ଦୟନୀୟ ଜେନେରାଲ

୧୯୯୯ ମସିହା ଫେବ୍ରୁଆରି ୧୯ ତାରିଖରେ ପାକିସ୍ତାନ ସହିତ ସୁସ˚ପର୍କ ସ୍ଥାପନ ଅଭିପ୍ରାୟରେ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ଐତିହାସିକ ବସ୍‌ ଯାତ୍ରା ପରେ ପାକିସ୍ତାନର ପରିଚୟ ବହନକାରୀ ସ୍ମାରକୀ ମିନାର-ଏ-ପାକିସ୍ତାନରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ, ତାହାର ମର୍ମ ଏୟା ଥିଲା ଯେ ଏହି ଉପମହାଦେଶର ମଙ୍ଗଳ ସକାଶେ ଏକ ସମୃଦ୍ଧ ପାକିସ୍ତାନ ସର୍ବଦା କାମ୍ୟ। ଶୁଣିବାକୁ ମିଳେ ଯେ ବାଜପେୟୀ ମହାଶୟ ମିନାର-ଏ-ପାକିସ୍ତାନ ଛାଡ଼ିବା ପରେ ତାର ପାବଚ୍ଛ ଶ୍ରେଣୀକୁ ଧୁଆ ଯାଇଥିଲା; ସମ୍ଭବତଃ ବାଜପେୟୀଙ୍କ ପଦ-ସ୍ପର୍ଶଜନିତ ଅପବିତ୍ରତାରୁ ଏହି ସ୍ଥାନକୁ ଶୋଧନ କରିବାର ଉଦ୍ଦେଶ୍ୟ ଥିଲା ଏହାର କାରଣ।

କିନ୍ତୁ ବିଡ଼ମ୍ବନାଟି ହେଲା ବୋଧହୁଏ ଏହା ସହିତ ବାଜପେୟୀଙ୍କ ଶୁଭେଚ୍ଛାମୂଳକ ବାଣୀକୁ ମଧୢ ପାକିସ୍ତାନର ତତ୍କାଳୀନ ଶାସକ ମନରୁ ପୋଛି ଦେଇଥିଲେ; କାରଣ ତାହା ହୋଇ ନ ଥିଲେ ପରବର୍ତ୍ତୀ କାଳରେ ସମୃଦ୍ଧି ବଦଳରେ ପାକିସ୍ତାନର ଦ୍ରୁତ ପତନ ଦେଖିବାକୁ ମିଳି ନ ଥାଆନ୍ତା, ଯାହା ସ˚ପ୍ରତି ସେହି ଦେଶକୁ ଏକ ଅର୍ଥନୈତିକ-ରାଜନୈତିକ-ସାମାଜିକ ଭଗ୍ନ ସ୍ତୂପରେ ପରିଣତ କରିଛି। ସେହି ସମୟରେ ପାକିସ୍ତାନର ଏକଛତ୍ରବାଦୀ ଶାସକ ଥିଲେ ଜେନେରାଲ ପରଭେଜ ମୁସାରଫ, ଯିଏ ବର୍ତ୍ତମାନ ଦୁବାଇର ଏକ ଡାକ୍ତରଖାନାରେ ନିର୍ବାସିତ ଅବସ୍ଥାରେ ଜୀବନ ଓ ମୃତ୍ୟୁର ସନ୍ଧିକ୍ଷଣରେ ଉପନୀତ। ତେଣୁ ତାଙ୍କ ଲାଗି ଯଦି ଏକ ‘ଓବିଚୁଆରି’ ବା ଶୋକ-ଲେଖ ପ୍ରସ୍ତୁତିର ଉଦ୍ୟମ କରାଯାଏ, ତେବେ, ସେ ଯେଉଁ ରୂପରେ ଦିଶିବେ, ତାହା ହେଲା ପାକିସ୍ତାନକୁ ଦୁର୍ଦଶାର ଆବର୍ତ୍ତ ମଧୢକୁ ନିକ୍ଷେପ କରିଥିବା ଜଣେ ଦୟନୀୟ ଜେନେରାଲ।

ଉଲ୍ଲେଖଯୋଗ୍ୟ ଯେ ଗଲା ଅଷ୍ଟମ ଦଶକର ମଧୢ ଭାଗ ପର୍ଯ୍ୟନ୍ତ ପାକିସ୍ତାନର ଅର୍ଥନୀତି ଥିଲା ଭାରତ ତୁଳନାରେ ଅଧିକ ସମୃଦ୍ଧ; ପାକିସ୍ତାନର ଜି.ଡି.ପି. ଥିଲା ଭାରତ ଠାରୁ ପ୍ରାୟ ୬୫% ଅଧିକ। ଏହି ସମୟ ଖଣ୍ତରେ ଆମେରିକା ଠାରୁ ଆର୍ଥିକ ଅନୁଦାନ ଲାଭ କରିବାରେ ଇସ୍ରାଏଲ୍‌ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲା ପାକିସ୍ତାନ। ସ୍ବାଧୀନତା ପର ଠାରୁ ସେ ଦେଶରେ ଏକ ଅତ୍ୟନ୍ତ ଅସ୍ଥିର ଶାସନ ରହିଥିବା ସତ୍ତ୍ବେ ଆୟୁବ ଖାଁଙ୍କ ଭଳି ଏକଛତ୍ରବାଦୀ ସାମରିକ ଶାସକ ବା ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଭଳି ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ଠାରେ ପାଶ୍ଚାତ୍ୟ ଜୀବନ ଧାରା ପ୍ରତି ଗଭୀର ଅନୁରାଗ ସେମାନଙ୍କ ଶାସନରେ ପ୍ରତିଫଳିତ ହୋଇ ପାକିସ୍ତାନରେ ଏକ ଉଦାରଚେତା ଜନମାନସ ସୃଷ୍ଟି କରିବାରେ ମଧୢ ସଫଳ ହୋଇଥିଲା; ଯାହା ଦୁର୍ଭାଗ୍ୟ କ୍ରମେ ଜେନେରାଲ ଜିଆ ଉଲ୍‌ ହକ୍‌ଙ୍କ ଶାସନ କାଳରେ ବିପରୀତମୁଖୀ ହୋଇଥିଲା; ଯେତେବେଳେ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ପରିପୁଷ୍ଟ କରିବାରେ ପାକିସ୍ତାନ ସରକାର ସ˚ପୃକ୍ତ ହୋଇ ଆମେରିକାରୁ ଲାଭ କରୁଥିବା ବିପୁଳ ଅର୍ଥର ଏକ ବିଶାଳ ଅ˚ଶ ବ୍ୟୟ କରିବାରେ ଲାଗିଲେ।

ଏହି ସମୟରେ ହିଁ ଜେହାଦୀ ମାନସିକତା ମଧୢକୁ ପାକିସ୍ତାନର ସ୍ଖଳନ ସ୍ପଷ୍ଟ ହେବାରେ ଲାଗିଥିଲା। କହିବା ବାହୁଲ୍ୟ ଏହି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାରୁ ମିଳୁଥିବା ଆର୍ଥିକ ତଥା ଅନ୍ୟାନ୍ୟ ସାହାଯ୍ୟ ସହଯୋଗରେ ତୀବ୍ର ହ୍ରାସ ଘଟିଥିଲା। ଏକ ବିମାନ ଦୁର୍ଘଟଣାରେ ଜିଆ ଉଲ୍‌ ହକ୍‌ଙ୍କ ନିଧନ ପରେ ଅସ୍ଥିର ଗଣତାନ୍ତ୍ରିକ ସରକାରମାନ ୧୧ ବର୍ଷ କ୍ଷମତାସୀନ ରହିବା ପରେ ଏକ ସାମରିକ ବିଦ୍ରୋହ ଘଟାଇ ଶାସନ କ୍ଷମତାକୁ ହାତକୁ ନେଇଥିବା ସେନାଧୢକ୍ଷ ଜେନେରାଲ ପରଭେଜ ମୁସାରଫ ଥିଲେ ପ୍ରକୃତ ଅର୍ଥରେ ଜିଆ ଉଲ୍‌ ହକ୍‌ଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ, କାରଣ ତାଙ୍କ ଶାସନ କାଳରେ ହିଁ ପାକିସ୍ତାନ ବିଶ୍ବ ଆତଙ୍କବାଦର ଏକ ହୃଦ୍‌ ସ୍ଥଳ ରୂପେ ନିଜର ପରିଚିତି ପ୍ରଦାନ କଲା; କାନ୍ଦହାର ବିମାନ ଅପହରଣ, ବିଶ୍ବ ବାଣିଜ୍ୟ କେନ୍ଦ୍ରର ଧ୍ବ˚ସ ସାଧନ, ଵାଲ ଷ୍ଟ୍ରିଟ୍‌ ଜର୍ନାଲର ପାକିସ୍ତାନୀ ସାମ୍ବାଦିକ ଡାନିଏଲ୍‌ ପର୍ଲଙ୍କ ହତ୍ୟା, ମୁମ୍ବାଇ ଉପରେ ଆତଙ୍କବାଦୀ ଆକ୍ରମଣ ଏବ˚ ଅବୋଟାବାଦରେ ଗୋପନ ଆଶ୍ରୟ ଲାଭ କରିଥିବା ଓସାମା ବିନ ଲାଦେନର ନିଧନ ଇତ୍ୟାଦି ଥିଲା ତାର ପ୍ରା˚ଜଳ ପ୍ରମାଣ।

ସ୍ମରଣଯୋଗ୍ୟ ଯେ ବାଜପେୟୀଙ୍କ ଐତିହାସିକ ଲାହୋର ଗସ୍ତର ମାତ୍ର ନଅ ମାସ ପରେ ଆରମ୍ଭ ହୋଇ ଯାଇଥିଲା କାରଗିଲ ଯୁଦ୍ଧ, ସତେ ଯେମିତି ତାହା ଥିଲା ବାଜପେୟୀଙ୍କ ସଦିଚ୍ଛାର ପ୍ରତ୍ୟୁତ୍ତର। କାରଗିଲ ଯୁଦ୍ଧ ପରିପ୍ରେକ୍ଷୀରେ ଯଦିଓ ମୁସାରଫ ଏକ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ଯେ ଯୁଦ୍ଧରତ ଆତଙ୍କବାଦୀମାନେ ପ୍ରକୃତରେ ହେଉଛନ୍ତି କାଶ୍ମୀରର ସ୍ବାଧୀନତା କାମୀ କାଶ୍ମୀରୀ ଯୁବକ ଗୋଷ୍ଠୀ; ଭାରତୀୟ ଗୁପ୍ତଚର ସ˚ସ୍ଥା ‘ର’ ପକ୍ଷରୁ ଅତି ସନ୍ତର୍ପଣରେ ଓ ଚତୁରତାର ସହିତ ମୁସାରପଙ୍କ ଟେଲିଫୋନ୍‌ ବାର୍ତ୍ତାଳାପକୁ ଟ୍ୟାପି˚ କରି ପୃଥିବୀ ସମକ୍ଷରେ ପ୍ରମାଣିତ କରି ଦିଆଯାଇଥିଲା ଯେ ସେମାନେ ପ୍ରକୃତରେ ପାକିସ୍ତାନ ଦ୍ବାରା ପ୍ରଶିକ୍ଷିତ ଓ ପ୍ରେରିତ ମୁଜାହିଦ୍ଦିନ। କହିବା ବାହୁଲ୍ୟ ଯେ ପାକିସ୍ତାନର ଏହି ଅପରିଣାମଦର୍ଶୀ ଶାସକଙ୍କ ଦ୍ବାରା ପରିପୁଷ୍ଟ ଇସଲାମୀୟ ଆତଙ୍କବାଦ ପାକିସ୍ତାନକୁ ଯେଉଁଭଳି ଭଲ୍ଲୁକ ଆଶ୍ଳେଷରେ ଭିଡ଼ି ଧରିଛି, ତହିଁରୁ ମୁକ୍ତ ହେବାର ଆଶା ଅତ୍ୟନ୍ତ କ୍ଷୀଣ।

ପ୍ରକାଶ ଥାଉ କି ପାକିସ୍ତାନରେ ପ୍ରତ୍ୟେକ ଏକଛତ୍ରବାଦୀ ସାମରିକ ଶାସକ ନିର୍ବାଚନମାନ କରାଇ ନିଜର ଗଣତାନ୍ତ୍ରିକ ଚେହେରା ପ୍ରଦର୍ଶନ କରିବାକୁ ଚାହିଁ ଥାଆନ୍ତି। ଫିଲ୍‌ଡ ମର୍ଶାଲ ଆୟୁବ ଖାଁ ତାଙ୍କ ସମୟରେ ଏଭଳି ଏକ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବାର ବାହାନା କରିଥିଲେ, ଯହିଁରେ ନିଜର ସର୍ବମୟତାକୁ ଅକ୍ଷୁଣ୍ଣ ରଖିବା ସହିତ ଏହି ଗଣତାନ୍ତ୍ରିକ ପଦ୍ଧତିକୁ ‘ଗାଇଡେଡ୍‌ ଡେମୋକ୍ରାସି’ ଭାବେ ଅଭିହିତ କରିଥିଲେ। ଜିଆ ଉଲ୍‌ ହକ୍‌ ଦଳ ବିହୀନ ଗଣତନ୍ତ୍ର ପ୍ରତିଷ୍ଠାର ଏକ ଉଦ୍ଭଟ ନାଟକ ରଚନା କରିଥିଲେ। ସେହିଭଳି ପରଭେଜ ମୁସାରଫ ନିଜେ ଏକ ରାଜନୈତିକ ଦଳ (ପି.ୟୁ.ଏମ୍‌.ଏଲ୍‌.) ଗଢ଼ି ଏକ ଛଳ ନିର୍ବାଚନର ଆୟୋଜନ କରି ଅବଲୀଳା କ୍ରମେ ନିଜକୁ ଏକ ଜନପ୍ରିୟ ନିର୍ବାଚିତ ଶାସକ ରୂପେ ପ୍ରତିଷ୍ଠା କରିବାର ଉଦ୍ୟମ କରିଥିଲେ।

ପ୍ରକାଶ ଥାଉ କି ଅଧିକା˚ଶ ଏକଛତ୍ରବାଦୀଙ୍କ ସଦୃଶ ପରଭେଜ ମୁସାରଫଙ୍କ ଏକ ବିଭ୍ରାନ୍ତି ମଧୢ ଥିଲା ଯେ ସେ ନିଜ ଦେଶରେ ଅତୁଳନୀୟ ଭାବେ ଲୋକପ୍ରିୟ; ଯେଉଁ ସ˚ପର୍କରେ ଏକ ଧାରଣା ‘ଦ ପ୍ରିଣ୍ଟ’ର ମୁଖ୍ୟ ସ˚ପାଦକ ଶେଖର ଗୁପ୍ତାଙ୍କ ଏକ ଅନୁଭୂତିରୁ ମିଳିଥାଏ। ଏକଦା ଡାଭୋସ ସମ୍ମିଳନୀ ସମୟରେ ଏକ କଥାବାର୍ତ୍ତା ଅବସରରେ ପରଭେଜ ମୁସାରଫ ତାଙ୍କୁ ଯାହା କହିଥିଲେ, ତାହା ଥିଲା ଏହି ଭଳି: ଏକଦା ତୁମେ ପାକିସ୍ତାନ ବିଷୟରେ ବିଜ୍ଞ ସାମ୍ବାଦିକ ଭଳି ଲେଖୁଥିଲ, ଯାହା ଆମେ ସମସ୍ତେ ପଢୁଥିଲୁ; କିନ୍ତୁ ଏବେ ତୁମେ ସ˚ପୂର୍ଣ୍ଣ ଅଚଳ ହୋଇଯାଇଛ। ପାକିସ୍ତାନକୁ ଯାଇ ଦେଖ ମୁଁ କିଭଳି ଭାବେ ଜନପ୍ରିୟ।

କହିବା ଅନାବଶ୍ୟକ ଯେ ଶେଖର ଗୁପ୍ତା ନିୟମିତ ଭାବେ ମୁସାରଫ ଓ ତାଙ୍କ ଶାସନ ବିରୋଧରେ ମତ ବ୍ୟକ୍ତ କରି ଚାଲୁଥିଲେ, ଯାହାର ପ୍ରତିକ୍ରିୟା ସ୍ବରୂପ ମୁସାରଫ ଏଭଳି କଟାକ୍ଷ କରିଥିଲେ। ତେବେ, ଏଭଳି ଆସ୍ଫାଳନର ଅଳ୍ପ କିଛି ଦିନ ପରେ ଏକ ବିରାଟ ଜନ ବିକ୍ଷୋଭ ମୁସାରଫଙ୍କୁ ଗାଦିଚ୍ୟୁତ କରିଥିଲା। ପରେ ଘଟଣା କ୍ରମରେ ରାଷ୍ଟ୍ରଦ୍ରୋହ ଅପରାଧରେ ତାଙ୍କୁ ମୃତ୍ୟୁ ଦଣ୍ତ ପ୍ରଦାନ କରାଯାଇଥିଲା। ତେବେ, ପାକିସ୍ତାନର ଅତ୍ୟନ୍ତ ଶକ୍ତିଶାଳୀ ସାମରିକ ବାହିନୀର ଜଣେ ପୂର୍ବତନ ମୁଖ୍ୟ ଏଭଳି ଦଣ୍ତ ପାଇବାର ଦୃଷ୍ଟାନ୍ତ ରହିଯିବାକୁ ପସନ୍ଦ ନ କରି ମୁସାରଫଙ୍କୁ ଚିକିତ୍ସା ଲାଗି ଦୁବାଇ ପ୍ରେରଣ କରା ଯାଇଥିଲା, ଯାହା ତାଙ୍କ ଲାଗି ଥିଲା ପ୍ରାଣ ରକ୍ଷାକାରୀ ନିର୍ବାସନ। ତେବେ ବର୍ତ୍ତମାନ ଏହି ମୃତପ୍ରାୟ ଜେନେରାଲଙ୍କୁ ପାକିସ୍ତାନ ଅଣାଯିବା ଲାଗି ଉଦ୍ୟମ ଚାଲିଛି, ଯାହା ଫଳରେ ସେ ଅନ୍ତତଃ କିଞ୍ଚିତ ସମ୍ମାନର ସହିତ ନିଜ ଦେଶରେ ଶେଷ ନିଃଶ୍ବାସ ତ୍ୟାଗ କରିବାର ସୁଯୋଗ ପାଇବେ। କିନ୍ତୁ ଏହା ସତ୍ତ୍ବେ ସେ ମନେ ରହିବେ ପାକିସ୍ତାନକୁ ପତନମୁହାଁ କରିଥିବା ଜଣେ ଦୟନୀୟ ଜେନେରାଲ ଭାବେ!

ସମ୍ବନ୍ଧିତ ଖବର