ସତ୍ୟକାମ ମିଶ୍ର

Advertisment

ଭୁବନେଶ୍ୱର ମ୍ୟୁନିସିପାଲିଟିରେ ନିକଟରେ ଘଟିଥିବା ଅପ୍ରୀତିକର ଘଟଣାକୁ ଏକ ସାଧାରଣ ଆପରାଧିକ ଘଟଣା ଭାବେ ଧରିନେଇ ଅଭିଯୁକ୍ତମାନଙ୍କୁ ଗିରଫ କରି ମକଦ୍ଦମା କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ। ସରକାରୀ ପଦାଧିକାରୀମାନେ ବିଭିନ୍ନ ସମୟରେ ଲୋକମାନଙ୍କର ଆକ୍ରୋଶର ଶିକାର ହେବା କିଛି ନୂଆ କଥା ନୁହେଁ, କିନ୍ତୁ ଏହି ସମସ୍ୟାର ପ୍ରତିକାର ପାଇଁ ଭୁବନେଶ୍ୱର ଘଟଣା ଉପରେ ଗଭୀର ଚିନ୍ତନ ଓ ଅନୁଶୀଳନ ଆବଶ୍ୟକ।
ଗୋଟିଏ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଯେଉଁମାନେ ସରକାରୀ ଚାକିରି କରୁଛନ୍ତି ସେମାନେ ନିଜକୁ ଲୋକମାନଙ୍କର ସେବକ ବୋଲି ଭାବି ସେବା ପ୍ରଦାନ କରିବା ଏବଂ ଜନପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ବିଧେୟ। ଯେଉଁଠାରେ ଏହାର ବ୍ୟତିକ୍ରମ ଘଟେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଅବଶ୍ୟମ୍ଭାବୀ।
ଅନେକ ସମୟରେ ସରକାରୀ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ଶାସକ ଦଳର ବଚସ୍କର ରୂପେ କାର୍ଯ୍ୟକରି ନିଜ ପାଇଁ ସମସ୍ୟା ସୃଷ୍ଟି କରିଥାଆନ୍ତି। ସେହିପରି କ୍ଷମତାରେ ନଥିବା ଲୋକମାନଙ୍କୁ ହେୟଜ୍ଞାନ କରୁଥିବା ଓ ପାତରଅନ୍ତର କରୁଥିବା ମଧ୍ୟ ଦେଖିବାକୁ ମିଳେ। ଏପରିକ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରିବା ମଧ୍ୟ ଦେଖିବାକୁ ମିଳେ। ସଚ୍ଚୋଟ ତଥା ସାହାଯ୍ୟକାରୀ ଅଧିକାରୀମାନେ କ୍ବଚିତ୍‌ ଜନଆକ୍ରୋଶର ଶିକାର ହୁଅନ୍ତି। ଅନେକ ସମୟରେ ଦେଖାଯାଏ ଯେ କିଛି ଅଧିକାରୀ ଲୋକମାନଙ୍କର ଅତ୍ୟନ୍ତ ଶ୍ରଦ୍ଧାଭାଜନ ହୋଇଥାଆନ୍ତି। ସେମାନଙ୍କର ସ୍ଥାନାନ୍ତର ହେଲେ ଲୋକମାନେ ତାକୁ ବିରୋଧ କରି ରାଜ ରାସ୍ତାକୁ ଆସନ୍ତି, ଆନ୍ଦୋଳନ କରନ୍ତି ଓ ସେମାନଙ୍କର ବଦଳି ବାତିଲ କରିବା ପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି। ସେହିପରି ଅବସର ନେଇଥିବା ପ୍ରିୟ ଅଧିକାରୀମାନଙ୍କୁ ସାଧାରଣ ସଭା କରି ବିଦାୟ ସମ୍ବର୍ଦ୍ଧନା ଦେବା ଏବଂ ସ୍ଥଳବିଶେଷରେ ସେମାନଙ୍କୁ ହାତୀ ପିଠିରେ ବସାଇ ବୁଲାଇବାର ନଜିର ମଧ୍ୟ ଅଛି।
ନିଜର କୌଣସି ଦୋଷ ନ ଥାଇ ସମୟ ସମୟରେ ଡାକ୍ତରମାନେ ରୋଗୀମାନଙ୍କର ଆତ୍ମୀୟ ସ୍ବଜନଙ୍କ ଦ୍ୱାରା ନିର୍ଯାତନା ଭୋଗୁଥିବା ଦେଖାଯାଏ। ଡାକ୍ତରଖାନାରେ ବିଭିନ୍ନ ଅଭାବ ଅସୁବିଧା ଭିତରେ କାର୍ଯ୍ୟ କରୁଥିବା ସମୟରେ ରୋଗୀର ଆତ୍ମୀୟମାନେ ନିଜ ରୋଗୀକୁ ବିଶେଷ ଧ୍ୟାନ ଦେବାପାଇଁ ଡାକ୍ତରଙ୍କୁ ବାଧ୍ୟ କରନ୍ତି, ଯାହାକି ଡାକ୍ତରମାନଙ୍କ ପକ୍ଷରେ ମାନିବା ସମ୍ଭବ ହୋଇ ନ ଥାଏ। ଯଦି ସେହିଭଳି ଗୋଟିଏ ରୋଗୀ ମରିଯାଏ ତେବେ ଡାକ୍ତର ମାଡ଼ ଖାଆନ୍ତି। ଅଧିକାଂଶ କ୍ଷେତ୍ରରେ ଡାକ୍ତରମାନଙ୍କର ଦୋଷ ନ ଥାଏ। ସରକାରୀ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଡାକ୍ତରମାନଙ୍କୁ ମାଡ଼ ଖାଇବାକୁ ପଡ଼ିଥାଏ। ପ୍ରଶାସନିକ କ୍ଷେତ୍ରରେ କିନ୍ତୁ ଅଧିକାରୀମାନେ ଦୁର୍ବ୍ୟବହାରର ଶିକାର ହେବା ବ୍ୟବସ୍ଥାଗତ ବିଫଳତା ଯୋଗୁଁ ହୋଇ ନଥାଏ। ଅଧିକାଂଶ କ୍ଷେତ୍ରରେ ନିଜର ଆଚରଣ ନିଜ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଯେଉଁମାନେ ସେମାନଙ୍କୁ ମାଡ଼ ମାରୁଛନ୍ତି ସେମାନେ ନିଶ୍ଚିତ ଭାବେ ଏକ ଭୁଲ୍‌ କରୁଛନ୍ତି ଏବଂ ସେମାନେ ଦଣ୍ଡ ପାଇବା ଉଚିତ, କିନ୍ତୁ ତାହା ସହିତ କେଉଁ କାରଣ ଯୋଗୁଁ ଲୋକେ ତାଙ୍କୁ ମାରିବା ପର୍ଯ୍ୟନ୍ତ କଥା ଗଲା ତାହାର ଅନୁସନ୍ଧାନ ମଧ୍ୟ ଆବଶ୍ୟକ। କାରଣ, ଏହା ଏକ ନିତ୍ୟନୈମିତ୍ତିକ ଘଟଣା ନୁହେଁ କିମ୍ବା ସବୁ ଅଧିକାରୀମାନଙ୍କ କ୍ଷେତ୍ରରେ ଘଟେ ନାହିଁ। କଦବା କ୍ବଚିତ୍‌ ଏହି ଘଟଣା ଘଟିଥାଏ। ତେଣୁ ଏହା ପଛର କାରଣ ଖୋଜିବା ଏବଂ ସେଥିପାଇଁ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ପ୍ରଶାସନିକ ସଂସ୍କାର ପାଇଁ ଏହା ଅତ୍ୟନ୍ତ ଜରୁରି।
ସୁରକ୍ଷା ଅଭାବରୁ ସରକାରୀ କର୍ମଚାରୀମାନେ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୁଅନ୍ତି। ପୁଲିସମାନେ ମଧ୍ୟ ଏଥିରୁ ବାଦ ପଡ଼ନ୍ତି ନାହିଁ। ଏପରି ଘଟଣାକୁ ଏଡ଼ାଇବା ପାଇଁ ଅଭିଜ୍ଞତା ଓ ଦୂରଦୃଷ୍ଟି ଆବଶ୍ୟକ। କନିଷ୍ଠ ଅଧିକାରୀମାନଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରିବା ପୂର୍ବରୁ ବରିଷ୍ଠ ତଥା ଅଭିଜ୍ଞ କର୍ମଚାରୀମାନେ ସାମ୍ଭାବ୍ୟ ପରିସ୍ଥିତି ବିଷୟରେ ଠିକ୍‌ ପୂର୍ବାନୁମାନ କରି ତାହାକୁ ମୁକାବିଲା କରିବାପାଇଁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା କରି ଅଧିକାରୀମାନଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ପଠାଇବା ବିଜ୍ଞତାର କାର୍ଯ୍ୟ। ଯେଉଁଠି ଏଥିରେ ଅବହେଳା କରାଯାଉଛି ସେଠାରେ ଅଧିକାରୀମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ଅଧିକାରୀମାନଙ୍କର ସଂଘ ଏ ବିଷୟରେ ସରକାରଙ୍କୁ ଅବଗତ କରି ନିଜ ପାଇଁ ଏକ ସ୍ଥାୟୀ ସୁରକ୍ଷା ପ୍ରକ୍ରିୟା କାର୍ଯ୍ୟକାରୀ କରାଇବା ଆବଶ୍ୟକ। ଏହା କରାଗଲେ ତହସିଲଦାରମାନଙ୍କୁ ବାଲି ମାଫିଆ ହୁଅନ୍ତୁ କିମ୍ବା ସରକାରୀ ଜମି ଜବରଦଖଲକାରୀ ହୁଅନ୍ତୁ, କେହି ଆକ୍ରମଣ କରିବାକୁ ସାହାସ କରିବେନି।
ଲୋକମାନେ ବିଭିନ୍ନ କାମ ପାଇଁ ବାରମ୍ବାର ଦୌଡ଼ିବା ପରେ ଯଦି ଅଧିକାରୀମାନେ ଲୋକମାନଙ୍କର ଅସୁବିଧାକୁ ହୃଦୟଙ୍ଗମ ନ କରି ନିଜ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରନ୍ତି ନାହିଁ ସେଠାରେ ଲୋକଙ୍କ ମନରେ ଅସନ୍ତୋଷ ଜାତ ହୋଇ ତାହା କ୍ରୋଧରେ ପରିଣତ ହୁଏ। ସେମାନଙ୍କର କ୍ରୋଧ ପ୍ରଶମିତ କରିବା ପରିବର୍ତ୍ତେ ଯଦି ସଂପୃକ୍ତ ଅଧିକାରୀ ନିଜେ କ୍ରୋଧାନ୍ୱିତ ହୋଇ କଥାବାର୍ତ୍ତା କରନ୍ତି ତେବେ ପରିସ୍ଥିତି ଗୁରୁତର ହୁଏ।
ଏ ପ୍ରସଙ୍ଗରେ ଗୋଟିଏ ଘଟଣା ମନେ ପଡ଼େ। ପ୍ରାୟ ଛଅ ସାତ ବର୍ଷ ତଳେ ପୁରୀରେ ନୀଳାଦ୍ରି ବିଜୟ ଉତ୍ସବ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ପୁରୀ ଜିଲ୍ଲାପାଳଙ୍କୁ କିଛି ଯୁବକ ଗାଳିଗୁଲଜ କଲେ। ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଚୁପ୍‌ ରହିଲେ। ପରିସ୍ଥିତି ଶାନ୍ତ ହୋଇଗଲା। ପରେ ଅବଶ୍ୟ ସଂପୃକ୍ତ ଯୁବକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ତେଣୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ସକାଶେ ଅଧିକାରୀମାନେ ଭାଷା ଓ ଆଚରଣରେ ସଂଯମ ଓ ଧୈର୍ଯ୍ୟ ଅବଲମ୍ବନ କରିବା ଉଚିତ।
ଭୁବନେଶ୍ୱର ମ୍ୟୁନିସିପାଲିଟିରେ ଯାହା ଘଟିଲା ତାହା ଅତର୍କିତ ଭାବେ ଘଟିଲା। ସେପରି ଏକ ସମ୍ବେଦନଶୀଳ ଘଟଣା ଘଟିବ ବୋଲି ବୋଧହୁଏ କେହି ଆଶଙ୍କା କରି ନଥିଲେ। କାର୍ଯ୍ୟାଳୟରେ ଅନ୍ୟମାନେ ମଧ୍ୟ ଏପରି ଏକ ଅଭାବନୀୟ ପରିସ୍ଥିତି ଉପୁଜିବା ବିଷୟ ଚିନ୍ତା କରିନଥିଲେ। ଘଟଣାଟି ଘଟିଲା ବେଳେ ଅନ୍ୟାନ୍ୟ କର୍ମଚାରୀ ସଂପୃକ୍ତ ଅଧିକାରୀଙ୍କ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରୁଥିବା ଦୃଶ୍ୟ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇନଥିଲା। ଏଠି ସରକାରଙ୍କର କ’ଣ ଦୋଷ ରହିଲା? ସଂପୃକ୍ତ ଯୁବକମାନଙ୍କୁ ଗିରଫ କରିବାରେ ସରକାର କୌଣସି ଅବହେଳା ପ୍ରଦର୍ଶନ କରି ନାହାନ୍ତି। ଏହି ଘଟଣାକୁ ଆଳ କରି କିଛି ରାଜନୈତିକ ବ୍ୟକ୍ତି ବାଣୀବିହାରରୁ ମାଷ୍ଟର କାଣ୍ଟିନ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ଜନସାଧାରଣଙ୍କୁ ଅକଥନୀୟ ନିର୍ଯାତନା ଦେଲେ। ସେମାନେ ଅତୀତରେ ନିଜେ କରିଥିବା କର୍ମକୁ ଭୁଲିଗଲେ। ୨୦୧୯ ନିର୍ବାଚନରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଜଣେ ବିଧାୟକ ରାସ୍ତା ଉପରେ ଜଣେ ଯନ୍ତ୍ରୀଙ୍କୁ କାନ ଧର ବସ ଉଠ କରାଇଥିଲେ।
ଆହୁରି ସେହିପରି ଅନେକ ଘଟଣା ଅଛି। ମୋଟ ଉପରେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବାପାଇଁ ଗୋଟିଏ ରାଜନୈତିକ ଦଳ ଆଉ ଗୋଟିଏ ରାଜନୈତିକ ଦଳକୁ ଦୋଷାରୋପ କରିବା ହାସ୍ୟାସ୍ପଦ ଓ ରାସ୍ତା ଅବରୋଧ କରିବା ଏକ ଅପରାଧ। ଏହା କୌଣସି ଦଳର ଆଦର୍ଶ ନୁହେଁ। ଦାୟିତ୍ବସଂପନ୍ନ ଅଧିକାରୀମାନେ ଏଭଳି ବର୍ବରୋଚିତ ଘଟଣା ବିରୁଦ୍ଧରେ ପ୍ରତିବାଦ କରିବା ଯୁକ୍ତି ଯୁକ୍ତ କିନ୍ତୁ, ନିଜର ଦାୟିତ୍ବ ନିର୍ବାହ ନକରି ଛୁଟିରେ ରହି ପ୍ରତିବାଦ କରିବା ଆଦର୍ଶ ଆଚରଣ ନୁହେଁ। ଏହା ଦ୍ବାରା ସେମାନେ ଜନସାଧାରଣଙ୍କର କ୍ଷତି କରୁଛନ୍ତି ଏବଂ ସେମାନଙ୍କର ସହାନୁଭୂତିରୁ ବଂଚିତ ହେଉଛନ୍ତି, ଏଥିରେ ସନ୍ଦେହ ନାହିଁ। ଏହି ସମସ୍ୟା ସମ୍ପର୍କରେ ଅଧିକାରୀଙ୍କ ସଂଘ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏକ ଦୃଢ଼ ଓ ସ୍ଥାୟୀ ଯୋଜନା କାର୍ଯ୍ୟକାରୀ କରନ୍ତୁ। ଭୁବନେଶ୍ୱର ଘଟଣା ଏଥିପାଇଁ ସୁଯୋଗ ସୃଷ୍ଟି କରିଛି। ଏହାର ସଦୁପଯୋଗ ହେଉ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨ ୭୭୩୧୩