟ ବିସ୍ତାର ଓ ପ୍ରତିଯୋଗିତାକୁ ପୁରସ୍କୃତ କରିବା ଭଳି ସମସ୍ତ ବୈଶିଷ୍ଟ୍ୟ ଜଡ଼ିତ। ନାରୀବାଦୀମାନେ ଆଶାବାଦୀ ଯେ ମହିଳାମାନେ ଯଦି ଏହି ବ୍ୟବସ୍ଥାରେ ପ୍ରବେଶ କରନ୍ତି ତେବେ ସେମାନେ ଦୁର୍ନୀତି ବିରୋଧରେ ବେଶୀ ଲଢ଼ନ୍ତି ଓ କମ୍ ଅନୁକରଣ କରନ୍ତି। ତେଣୁ ଜାତିସଂଘ ସମେତ ଅନେକ ଆନ୍ତର୍ଜାତୀୟ ସଂଗଠନ ଦୁର୍ନୀତି ବିରୋଧୀ ଲଢ଼େଇରେ ମହିଳାଙ୍କ ଭୂମିକା ଓ ସେମାନଙ୍କୁ କ୍ଷମତାର ଅଂଶୀଦାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।
କିନ୍ତୁ ମନେ ହୁଏ କେବଳ ମହିଳାମାନଙ୍କୁ ଚାକିରି କିମ୍ବା ରାଜନୀତିରେ ସାମିଲ କରିଦେଲେ ବ୍ୟାପକ ଦୁର୍ନୀତି ରୋକି ହେବ ନାହିଁ। ଭାରତ ପରି ବିକାଶଶୀଳ ଦେଶରେ, ଯେଉଁଠି ଦୁର୍ନୀତି ଅନିୟନ୍ତ୍ରିତ, ସେଠାରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଦୁର୍ନୀତିପୂର୍ଣ୍ଣ ଆଚରଣରେ ଯଥେଷ୍ଟ ପାର୍ଥକ୍ୟ ନାହିଁ। ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ, ସରକାରୀ ସ୍ତରରେ ସ୍ୱଚ୍ଛତା ଓ ବ୍ୟକ୍ତିଗତ ନୈତିକତା- ଏସବୁ ପରସ୍ପର ସହ ଜଡ଼ିତ। ତେଣୁ ଉଭୟ ବ୍ୟକ୍ତିଗତ ଓ ସାଂଗଠନିକ ସ୍ତରୀୟ ସଂସ୍କାର ହିଁ ସାମଗ୍ରିକ ଭାବରେ ଦୁର୍ନୀତିକୁ ହ୍ରାସ କରିପାରିବ। ସମୟ ଆସିଛି, ଲିଙ୍ଗଗତ ଦୃଷ୍ଟିକୋଣକୁ ବିଚାର କରି ପ୍ରଭାବଶାଳୀ ଦୁର୍ନୀତି ବିରୋଧୀ ରଣନୀତି ପ୍ରସ୍ତୁତ କରିବା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୪୫୬୮୭୯୫୨୨