ଜାନକୀଶ ବଡ଼ପଣ୍ଡା

Advertisment

ନିର୍ଦ୍ଦିଷ୍ଟ ଫସଲ, ଖାଦ୍ୟଶସ୍ୟର ଆବଶ୍ୟକତା ଏବଂ ବିଭିନ୍ନ ପ୍ରାସଙ୍ଗିକ କାରଣକୁ ମାନଦଣ୍ଡ ଭାବେ ବିଚାର କରି ଚାଷଖର୍ଚ୍ଚ ଆକଳନ କରନ୍ତି ‘କୃଷି ଖର୍ଚ୍ଚ ଓ ମୂଲ୍ୟ କମିସନ’ (ସିଏସିପି)। ସେହି ଅନୁସାରେ କମିସନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସୁପାରିସ କରନ୍ତି। ୨୦୦୬ ମସିହାରେ ପ୍ରଧାନମନ୍ତ୍ରୀ ଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ତଥା କଂଗ୍ରେସ ଦଳର ନେତା ଡକ୍ଟର ମନମୋହନ ସିଂହ କହିଥିଲେ ଯେ ଏମ୍‌ଏସ୍‌ପି ନିଷ୍ପତ୍ତି ନେଲାବେଳେ ସରକାର ଯଦି ପ୍ରକୃତ ଚାଷ ଖର୍ଚ୍ଚର ଦେଢ଼ଗୁଣ (୫୦% ବୃଦ୍ଧି) କରନ୍ତି, ବଜାର ଅବ୍ୟବସ୍ଥିତ ହୋଇଯିବ। ସ୍ୱାମୀନାଥନ କମିସନଙ୍କ ପ୍ରଦତ୍ତ ୨୦୧ଟି ସୁପାରିସ ମଧ୍ୟରୁ ୧୭୫ଟିକୁ ତାଙ୍କ ସରକାର ଗ୍ରହଣ କରି ଫସଲର ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ବ ଛାଡ଼ିଦେଇଥିଲେ ସିଏସିପିଙ୍କ ଉପରେ; ଯାହା ଆଜି ଯାଏ ବଳବତ୍ତର ରହିଛି। ସେତେବେଳେ ମଧ୍ୟ ଫସଲର ଏମ୍‌ଏସ୍‌ପିକୁ ସରକାର ଆଇନଗତ ସ୍ବୀକୃତି ଦେଇ ନଥିଲେ। 
କୃଷକ-ଆତ୍ମହତ୍ୟା ସମସ୍ୟାର ସମାଧାନ ପାଇଁ ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଜାତୀୟ କୃଷକ କମିସନ ପ୍ରତିଷ୍ଠା କରିଥିଲେ ‘ଉପା’ ସରକାର ୧୮ ନଭେମ୍ବର, ୨୦୦୪ ମସିହାରେ। କମିସନ ତାଙ୍କର ରିପୋର୍ଟ ଦାଖଲ କରିଥିଲେ ୨୦୦୬ ମସିହାରେ। କମିସନଙ୍କ ସୁପାରିସ ମଧ୍ୟରୁ ଗୋଟିଏ ଥିଲା ଯେ ଫସଲର ଏମ୍‌ଏସ୍‌ପି ଏଭଳି ହେବା ଆବଶ୍ୟକ, ଯାହାକି ଫସଲ ଉତ୍ପାଦନ ପାଇଁ କରାଯାଉଥିବା ହାରାହାରି ଖର୍ଚ୍ଚର ଅତି କମ୍‌ରେ ୫୦ ପ୍ରତିଶତ ଅଧିକ ହେଉଥିବ। ଆଜିକାଲି ସମସ୍ତଙ୍କ ତୁଣ୍ଡରେ ସ୍ୱାମୀନାଥନ କମିସନଙ୍କ ଚର୍ଚ୍ଚା। ଚାଷୀ ନେତା, ବିରୋଧୀ ନେତା ସଭିଏଁ କହୁଛନ୍ତି ଯେ, ଫସଲ ଉତାରିବାକୁ ଯେତେ ପ୍ରକାର ପ୍ରକାର ଖର୍ଚ୍ଚ- ଏମିତିକି ଜମିର ଭଡ଼ା, ନିଜେ ଓ ନିଜ ପରିବାର ସଦସ୍ୟଙ୍କ ମଜୁରି ଇତ୍ୟାଦି ହିସାବ ହେଉ। ସମୁଦାୟ ଖର୍ଚ୍ଚକୁ ମିଶାଇ ଏମ୍‌ଏସ୍‌ପି ସ୍ଥିର ହେଉ। କେବଳ ସେତିକି ନୁହେଁ, ଏହାକୁ ଆଇନ ଅନ୍ତର୍ଗତ କରାଯାଉ, ଯେପରିକି କେହି ଏମ୍‌ଏସ୍‌ପି ଅପେକ୍ଷା କମ୍ ମୂଲ୍ୟରେ କୃଷିଜାତ ଖାଦ୍ୟଶସ୍ୟ କିଣିଲେ ଆଇନ ବଳରେ ଦଣ୍ଡିତ ହେବେ। 
କମିସନ ପକ୍ଷରୁ ଡିସେମ୍ବର ୨୦୦୪ରୁ ଅକ୍‌ଟୋବର ୨୦୦୬ ମଧ୍ୟରେ ପାଞ୍ଚଟି ରିପୋର୍ଟ ଦାଖଲ ହୋଇଥିଲା। ଏଥିରେ ପାଞ୍ଚଟି ପ୍ରସଙ୍ଗ ଉପରେ ସୁପାରିସ କରାଯାଇଥିଲା। କମିସନ ପକ୍ଷରୁ ପ୍ରଦତ୍ତ ଚୂଡ଼ାନ୍ତ ରିପୋର୍ଟରେ ଚାଷୀ ଦୁର୍ଦ୍ଦଶାର କାରଣ ଓ ଚାଷୀ ଆତ୍ମହତ୍ୟା ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ଚାଷୀଙ୍କ ପାଇଁ ଏକ ସାମଗ୍ରିକ ଜାତୀୟ ନୀତି ମାଧ୍ୟମରେ ସେଗୁଡ଼ିକୁ ସମାଧାନ କରିବାକୁ କୁହାଯାଇଥିଲା। ଏଥିରେ ଭୂସଂସ୍କାର, ଜଳସେଚନ, ଋଣ ଓ ବୀମା, ଖାଦ୍ୟ ସୁରକ୍ଷା, ନିଯୁକ୍ତି, କୃଷି ଉତ୍ପାଦକତା ଓ କୃଷକମାନଙ୍କ ମଧ୍ୟରେ ପ୍ରତିଯୋଗୀ ମାନସିକତା ସୃଷ୍ଟି କରିବାକୁ ସୁପାରିସ କରାଯାଇଥିଲା। କୃଷି ସାମଗ୍ରୀ ଗୁଡ଼ିକର ଅନ୍ତର୍ଜାତୀୟ ମୂଲ୍ୟ ଦ୍ରୁତ ଭାବରେ ହ୍ରାସ ପାଇଲେ, ବିଦେଶରୁ ଶସ୍ତା ଖାଦ୍ୟଦ୍ରବ୍ୟ ଆମଦାନିରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ କମିସନ ମଧ୍ୟ ଧ୍ୟାନ ଦେଇଥିଲେ। ସେହିଭଳି, ବର୍ଷାଜଳ ଅମଳ ଓ ଜଳଭଣ୍ଡାର ମାଧ୍ୟମରେ ଜଳସେଚନ ବୃଦ୍ଧି ବାଧ୍ୟତାମୂଳକ କରିବାକୁ ସୁପାରିସ କରାଯାଇଥିଲା। ସ୍ବାଭାବିକ ଭାବେ ବେଶ୍ ସନ୍ତୁଳିତ ଜଣାପଡୁଥିଲା କମିସନଙ୍କ ସୁପାରିସ। ଆମେ କିନ୍ତୁ ସ୍ବାମୀନାଥନ ଦେଇଥିବା ଏତେଗୁଡ଼ିଏ ପ୍ରସ୍ତାବରୁ ଗୋଟିଏ ସହଜ କଥାକୁ କେବଳ ଜାବୁଡ଼ି ଧରିଛେ ଯେ, ଫସଲର ବିକ୍ରି ମୂଲ୍ୟ ବଢୁ!
ଭାରତ ଭଳି ଏକ ଗଣତନ୍ତ୍ରରେ ଏଭଳି ଆଦର୍ଶ ସୁପାରିସଗୁଡ଼ିକୁ ଆମେ କହୁ ବୈପ୍ଳବିକ; କିନ୍ତୁ ସେସବୁକୁ ପାଳନ କରିବା କେବଳ ଅସମ୍ଭବ ନୁହେଁ, ବରଂ ଅନୁଚିତ ବୋଲି ମଧ୍ୟ କହିହେବ। ସମାଜ-ଅର୍ଥନୀତିର ମୌଳିକ ନିୟମଗୁଡ଼ିକୁ ଏହା ଉଲ୍ଲଂଘନ କରେ। ଆମ ଦେଶରେ ହେକ୍ଟର ପିଛା ଉତ୍ପାଦିତ ହାରାହାରି ଫସଲ ପରିମାଣ ବହୁତ କମ୍। ଆମେ ହେକ୍ଟର୍ ପିଛା ୨,୯୨୯ କେଜି ଧାନ ଅମଳ କରୁଥିଲା ବେଳେ ଚୀନରେ ଏହା ୬,୩୨୧ କେଜି; ଆଖୁ କ୍ଷେତ୍ରରେ ଯଥାକ୍ରମେ ୬୮,୦୧୨ ଓ ୮୫,୨୯୪ କେଜି। ଦକ୍ଷିଣ ଆଫ୍ରିକାରେ ହେକ୍ଟର୍ ପିଛା ଧାନ ଅମଳ ହୁଏ ୬,୬୨୨ କେଜି ଓ ଆଖୁ ଅମଳ ହୁଏ ୮୦,୭୮୭ କେଜି। ଚାଷୀମାନେ ଏତେ ଅଧିକ ଅମଳ କିମ୍ବା କମ୍ ଅମଳ ପାଇବାର ମୂଳ କାରଣ ଅନୁଧ୍ୟାନ ନକରି ସେମାନେ ଅବୈଜ୍ଞାନିକ ପ୍ରଣାଳୀରେ କରୁଥିବା ସର୍ବାଧିକ ଖର୍ଚ୍ଚ ଆଧାରରେ ଏମ୍‌ଏସ୍‌ପି ବଢ଼ାଇବା କେବେହେଁ ଠିକଣା ପଦକ୍ଷେପ ନୁହେଁ।
ଆମ ଦେଶର ଜନସଂଖ୍ୟାର ପ୍ରାୟ ୫୮ ପ୍ରତିଶତ ଚାଷ ଜମିର ମାଲିକ ଏବଂ ୬୦ ପ୍ରତିଶତ କୃଷି କ୍ଷେତ୍ରରେ ନିର୍ଭରଶୀଳ ହୋଇଥିବାରୁ ଆମ ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଗରେ ଯାଆନ୍ତି। ସେଥିରେ ପୁଣି ସମସ୍ତଙ୍କର ଥାଏ ବିକ୍ଷିପ୍ତ ଭାବେ ଛୋଟ ଛୋଟ କିଆରି- ଯେଉଁଥିରେ ଟ୍ରାକ୍ଟର୍ ଓ ବଡ଼ ଆକାରର ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର ଅସମ୍ଭବ। ଏଣୁ, ବଡ଼ ଚକରେ ଚାଷ କରୁଥିବା ଚୀନ ଓ ଦକ୍ଷିଣ ଆଫ୍ରିକାରେ ହେକ୍ଟର ପିଛା କୃଷି ଉତ୍ପାଦନ ସହିତ ଭାରତ ତୁଳନୀୟ ନୁହେଁ। ଏଥିପାଇଁ ଯେଉଁ ବ୍ୟବସ୍ଥା ଆବଶ୍ୟକ, ତାହା ସ୍ବାମୀନାଥନ କମିସନ କହି ନଥିଲେ। କମିସନ ଖାଦ୍ୟ ସୁରକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିପାଇଁ ୨୦୧୩ ମସିହା ସେପ୍‌ଟେମ୍ବର ମାସରେ ଆଇନ କରାଗଲା। ଏହାକୁ ଲାଗୁ କରାଯିବା ପରଠାରୁ, ଏଥିରୁ ରାଜନୈତିକ ଲାଭ ଉଠା ଚାଲିଛି। ଚାଷୀମାନେ ଅଭିଯୋଗ କଲେଣି ଯେ, କ୍ଷେତରେ କାମ କରିବାକୁ ଲୋକ ମିଳୁ ନାହାନ୍ତି। ଲୋକଙ୍କୁ ମାଗଣାରେ ଚାଉଳ ଓ ଗହମ ମିଳୁଛି ଏବଂ ସେମାନେ ଛାତ ଘର, ସୁଭଦ୍ରା, ମମତା ଠାରୁ ହରିଶ୍ଚନ୍ଦ୍ର ଭଳି ବିଭିନ୍ନ ତୁଷ୍ଟୀକରଣ ଓ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ହୋଇଛନ୍ତି। କାଦୁଅରେ ପଶି କାମ କରିବାକୁ ସେମାନେ ଆଗ୍ରହୀ ନୁହନ୍ତି। ଯେଉଁମାନେ କାମ କରୁଛନ୍ତି, ସେମାନେ କମ୍ କାମ କରି ଅଧିକ ମଜୁରି ମାଗୁଛନ୍ତି। ସ୍ବାମୀନାଥନ କ’ଣ ଏଭଳି ହେବ ବୋଲି ପରିକଳ୍ପନା କରିଥିବେ! 
ଏବେ, ସମୟ ଆସିଛି, ପରିବର୍ତ୍ତିତ ସାମାଜିକ-ରାଜନୈତିକ-ଅର୍ଥନୈତିକ ବାସ୍ତବତା ଅନୁସାରେ କୃଷି ବ୍ୟବସ୍ଥାକୁ ସଜାଡ଼ିବା ପାଇଁ। ଚାଷଜମିର ମାଲିକାନା ଲୋକଙ୍କ ହାତରେ। ସେମାନେ ଚାହିଁଲେ, ଫସଲ ଚାଷ କରିବେ, ନହେଲେ ପଡ଼ିଆ ପକାଇଲେ କେହି କହିବାକୁ ନାହିଁ। ସେମାନେ କେଉଁ ଋତୁରେ କେଉଁ ଫସଲ ଚାଷ କରିବେ, ତାହାର ନିଷ୍ପତ୍ତି ବି ସେମାନଙ୍କ ହାତରେ। ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଘୋଷଣା କରାଗଲା ଯେ ସରକାର ଏମ୍‌ଏସ୍‌ପି ଉପରେ ଇନ୍‌ପୁଟ୍ ସବସିଡି ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିନେବେ। ଏଥିରେ, ଚାଷୀମାନେ କାହିଁକି ବା ପରିବା କିମ୍ବା ଆଳୁ ପିଆଜ ଚାଷ କରିବାକୁ ମନ ବଳାଇବେ? ପ୍ରାୟ ସମସ୍ତେ ଧାନ ଚାଷ କଲେ। ‘ସିଏସିପି’ଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପରିକଳ୍ପନା ଚୁଲିକୁ ଗଲା। କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ଗୋଟିଏ ରାସନ୍ କାର୍ଡ, ଗୋଟିଏ ସ୍ବାସ୍ଥ୍ୟ କାର୍ଡ, ଗୋଟିଏ ନାଗରିକ ସଂହିତା କଥା କହୁଥିଲା ବେଳେ, ଗୋଟିଏ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ପରିକଳ୍ପନା କାହିଁକି ଉଲ୍ଲଂଘନ କରାଗଲା, ତାହାର ଉତ୍ତର କିଏ ଦେବେ? 
ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକୁ ଆଇନ ପରିସରକୁ ଆଣିବା ପାଇଁ ଚାଷୀସଂଘ ଆନ୍ଦୋଳନ କରିବାକୁ ଅଡ଼ି ବସିଛନ୍ତି। କେବଳ ୨୩ଟି ଫସଲ ନୁହେଁ, ବରଂ ମାଛ, ଅଣ୍ଡା ସମେତ ସମସ୍ତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀ ପାଇଁ ଏମ୍‌ଏସ୍‌ପିକୁ ନିଶ୍ଚିତ କରିବାକୁ ଆଇନ କରାଯାଉ ବୋଲି ସେମାନଙ୍କ ଦାବି। ସରକାର ସମସ୍ତ କୃଷି ଉତ୍ପାଦ ଏମ୍‌ଏସ୍‌ପି ପ୍ରଦାନ କରି କିଣିବା ଓ ବିକ୍ରି କରିବା ଏକ ଅବାସ୍ତବ ପରିକଳ୍ପନା। ଧାନ, ଗହମ ମୂଲ୍ୟ ବଢ଼ିଲେ ଖାଉଟି ବଜାରରେ ଅଟା, ସୁଜି, ବିସ୍କୁଟ୍, ଡାଲି ଓ ତେଲ ସମେତ ସମସ୍ତ ଖାଦ୍ୟ ପଦାର୍ଥର ଦରଦାମ ବଢ଼ିଯିବ। ତା’ପରେ କର୍ମଚାରୀ ଓ ଶ୍ରମିକଙ୍କ ଦରମା ଓ ମଜୁରି ବଢ଼ିଯିବ। ଦେଶରେ ମୁଦ୍ରାସ୍ଫୀତି ଉତ୍କଟ ହେବ। ଭାରତୀୟ ବ୍ୟବସାୟୀମାନେ, ବିଦେଶରୁ ଶସ୍ତାରେ କୃଷିଜାତ ଖାଦ୍ୟଶସ୍ୟ, ଫଳ, ପରିବା, ତୁଳା, ଚିନି ଆଦି ଆମଦାନି କରିବେ କିମ୍ବା ଚୋରାରେ ଆଣିବେ। ଚାଷୀମାନେ, ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ, ଦୁରବସ୍ଥାରୁ ରକ୍ଷା ପାଇବା ବଦଳରେ ଚକ୍ରବ୍ୟୂହ ମଧ୍ୟରେ ଅଣନିଶ୍ବାସୀ ହୋଇଯିବେ। 
ଏହାର ସମାଧାନ ପାଇଁ ପ୍ରତ୍ୟାହୃତ ହୋଇ ଯାଇଥିବା ତିନିଟି କୃଷି ଆଇନ କାର୍ଯ୍ୟକାରୀ ହେବା ଆବଶ୍ୟକ ମନେହୁଏ। ଏଗୁଡ଼ିକୁ ସାମାନ୍ୟ ସଂଶୋଧନ କରାଯାଇ ପୁନର୍ବାର ଲାଗୁ କରାଗଲେ, ଆମ ଦେଶର କୃଷକ ଲାଭବାନ ହେବେ। ନିଜ ଜମିର ମାଲିକାନା ନିଜ ହାତରେ ରଖି ସେମାନେ ଗୋଟିଏ ଅନୁଷ୍ଠାନ ସହିତ ଚୁକ୍ତି କରି ଚାଷ କରିବେ। ବୃହତ୍ ଅନୁଷ୍ଠାନମାନେ ଆଧୁନିକତମ ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ର ବ୍ୟବହାର କରି ବର୍ଷସାରା ତିନି ଚାରିଟି ଫସଲ ଚାଷ କରିବେ। ବଜାର ଚାହିଦା, ରପ୍ତାନି ସମ୍ଭାବନା ଓ ମୃତ୍ତିକା-ଜଳବାୟୁ ଉପଯୋଗୀ ଫସଲ ଚାଷ ବଢ଼ିବ। ଜଳସେଚନ ବ୍ୟବସ୍ଥା ହେବ। ଏଥିରେ ଅଧିକ ଲାଭବାନ୍ ହେବେ ଅନୁପସ୍ଥିତ ଚାଷୀ। କୃଷି ଶ୍ରମିକ ବର୍ଷସାରା କାମ ପାଇବେ। ବର୍ଷସାରା ଚାଷ ହେଲେ, ସମସ୍ତ ଚାଷୀ ପୂର୍ବରୁ ଯାହା ରୋଜଗାର କରୁଥିଲେ, ତାହା ଅପେକ୍ଷା ଅଧିକ ରୋଜଗାର କରିବେ। କୃଷି ଉତ୍ପାଦଗୁଡ଼ିକୁ ଗାଁରେ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ କରିବେ ଚାଷୀ ପରିବାରର କୁଶଳୀ ସଦସ୍ୟ। 
ଚାଷୀ, ଚାଷୀ ନେତା ଓ ରାଜନେତାମାନେ ଏବେ ଏକାଠି ବସି ଏଭଳି କିଛି ଦୂରଦର୍ଶୀ ଆଇନ ଆଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ। ନତୁବା, ରାଜନୈତିକ ଦଳମାନେ କ୍ଷମତାକୁ ଆସିଲେ ସେମାନେ କିଭଳି ଆଇନ ପ୍ରବର୍ତ୍ତନ କରି କୃଷି ଓ କୃଷକଙ୍କର ଉନ୍ନତି ବିଧାନ କରିବାକୁ ଚାହାନ୍ତି, ତାହା ପ୍ରକାଶ କଲେ, ଦେଶବାସୀ ପ୍ରସ୍ତାବିତ ଆଇନ ବିଷୟରେ ଜାଣିବେ, ବିତର୍କ କରିବେ ଏବଂ ଏହା ଫଳରେ କ’ଣ ସବୁ ସୁବିଧା ଓ ଅସୁବିଧା ହେବ, ତାହାର ଆଗୁଆ ଆକଳନ କରିପାରିବେ। ଏହା ନକରି, ଚାଷୀଙ୍କ ଦାରିଦ୍ର୍ୟ ଓ ଅସହାୟତାରୁ ଫାଇଦା ନେବାକୁ ଚେଷ୍ଟା କଲେ, ଏହା ଦେଶପାଇଁ ଘାତକ ସାବ୍ୟସ୍ତ ହେବ। 
ସ୍ବାମୀନାଥନ କମିସନ ଏବେ ଅଚଳ ହୋଇଯାଇଛି। ପରିବର୍ତ୍ତିତ ପରିସ୍ଥିତିରେ ନୂତନ କମିସନ ଗଠନ ହେଉ। ଭାରତୀୟ କୃଷିର ବାସ୍ତବ ସ୍ଥିତି ଓ ବ୍ୟବସ୍ଥା ଉପରେ ପ୍ରତ୍ୟେକ ବ୍ୟକ୍ତି ମୁକ୍ତ-ଚିନ୍ତନ କରିବାର ଆବଶ୍ୟକତା ରହିଛି। ଆମକୁ ମନେ ରଖିବାକୁ ହେବ ଯେ, ଫସଲ ଉତ୍ପାଦନ ଏକ ଜାତୀୟ ଆବଶ୍ୟକତା। ପ୍ରତ୍ୟେକ ଭାରତୀୟ ଯେପରି କ୍ଷୁଧାମୁକ୍ତ, ପରିପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି, ତାହା ସୁନିଶ୍ଚିତ କରିବା ମଧ୍ୟ ବିକଶିତ ଭାରତ ନିର୍ମାଣ ଉଦ୍ଦେଶ୍ୟରେ ଜାତୀୟ ଲକ୍ଷ୍ୟ ହେବା ଆବଶ୍ୟକ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭