ଚାଳିଶ ଜଣ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ସାହାଯ୍ୟରେ ‘ବ୍ଲୁମ୍ବର୍ଗ’ କରିଥିବା ଅନୁଶୀଳନ ଅନୁସାରେ ଅନ୍ତତଃ ଆସନ୍ତା ସାତ ଚଉଠ ଧରି, ଅର୍ଥାତ୍ ଅାଗାମୀ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଚୀନ୍କୁ ପଛରେ ପକାଇ ରଖିବାକୁ ଯାଉଛି। ୨୦୨୭ ବେଳକୁ ଜାପାନ୍କୁ ହଟାଇ ଭାରତ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।
ସେଆର୍ ବଜାର ବା ଷ୍ଟକ୍ ମାର୍କେଟ୍ କାରବାରକୁ ମହାନ୍ ଅର୍ଥନୀତିଜ୍ଞ ତଥା ସେଇ ବଜାରରେ ଅସାମାନ୍ୟ ସଫଳତା ହାସଲ କରିଥିବା ନିବେଶକ ରୂପେ ପ୍ରସିଦ୍ଧ ଜନ୍ ମେନାର୍ଡ କେନ୍ସ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା (ଯେମିତି ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା) ରୂପେ ବିଚାର କରୁଥିଲେ। ଗତ ସପ୍ତାହରେ ସମସ୍ତଙ୍କୁ ଚମତ୍କୃତ କରି ଭାରତର ପ୍ରମୁଖ ଷ୍ଟକ୍ ମାର୍କେଟ୍ ବମ୍ବେର ‘ଦଲାଲ୍ ଷ୍ଟ୍ରିଟ୍’ େଯତେବେଳେ ଏକ ସମୟରେ ହଂକଂର ‘ହାଙ୍ଗ୍ ସେଙ୍ଗ୍’କୁ ବିସ୍ଥାପିତ କରି ପୃଥିବୀର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟ୍ ସ୍ଥାନ ଦଖଲ କଲା, ତାହାକୁ ଆମ ଦୃଷ୍ଟିରେ ଭାରତ ‘ଏସିଆ ସୁନ୍ଦରୀ’ ମୁକୁଟ ହାସଲ କରିବା ଭଳି ବିଚାର କଲେ କିଛି ଅତିରଂଜନ ହେବ ନାହିଁ। ଏହା ଏଇଥିପାଇଁ ଅତିରଂଜନ ହେବ ନାହିଁ, କାରଣ ହଂକଂ ଷ୍ଟକ୍ ମାର୍କେଟ୍ ହେଉଛି ଏସିଆର ବୃହତ୍ତମ ଷ୍ଟକ୍ ମାର୍କେଟ୍, ଯାହାକୁ ବମ୍ବେ ସାମୟିକ ଭାବରେ ସ୍ଥାନଚ୍ୟୁତ କରି ଦେଇଥିଲା।
କେନ୍ସ ୧୯୩୬ରେ ପ୍ରକାଶିତ ତାଙ୍କର ଯୁଗାନ୍ତକାରୀ ପୁସ୍ତକ ‘ଦି ଜେନେରାଲ୍ ଥିଓରି ଅଫ୍ ଏମ୍ପ୍ଲଏମେଣ୍ଟ୍, ଇଣ୍ଟେରେଷ୍ଟ୍ ଆଣ୍ଡ୍ ମନି’ (‘ନିଯୁକ୍ତି, ସୁଧ ଓ ଅର୍ଥର ସାଧାରଣ ତତ୍ତ୍ବ’)ରେ ଷ୍ଟକ୍ ମାର୍କେଟ୍ରେ ନିବେଶକମାନଙ୍କର ଆଚରଣକୁ ଏକ ବିଉଟି କଣ୍ଟେଷ୍ଟ୍ରେ ବିଚାରକମାନଙ୍କର ଆଚରଣ ସହିତ ତୁଳନା କରିଥିଲେ। ବିଚକ୍ଷଣ ଅର୍ଥନୀତିଜ୍ଞ କେନ୍ସ ଅତ୍ୟନ୍ତ କ୍ଲିଷ୍ଟ ବିବେଚିତ ତାଙ୍କର ଉପରୋକ୍ତ ପୁସ୍ତକରେ ବିଉଟି କଣ୍ଟେଷ୍ଟ୍ ଭଳି ଏକ ଅପେକ୍ଷାକୃତ ହାଲୁକା ରୂପକଳ୍ପ ବ୍ୟବହାର କରିବାର ପୃଷ୍ଠଭୂମି ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟି ନିକ୍ଷେପ କରିବା ଏଠାରେ ବୋଧହୁଏ ଯଥାର୍ଥ ହେବ। ଯେଉଁ ସମୟରେ କେନ୍ସ ତାଙ୍କର ଏହି ସର୍ବଶ୍ରେଷ୍ଠ ପୁସ୍ତକ ରଚନାରେ ବ୍ୟାପୃତ ଥିଲେ, ସେତେବେଳେ ସେ କିନ୍ତୁ ଜଣେ ନିବେଶକ ଭାବରେ ଷ୍ଟକ୍ ମାର୍କେଟ୍ରେ ବିଶେଷ ସଫଳତା ହାସଲ କରିପାରି ନ ଥିଲେ; ଅର୍ଥାତ୍ ସେ ସେଆର୍ ବଜାରର ଆଚରଣ ସମ୍ବନ୍ଧରେ ସଠିକ୍ ପୂର୍ବାନୁମାନ କରିପାରୁ ନ ଥିଲେ: ତାଙ୍କ ପସନ୍ଦର ସେଆର୍ ସବୁ ସେ ଆଶା କରିବା ଭଳି ଆଚରଣ ପ୍ରଦର୍ଶନ କରୁ ନ ଥିଲେ।
ଏହି ସମୟରେ ଦିନେ ସକାଳେ ଏକ ଲୋକପ୍ରିୟ ଖବରକାଗଜ ଦ୍ବାରା ଆୟୋଜିତ ଏକ ପ୍ରତିଯୋଗିତା ତାଙ୍କର ଦୃଷ୍ଟି ଆକର୍ଷଣ କଲା। ପ୍ରତିଯୋଗିତାର ଅଂଶସ୍ବରୂପ ସେଇ ଖବରକାଗଜରେ ୧୦୦ ଜଣ ଯୁବତୀଙ୍କର ମୁଖମଣ୍ଡଳର ଛବି ଛାପା ହୋଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ପାଠକଙ୍କୁ ସେଥିମଧ୍ୟରୁ ଛ’ଟି ମୁହଁର ଛବି ପସନ୍ଦ କରିବାକୁ ପଡ଼ିଥାଏ, ଯେଉଁମାନଙ୍କୁ ସେ ସର୍ବାଧିକ ସୁନ୍ଦର ଛ’ଜଣ ବୋଲି ବିବେଚନା କରିଥାନ୍ତି। ସମସ୍ତ ପ୍ରତିଯୋଗୀମାନଙ୍କ ଦ୍ବାରା ଏଇଭଳି ପସନ୍ଦ କରାଯାଇଥିବା ଛବିଗୁଡ଼ିକ ତୁଳନା କଲା ପରେ ଯେଉଁ ଛବିକୁ ସର୍ବାଧିକ ସଂଖ୍ୟକ ପ୍ରତିଯୋଗୀମାନେ ପସନ୍ଦ କରିଥିବା ଆବିଷ୍କୃତ ହେବ, ସେଇ ମୁଖମଣ୍ଡଳର ଅଧିକାରିଣୀ ସର୍ବାଧିକ ସୁନ୍ଦରୀ ରୂପେ ବିବେଚିତ ହେବେ ଓ ସେଇ ମୁଖମଣ୍ଡଳର ଛବିକୁ ପସନ୍ଦ କରିଥିବା ପାଠକ-ପ୍ରତିଯୋଗୀମାନେ ଏକ ପୁରସ୍କାର ପାଇବା ପାଇଁ ହକ୍ଦାର ହେବେ।
କେନ୍ସ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାଟି ଉପରେ ନଜର ପକାଇବା ମାତ୍ରେ ସେଆର୍ ବଜାରରେ ନିଜର ବିଫଳତାର କାରଣ ହୃଦୟଙ୍ଗମ କରିବା ତାଙ୍କ ପାଇଁ ସହଜ ହୋଇଗଲା। ତୁମେ ଯେଉଁ ଛବିକୁ ସୁନ୍ଦର ବୋଲି ପସନ୍ଦ କରିଛ, ତାକୁ ଯଦି ଅନ୍ୟମାନେ ମଧ୍ୟ ସୁନ୍ଦର ବୋଲି ପସନ୍ଦ କରି ନଥାନ୍ତି, ତେବେ ତୁମ ଛବିଟି ପ୍ରତିଯୋଗିତା ଜିତିବାର ସମ୍ଭାବନା ନ ଥାଏ; ଅପରପକ୍ଷେ ଯଦି ଅନ୍ୟମାନେ ଯେଉଁ ଛବିଟିକୁ ପସନ୍ଦ କରିଛନ୍ତି ବୋଲି ସଠିକ୍ ଅନୁମାନ କରି ତୁମେ ମଧ୍ୟ ସେଇଟିକୁ ପସନ୍ଦ କର, େତବେ ସେଇ ଛବିଟି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟଲାଭ କରିବାର ସମ୍ଭାବନା ଅଧିକ ହୋଇଥାଏ ଏବଂ ତା’ ସହିତ ତୁମେ ପୁରସ୍କାର ଲାଭ କରିବାର ସମ୍ଭାବନା ଅଧିକ ହୋଇଥାଏ। ଅର୍ଥାତ୍, ଏଭଳି ଏକ ପ୍ରତିଯୋଗିତାରେ ସଫଳତା ଲାଭ କରିବାର ଉପାୟ ହେଲା ଏହା: ତୁମେ ନିଜର ପସନ୍ଦ ଦ୍ବାରା ପରିଚାଳିତ ନ ହୋଇ ଅନ୍ୟର ପସନ୍ଦ ସମ୍ବନ୍ଧରେ ଯଥାସମ୍ଭବ ସଠିକ୍ ଅନୁମାନ କର ଓ ତା’ ସହିତ ନିଜର ପସନ୍ଦକୁ ଖାପ ଖୁଆଇବାକୁ ଚେଷ୍ଟା କର। କେନ୍ସଙ୍କ ଭାଷାରେ: ‘‘ସଫଳ ନିବେଶ ହେଉଛି ଅନ୍ୟମାନଙ୍କ ଅନୁମାନକୁ ସଫଳତାର ସହିତ ଅନୁମାନ କରିପାରିବା।’’ ଯେଉଁ ସେଆର୍କୁ ଅନ୍ୟମାନେ ଭବିଷ୍ୟତରେ ବହୁସଂଖ୍ୟାରେ କ୍ରୟ କରିବାକୁ ଯାଉଛନ୍ତି, ତୁମେ ଯଦି ତାହା ସଠିକ୍ ଭାବରେ ଅନୁମାନ କରି ବର୍ତ୍ତମାନ ତାହାକୁ କ୍ରୟ କର ଓ ଭବିଷ୍ୟତରେ ଚାହିଦା ବୃଦ୍ଧି ଯୋଗୁଁ ତାହାର ମୂଲ୍ୟ ବୃଦ୍ଧି ଘଟିଲେ ତାହାକୁ ବିକ୍ରି କରିଦିଅ, ତେବେ ଷ୍ଟକ୍ ମାର୍କେଟ୍ରେ ତୁମେ ଜଣେ ସଫଳ ନିବେଶକ ରୂପେ ବିବେଚିତ ହେବ। ପରବର୍ତ୍ତୀ ସମୟରେ କେନ୍ସ ଏହି କୌଶଳ ବ୍ୟବହାର କରି ଜଣେ ଅତ୍ୟନ୍ତ ସଫଳ ନିବେଶକରେ ପରିଣତ ହୋଇଥିଲେ।
ଅବଶ୍ୟ ଅନ୍ୟର ଅନୁମାନର ସଠିକ୍ ଅନୁମାନ କରିବା ଏକ ବିଶେଷ ଅନୁଶୀଳନ ଦକ୍ଷତା ଆବଶ୍ୟକ କରିଥାଏ, ସାଧାରଣତଃ ପେସାଦାର ଆନ୍ତର୍ଜାତିକ ନିବେଶକମାନେ ଯେଉଁ ଦକ୍ଷତାର ଅଧିକାରୀ ହୋଇଥାନ୍ତି। ଭାରତୀୟ ଷ୍ଟକ୍ ମାର୍କେଟ୍କୁ ବର୍ତ୍ତମାନ କେନ୍ସୀୟ ବିଉଟି କଣ୍ଟେଷ୍ଟ୍ରେ ଯେଉଁ ମର୍ଯ୍ୟାଦା ମିଳିବା ଦେଖାଯାଇଛି, ତା’ ପଛରେ ନିହିତ ଅଛି ଏହି ନିବେଶକମାନଙ୍କର କେନ୍ସସୁଲଭ ଅନୁଶୀଳନ, ଯେଉଁଥିରୁ ଭାରତୀୟ ଷ୍ଟକ୍ ମାର୍କେଟ୍ ଭବିଷ୍ୟତରେ ନିବେଶକମାନଙ୍କର ପ୍ରଥମ ପସନ୍ଦ ହେବାର ଦୃଢ଼ ସୂଚନାମାନ ଉପଲବ୍ଧ ହେଉଛି। ଉଦାହରଣ ସ୍ବରୂପ ଏକ ପ୍ରଖ୍ୟାତ ଥିଙ୍କ୍ ଟ୍ୟାଙ୍କ୍ ଗତ ବର୍ଷ ଏ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ସଂଗ୍ରହ କରିବା ଉଦ୍ଦେଶ୍ୟରେ ୧୦୦ଟି ଏପରି ନିବେଶ ଫଣ୍ଡ୍ମାନଙ୍କୁ ନେଇ ଏକ ସର୍ବେକ୍ଷଣ କରିଥିଲା, ଯେଉଁମାନଙ୍କର ମୋଟ ନିବେଶ ପାଣ୍ଠିର ଆକାର ଥିଲା ୨୬ ଲକ୍ଷ କୋଟି ଡଲାର୍। ସେମାନେ କେଉଁ ଦେଶରେ ସେମାନଙ୍କର ପାଣ୍ଠି ନିବେଶ କରିବା ନିମିତ୍ତ ପ୍ରଥମେ ପସନ୍ଦ କରିବେ ବୋଲି ସେମାନଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ସ୍ବରୂପ ଅଧିକାଂଶ ଭାରତକୁ ପ୍ରଥମ ସ୍ଥାନ, ବ୍ରାଜିଲ୍କୁ ଦ୍ବିତୀୟ ସ୍ଥାନ ଓ ଚୀନ୍କୁ ତୃତୀୟ ସ୍ଥାନ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ଟି ଫଣ୍ଡ୍ ଭାରତ ସଂପର୍କରେ ସକାରାତ୍ମକ ଆଭିମୁଖ୍ୟ ପ୍ରକାଶ କରିଥିଲେ। ୨୦୨୩ରେ ବିଦେଶୀ ଫଣ୍ଡ୍ମାନେ ଭାରତୀୟ ଷ୍ଟକ୍ ମାର୍କେଟ୍ରେ ୨୦୦୦ କୋଟି ଡଲାର୍ରୁ ଅଧିକ ପୁଞ୍ଜି ନିବେଶ କରିଥିଲେ।
ଭାରତ ଚଳିତ ବର୍ଷ ‘ଜେ ପି ମୋର୍ଗାନ୍ ଚେଜ୍’ ବିକାଶୋନ୍ମୁଖୀ-ବଜାର ଋଣପତ୍ରମାନଙ୍କ ପାଇଁ ସଂକଳନ କରୁଥିବା ‘ବେଞ୍ଚ୍ ମାର୍କ୍’ରେ ଯୋଗ ଦେବାକୁ ଯାଉଛି। ଏହା ହେଉଛି ସାଂପ୍ରତିକ ପୃଥିବୀରେ ଭାରତର ଅର୍ଥନୈତିକ-ରାଜନୈତିକ-ଭୌଗୋଳିକ ଗୁରୁତ୍ବକୁ ଏକ ସମ୍ମାନଜନକ ସ୍ବୀକୃତି ପ୍ରଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ୟୁକ୍ରେନ୍ ଆକ୍ରମଣ ଯୋଗୁଁ ରୁଷିଆ ଏଥିରୁ ବହିର୍ଭୁକ୍ତ ହେବା ଓ ଚୀନ୍ର ସରକାରୀ ଋଣପତ୍ର ତା’ର ଆକର୍ଷଣ ହରାଇବାକୁ ଆରମ୍ଭ କରିଥିବା ପୃଷ୍ଠଭୂମିରେ ଭାରତ ପାଇଁ ଏହି ଯୋଗଦାନ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ‘ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପ୍’ ଦ୍ବାରା କରାଯାଇଥିବା ପୂର୍ବାନୁମାନ ଅନୁସାରେ ଏଥିଯୋଗୁଁ ଆସନ୍ତା ୧୮ ମାସ ମଧ୍ୟରେ ଭାରତ ଭିତରକୁ ଅଧିକ ୪୦୦ କୋଟି ଡଲାର୍ ପୁଞ୍ଜି ପ୍ରବାହିତ ହେବାକୁ ଯାଉଛି। ଚାଳିଶ ଜଣ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ସାହାଯ୍ୟରେ ‘ବ୍ଲୁମ୍ବର୍ଗ’ କରିଥିବା ଅନୁଶୀଳନ ଅନୁସାରେ ଅନ୍ତତଃ ଆସନ୍ତା ସାତ ଚଉଠ ଧରି, ଅର୍ଥାତ୍ ଅାଗାମୀ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଚୀନ୍କୁ ପଛରେ ପକାଇ ରଖିବାକୁ ଯାଉଛି। ୨୦୨୭ ବେଳକୁ ଜାପାନ୍କୁ ହଟାଇ ଭାରତ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।
ଭାରତୀୟ ଅର୍ଥନୀତିର ଏହି ନବଆବିଷ୍କୃତ ଶକ୍ତି ଏହାର ସେଆର୍ ବଜାର ଓ ଋଣପତ୍ର ବଜାରରେ ଅନିବାର୍ଯ୍ୟ ଭାବରେ ପ୍ରତିଫଳିତ ହୋଇ ଏହାର ଯେଉଁଭଳି ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଛି, ତାହା ହିଁ ତାକୁ ବର୍ତ୍ତମାନ ଏସିଆ ସୁନ୍ଦରୀରେ ପରିଣତ କରିଛି। ଯଦି ଏହି ଧାରା ଅବ୍ୟାହତ ରହେ, ଦିନେ ବିଶ୍ବ ସୁନ୍ଦରୀ ମୁକୁଟ ମଧ୍ୟ ଆମର ନ ହେବାର କୌଣସି କାରଣ ନାହିଁ।