ହିରଣ୍ୟ ମହାନ୍ତି
ଧରିତ୍ରୀ ପରି ଯିଏ ସହିଷ୍ଣୁ, ସମୁଦ୍ର ପରି ଯାହାଙ୍କର ହୃଦୟର ବ୍ୟାପ୍ତି ଓ ଗଭୀରତା, ଯିଏ ଏଭଳି ବୀର ଯେ ଶର ମୂନରେ କଥା କହିବାକୁ ଶତ୍ରୁକୁ ପରାମର୍ଶ ଦିଏ, ଅଥଚ ସମର ଭୂମିରେ ଶତ୍ରୁତା ମନୋଭାବ ସଂପନ୍ନ କୁଟୁମ୍ବ ଓ ପରିଜନଙ୍କୁ ଦେଖି ବୈରାଗୀସମ ଧନୁ ପରିତ୍ୟାଗ କରିଦିଏ, ଯିଏ ସମସ୍ତଙ୍କ ସର୍ବାଧିକ ପ୍ରିୟ ତୃତୀୟ ପାଣ୍ଡବ, ସେ ‘ମହାପ୍ରସ୍ଥାନ’ ଯାତ୍ରା ପଥରେ ଟଳି ପଡ଼ିବା ଦେଖି ହତଭମ୍ବ ଭୀମ ତାଙ୍କ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିରଙ୍କୁ ପଚାରିଥିଲେ, କୁରୁକ୍ଷେତ୍ର ଯୁଦ୍ଧର ଅକ୍ଳାନ୍ତ ବୀର, ଇନ୍ଦ୍ରତୁଲ୍ୟ ଆମର ଏ ଭାଇ ଏଭଳି ଟଳି ପଡ଼ିଲା କାହିଁକି?
ନକୁଳ, ସହଦେବ ଓ କୃଷ୍ଣା (ଦ୍ରୌପଦୀ) ଏଭଳି ଟଳି ପଡ଼ିବାରେ ହୁଏତ ବୈଚିତ୍ର୍ୟ ନ ଥିଲା, କାରଣ ଅକଥନୀୟ ଭାବେ କ୍ଳାନ୍ତିକର ଓ କ୍ଳେଶପ୍ରଦ ମହାପ୍ରସ୍ଥାନ ଯାତ୍ରା ପ୍ରାଣ ଶକ୍ତିକୁ ସତେ ଯେମିତି ନିଃଶେଷ କରି ଦେଉଥିଲା। କିନ୍ତୁ ଅପରାଜେୟ ଅର୍ଜୁନ?
ଧର୍ମରାଜ ଯୁଧିଷ୍ଠିରଙ୍କ ଠାରୁ ଅବଶ୍ୟ ଉତ୍ତରଟିଏ ମିଳିଲା, କିନ୍ତୁ ତହିଁରେ ଅର୍ଜୁନଙ୍କ ପ୍ରତି ତାଙ୍କ ମନରେ ସଦୈବ ଥିବା ଈର୍ଷା ଭାବ ଯେମିତି ଫୁଟି ଉଠୁଥିଲା। ଯୁଧିଷ୍ଠିର କହିଲେ, ‘ଯୁଦ୍ଧ ହେବାର ନିଷ୍ପତ୍ତି ନିଆଯିବା ପରେ ଅର୍ଜୁନର ଦମ୍ଭୋକ୍ତି ଥିଲା ଯେ ସେ ମାତ୍ର ଗୋଟିଏ ଦିନରେ ଶତ୍ରୁ ନିପାତ କରିପାରିବ। ଅନ୍ୟ କୌଣସି ଧନୁର୍ବେଦୀ ଯୋଦ୍ଧାଙ୍କୁ ଅର୍ଜୁନ ପାସଙ୍ଗକୁ ନେଉ ନ ଥିଲା। ଆପଣାର ଦର୍ପ ଓ ଉଚ୍ଚାଭିଳାଷ ପାଇଁ ତାହାକୁ ଏପରି ଦଶା ଭୋଗିବାକୁ ହେଲା।
ନିରବ ରହିଲେ ମହାବଳୀ ଭୀମ। ଅର୍ଜୁନ ପୁଣି ଉଚ୍ଚାଭିଳାଷୀ? ଅର୍ଜୁନ ପୁଣି ଅହଂକାରୀ? ତାଙ୍କର ମନେ ପଡ଼ି ଯାଉଥିଲା କିଭଳି କେବଳ ସ୍ବୀୟ ଦକ୍ଷତା ବଳରେ ଦ୍ରୌପଦୀଙ୍କୁ ଜିଣିବା ସତ୍ତ୍ବେ ଅର୍ଜୁନ କଦାଚିତ୍ ତାଙ୍କ ଉପରେ ଏକକ ଅଧିକାର ସାବ୍ୟସ୍ତ କରି ନ ଥିଲେ! ଅର୍ଜୁନ ହିଁ ବାସ୍ତବରେ ଥିଲେ ତାଙ୍କ ସମୟର ଅଦ୍ବିତୀୟ ଧନୁର୍ଧର, ଯେଉଁ ସାମର୍ଥ୍ୟ ଲାଭ କରିବା ଲାଗି ତାଙ୍କର ଏକନିଷ୍ଠ ସାଧନା ଥିଲା ସତ, କିନ୍ତୁ ତାହା ବଳରେ କୌଣସି ବ୍ୟକ୍ତିଗତ ପ୍ରାପ୍ତିର ଉଚ୍ଚାଭିଳାଷ ତାଙ୍କ ଠାରେ ନ ଥିଲା। ଯୁଧିଷ୍ଠିରଙ୍କ ରାଜତ୍ବ କାଳରେ ଯେ କୌଣସି ସଙ୍କଟ ଉପୁଜିଲେ ପ୍ରଥମେ ଲୋଡ଼ା ପଡୁଥିଲେ ଅର୍ଜୁନ। ସେ ଦିନ ଅସ୍ତ୍ର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଦକ୍ଷିଣା ଦେବାର ପ୍ରସଙ୍ଗ ଉପସ୍ଥିତ ହେଲା। କୁରୁ ଓ ପାଣ୍ଡବ ଶିଷ୍ୟମାନେ ନତ ଶିର ହୋଇ ଛିଡ଼ା ହେଲେ, କେବଳ ଆଗକୁ ଆସିଲେ ଅର୍ଜୁନ। ଏକଦା ଦ୍ରୋଣ ଓ ବୀର ଦ୍ରୁପଦ ମିତ୍ର ଥିବା ବେଳେ ଘଟଣା ଚକ୍ରରେ ଦ୍ରୁପଦଙ୍କ ଦ୍ବାରା ଦ୍ରୋଣ ଅପମାନିତ ହେବା ଓ ପ୍ରତିଶୋଧ ନେବାର କମନା ପୋଷଣ କରିଥିବା ବିଷୟ ଜାଣି ପାରି ବୀର ଦ୍ରୁପଦଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ ଭାବେ ଗୁରୁଙ୍କ ସମକ୍ଷରେ ଉପସ୍ଥିତ କରାଇଥିଲେ ଅର୍ଜୁନ। ଏହା ଠାରୁ ଆଉ କେଉଁ ଗୁରୁ ଦକ୍ଷିଣା ବା ଅଧିକ ମହତ ହୋଇ ଥାଆନ୍ତା!
ମହାଭାରତ ଯୁଦ୍ଧ ଭୂମିେର କେବଳ ଅର୍ଜୁନଙ୍କୁ ଘୋଟି ଆସିଥିଲା ବିଷାଦ। ସେ ଥିଲେ ସର୍ବାଧିକ ପାରଙ୍ଗମ ଓ ସାହସୀ ପାଣ୍ଡବ ଯୋଦ୍ଧା, ଅଥଚ ଶତ୍ରୁ ପକ୍ଷରେ ପ୍ରିୟଜନମାନଙ୍କ ସହିତ ଯୁଦ୍ଧ କରିବା ନେଇ ସେ ଥିଲେ ଏକମାତ୍ର କୁଣ୍ଠିତ ପାଣ୍ଡବ। ତାଙ୍କର ଏଭଳି ଗଭୀର ବିଷାଦ ବିମୋଚନ କରିବା ଲାଗି ପ୍ରଭୁ ଶ୍ରୀକୃଷ୍ଣ ପ୍ରଦାନ କରିଥିବା ଅମୃତ ବାଣୀ ହିଁ ଥିଲା ପରମ ଜ୍ଞାନର ଆଧାର ଗୀତା। ସେହି ଅର୍ଜୁନ ପୁଣି ଉଚ୍ଚାଭିଳାଷୀ ଓ ଦର୍ପୀ?
ଅର୍ଜୁନଙ୍କୁ ଠିକ୍ ଭାବେ ବୁଝିବାକୁ ଚେଷ୍ଟା କରିଥିେଲ କି ଜ୍ୟେଷ୍ଠ ଭ୍ରାତା! କାରଣ ଅର୍ଜୁନ ହିଁ ଥିଲେ ପାଣ୍ଡବ ପରିବାରରେ ସମସ୍ତଙ୍କ ସକାଶେ ସର୍ବାଧିକ ପ୍ରିୟ ପୁରୁଷ। ସେ ଥିଲେ ଶ୍ରେଷ୍ଠ ପାଣ୍ଡବ, ଯେଉଁ କାରଣରୁ ସେ ହିଁ ଥିଲେ ପୂରା ପରିବାରର ମୁଖ୍ୟ ଅବଲମ୍ବନ। ପ୍ରାଣେଶ୍ବର ଭାବେ ପାଣ୍ଡବ ପାଞ୍ଚ ଭାଇଙ୍କ ମଧ୍ୟରୁ କେବଳ ଅର୍ଜୁନ ଥିଲେ ପାଞ୍ଚାଳୀଙ୍କ ଲାଗି ସର୍ବାଧିକ ଈପ୍ସିତ ପୁରୁଷ, କାରଣ ସମସ୍ତଙ୍କୁ ପରାହତ କରି କେବଳ ସେ ହିଁ ତାଙ୍କୁ ଲାଭ କରିଥିଲେ। ପୁତ୍ର ଭାବେ ମାତା କୁନ୍ତୀଙ୍କ ସକାଶେ ମଧ୍ୟ ଅର୍ଜୁନ ହିଁ ଥିଲେ ସାହସର କେନ୍ଦ୍ର। ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିରଙ୍କ ସମସ୍ତ ସଂକଟରେ ଅର୍ଜୁନ ଥିଲେ ସ୍ମରଣର ପାତ୍ର। ଏହାର ଅର୍ଥ କ’ଣ ଏହା ଯେ ସମସ୍ତଙ୍କର ହୋଇଯିବାରୁ ଅର୍ଜୁନ କୌଣସି ଜଣକର ପ୍ରତ୍ୟାଶକୁ ସଂପୂର୍ଣ୍ଣ ଭାବେ ପୂରଣ କରି ପାରି ନ ଥିଲେ?
ସେ ଦିନର ମହାପ୍ରସ୍ଥାନ ଯାତ୍ରାରେ ଯୁଧିଷ୍ଟିରଙ୍କ ଉତ୍ତର ଶୁଣି ମହାବଳୀ ଭୀମ ଚକିତ ହୋଇଥିଲେ। ଅନେକ ଗୂଢ଼ କଥା ତାଙ୍କର ମୁଣ୍ଡରେ ପଶି ନ ଥାଏ ବୋଲି ଭାବି ନେଇ ସେ ନିରବ ରହିଲେ। ଜଣକ ପରେ ଜଣଙ୍କୁ ଏ ଯାତ୍ରାରେ ହରାଇ ସାରିଥିବା ଭୀମ ଜ୍ୟେଷ୍ଠ ଭ୍ରାତାଙ୍କୁ ଆଉ କିଛି ପଚାରି ବିରକ୍ତ କରିବାକୁ ଚାହୁଁ ନ ଥିଲେ। ସୁଯୋଗ ବି ନ ଥିଲା। କାରଣ କିଛି ବାଟ ପରେ ସେ ସ୍ବୟଂ ଟଳି ପଡ଼ିଲେ। ସେ ଲୋଡୁଥିଲେ ବି ପାଇ ନ ଥିବା ଉତ୍ତରଟି ସବୁ ଦିନ ଲାଗି ଅସ୍ତମିତ ହୋଇଗଲା। ପ୍ରଶ୍ନକର୍ତ୍ତାଙ୍କ ସହିତ ପ୍ରଶ୍ନର ବିଲୟ ଘଟି ସାରିଥିଲା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୭୭୨୦୫୬୮୪