‘ହୋ’ ଲିପିର ସ୍ରଷ୍ଟା – ପଣ୍ଡିତ ଲାକୋ ବଦ୍ରା

ଜୟନ୍ତୀ ଉପଲକ୍ଷେ - ଶ୍ରୀ ଦୁଲା ବାଙ୍କିରା

ଅନେକ ଭାଷାତତ୍ତ୍ୱବିଦ୍ ମାନଙ୍କମତରେ ‘ହୋ’ ଭାଷା ଆଷ୍ଟ୍ରୋଏସିଆଟିକ୍ ଭାଷା ପରିବାରର ଅନ୍ତର୍ଭୁକ୍ତ। ‘ହୋ’ର ଅର୍ଥ ହେଉଛି ‘ମଣିଷ’। ହୋ ଭାଷାଭାଷୀ ଲୋକମାନେ ଝାଡଖଣ୍ଡ ରାଜ୍ୟର ଛୋଟନାଗପୁର ମାଳଅଞ୍ଚଳରୁ ବିସ୍ତାରିତ ହୋଇ ବିଭିନ୍ନ ଜିଲ୍ଲା ଓ ରାଜ୍ୟରେ ବସବାସ କରୁଛନ୍ତି। ହୋ ଭାଷା ସାଧାରଣତଃ କୋହ୍ଲ, କୋଲ,ହୋ ସମ୍ପ୍ରଦାୟର ଲୋକମାନଙ୍କର କଥିତ ଭାଷା। ବର୍ତ୍ତମାନ ଏହି ଭାଷା ଓଡିଶା, ଝାଡଖାଣ୍ଡ, ଛତିଶଗଡ, ବିହାର, ପଶ୍ଚିମବଙ୍ଗ ଓ ଆସାମର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରଚଳିତ । ୨୦୧୧ ଜନଗଣନା ଅନୁସାରେ ଭାରତବର୍ଷରେ ଏମାନଙ୍କ ସଂଖ୍ୟା ୧୪,୨୧,୪୧୮।

ବିଭିନ୍ନ ରାଜ୍ୟରେ ବାସ କରୁଥିବା ‘ହୋ’ ସମ୍ପ୍ରଦାୟର ଲୋକମାନଙ୍କପାଇଁ ରାଜ୍ୟ ଭାଷାରେ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟ ପର୍ଯ୍ୟନ୍ତ ପ୍ରଚଳନ ବ୍ୟବସ୍ଥା ରହିଛି। କିନ୍ତୁ ‘ହୋ’ ଭାଷାର ବହୁଳ ଭାବରେ ବହି ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଟେକନୋଲୋଜିରେ ହୋ ଭାଷାର ସଂସ୍କୃତି, ପରମ୍ପରା ଇତ୍ୟାଦି ଉପଲବ୍ଧ ନାହିଁ। ଯାହା ଫଳରେ ଆଗାମୀ ଯୁବ ବର୍ଗଙ୍କ ମାନଙ୍କ ପାଇଁ ହୋ ସଂସ୍କୃତି, ପରମ୍ପରା ବିଷୟରେ ଜାଣିପାରିବା କଷ୍ଟକର ହେବାକୁ ଯାଉଛି। ଭାଷାଗତ ତାରତମ୍ୟ ଯୋଗୁଁ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ବାର୍ତ୍ତାଗୁଡିକୁ ଠିକ୍ ଭାବରେ ବୁଝିବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ଆଜିର ଦିନରେ ‘ହୋ’ ଭାଷାର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ହେଲେ ଉପଯୁକ୍ତ ଡକୁମେଣ୍ଟେସନ୍ ବା ରେକର୍ଡିକରଣର ଆବଶ୍ୟକତା ରହିଛି। ଯେତେବେଳ ପର୍ଯ୍ୟନ୍ତ ଭାଷାର ‘ଲିପି’ ର ଉଦ୍‌ଭାବନ ବା ‘ଭାଷା’ ର ପ୍ରଚାର ପ୍ରସାର ବା ସେ ଭାଷାରେ ସାହିତ୍ୟ ସର୍ଜନା – ହୋଇନାହିଁ ସେ ପର୍ଯ୍ୟନ୍ତ ଉକ୍ତ ଭାଷା ଅବକ୍ଷୟମୁଖୀ ହୋଇଯାଏ। କିନ୍ତୁ ଆନନ୍ଦର କଥା ଅବକ୍ଷୟମୁଖୀ ହୋ ଭାଷାକୁ ସ୍ଥାୟୀଭାବରେ ସଂରକ୍ଷିତ କରିବା ପାଇଁ ବିଶିଷ୍ଟ ଆଦିବାସୀ ଭାଷା ବିଶାରଦ, ଭାଷାତତ୍ତ୍ୱବିତ୍ ପଣ୍ଡିତ ଲାକୋ ବଦ୍ରା –ଏହି ଭାଷାର ଲିପିକୁ ଉଦ୍‌ଭାବନ କରିଛନ୍ତି । ଏହି ଲିପିର ନାମ ହେଉଛି “ୱାରାଂ ଚିତି”। ଏହି ଲିପି ସ୍ରଷ୍ଟାଙ୍କର ଆଜିର ଶୁଭଦିନରେ ତାଙ୍କୁ ଅଶେଷ ଅଶେଷ ପ୍ରଣାମ।

ପଣ୍ଡିତ ଲାକୋ ବଦ୍ରା ୧୯୧୯ ସେପ୍ଟେମ୍ବର ୧୯ ତାରିଖ ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ପାସେୟା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ପୁରୁନିଆ ବିଦ୍ୟାଳୟରେ ପାଠ ପଢୁବିବା ବେଳେ ତାଙ୍କର ଜଣେ ଶିକ୍ଷକ ମହାବୀର ପ୍ରସାଦ ଦ୍ୱିବେଦୀ କହିଥିଲେ ଯେ -Any community with no language literature, or script of its own is equal to an animal without horn and tail। ଏହି ବାକ୍ୟଟି ପଣ୍ଡିତ ଲାକୋ ବଦ୍ରାଙ୍କ ମନକୁ ସ୍ପର୍ଶ କରିଥିଲା। ତାଙ୍କ ଜେଜେମା ତାଙ୍କୁ କହୁଥିଲେ ଯଦି ତୁମେ ନିଜ ଦେଶ ବିଷୟରେ ଭାବିବ, ଯଦି ତୁମେ ନିଜ ମା ପାଇଁ ଚିନ୍ତା କରିବ, ତେବେ ତୁମେ ତାହା ପାହାଡ ପର୍ବତରେ ଖୋଜିଲେ ପାଇପାରିବ। ଏହି ଉକ୍ତି ମଧ୍ୟ ତାଙ୍କ ମନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା।

ପଞ୍ଜାବରେ ସ୍ନାତକୋତ୍ତର ପାଠ ପଢୁଥିଲା ବେଳେ ସେ ଲିପିର ଅନୁସନ୍ଧାନ ହରପ୍ପା ଏବଂ ମହେନ୍‌ଜଦାରୋ ସଭ୍ୟତା ଓ ସଂସ୍କୃତିକୁ ଗଭୀରଭାବରେ ଅନୁଧ୍ୟାନ କରିଥିଲେ। ୧୯୪୨ରେ ସେଠାରୁ ଫେରିଲା ପରେ ସେ ୫ ବର୍ଷ ପାଇଁ ରେଳବାଇରେ ଚାକିରି କରିବା ସମୟରେ ‘ହୋ’ ଲିପିକୁ ସହକର୍ମୀମାନଙ୍କ ପାଖରେ ଉପସ୍ଥାପନ କରୁଥିଲେ । ସେ ଲିପିକୁ ଆଙ୍କିବା ପାଇଁ ଆଳୁ ଓ ଷ୍ଟାମ୍ପର ବ୍ୟବହାର କରୁଥିଲେ । ତା’ ସହିତ ପଥର ଏବଂ ଭୂମିରେ ମଧ୍ୟ ଲିପିକୁ ଲେଖୁଥିଲେ।

ପତ୍ନୀଙ୍କର ଭାଇ ନ ଥିବାରୁ ପଣ୍ଡିତ ଲାକୋ ବଦ୍ରା କେନ୍ଦୁଝର ଜିଲ୍ଲାରେ ପତ୍ନୀଙ୍କ ଘରେ ରହୁଥିଲେ। ଲିପିର ସନ୍ଧାନପାଇଁ ସେ ଗୁମ୍ଫା ଏବଂ ଜଙ୍ଗଲ ସ୍ଥାନରେ ବୁଲୁଥିଲେ ଏବଂ ସେହି ପାହାଡ ପର୍ବତରେ କିଛି ଦିନ ବିତାଉଥିଲେ। ସେ ପ୍ରଥମେ ୧୯୪୯ ମସିହାରେ‘ହୋ’ ଲିପି (ୱାରାଂ ଚିତି)କୁ ତାଙ୍କ ହୋ ସମ୍ପ୍ରଦାୟଙ୍କ ସମ୍ମୁଖରେ ପରିଚିତ କରାଇଥିଲେ । ୱାରାଂ ଚିତିର ଅର୍ଥ ହେଉଛି ଅଦୃଶ୍ୟ ଶବ୍ଦର ଲେଖା ପ୍ରଣାଳୀ । ୱାରାଂ ଚିତି ଲିପିରେ ୩୨ଟି ଅକ୍ଷର ରହିଛି। ଏହାର ପ୍ରଥମ ଅକ୍ଷର ହେଉଛି ‘ଓଁ’ । ଏହି ୱାରାଂ ଶବ୍ଦଟି ପାଞ୍ଚଗୋଟି ଅକ୍ଷରକୁ ନେଇ ଗଠିତ ଯଥା- ହୟ, ବୁଃ, ଆଃ, ହାର୍ ଏବଂ ଅଂ । ଏହି ପାଞ୍ଚଗୋଟି ଅକ୍ଷର ଆମ ଶରୀରର ପଞ୍ଚଭୂତ ସହିତ ମଧ୍ୟ ସଂପୃକ୍ତ । ଏହି ପାଞ୍ଚଗୋଟି ତତ୍ତ୍ୱ ହେଉଛି କ୍ଷିତି, ଅପ୍‌, ତେଜ୍‌, ମରୁତ୍ ଏବଂ ବ୍ୟାମ । ତେଣୁ ହୋ ଭାଷାର ଭିତ୍ତିଭୂମି ଭାବରେ ପରିଚିତ ଏହି ପାଞ୍ଚଗୋଟି ଅକ୍ଷର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ସେ ‘ହୋ’ ଭାଷା ଓ ଲିପିର ପ୍ରଚାର ପ୍ରସାର ଦିଗରେ ତାଙ୍କ ଜୀବନକୁ ଉତ୍ସର୍ଗ କଲେ। ସଂପର୍କୀୟ ଭାଇ ସୁରେନ୍ଦ୍ର ନାଥ ବିରୁଆ ୧୯୫୨ ରୁ ୧୯୫୬ ପର୍ଯ୍ୟନ୍ତ ଏମ.ଏଲ୍‌.ଏ. ଥିବାବେଳେ ସେ ପଣ୍ଡିତ ଲାକୋ ବଦ୍ରାକୁ ଭାଷା ଓ ଲିପିର ପ୍ରଚାର ପ୍ରସାର ପାଇଁ ବହୁତ ସାହାଯ୍ୟ କରିଥିଲେ। ଚାଇଁବାସାରେ ହାନିଫ୍‍ କମ୍ପାନୀର ବସରେ କେବଳ ତେଲ ପକାଇ ବିଭିନ୍ନ ସ୍ଥାନକୁ ଯାଇ ଭାଷା ଓ ଲିପି (ୱାରାଂ ଚିତି) ର ପ୍ରଚାର ପ୍ରସାର କରୁଥିଲେ। ୧୯୫୪ରେ ଓଡିଶା ଏବଂ ବେଙ୍ଗଲକୁ ଯାତ୍ରା କରିଥିଲେ।

୧୯୫୩-୫୪ରେ, ପଶ୍ଚିମ ସିଂଭୂମ ଜିଲ୍ଲାର ଝିଙ୍କପାନିରେ ସେ “ଏଟେଃ ତୁରତୁଂ ପିଟିକା ଆକାଳା”(Institute of Ancient Culture and Science Society) ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ସେ “ଆଙ୍ଗ ଇପିଲ୍‌” ପ୍ରଣ୍ଟିଂ ପ୍ରେସ୍ ମଧ୍ୟ ପ୍ରତିଷ୍ଠା କରିଥିଲେ । ପ୍ରଥମେ କାଠ ତିଆରି ଅକ୍ଷରରେ ଛାପୁଥିଲେ, ତା’ ପରେ ଫଣ୍ଟର ସ୍ଟେନସିଲ୍ କଲିକତାରୁ ପ୍ରସ୍ତୁତ କରି ଆଣିଥିଲେ। ଏହି ଛାପା ଖାନାରେ ବହୁ ଗୁଡିଏ ବହି ମୁଦ୍ରଣ କରାଯାଇଛି । ସେଗୁଡିକ ହେଲା – “ଏଲା ଅଲ୍ ଇତୁ ଉଟା”, “ସାଳା ଶୁଦା ସାଗେନ୍‌”, “ହୋ ହାୟାମ୍ ପାମ୍ ପୁତି”, “ହାଲାଂ ହାଲ୍‌ପୁଂ”, “ହୋ ବାକାଣା”, “ସା-ର୍ ହରା”, “ବା ବୁରୁ ବଂଗା ବୁରୁ”, ଇତ୍ୟାଦି। ୧୯୫୮ରେ ରାଜ୍ୟସଭା ସଭ୍ୟ ଟି. ବଦ୍ରାଙ୍କ ସହିତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ପାଖରେ ୱାରାଂଚିତି ଲିପି ସମ୍ବନ୍ଧରେ ପରିଚୟ ଦେଇଥିଲେ। ୧୯୭୬ରେ ପଣ୍ଡିତ ଲାକୋ ବଦ୍ରାଙ୍କ ସହିତ ବଳରାମ ପାଟପିଙ୍ଗୁଆ ଏବଂ ଅନ୍ୟାନଙ୍କ ସହିତ “ଅଖିଳ ଆଦିବାସୀ ଭାରତୀୟ ସାଂସ୍କୃତିକ ସମାରୋହ” ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ମୁଖରେ ହୋ ଭାଷା ଓ ଲିପି ବିଷୟରେ ନିଜର ବକ୍ତବ୍ୟ ଦେଇଥିଲେ। ଇନ୍ଦିରା ଗାନ୍ଧୀ ପଣ୍ଡିତ ଲାକୋ ବଦ୍ରାଙ୍କୁ “Chief of the Chief’’ ଭାବରେ ସମ୍ମାନିତ କରିବା ସହିତ ଗୋଲ୍ଡ ମେଡାଲ୍ ପ୍ରଦାନ କରିଥିଲେ ।

୧୯୮୦ରେ ରାଞ୍ଚି ବିଶ୍ୱବିଦ୍ୟାଳୟରେ ଆଦିବାସୀ ଏବଂ ଆଞ୍ଚଳିକ ଭାଷାର ବିଭାଗରେ ୯ଟି ଭାଷାର ଅନ୍ତର୍ଭୁକ୍ତ କରାଯାଇଥିଲା । ସେଥି ମଧ୍ୟରୁ ହୋ ଭାଷା ମଧ୍ୟ ଥିଲା । ସେହି ହୋ ଭାଷାର ମୁଖ୍ୟ ପରାମର୍ଶଦାତା ସଦସ୍ୟ ଭାବରେ ପଣ୍ଡିତ ଲାକୋ ବଦ୍ରାଙ୍କୁ ନିଯୁକ୍ତ କରାଯାଇଥିଲା। ହୋ ଭାଷାରେ ପାଠ୍ୟଖସଡା ତିଆରି କରିବାରେ ତାକୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା । ଏହାର ପାଠ୍ୟକ୍ରମ ୧୯୮୪ ମସିହାଠାରୁ ଆରମ୍ଭ ହେଲା। “ହୋ’ ଭାଷାକୁ ଲେଖିବା ପାଇଁ ଇଂରାଜୀ, ଦେବନାଗରୀ ଲିପି, ଓଡିଆ ଲିପି, ବେଙ୍ଗଲୀ ଲିପିର ବ୍ୟବହାର କରାଯାଉଛି। ୧୯୮୬ରେ ମୟୂରଭଞ୍ଜ ଜିଲ୍ଲାର ସିଙ୍ଗଡାଠାରେ ଆନୁଷ୍ଠାନିକ ଭାବରେ ହୋ ଭାଷାର ଲିପି “ୱାରାଂ ଚିତି” ଲିପି କୁ ସମ୍ପ୍ରଦାୟ ସମ୍ମୁଖରେ ଘୋଷଣା କରାଗଲା । ସେହି ସଭା ଥିଲା ତାଙ୍କର ଶେଷ ସଭା । ୧୯୮୬ ଜୁନ ୨୯ ତାରିଖ ଦିନ ଜାମସେଦପୁର୍‌, ଟାଟା ମୁଖ୍ୟ ଡାକ୍ତରଖାନାରେ ଗୁରୁ କୋଲ ଲାକୋ ବଦ୍ରା ଶେଷ ନିଃଶ୍ୱାସ ତ୍ୟାଗ କଲେ। ସେହି ଯୁଗସ୍ରଷ୍ଟା ମହାପୁରୁଷଙ୍କୁ ତାଙ୍କର ୧୦୨ ତମ ଜୟନ୍ତୀରେ ସଶ୍ରଦ୍ଧ ପ୍ରଣାମ ।

ଗବେଷକ, କିସ୍‍ ବିଶ୍ୱବିଦ୍ୟାଳୟ,
ମୋ – ୯୯୩୮୩୯୫୩୪୬

ସମ୍ବନ୍ଧିତ ଖବର