ଚଞ୍ଚଳ ଜିହ୍ବା

ଆଜିକୁ ପ୍ରାୟ ଅଢ଼େଇ ଶହରୁ ଅଧିକ ବର୍ଷ ତଳେ ସାମୁଏଲ୍‌ ଜନ୍‌ସନ ନାମକ ବ୍ରିଟିସ୍‌ ବିଦ୍ବାନ ଜଣକ ଜିହ୍ବା ସମ୍ବନ୍ଧରେ ଯାହା କହିଥିଲେ, ତାହା ଊଣାଅଧିକେ ପ୍ରତ୍ୟେକ ନିଜ ଜୀବନ କାଳ ମଧୢରେ ଅନୁଭବ କରିଥିବା ନିଶ୍ଚିତ। ଜନ୍‌ସନ କହିଥିଲେ ଯେ ଯେତେବେଳେ ତୁମ ହୃଦୟ ତିକ୍ତତାରେ ଭରି ଯାଇଥିବ, ସେତିକି ବେଳେ ତୁମେ ନିଜ ଜିହ୍ବାକୁ କଦାପି ପରତେ ଯିବ ନାହିଁ। ଏହାର କାରଣ ଅ‌େମରୁଦଣ୍ତୀ ଓ କୋମଳ ଜିହ୍ବାଟି ଏଭଳି ସମୟରେ ଅନିୟନ୍ତ୍ରିତ ଭାବେ ଆନ୍ଦୋଳିତ ହୋଇ ଉଠି ଯେଉଁ ବାଚନିକ ଆକ୍ରମଣ କରି ପକାଏ, ତହିଁରେ ଅନେକ ସମୟରେ ଅକଳ୍ପନୀୟ ବିଭ୍ରାଟମାନ ସୃଷ୍ଟି ହୋଇଥାଏ। ନିକଟରେ ଏହାର ପ୍ରମାଣ ସ୍ବରୂପ ଭାରତୀୟ ଜନତା ପାର୍ଟିର ଦୁଇ ବରିଷ୍ଠ ସଦସ୍ୟଙ୍କ ସା˚ପ୍ରଦାୟିକ ବିଦ୍ବେଷ ଭରା ଅଭିବ୍ୟକ୍ତି ଯେଉଁ ବିବାଦର ଝଡ଼ ସୃଷ୍ଟି କରିଛି, ସେଥିରେ ଆମ ଦେଶକୁ ଏକ ଅସ୍ବସ୍ତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି; ଯେଉଁ କାରଣରୁ ସେମାନଙ୍କ ମଧୢରୁ ଜଣେ ଦଳରୁ ବହିଷ୍କୃତ ହୋଇଥିବା ବେଳେ ଅନ୍ୟ ଜଣେ ନିଲମ୍ବିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଥିବା ସତ୍ତ୍ବେ ଦଳ ପକ୍ଷରୁ ସେମାନଙ୍କୁ ‘ଫ୍ରିନ୍‌ଜ ଏଲିମେଣ୍ଟ୍‌’ ବା ‘ଗୌଣ ତତ୍ତ୍ବ’ ବୋଲି ଅଭିହିତ କରାଯାଇଛି, ଯାହାର ଅର୍ଥ ସେମାନଙ୍କୁ କୌଣସି ଗୁରୁତ୍ବ ଦିଅ ନାହିଁ। ପ୍ରକାଶ ଥାଉ କି ଦଳରୁ ନିଲମ୍ବିତ ହୋଇଥିବା ନୁପୂର ଶର୍ମା ଏହି ଘଟଣା ପରେ କ୍ଷମା ଯାଚନା କରିବା ସହିତ ଯାହା ସ୍ବୀକାର କରିଛନ୍ତି, ତାହା ସାମୁଏଲ୍‌ ଜନ୍‌ସନଙ୍କ ଉକ୍ତିକୁ ପ୍ରମାଣିତ କଲା ଭଳି ଅର୍ଥାତ୍‌ ତିକ୍ତତା ଅସହନୀୟ ହେବାରୁ ଅନିୟନ୍ତ୍ରିତ ଜିହ୍ବା ଦ୍ବାରା ଏଭଳି ବାଚନିକ ବର୍ଷା ହୋଇଗଲା! ତେବେ, ଏହି ପରିପ୍ରେକ୍ଷୀରେ ଯେଉଁ ପ୍ରଶ୍ନଟି ଉଠିଥାଏ, ତାହା ହେଲା ବିଜେପି ଦଳର ଅନେକ ସଦସ୍ୟଙ୍କ ଜିହ୍ବା ବେଳ ଅବେଳରେ ଅଭ୍ୟାସଗତ (ଅବଶ୍ୟ ସମସ୍ତ ରାଜନୈତିକ ଦଳର ଅନେକ ସଦସ୍ୟ ଏହି ଦୋଷରେ ଦୋଷୀ) ଭାବେ ଚଳଚଞ୍ଚଳ ହୋଇ ଉଠି ସା˚ପ୍ରଦାୟିକ ଘୃଣା ବ୍ୟ˚ଜକ ବିବୃତିମାନ ପ୍ରଦାନ କରୁଥିବା ସତ୍ତ୍ବେ ପ୍ରାୟତଃ କୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉ ନ ଥିବା ବେଳେ ଏବେ ତହିଁରେ ବ୍ୟତିକ୍ରମ ଘଟିଲା କାହିଁକିି? ଏହି ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ସମସ୍ତେ ଅବଗତ ଯେ ବିଜେପିର ଅନେକ ତୁଙ୍ଗ ନେତାଙ୍କ ମୁହଁରୁ ସା˚ପ୍ରଦାୟିକ ଘୃଣାମୂଳକ ବକ୍ତବ୍ୟମାନ ନିଷ୍କ୍ରାନ୍ତ ହୋଇ ଅନେକ ସମୟରେ ଦେଶ ଭିତରେ ବିତର୍କର ଝଡ଼ ସୃଷ୍ଟି କରିଥାଏ ସିନା, କଦବା କ୍ବଚିତ୍‌ ଏକ ଆନ୍ତର୍ଜାତିକ ବିବାଦରେ ପରିଣତ ହୁଏ। କିନ୍ତୁ ଏହି ଘଟଣାରେ ପୈଗମ୍ବର ମହମ୍ମଦଙ୍କ ସ˚ପର୍କରେ ପ୍ରଦାନ କରାଯାଇଥିବା ଆପତ୍ତିଜନକ ମନ୍ତବ୍ୟ କାରଣରୁ ସ˚ଯୁକ୍ତ ଆରବ ସାଧାରଣତନ୍ତ୍ର, ସାଉଦି ଆରବ, କୁଏତ୍‌, କାତାର, ଜର୍ଡାନ, ଓମାନ, ବାହାରିନ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଇଣ୍ତୋନେସିଆ, ମାଲଡିିଭ୍‌ସ ଭଳି ରାଷ୍ଟ୍ରଗୁଡ଼ିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ସେ ଦେଶର ସରକାର ନୁହନ୍ତି, ଜନସାଧାରଣ ଏବଂ ବ୍ୟବସାୟୀ ଗୋଷ୍ଠୀ ମଧ୍ୟ ଭାରତ ବିରୋଧୀ ହୋଇ ଉଠିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଭାରତର ଆଚରଣରେ ଯେଉଁ ବ୍ୟତିକ୍ରମଟି ଦୃଶ୍ୟମାନ ହୋଇଛି, ତାହା ହେଲା, ସାଧାରଣତଃ ଏଭଳି ପ୍ରତିକ୍ରିୟାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶାଣିତ ପ୍ରତ୍ୟୁତ୍ତର ପ୍ରଦାନ କରାଯାଉଥିବା ବେଳେ ଏଥର ବିରାଜମାନ କରିଛି ଏକ ଅସ୍ବସ୍ତିକର ନିରବତା। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ ଏଭଳି କାହିଁକି?

ଏହାର ଏକ ବଡ଼ କାରଣ ପ୍ରତିକ୍ରିୟା ପ୍ରକାଶ କରିଥିବା ରାଷ୍ଟ୍ରଙ୍କ ମଧୢରେ ମଧୢ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ନେତୃତ୍ବ, ଯେଉଁମାନଙ୍କ ସହିତ ସୁସ˚ପର୍କ ଦୃଢ଼ କରିବା ଲାଗି ଗଲା ଆଠ ବର୍ଷର ଶାସନ କାଳ ମଧୢରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସମୟ ଓ ଶ୍ରମ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୧୬ ମସିହାରେ ସାଉଦି ଆରବ ଏବ˚ ୨୦୧୯ ମସିହାରେ ବାହାରିନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସେହି ରାଷ୍ଟ୍ର ଦ୍ବୟର ସର୍ବୋଚ୍ଚ ବେସାମରିକ ସମ୍ମାନ ବିଶେଷ ପ୍ରଣିଧାନଯୋଗ୍ୟ। ସେହିଭଳି ୨୦୧୯ ମସିହା ଫେବ୍ରୁଆରି ମାସରେ ସାଉଦି ଆରବର ରାଜକୁମାର ମହମ୍ମଦ ବିନ ସଲମାନ ଅଲ ସାଉଦିଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଗଭୀର ଆତ୍ମୀୟତାମୂଳକ ଆଶ୍ଳେଷରେ ଭିଡ଼ି ଧରିବା ବିଷୟ ଅନେକଙ୍କ ମନରେ ଏ ପର୍ଯ୍ୟନ୍ତ ଜୀବନ୍ତ ରହିଛି। ସେହିଭଳି ଆଉ ଏକ ଘଟଣାରେ ସ˚ଯୁକ୍ତ ଆରବ ସାଧାରଣତନ୍ତ୍ରର ରାଜ ପରିବାରର କନ୍ୟା ତଥା ପରିବାର ବିଦ୍ରୋହିଣୀ ଦୁବାଇ ରାଜକୁମାରୀ ଲତିଫାଙ୍କୁ ଭାରତ ଏଠାରେ ଆଶ୍ରୟ ଦେବାକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ପିତାଙ୍କ ନିକଟକୁ ଫେରିଯିବାର ପଥ ପରିଷ୍କାର କରିବା ସହିତ ରାଜ ପରିବାରର ସମ୍ମାନ ରକ୍ଷା କରିଥିବା ଭଳି ଘଟଣା ଭାରତ ସହିତ ଆରବ ରାଷ୍ଟ୍ରର ସୁସ˚ପର୍କକୁ ଦୃଢ଼ କରିବାରେ ସହାୟକ ହୋଇଛି। ଯାହାର ଫଳଶ୍ରୁତି ସ୍ବରୂପ ମଧୢ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ବାଣିଜ୍ୟିକ ସ˚ପର୍କ ଅତ୍ୟନ୍ତ ଦୃଢ଼ ହୋଇଛି, ଯହିଁରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଆମଦାନି ୧୧୦.୭୩ ବିଲିଅନ ଡଲାର୍‌ରେ ପହଞ୍ଚିଛି। ସେହିଭଳି ଆମ ଦେଶ ଖଣିଜ ତୈଳ ଲାଗି ସାଉଦି ଆରବ ଏବ˚ ସିଏନ୍‌ଜି ଗ୍ୟାସ୍‌ ଲାଗି କାତାର ଉପରେ ଅତ୍ୟନ୍ତ ନିର୍ଭରଶୀଳ। କେବଳ ସେତିକି ନୁହେଁ, ମଧୢ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ୧.୮ କୋଟି ଭାରତୀୟ ଶ୍ରମିକଙ୍କ ଦ୍ବାରା ସ୍ବଦେଶକୁ ପ୍ରେରିତ ଅର୍ଥ, ଯାହା ଭାରତୀୟ ରାଜକୋ‌ଷକୁ ସମୃଦ୍ଧ କରିଥାଏ, ତା’ର ପରିମାଣ ହେଉଛି ବାର୍ଷିକ ପ୍ରାୟ ୫୫ ବିଲିଅନ ଡଲାର୍‌ରୁ ଅଧିକ। କହିବା ବାହୁଲ୍ୟ ଯେ ଏହି ଘଟଣା ପରେ ଆରବ ରାଷ୍ଟ୍ରଗୁଡ଼ିକରେ ଦେଖା ଦେଇଥିବା ଭାରତ ବିରୋଧୀ ମନୋଭାବ ଏହି ବିଶାଳ ସ˚ଖ୍ୟକ ଭାରତୀୟମାନଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବ। ଏଠାରେ ପ୍ରକାଶ ଥାଉ କି ଭାରତ ସହିତ ମଧୢ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ସ˚ପର୍କର ଦୃଢ଼ତା ପ୍ରମାଣିତ ହୋଇଥିଲା ଗଲା ୨୦୧୯ ମସିହା ଅଗଷ୍ଟ ମାସରେ, ଯେତେବେଳେ ଧାରା ୩୭୦ର ଉଚ୍ଛେଦନ ସହିତ କାଶ୍ମୀର ତା’ର ସ୍ବତନ୍ତ୍ର ମାନ୍ୟତା ଲୋପ ହେବା ପରେ ଏହାକୁ ନେଇ ଏକ ଆନ୍ତର୍ଜାତିକ ବିବାଦ ସୃଷ୍ଟି କରିବା ସକାଶେ ପାକିସ୍ତାନର ସଘନ ଉଦ୍ୟମ ଫଳପ୍ରଦ ହୋଇ ପାରି ନ ଥିଲା, କାରଣ ମଧୢ-ପ୍ରାଚ୍ୟ ରାଷ୍ଟ୍ର ସମୂହ ଏ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବାରେ କୁଣ୍ଠା ପ୍ରକାଶ କରିଥିଲେ। ସୁତରା˚, ସ୍ବାଭାବିକ ଭାବେ କିଛି ଦାୟିତ୍ବହୀନ ମନ୍ତବ୍ୟ କାରଣରୁ ଏକ ଶକ୍ତିଶାଳୀ ଇସଲାମୀୟ ରାଷ୍ଟ୍ର ଗୋଷ୍ଠୀର ସମର୍ଥନ ହରାଇବାକୁ ଭାରତ ପସନ୍ଦ କରନ୍ତା ନାହିଁ, ଯେଉଁ କାରଣରୁ ମନ୍ତବ୍ୟ ପ୍ରଦାନକାରୀମାନେ ଦଳ ଦ୍ବାରା ବିରଳ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

ତେବେ, ଏଭଳି ସ୍ଥିତିରେ ଯାହା ଏକ ବିଡ଼ମ୍ବନା ସ୍ବରୂପ ଆବିର୍ଭୂତ ହୋଇଥାଏ, ତାହା ହେଲା, ଯେଉଁ ଆରବ ରାଷ୍ଟ୍ରଗୁଡ଼ିକ ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବ˚ ସ˚ଖ୍ୟାଲଘୁଙ୍କ ପ୍ରତି ଆଚରଣଗତ ଔଚିତ୍ୟ ନେଇ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି, ସେଗୁଡ଼ିକ ଏକଛତ୍ରବାଦୀ ଏବ˚ ଗଣତନ୍ତ୍ର ବିରୋଧୀ ଶାସକମାନଙ୍କ ଶାସନାଧୀନ। ସେହି ସବୁ ରାଷ୍ଟ୍ରରେ ହେଉଥିବା ମାନବାଧିକାର ଉଲ୍ଲ˚ଘନ ବା ସେଠାକାର ସ˚ଖ୍ୟାଲଘୁମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ଆଚରଣ ଗର୍ହିତ ସ୍ତରୀୟ ବୋଲି ମଧୢ କୁହାଯାଇପାେରେ। ସାଉଦି ଆରବ ସରକାରଙ୍କ ଇଙ୍ଗିତରେ ତୁର୍କୀର ଇସ୍ତାନବୁଲ ଠାରେ ‘ଵାସି˚ଟନ ପୋଷ୍ଟ୍‌’ର ବରିଷ୍ଠ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ହେଉଛି ଏହାର ଏକ ଅତ୍ୟନ୍ତ କୁଖ୍ୟାତ ଉଦାହରଣ। ଏହା ସତ୍ତ୍ବେ ଭାରତ ଭଳି ୨୦ କୋଟି ମୁସଲମାନଙ୍କୁ ଧାରଣ କରିଥିବା ଏକ ପ୍ରତିଷ୍ଠିତ ଗଣତନ୍ତ୍ର ସେହିଭଳି ଦେଶଗୁଡ଼ିକ ଦ୍ବାରା ଭର୍ତ୍ସନା ଏବ˚ ସମାଲୋଚନାର ଶରବ୍ୟ ହେବାକୁ ବାଧୢ ହୋଇଛି। ଗୋଟିଏ ଟେଲିଭିଜନ ବିତର୍କରେ ଦାୟିତ୍ବଶୂନ୍ୟ ଚଞ୍ଚଳ ଜିହ୍ବା କାରଣରୁ କିଭଳି ପରିଣାମ ସୃଷ୍ଟି ହୋଇପାରେ, ଏହା ତାହାର ଏକ ଦୃଷ୍ଟାନ୍ତ। କିନ୍ତୁ ମନେ ରଖିବାକୁ ହେବ ଯେ ଏହି ଗୋଟିଏ ମନ୍ତବ୍ୟ ଏଭଳି ବିବାଦକୁ ଜନ୍ମ ଦେଇନାହିଁ। ବିଜେପିର ଅନେକ ଉଚ୍ଚ ସ୍ତରୀୟ ନେତାଙ୍କ ଅନିୟନ୍ତ୍ରିତ ଜିହ୍ବା ନିୟମିତ ଭାବେ ସାଂପ୍ରଦାୟିକ ଘୃଣାବାହୀ ମନ୍ତବ୍ୟମାନ ପ୍ରଦାନ କରି ପରିବେଶକୁ ଏଭଳି ଉତ୍ତପ୍ତ କରି ରଖିଛି ଯେ ନିଆଁ ଲାଗିଯିବା ଅତି ସହଜ ହୋଇଛି। ଏ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ।

ସମ୍ବନ୍ଧିତ ଖବର