ରାଜ୍ୟରେ ଏବେ ଅସ୍ମିତାର ଜୟଯାତ୍ରା। ଡବଲ୍ ଇଞ୍ଜିନ ସରକାର। ଉଭୟେ ଜୈବ ଓ ପ୍ରାକୃତିକ କୃଷିକୁ ଗୁରୁତ୍ବ ଦେଉଛନ୍ତି। ସଂଯୋଗକୁ, ରାଜ୍ୟର ପ୍ରମୁଖ କୃଷିସଚିବ ପଦରେ ଅଛନ୍ତି ଜଣେ ବିଶିଷ୍ଟ କୃଷି ବୈଜ୍ଞାନିକ। ସେ ମଧ୍ୟ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ। ଏହି ସୁଯୋଗକୁ ବ୍ୟବହାର କରି ଶ୍ରୀମନ୍ଦିରର ଦୈନନ୍ଦିନ ରୀତିନୀତିରେ ନିରନ୍ତର ଜୈବକୃଷି ଉତ୍ପାଦିତ ସାମଗ୍ରୀ ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇ ନୂତନ ଯୁଗର ମୂଳଦୁଆ ପକାଇ ହେବ।

Advertisment

ଜୈବକୃଷି କଥା କହିଲା ବେଳେ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସିକ୍କିମ୍‌ ବିଷୟରେ ଆଲୋଚନା ଆବଶ୍ୟକ; କାରଣ, ଏହା ଦେଶର ଏକମାତ୍ର ସମ୍ପୂର୍ଣ୍ଣ ଜୈବକୃଷି ରାଜ୍ୟ। ସେଠାରେ ଗୁଣାତ୍ମକ ତଥା ପୁଷ୍ଟିକର ଜୈବଖାଦ୍ୟ ଉତ୍ପାଦନ ହେଉଛି ଏବଂ ସେଥିପାଇଁ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ୨୦୦୩ ମସିହାରେ ଯେତେବେଳେ ସିକ୍କିମ୍‌‌ରେ ଜୈବକୃଷି କଥା ଉଠିଥିଲା, କେହି ବି ଭାବି ନଥିଲେ ଯେ ସେଠାକାର ଲକ୍ଷ ଲକ୍ଷ ଚାଷୀ ଏହାକୁ ଆଦରି ନେବେ। ପ୍ରାୟ ୧୫ ବର୍ଷର ନିରନ୍ତର ପ୍ରୟାସ ସିକ୍କିମ୍‌ ରାଜ୍ୟକୁ ବିଶ୍ବ ମାନଚିତ୍ରରେ ସ୍ଥାପିତ କରିପାରିଲା। ଜୈବକୃଷି କଲେ, ଅମଳ କମିବ, ଲାଭ ହେବନି, ରୋଗ ପୋକ ଲାଗିବ, ଏମିତି ଆଶଙ୍କା ଭିତରେ, ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଚାଲିଲେ। ଜୈବକୃଷି ନୀତି ପ୍ରଣୟନ ହେଲା, ନୂଆ ଚାଷ ପ୍ରଣାଳୀରେ ଲୋକ ଅଭ୍ୟସ୍ତ ହେଲେ ଓ ସେଠାରେ ଆସିଲା ବୈପ୍ଳବିକ ପରିବର୍ତ୍ତନ। ରାସାୟନିକ ସାର ଓ କୀଟ-ରୋଗନାଶକ ପ୍ରୟୋଗ କରାଯାଇ ଅଧିକ ଅମଳ ହେଉଥିବାରୁ ଖାଦ୍ୟପଦାର୍ଥ ଶସ୍ତାରେ ମିଳୁଥିଲାବେଳେ, ଚାଷୀମାନେ ଜୈବିକଚାଷକୁ ଆଦର କଲେ। ସମୟ ଲାଗିଲା ସତ, ଫଳ କିନ୍ତୁ ଭଲ ହେଲା। ମାଟିର ଗୁଣ ଉନ୍ନତ ହେଲା, କମ୍ପୋଷ୍ଟ, ଗୋବର, ଗୋମୂତ୍ର ପ୍ରୟୋଗ ହେଲା, କୃଷକଙ୍କୁ ରାସାୟନିକ ସାର, ଔଷଧ କିଣିବାକୁ ପଡିଲାନି। ମାଟି ଜୀବନ୍ୟାସ ପାଇଲା। ଜୈବିକ ଚାଷରୁ ଅମଳ ବଢ଼ିବାକୁ ଲାଗିଲାରୁ ଚାଷୀ ଲାଭବାନ୍ ହେଲେ। କିନ୍ତୁ, ଏହି ଜୈବକୃଷି ଯାତ୍ରା ପଥ ସୁଗମ ନଥିଲା। ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଚାଷୀଙ୍କ ସହଯୋଗ ପାଇଁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଲା।

ଓଡ଼ିଶା ଭଳି ସିକ୍କିମ୍‌ରେ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଂଖ୍ୟା ଅଧିକ। ସେମାନେ ଗୋବରଖତ ସହିତ ଅଳ୍ପ କିଛି ସାର ବ୍ୟବହାରରେ ଅଭ୍ୟସ୍ତ ଥିଲେ; ପଞ୍ଜାବ ଭଳି ସର୍ବାଧିକ ରସାୟନ ବ୍ୟବହାର କରୁନଥିଲେ। ୨୦୦୪ ମସିହାରେ ସିକ୍କିମ୍‌ ସରକାର ଜୈବକୃଷି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଜିଆ-ଚାଷ, ଜିଆ ଖତ ପ୍ରସ୍ତୁତି, ଜୈବକୃଷି ଅନୁକୂଳ ବିହନ କିସମ ନିର୍ଦ୍ଧାରଣ, ମାତ୍ର ଶହେଟି ଅଗ୍ରଣୀ ଗ୍ରାମ ଚୟନ, କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ, ଜୈବ ପ୍ରମାଣନ, ଗୋଷ୍ଠୀ ପ୍ରଶିକ୍ଷଣ ଓ ତାଲିମ ତଥା ବ୍ୟାପକ ସଚେତନତା ସୃଷ୍ଟି କରାଗଲା। ସମବାୟ ଆନ୍ଦୋଳନକୁ ମଧ୍ୟ ଏଥିରେ ବ୍ୟବହାର କରାଗଲା। ସିକ୍କିମ୍‌ ରାଜ୍ୟ ଜୈବକୃଷି କ୍ଷେତ୍ରରେ କିପରି ଉତ୍କର୍ଷ ହାସଲ କରିପାରିଲା, ତାହା ନିଶ୍ଚୟ ପ୍ରେରଣାଦାୟୀ। ତେବେ, ସିକ୍କିମ୍‌ ସହ କୃଷି କ୍ଷେତ୍ରରେ ଓଡ଼ିଶାର ସାମଞ୍ଜସ୍ୟ ଥିବାରୁ ସରକାର, କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ତଥା କୃଷି ବିଶେଷଜ୍ଞମାନେ ଓଡ଼ିଶାରେ ଜୈବ ଆନ୍ଦୋଳନକୁ ଆଗେଇ ନେବାକୁ ସମର୍ଥ ଏବଂ ଶ୍ରୀମନ୍ଦିର ଏହାର ନେତୃତ୍ବ ନେବେ ବୋଲି ଆଶା।

ସିକ୍କିମ୍‌ ରାଜ୍ୟର ଅଧିବାସୀ ଯଦି ଜୈବକୃଷି ପ୍ରଣାଳୀରେ ଉତ୍ପାଦିତ ଖାଦ୍ୟ ଭୋଜନ କରୁଛନ୍ତି, ଆମେ ଶ୍ରୀଜଗନ୍ନାଥଙ୍କୁ କାହିଁକି ସାର-କୀଟନାଶକ ଔଷଧ ଦେଇ ଫଳାଉଥିବା କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ ବିଷାକ୍ତ ଅନ୍ନ, ଡାଲି, ବେସର, ମହୁର, ଶାଗ ସମର୍ପଣ କରିବା? ଶ୍ରୀମନ୍ଦିର ରୋଷଘରେ ମା’ ଲକ୍ଷ୍ମୀ ରାନ୍ଧୁଥିବା ନାନାଦି ନୈବେଦ୍ୟ ସହିତ ଦୈନିକ ପ୍ରସ୍ତୁତ ହେଉଥିବା ଶ୍ରୀମହାପ୍ରସାଦରେ ବ୍ୟବହୃତ ଚାଉଳ, ଡାଲି, ପନିପରିବାଠୁ ଆରମ୍ଭ କରି, ଚିନି, ଗୁଡ଼, ଘିଅ- ଏପରିକି ଲୁଣରେ ବି ବିଷ ରହୁଛି। ଯଦି, ସିକ୍କିମ୍‌ ରାଜ୍ୟରେ ରାସାୟନିକ ସାର ଓ କୀଟ-ରୋଗନାଶକ ବ୍ୟବହାର ନକରି ଜୈବିକ କୃଷି ସମ୍ଭବ ହୋଇ ପାରିଛି, ଆମେ ପ୍ରାଥମିକ ଭାବେ କେବଳ ପୁରୀ ଜିଲ୍ଲାର ଶହେଟି ଗ୍ରାମରେ ‘ଭୋଗ ପାଇଁ ଜୈବିକ ଫସଲ’ ଚାଷ କରିପାରିବାନି କାହିଁକି?
ସିକ୍କିମ୍‌ ରାଜ୍ୟର ଚାଷୀଙ୍କୁ କେବଳ ଗୋବର-କମ୍ପୋଷ୍ଟ ଖତ ପ୍ରୟୋଗ କରି, ବିନା ସାରରେ ପୂର୍ବଠାରୁ ଅଧିକ ଫସଲ ପାଇବାକୁ ଲାଗିଯାଇଥିଲା କୋଡ଼ିଏ ବର୍ଷ। ସେଠାରେ ମାଟି, ପାଣି ଓ ପବନ ଏବେ ବିଷମୁକ୍ତ। ମାଟିକୁ ଫେରିଆସିଛି ଜୀବନ। ଅଧିକ ଫଳୁଥିବା ଉନ୍ନତ ଅଧିକ ଅମଳକ୍ଷମ ଦେଶୀ ବିହନ ଚାଷ ହେଉଛି। ଫସଲର ବାସନା, ସ୍ବାଦ ଓ ଖାଦ୍ୟଗୁଣ ବଢ଼ିଛି। ପରିବାପତ୍ର ଅଧିକ ଦିନ ସତେଜ ରହୁଛି, ଅଧିକ ଦରରେ ବିକ୍ରି ହେଉଛି। ସିକ୍କିମ୍‌ବାସୀଙ୍କ ସ୍ମିତହାସ୍ୟରୁ ବାରି ହୋଇ ପଡୁଛି ଯେ ସେମାନଙ୍କ ଜୀବନଧାରଣ-ମାନରେ ପରିବର୍ତ୍ତନ ଆସିଛି।
ଓଡ଼ିଶାକୁ ସିକ୍କିମ୍‌ ଭଳି କରିବା ହୁଏତ ସମୟସାପେକ୍ଷ। କିନ୍ତୁ ଅଜିଠୁ ପ୍ରୟାସ କଲେ, ପୁରୀ ସହର ପାଖାପାଖି ଶହେଟି ଆଦର୍ଶ ଗାଁକୁ ପାଞ୍ଚବର୍ଷ ଭିତରେ ସିକ୍କିମ୍‌ କରିବା ସମ୍ଭବ। ସେଠାରେ ଜୈବିକ ପ୍ରଣାଳୀରେ କରାଯାଇପାରିବ ଦୁଧିଆଳୀ ଦେଶୀ ଗୋପାଳନ, ଜମିରେ ଫଳିବ ଧାନ, ହରଡ଼, ମୁଗ, ବିରି ଓ ପରିବା, ଚାଷ ହେବ ତୁଳସୀ, ଦୟଣା, ପଦ୍ମ ସମେତ ବିଭିନ୍ନ ଫୁଲ ଓ କଦଳୀ ପତ୍ର। ସବୁ କରାଯିବ ଜଗାବଳିଆଙ୍କ ସେବାରେ। ସଂଗୃହୀତ ବାସି ଫୁଲ ଓ ମନ୍ଦିର ବର୍ଜ୍ୟବସ୍ତୁ ସେହି ସବୁ ଗ୍ରାମରେ କମ୍ପୋଷ୍ଟ ହେବ ଓ ଚାଷବାସରେ ବ୍ୟବହାର ହେବ। ଗୋବର ଗ୍ୟାସ୍ ଉତ୍ପାଦନ ହେବ। ସରକାର ଆର୍ଥିକ ସହଯୋଗ ଓ କୃଷି ବିଶ୍ବବିଦ୍ୟାଳୟ ବୈଷୟିକ ସହାୟତା ଦେବେ। ବିଭୁ-ସମର୍ପିତ ସ୍ଥାନୀୟ ଚାଷୀ ଲାଭଜନକ ଭାବେ କେବଳ ଶ୍ରୀମନ୍ଦିରରେ ଲୋଡ଼ା ଖାଦ୍ୟ, ଫୁଲ-ଫଳ-ପତ୍ର ଚାଷ କରିବେ। ନା ରହିବ ଅଭାବୀ ବିକ୍ରି ନା ବଜାର ସମସ୍ୟା। ଜଗା ମୁହଁରେ ସ୍ମିତହାସ୍ୟ ଆହୁରି ନିବିଡ଼ ହେବ। ଜଗାବଳିଆଙ୍କ ସେବା, ଆରାଧନା କଲେ ଚାଷୀ ହସିବ।
ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ। ସେଥିରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ପିଜୁଳି, ନଡ଼ିଆ ପାତି, କମଳା, ସପେଟା, କାକୁଡ଼ି ଭଳି ନିସଙ୍ଖୁଡ଼ି ଭୋଗ ଏବଂ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ସଙ୍ଖୁଡ଼ିଭୋଗ ଲାଗି ହୋଇଥାଏ। ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମହାପ୍ରସାଦରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, କଠା ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରି ଇତ୍ୟାଦିରେ ବ୍ୟବହୃତ ହୋଇଥାଏ। କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୌଣସି ଶାଗ ବ୍ୟବହାର କରାଯାଏନାହିଁ। ଏଥିରେ କେବଳ ଘିଅ ବ୍ୟବହୃତ ହୁଏ। ଜିରା, ଗୋଲମରିଚ, ଡାଳଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ମସଲା ବିଭିନ୍ନ ଭୋଗଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ। ଅନ୍ୟସବୁ ପରିବା ଓ ମସଲା ନିଷିଦ୍ଧ।
ଦୈନିକ ପ୍ରାୟ ପଚାଶ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ରୋଷଘରରେ କାଠ ଚୁଲିରେ ଅନ୍ନ ଓ ଡାଲି ସମେତ ସମସ୍ତ ବ୍ୟଞ୍ଜନ ମାଟି କୁଡୁଆରେ ରଡ଼ନିଆଁ ଓ ଅଙ୍ଗାର ରଖାଯାଇଥିବା ‘ଅହିଆ’ରେ ପ୍ରସ୍ତୁତ ହୋଇଥାଏ। ପର୍ବପର୍ବାଣି, ଛୁଟିଦିନ ଓ କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଷାଠିଏ ହଜାର ଛୁଇଁଯାଏ। ଯଦି ପରୀକ୍ଷାମୂଳକ ଭାବେ, ମାତ୍ର ୧୬-୧୮ ଶହ ହେକ୍ଟର ଚାଷ ଜମିରେ ମିଶ୍ରିତ ତଥା ଜୈବିକ ଫସଲ ପର୍ଯ୍ୟାୟ ଅନୁସରଣ କରି ଖାଦ୍ୟ ଶସ୍ୟ, ଫୁଲ, ତୁଳସୀ, ଦୟଣା, ଜାଳେଣି କାଠପାଇଁ ଝାଉଁ ଗଛ, ଗୋଖାଦ୍ୟ ପାଇଁ ଘାସ ଚାଷ ଏବଂ ବର୍ଷସାରା ପାଣିରେ ବୁଡ଼ି ରହୁଥିବା ଖାଲଜମିରେ ପଦ୍ମଫୁଲ ଚାଷ କରାଯିବ, ଶ୍ରୀମନ୍ଦିର ପାଇଁ ଆବଶ୍ୟକ ଅଧିକାଂଶ କୃଷି ସାମଗ୍ରୀ ସେଠାରୁ ଉତ୍ପାଦନ ହୋଇପାରିବ। ଲାଭଜନକ ମୂଲ୍ୟରେ ପ୍ରଥମ ଚାରି-ପାଞ୍ଚ ବର୍ଷ ପାଇଁ ନିଶ୍ଚିତ କ୍ରୟ ଗ୍ୟାରେଣ୍ଟି ମିଳିଲେ, ଏହି ଶହେଟି ଗ୍ରାମର ଚାଷୀ ସାରା ଓଡ଼ିଶାକୁ ଆଲୋକ ଦେଖାଇବେ। ଜୈବିକଚାଷ ପୋଥି-ବାଇଗଣ ନୁହେଁ, ବାଡ଼ି-ବାଇଗଣ ବୋଲି ପ୍ରମାଣିତ ହେବ। ଏହାକୁ ଏକ ଆହ୍ବାନ ଭାବେ ସଭିଏଁ ଗ୍ରହଣ କରିବେ ବୋଲି ଆଶା।
ମା’ ଲକ୍ଷ୍ମୀ ରୋଷଘରେ ରନ୍ଧନ କରନ୍ତି ଓ ତାହା ମହାପ୍ରସାଦରେ ରୂପାନ୍ତରିତ ହୁଏ ବୋଲି, ରୋଷଘରକୁ ପବିତ୍ର ରଖାଯାଏ। ଶୁଦ୍ଧ, ସଦାଚାରୀ ହୋଇ ପ୍ରସାଦ ରନ୍ଧନ ଭଳି, ବିଷମୁକ୍ତ ଶସ୍ୟ ସମେତ ବିଭିନ୍ନ ସାମଗ୍ରୀ, ଫୁଲ ଓ ଜାଳେଣି କାଠ ଉତ୍ପାଦନ ଓ ଯୋଗାଣ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ନୈବେଦ୍ୟ ପ୍ରସ୍ତୁତି ଏକ ମହାଯଜ୍ଞଠାରୁ କିଛି କମ୍‌ ନୁହେଁ। ଯେତେବେଳେ, ପୂର୍ଣ୍ଣ ସମର୍ପଣ ଭାବ ଓ ଆତ୍ମୀୟତାର ସହିତ ନୈବେଦ୍ୟ ପ୍ରସ୍ତୁତ କରାଯାଉଛି, ନୈବେଦ୍ୟଯୋଗ୍ୟ ଜୈବ-ରୋଷେଇ ସାମଗ୍ରୀ ଜଗାବଳିଆ ଚରଣାଶ୍ରିତ କୃଷକମାନେ କ’ଣ ଉତ୍ପାଦନ କରି ପାରିବେନି? ନିଶ୍ଚୟ ପାରିବେ ବୋଲି ଆଶା ଓ ବିଶ୍ବାସ। ଏ ଦିଗରେ ସହାୟତା ଯୋଗାଇଦେବା ଲାଗି ବ୍ୟବସ୍ଥା ଉପରେ ସମପରିମାଣର ଭରସା ରଖାଯାଇପାରିବ।
ମୋ: ୯୪୩୮୨୯୯୦୩୭