ମୁଁ ଯେତେବେଳେ ଆର୍. ଅଶ୍ବିନଙ୍କ ଆତ୍ମଚରିତର ପ୍ରଚ୍ଛଦ ଉପରେ ନଜର ପକାଇଲି ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି ଯେ ସେଥିରେ ସେ ଧଳା ପୋଷାକ ପିନ୍ଧି ବସିଛନ୍ତି ଏବଂ ତାଙ୍କ ହାତ ଦୁଇଟି ଗୋଟିଏ ବ୍ୟାଟ୍ର ହ୍ୟାଣ୍ଡଲ୍କୁ ଜାବୁଡ଼ି ଧରିଛି। ଚିତ୍ରଟି ଦେଖି ମନେ ହେଲା ସତେ ଯେମିତି ସେ ଏକ ଵିକେଟ୍ ପତନକୁ ଅପେକ୍ଷା କରିଛନ୍ତି, ଯାହା ଫଳରେ ସେ ଡ୍ରେସିଂ ରୁମ୍ରୁ ପ୍ରଖର ବେଗରେ ପଡ଼ିଆକୁ ପ୍ରବେଶ କରିବେ।
ଏବେ ମୁଁ ବୁଝିଲି ଯେ ଅଶ୍ବିନ ଭଲ ବ୍ୟାଟିଂ କରିପାରନ୍ତି। ତାଙ୍କ ଆତ୍ମଚରିତ ପ୍ରକାଶ ପାଇବାର ଅନେକ ପୂର୍ବରୁ ଏହା ସାଧାରଣରେ ଜଣା ଥିଲା ଯେ ସ୍କୁଲ୍କାଳୀନ କ୍ରିକେଟ୍ରେ ସେ ଵିକେଟ୍ ନେବାର ସାମର୍ଥ୍ୟ ତୁଳନାରେ ରନ୍ ସଂଗ୍ରହ ଲାଗି ଅଧିକ ପ୍ରସିଦ୍ଧ ଥିଲେ। ମୁଁ ସ୍ବଚକ୍ଷୁରେ ଅଶ୍ବିନ ଖେଳିବାର ଦେଖିନାହିଁ - ମୁଁ ଅଧିକାଂଶ ସମୟ ଟେଷ୍ଟ କ୍ରିକେଟ୍ ଦେଖେ, ଏବଂ କୌଣସି କାରଣରୁ ଆଜିକାଲି ବେଙ୍ଗାଲୁରୁରେ ଟେଷ୍ଟ ମ୍ୟାଚ୍ ଆୟୋଜନ ହେଉ ନାହିଁ - ତଥାପି ତାଙ୍କ ହାତରେ ବ୍ୟାଟ୍ ଥିବାର ଦୃଶ୍ୟ ଟେଲିଭିଜନ୍ରେ ଦେଖିଥିବାରୁ ତାହା ମନରେ ସ୍ଥାୟୀ ହୋଇ ରହିଯାଇଛି। ମୁଁ ଆଖି ବୁଜି ଦେଖିପାରୁଛି ଯେ ସେ ଜଣେ ଦ୍ରୁତ ବୋଲର୍ ସମ୍ମୁଖରେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ଏବଂ ସେ ବଲ୍ଟିକୁ ସୁଲଳିତ ଢଙ୍ଗରେ ପଛକୁ ଠେଲି ଦେଇ ଚାରି ରନ୍ ସଂଗ୍ରହ କରିନେଉଛନ୍ତି। ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିପାରୁଛି ଯେଉଁଥିରେ ସେ ଗୋଟିଏ ସ୍ପିନ୍ ବଲ୍କୁ କୁଶଳ ଭାବେ ପ୍ରହାର କରିଛନ୍ତି ଯାହା ବୋଲର୍ଙ୍କ ମୁଣ୍ଡ ଉପର ଦେଇ ସାଇଟ୍ସ୍କ୍ରିନ୍ରେ ଯାଇ ମାଡ଼ ହେଉଛି।
ତେବେ ଏହି ଦୁଇଟି ସଟ୍ ଅଶ୍ବିନଙ୍କ ଦୁଇଟି ସବୁଠାରୁ ନିର୍ଣ୍ଣାୟକ ଟେଷ୍ଟ କ୍ରିକେଟ୍ ଇନିଂସ୍ର ଅଂଶବିଶେଷ ନ ଥିଲା। ଏ ଦୁଇଟି ଇନିଂସ୍ ୨୦୨୧ର ଲଗାତର ଦୁଇ ମାସ, ଜାନୁଆରି ଓ ଫେବ୍ରୁଆରିରେ ସେ ଖେଳିଥିଲେ। ଦୁଇଟି ଯାକ ଇନିଂସ୍ର ପଡ଼ିଆ ଓ ପ୍ରତିପକ୍ଷ ଅଲଗା ଥିଲେ। ପ୍ରଥମଟି ଥିଲା ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆକ୍ରାମକ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ। ହନୁମା ବିହାରୀଙ୍କ ସହିତ ଅଶ୍ବିନ ଚାଳିଶ ଓଭର୍ ଧରି ଦଣ୍ଡାୟମାନ ରହିଥିଲେ ଏବଂ ନିଜ ଦଳକୁ ଏକ ସ୍ମରଣୀୟ ଡ୍ର ପ୍ରଦାନ କରିଥିଲେ। ସେହି ଇନିଂସ୍ରେ ଅଶ୍ବିନ ଫ୍ରଣ୍ଟ୍ ଫୁଟ୍ରେ ଖେଳି ପ୍ରତିରକ୍ଷା କରୁଥିଲେ ଅଥବା ବ୍ୟାକ୍ ଫୁଟ୍ରେ ରହି ନିପୁଣ ଭାବେ ବଲ୍ ଟାଳୁଥିଲେ। ଓଭର୍ ଶେଷରେ ଭାରତୀୟ ଦଳର ସମ୍ମାନ ରକ୍ଷାକାରୀ ଏହି ଦୁଇ ଖେଳାଳି ଦୀର୍ଘ ସମୟ ଧରି ବାର୍ତ୍ତାଳାପ କରୁଥିଲେ। ପରେ ଜଣାପଡ଼ିଲା ଯେ ସେମାନେ ତାମିଲ ଭାଷାରେ କଥା ହେଉଥିଲେ।
ମୋର ମନେ ଅଛି ଅଶ୍ବିନ ତାଙ୍କର ଦ୍ବିତୀୟ ନିର୍ଣ୍ଣାୟକ ଇନିଂସ୍ଟି ନିଜ ହୋମ୍ ଗ୍ରାଉଣ୍ଡ୍ରେ ଇଂଲାଣ୍ଡ ବିପକ୍ଷରେ ଖେଳିଥିଲେ। ପ୍ରଥମ ଇନିଂସ୍ରେ ଭାରତ ନିରାପଦ ଲିଡ୍ ହାସଲ କରିଥିଲା, କିନ୍ତୁ ଦ୍ବିତୀୟ ଇନିଂସ୍ରେ ସେମାେନ ୧୦୬ ରନ୍ ସଂଗ୍ରହ କରି ୬ଟି ଵିକେଟ୍ ହରାଇସାରିଥିଲେ। ଏତିକି ବେଳେ ଅଶ୍ବିନ ଆସିଲେ ଏବଂ କୋହଲି, କୁଳଦୀପ, ଇଶାନ୍ତ ଓ ଶିରାଜଙ୍କ ସହିତ ଭାଗୀଦାରି କରି ଭାରତର ସ୍କୋର୍କୁ ସମୁଦାୟ ୨୮୬ ପର୍ଯ୍ୟନ୍ତ ନେଇଯାଇଥିଲେ, ଯାହା ପରେ ବିଜୟର ପଥ ସୁଗମ ହୋଇଯାଇଥିଲା। ଅଶ୍ବିନ ନିଜେ ଶତକ ହାସଲ କରିଥିଲେ, ଯାହା ପାଇଁ ବ୍ୟାକ୍ ଫୁଟ୍ରେ ବଳ ଲଗାଇ ଅଫ୍-ସାଇଡ୍ରେ ସଟ୍ ସେ ଖେଳି ନ ଥିଲେ, କେବଳ କେତେଗୋଟି ପ୍ରତିରକ୍ଷାତ୍ମକ ସ୍ପର୍ଶ ତଥା ଅସ୍ବାଭାବିକ ଭାବେ ଉଚ୍ଚା ସଟ୍ ଛଡ଼ା। ସେ ଅଧିକାଂଶ ସଟ୍ ପଛ ପଟେ ଓ ଫ୍ରଣ୍ଟ ସ୍କୋୟାର୍ ଦିଗକୁ ପ୍ରହାର କରିଥିଲେ। ଏଥର ତାମିଲନାଡୁର ଚେପକ୍ ପଡ଼ିଆରେ ଖେଳ ହେଉଥିଲେ ହେଁ ଓଭର୍ ଶେଷରେ ତାମିଲ ଭାଷାରେ କୌଣସି କଥାବାର୍ତ୍ତା ହୋଇନଥିଲା।
ମୁଁ ଜାଣେ ଯେ ଅଶ୍ବିନ ଭଲ ବ୍ୟାଟିଂ କରିପାରନ୍ତି। ତାଙ୍କ ବହିଟିକୁ ଯିଏ କିଣିବେ ସେମାନେ ମଧ୍ୟ ଏ କଥା ଜାଣିବେ। ତଥାପି ଭାରତୀୟ କ୍ରିକେଟ୍ ଇତିହାସରେ ତାଙ୍କୁ ତାଙ୍କର ବୋଲିଂ ଦକ୍ଷତା ଲାଗି ମନେ ରଖାଯିବ। ତା’ ହେଲେ କାହିଁକି ପାଞ୍ଚ ଶହ ଟେଷ୍ଟ ଵିକେଟ୍ ନେଇଥିବା, ଅନିଲ କୁମ୍ବଲେଙ୍କ ପରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିଣିଥିବା ଜଣେ କ୍ରିକେଟର୍ ନିଜ ଆତ୍ମଜୀବନୀ ଲେଖି ତାହାର ପ୍ରଚ୍ଛଦରେ ବ୍ୟାଟ୍ ଧରିଥିବାର ଚିତ୍ର ପ୍ରକାଶ କଲେ? ମୁଁ ଅଶ୍ବିନଙ୍କୁ କେବେ ଭେଟି ନାହିଁ, କିନ୍ତୁ ତାଙ୍କ ସମ୍ପର୍କରେ ଯାହା ପଢ଼ିଛି ଓ ଶୁଣିଛି, ସେଥିରୁ ବୁଝିଛି ଯେ ସେ ଜଣେ ଦୃଢ଼ ତଥା ସୁଚିନ୍ତିତ ମତ ପୋଷଣକାରୀ। ତେଣୁ ଏହା ପ୍ରାୟ ସୁନିଶ୍ଚିତ ଯେ ପ୍ରଚ୍ଛଦର ଚିତ୍ରଟିକୁ ପ୍ରକାଶକ ନୁହେ, ଖୋଦ୍ ଅଶ୍ବିନ ବାଛିଥିବେ। ସେ କାହିଁକି ହାତରେ ବଲ୍ ଧରିବା ବଦଳରେ ବ୍ୟାଟ୍ ଧରିଥିବାର ଚିତ୍ରଟିକୁ ପ୍ରଚ୍ଛଦ ପାଇଁ ବାଛିଲେ?
ମୁଁ ଏହାର ନିର୍ଭୁଲ୍ ଉତ୍ତର ଦେଇପାରିବି ନାହିଁ (ବୋଧହୁଏ ସମୟ ଆସିଲେ ଅଶ୍ବିନ ନିଜେ ଏହାର ଉତ୍ତର ଦେଇପାରନ୍ତି)। ତେବେ ମୁଁ ଅନ୍ଦାଜ ଲଗାଇପାରିବି। ସେହି ଚିତ୍ରଟିରେ ଏକ ବା ଏକାଧିକ ସାଙ୍କେତିକ ବାର୍ତ୍ତା ରହିଛି କି? ଅଶ୍ବିନ ଏହି କ୍ରୂର ବାସ୍ତବତା ପ୍ରତି ଆମର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି କି ଯେ ବିଶ୍ବ (ବିଶେଷ କରି ଭାରତୀୟ) କ୍ରିକେଟ୍ର ପୁରସ୍କାର ପ୍ରକ୍ରିୟାରେ ବ୍ୟାଟର୍ମାନେ ହିଁ ଅଧିକ ଅର୍ଥ, ପ୍ରସିଦ୍ଧି, ପ୍ରଶଂସକୀୟ ଶ୍ରଦ୍ଧା, ଟେଲିଭିଜନ୍ ପୃଷ୍ଠପୋଷକତା, ପ୍ଲେୟର୍ସ ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର୍ସ ଅଫ୍ ଦି ସିରିଜ୍ ପୁରସ୍କାର ଜିଣିଥାନ୍ତି, ବୋଲର୍ଙ୍କ ତୁଳନାରେ ଅଧିକ ସଂଖ୍ୟକ ସେଲ୍ଫି ଓ ଅଟୋଗ୍ରାଫ୍ ଅନୁରୋଧ ପାଇଥାନ୍ତି?
କ୍ରିକେଟ୍ ଖେଳରେ ବ୍ୟାଟର୍ମାନେ ହେଉଛନ୍ତି ସାମ୍ଭ୍ରାନ୍ତ ଶ୍ରେଣୀର ଓ ବୋଲର୍ ହେଉଛନ୍ତି ପରିଶ୍ରମୀ ଅଧସ୍ତନ, ଏହି ବାସ୍ତବତାଟିକୁ ଏ ପର୍ଯ୍ୟନ୍ତ ବ୍ୟାପକ ଭାବେ ସ୍ବୀକାର କରାଯାଇନାହିଁ। ମୁଁ ନିଜେ ଏହି ଏକପାଖିଆ ପୁରସ୍କାର ବ୍ୟବସ୍ଥା ବିରୋଧରେ ଯୁକ୍ତି ବାଢ଼ିଛି, କିନ୍ତୁ କିଛି ଫଳ ମିଳିନାହିଁ। ଅଶ୍ବିନ ନିଜ ଫଟୋଗ୍ରାଫ୍ ଚୟନ ଓ ଖେଳରେ ନିଜ ସୁସଂଗତ ସ୍ଥିତି ମାଧ୍ୟମରେ ସେହି କଥାଟିକୁ ସୂକ୍ଷ୍ମ ଭାବରେ ବ୍ୟକ୍ତ କରିଛନ୍ତି କି?
ମୁଁ ପୂର୍ବରୁ କହିଛି ଯେ କିପରି ବସ୍ତୁବାଦୀ ଦୃଷ୍ଟିରୁ ବିଜେତା ଦଳର ବୋଲର୍ମାନଙ୍କ ଅପେକ୍ଷା ବ୍ୟାଟର୍ମାନେ ଅଧିକ ପୁରସ୍କାର ପାଆନ୍ତି। ପରିତାପର କଥା ହେଲା ଏହି ପକ୍ଷପାତ କେବଳ ଅର୍ଥରେ ସୀମିତ ନୁହେଁ। ଷ୍ଟିଭ୍ ଵା ଓ ରିକି ପଣ୍ଟିଂଙ୍କ ଭଳି ବ୍ୟାଟର୍ ଯଥାକ୍ରମେ ୫୭ଟି ଓ ୭୨ଟି ଟେଷ୍ଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଥିଲେ, ଯେତେବେଳେକି ସେନ୍ ଵାର୍ନଙ୍କୁ କେବେହେଲେ ଅଧିନାୟକତ୍ବ ମିଳିନଥିଲା। ଵାର୍ନ ଜଣେ ବିଚକ୍ଷଣ କ୍ରିକେଟ୍ ରଣକୌଶଳ ପ୍ରସ୍ତୁତକାରୀ ଥିଲେ (ଯେଉଁ ଦକ୍ଷତା ସେ ଅନ୍ୟ ଛୋଟ ଟିମ୍ର ନେତୃତ୍ବ ନେଇ ପ୍ରଦର୍ଶନ କରିଥିଲେ) ଏବଂ ମୋର କୌଣସି ସନ୍ଦେହ ନାହିଁ ଯେ ଵା ଓ ପଣ୍ଟିଂଙ୍କ ତୁଳନାରେ ସେ ଅଧିକ ସଫଳ ଟେଷ୍ଟ ଅଧିନାୟକ ହୋଇପାରନ୍ତେ।
ଭାରତୀୟ ଦଳରେ ଅଧିନାୟକ ଚୟନରେ ମଧ୍ୟ ଏହି ପକ୍ଷପାତ ବିଦ୍ୟମାନ ଅଛି। ବିରାଟ କୋହଲି ୬୮ଟି ଓ ରୋହିତ ଶର୍ମା ୧୬ଟି ଟେଷ୍ଟ୍ ମ୍ୟାଚ୍ରେ ଦଳକୁ ନେତୃତ୍ବ ପ୍ରଦାନ କରିଥିବା ବେଳେ ଅଶ୍ବିନଙ୍କୁ କେବେହେଲେ ଏହି ସୁଯୋଗ ମିଳିନାହିଁ। ଏହାର ଆଂଶିକ କାରଣ ଏହା ଯେ ବିରାଟ ଓ ରୋହିତ ବ୍ୟାଟର୍ ହୋଇଥିବା ବେଳେ ଅଶ୍ବିନ ହେଉଛନ୍ତି ମୁଖ୍ୟତଃ ଜଣେ ବୋଲର୍। କିନ୍ତୁ ଆମେ ଜାଣୁ ଯେ ଅଶ୍ବିନ ହେଉଛନ୍ତି ଭାରତ ପାଇଁ ଖେଳିଥିବା ସବୁଠାରୁ ବିଚକ୍ଷଣ କ୍ରିକେଟର୍ ମଧ୍ୟରୁ ଜଣେ। ଯଦି ମାଡ୍ରାସ୍ର ଏହି ଖେଳାଳିଙ୍କୁ ଜାତୀୟ ଦଳର ଅଧିନାୟକ ହେବାର ସୁଯୋଗ ମିଳିଥାଆନ୍ତା ତେବେ ସେ ନିଶ୍ଚିତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରିଥାନ୍ତେ। ଇଂଲାଣ୍ଡ୍ର ରେ’ ଇଲିଙ୍ଗଵର୍ଥ ଓ ଅଷ୍ଟ୍ରେଲିଆର ରିଚି ବେନୋଡ୍ ହେଉଛନ୍ତି ଦୁଇ ଜଣ ସ୍ପିନ୍ ବୋଲର୍, ଯେଉଁମାନେ ଚମତ୍କାର ଟେଷ୍ଟ ଅଧିନାୟକ ହେବାର ଉଦାହରଣ ସ୍ଥାପିତ କରିଛନ୍ତି।
ଅଶ୍ବିନ ନିଜ ବହିର ପ୍ରଚ୍ଛଦ ପାଇଁ ବାଛିଥିବା ଫଟୋଟି ତାଙ୍କ (ଅତୀତ ବା ବର୍ତ୍ତମାନର) ଅଧିନାୟକ ହେବାର ଆକାଂକ୍ଷାକୁ ଦର୍ଶାଉଛି ବୋଲି ମୁଁ ଭାବୁ ନାହିଁ। ତାଙ୍କ ଭଳି ଜଣେ ଶାଳୀନ ବ୍ୟକ୍ତି ସେଭଳି କରିବେ ନାହିଁ। ତେଣୁ ପ୍ରଥମ ଅନ୍ଦାଜଟି ଠିକ୍ ହେବାର ସମ୍ଭାବନା ଅଧିକ; ଯେ ସେ ଆମକୁ ପଡ଼ିଆ ଭିତରେ ଓ ବାହାରେ ବ୍ୟାଟର୍ ଓ ବୋଲର୍ଙ୍କୁ ନେଇ ପ୍ରଚଳିତ ଭେଦଭାବ ସମ୍ପର୍କରେ ଅଧିକ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି। ଏହାର ତୃତୀୟ କାରଣ ହୋଇପାରେ ଯେ ସେନ୍ ଵାର୍ନ ଓ ଅନିଲ କୁମ୍ବଲେଙ୍କ ପରି ଅଶ୍ବିନ ବ୍ୟାଟିଂ କରିବାକୁ ବହୁତ ଭଲ ପାଆନ୍ତି। ସେନ୍ ଵାର୍ନଙ୍କର ଏକ ଅବସୋସ ହେଉଛି ଯେ ସେ ଟେଷ୍ଟ୍ କ୍ରିକେଟ୍ରେ ୧୨ଟି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଗୋଟିଏ ହେଲେ ଶତକ ପାଇ ନାହାନ୍ତି; ଟେଷ୍ଟ୍ରେ ତାଙ୍କର ସର୍ବୋଚ୍ଚ ରନ୍ ଥିଲା ୯୯। ଅପରପକ୍ଷେ ଅନିଲ କୁମ୍ବଲେ ଆଶ୍ବସ୍ତ ଥିବେ ଯେ ସେ (ଅନ୍ତତଃ ଥରେ) ଶତକ ହାସଲ କରିପାରିଥିଲେ।
ସେ ଯାହା ହେଉ, ଉଲ୍ଲେଖନୀୟ କଥା ହେଉଛି ସେନ୍ ଵାର୍ନ ଲେଖିଥିବା ପାଞ୍ଚଟି ପୁସ୍ତକ ମଧ୍ୟରୁ ଦୁଇଟିର ପ୍ରଚ୍ଛଦରେ ତାଙ୍କର ମୁଖମଣ୍ଡଳ ଥିବା ବେଳେ ଅନ୍ୟ ତିନିଟିରେ ସେ ବୋଲିଂ କରୁଛନ୍ତି ଅଥବା ଵିକେଟ୍ ନେବା ପରର ମୁଦ୍ରାରେ ଅଛନ୍ତି। ଅନିଲ କୁମ୍ବଲେଙ୍କ ଆତ୍ମଚରିତ ପାଇଁ ଆମେ ଅପେକ୍ଷା କରିବା; ତେବେ ଯେତେବେଳେ ତାହା ପ୍ରକାଶ ପାଇବ ତାହାର ପ୍ରଚ୍ଛଦରେ ୬୧୯ ଟେଷ୍ଟ୍ ଵିକେଟ୍ ନେଇଥିବା ଏହି ଖେଳାଳି ହାତରେ ବ୍ୟାଟ୍ ଧରିଥିବାର ଚିତ୍ର ସ୍ଥାନ ପାଇବାର ସମ୍ଭାବନା କମ୍।
ସର୍ବଶ୍ରେଷ୍ଠ ଜୀବିତ କ୍ରିକେଟ୍ ଲେଖକ ଏକଦା ଗୋଟିଏ କ୍ରିକେଟ୍ ଅନୁଚ୍ଛେଦକୁ ନେଇ ସଂପୂର୍ଣ୍ଣ ବହିଟିଏ ଲେଖିଦେଇଥିଲେ। ସେହି ଚମତ୍କାର ବହି ପ୍ରଶଂସାରେ ମୁଁ କିଛି ବର୍ଷ ପୂର୍ବେ ଏକ ସ୍ତମ୍ଭ ଲେଖିଥିଲି। କିନ୍ତୁ ମୁଁ ଯେହେତୁ ଗିଡିଅନ୍ ହେଗ୍ ନୁହେଁ, ତେଣୁ ମୁଁ ଏକ ଫଟୋକୁ ନେଇ ପ୍ରାୟ ଏକ ହଜାର ଶବ୍ଦ ହିଁ ଲେଖିପାରିଲି। ପାଠକ ଯାହାସବୁ ପଢ଼ିଲେ ତାହାକୁ ମୁଁ ଅଶ୍ବିନଙ୍କ ଆତ୍ମଚରିତ ପଢ଼ିବା ପୂର୍ବରୁ ଲେଖିଥିଲି। ଏବେ ବହିଟିକୁ ପଢ଼ିସାରିଲା ପରେ ମୁଁ ସୁନିଶ୍ଚିତ ହୋଇ କହିପାରୁଛି ଯେ ତାହାର ଅନ୍ତତଃ ଗୋଟିଏ ଅନୁଚ୍ଛେଦ ବହିଟିର ପ୍ରଚ୍ଛଦ ଚିତ୍ର ସମ୍ପର୍କିତ ମୋର ବିଶ୍ଳେଷଣକୁ ସମର୍ଥନ କରୁଛି। ସେହି ଅନୁଚ୍ଛେଦଟି ଏହିପରି: ‘ଶେଷରେ ଏହା (ବୋଲର୍ରୁ ବ୍ୟାଟର୍ ଓ ପରେ କୋଚ୍ ପାଲଟିଥିବା ଡବ୍ଲ୍ୟୁ. ଭି.) ରମଣଙ୍କ ସହିତ ଆଉ ଏକ ଆଲୋଚନା ଲାଗି ସୁଯୋଗ ସୃଷ୍ଟି କଲା। ମୁଁ ତାଙ୍କୁ ମୋ ମନର କଥା କହିଲି। ବ୍ୟାଟର୍ମାନେ ବୋଲର୍ମାନଙ୍କୁ ଶ୍ରମିକ ଶ୍ରେଣୀର କର୍ମଚାରୀଙ୍କ ପରି ମନଇଚ୍ଛା ବ୍ୟବହାର କରନ୍ତି। ଅଭ୍ୟାସ ବେଳେ ଗୋଟିଏ ଖରାପ ବଲ୍ ପକାଇଦେଲେ ସେ ବ୍ୟାଟର୍ଙ୍କୁ କାହିଁକି କ୍ଷମା ମାଗନ୍ତି ଆଉ ଖରାପ ସଟ୍ ଖେଳିଲେ ବି ବ୍ୟାଟର୍ କ୍ଷମା ମାଗନ୍ତି ନାହିଁ କାହିଁକି?’
[email protected]
ସା˚ପ୍ରତିକୀ: ଅଶ୍ବିନଙ୍କ ବ୍ୟାଟ୍
ରାମଚନ୍ଦ୍ର ଗୁହା