ଆଜିକାଲି ଟିକିଏ ଟିକିଏ କଥାରେ ଛୋଟ ଛୋଟ ବାବୁମାନଙ୍କୁ ଧମକ ଦିଆଯାଇ କୁହାଯାଉଛି, “ଭଲ କରି କାମ କର ନଚେତ ତୁମକୁ କୋରାପୁଟ ବଦଳି କରିଦିଆଯିବ।” କାହିଁକି, କୋରାପୁଟ କ’ଣ ‘କଳାପାଣି’? ଏଠି ଯଦି ସେ ଭଲ କାମ ନ କରୁଛି ତେବେ କୋରାପୁଟ ଯାଇ କେମିତି ଭଲ କାମ କରିବ? କୋରାପୁଟ କ’ଣ ସବୁ ନିକମାମାନଙ୍କର ପେଣ୍ଠସ୍ଥଳୀ ନା କୋରାପୁଟ ବାସିନ୍ଦା ସବୁ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କର ରହଣି ନିମନ୍ତେ ଠିକା ନେଇଛନ୍ତି?
ଛୋଟ ଛୋଟ ବାବୁମାନଙ୍କୁ ସିନା ଦଣ୍ଡ ଦେବାକୁ ଯାଇ ଦୂର ଦୂରାନ୍ତ ଜିଲ୍ଲା ଗୁଡ଼ିକୁ ପଠେଇ ଦିଆଯାଇଛି, ବଡ଼ ବଡ଼ ବାବୁମାନଙ୍କ ପାଇଁ ତ ଜିଲ୍ଲାରେ ଜାଗା ନାହିଁ; ତେଣୁ ତାଙ୍କୁ ତଡ଼ିପାର କଲା ଭଳି ଦୂର ଦୂରାନ୍ତ ପ୍ରଦେଶମାନଙ୍କୁ ପଠେଇ ଦିଆଯାଉଛି। ଏବେ ନିକଟରେ ଦୁଇଜଣ ବଡ଼ ବଡ଼ ବାବୁ ଓ ବାବୁଆଣୀଙ୍କୁ ଦିଲ୍ଲୀ ତ୍ୟାଗରାଜ ଷ୍ଟାଡି଼ୟମ୍‌ରେ ଖେଳାଳିମାନଙ୍କୁ ବିଦା କରେଇ ଦେଇ ନିଜ କୁକୁର ସହିତ ସାନ୍ଧ୍ୟଭ୍ରମଣ କରିଥିବା ଯୋଗୁ ଏହି ଦଶା ଭୋଗିବାକୁ ପଡ଼ିଛି। ବାବୁଙ୍କୁ ଲଦାଖ ଓ ବାବୁଆଣୀଙ୍କୁ ଅରୁଣାଚଳ ପ୍ରଦେଶ ପଠେଇ ଦିଆଯାଇଛି। ପ୍ରଶ୍ନ ଉଠେ ଯେଉଁ ବାବୁ ଓ ବାବୁଆଣୀମାନେ ଦିଲ୍ଲୀ ପାଇଁ ଅନୁପଯୁକ୍ତ, ସେମାନେ ଲଦାଖ ଓ ଅରୁଣାଚଳ ପ୍ରଦେଶ ପାଇଁ ଉପଯୁକ୍ତ ହେଲେ କିପିରି? ଗୋଟିଏ ପ୍ରଦେଶର ଏ ଭଳି ଅଯୋଗ୍ୟ ବାବୁ ଓ ବାବୁଆଣୀମାନଙ୍କୁ ଅନ୍ୟ ପ୍ରଦେଶମାନେ ମୁଣ୍ଡେଇବେ କାହିଁକି?

Advertisment

ବଦଳି କ’ଣ ଗୋଟିଏ ଦଣ୍ଡ? ଥରେ ଭାବନ୍ତୁ ତ ପ୍ରତ୍ୟହ ସନ୍ଧ୍ୟା ସାତଟା ସମୟରେ ଷ୍ଟାଡ଼ିୟମ୍‌ରେ ଅଭ୍ୟାସରତ ଖେଳାଳିମାନଙ୍କୁ ଜବରଦସ୍ତ ବାହାର କରେଇ ବାବୁ ଓ ବାବୁଆଣୀ ଦୁହେଁ ଖେଳାଳିମାନଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରାକ୍‌ ଉପରେ ତାଙ୍କର ଗେହ୍ଲା କୁକୁରକୁ ବୁଲେଇଲେ ଓ ହଗେଇଲେ ଆଉ ଦଣ୍ଡ ମିିଳିଲା କ’ଣ ନା କେବଳ ବଦଳି। ଜନମାନସର ସ୍ମରଣ ଶକ୍ତି ଅତ୍ୟନ୍ତ କ୍ଷଣସ୍ଥାୟୀ ହୋଇଥାଏ। ଏ ଘଟଣାର ମାସେ କି ଦୁଇ ମାସ ଭିତରେ ସମସ୍ତେ ଏହି କାଣ୍ଡକାରଖାନା ଭୁଲିିଯିବେ ଆଉ ତା’ପରେ ସେମାନେ ହୃତଗୌରବ ଫେରସ୍ତ ପାଇ ପୁନଶ୍ଚ ତାଙ୍କର ଦୌରାତ୍ମ୍ୟ ଆରମ୍ଭ କରିଦେବେ ନାହିଁ କି?

ଏବେ ତାଜା ତାଜା ଆହୁରି ଏକ ଖବର ପ୍ରକାଶ ପାଇଛି ଯେ ଜନୈକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଜଣେ ପ୍ରସିଦ୍ଧ ଚଳଚ୍ଚିିତ୍ର ଅଭିନେତାଙ୍କ ପୁତ୍ରକୁ ନିଶା ଦ୍ରବ୍ୟ ସେବନ ଅଭିଯୋଗରେ ଗିରଫ କରି ହାଜତକୁ ପଠେଇଦେଲେ। ଅନୁସନ୍ଧାନରୁ ଜଣାପଡ଼ିଲା ଯେ ବାବୁଙ୍କର ଏ ପ୍ରକାର ଅଭିଯୋଗ କପୋଳକଳ୍ପିତ ଥିଲା। କେବଳ କୋଟି କୋଟି ଟଙ୍କା ହେରଫେର କରିବା ପାଇଁ ଏ ଭଳି ମନଗଢ଼ା ଆକ୍ଷେପ ତାଙ୍କର ମନ୍ଦବୁଦ୍ଧି ଥିଲା ବୋଲି ଅଭିଯୋଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା। ଯୁବକ ଜଣକ ପଚି଼ଶ ଦିନ ଜେଲ୍‌ରେ ଦଣ୍ଡ ଭୋଗି ନିର୍ଦୋଷରେ ଖଲାସ ହେଲେ କିନ୍ତୁ ବାବୁଙ୍କୁ ଦଣ୍ଡ ମିଳିଲା କ’ଣ ନା କେବଳ ଚେନ୍ନାଇକୁ ବଦଳି। ଯଦି ଅଭିଯୋଗର ପ୍ରାଥମିକ ତଦନ୍ତରୁ ଏହା ସତ ବୋଲି ମନେ ହେଉଛି, ତେବେ ଚେନ୍ନାଇ ବାସିନ୍ଦା କାହିଁକି ଏ ଭଳି ଏକ ଚରିତ୍ରକୁ ସ୍ୱୀକାର କରିବେ?

ଲୋକସେବା ଆୟୋଗ ତରଫରୁ ଯେଉଁମାନେ ଭାରତୀୟ ପ୍ରଶାସନିକ ସେବା ନିମନ୍ତେ ମନୋନୀତ ହୋଇଥା’ନ୍ତି, ସେମାନେ ପ୍ରାୟ ଅତ୍ୟନ୍ତ ବୁଦ୍ଧିମାନ ଓ ମେଧାବୀ ଛାତ୍ରଛାତ୍ରୀ ହୋଇଥା’ନ୍ତି। ଏମାନେ ରାତି ଦିନ ଅକ୍ଳାନ୍ତ ପରିଶ୍ରମ କରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ହାତଗଣତି ସଂଖ୍ୟାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥା’ନ୍ତି। ଏମାନେ ପରବର୍ତ୍ତୀ ପିଢ଼ିର ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ଆଦର୍ଶ ହୋଇଥା’ନ୍ତି ଓ ତାଙ୍କ ଅଂଚଳର ଗର୍ବ ହିସାବରେ ସମାଜରେ ଖ୍ୟାତି ମଧ୍ୟ ଅର୍ଜନ କରିଥା’ନ୍ତି। ମସୌରି ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀରେ ଏମାନେ ବିଭିନ୍ନ ପ୍ରକାର ଉନ୍ନତ ମାନର ଶାସନ କଳାର ପ୍ରଶିକ୍ଷଣ ଗ୍ରହଣ କରି ପ୍ରଶାସନରେ ଯୋଗ ଦେଇଥା’ନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ଆଦର୍ଶ ହେଉଛି- “ଶୀଳଂ ପରମ୍ ଭୂଷଣମ୍‌” ଅର୍ଥାତ୍‌ ଚରିତ୍ର ହିଁ ମନୁଷ୍ୟର ସର୍ବଶ୍ରେଷ୍ଠ ଭୂଷଣ ଅଟେ। ଏ ସବୁ ସତ୍ତ୍ବେ କେଉଁଠି କ’ଣ ଏମିତି ଭୁଲ୍‌ ହୋଇଯାଏ ଯେ ହାତ ଗଣତି କେ‌େତକଙ୍କୁ ଛାଡ଼ିିଦେଲେ ବାକି ଅନେକଙ୍କର ଏଭଳି ଚାରିତ୍ରିକ ସ୍ଖଳନ ଘଟିଥାଏ ଯାହା ଯୋଗୁ ସଂପୂର୍ଣ୍ଣ ପ୍ରଶାସନିକ ସେବାକୁ ଦୁର୍ନାମଗ୍ରସ୍ତ ହେବାକୁ ପଡ଼ିଥାଏ। ମନେହୁଏ ଊନବିଂଶ ଶତାବ୍ଦୀର ଐତିହାସିିକ ଲର୍ଡ ଆକ୍ଟନ୍‌ଙ୍କ ଉକ୍ତି- “କ୍ଷମତା ଦୁର୍ନୀତିଗ୍ରସ୍ତ କରିଦିଏ ଓ ଅତ୍ୟଧିକ କ୍ଷମତା ଅତ୍ୟଧିକ ଦୁର୍ନୀତିଗ୍ରସ୍ତ କରିଦିଏ”- ଏହି ମାନଙ୍କ ଯୋଗୁ ସତ୍ୟ ପ୍ରମାଣିତ ହୋଇଥାଏ।

ଅସୀମ କ୍ଷମତା ହାସଲ ତ ଦୂରର କଥା, ଏହାର ଦ୍ୱାର ଦେଶରେ ପହଞ୍ଚୁ ପହଞ୍ଚୁ ମଧ୍ୟ ମନୁଷ୍ୟର ଚରିତ୍ରରେ ଘୋର ପରିବର୍ତ୍ତନ ଆସି ଯାଇଥାଏ। ଘରେ ପଶୁ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ସଦୃଶ ଏବେ ଆମ ରାଜ୍ୟ ଓଡ଼ିଶାର ପୁରୀ ସହରରେ ଗୋଟିଏ ଘଟଣା ଏହାର ଜ୍ୱଳନ୍ତ ପ୍ରମାଣ ଦେଉଛି। ମସୌରି ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀରୁ ପ୍ରଶିକ୍ଷଣ ହାସଲ କରି ଭାରତ ଦର୍ଶନ ନିମନ୍ତେ ଶହେ ଅଶୀ ଜଣ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଓଡ଼ିଶା ଭ୍ରମଣ କରିବାକୁ ଆସିଥିଲେ। ଏହି ଶହେ ଅଶୀ ଜଣ ଭେଣ୍ଡିଆ ବାବୁ ଓ ବାବୁଆଣୀମାନେ ବଡ଼ଦାଣ୍ଡ ଗାଡି଼ ଷ୍ଟାଣ୍ଡ୍‌ରୁ ମନ୍ଦିର ପର୍ଯ୍ୟନ୍ତ ମାତ୍ର ଗୋଟିଏ କିଲୋମିଟର ଚାଲିକି ଯାଇପାରିଲେ ନାହିଁ ଯେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ବ୍ୟାଟେରି ଚାଳିତ ଗାଡ଼ିଗୁଡି଼କୁ ସଂରକ୍ଷଣ କରି ବ୍ୟବହାର କରିବାକୁ ସାମାନ୍ୟ କୁଣ୍ଠାବୋଧ କଲେ ନାହିଁ। ଯେଉଁ ଗାଡ଼ି ଉପରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ଯେ ଏହା କେବଳ ବୃଦ୍ଧ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ; ସେମାନେ ସେ ଭଳି ଗାଡ଼ିରେ ବସିଲେ କେମିତି? ଥରେ ଭାବନ୍ତୁ ତ ଶହ ଶହ ବୃଦ୍ଧ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସେଦିନ ଠାକୁରଙ୍କ ଦର୍ଶନରୁ ବଞ୍ଚିତ କରେଇ ଶହେ ଅଶୀ ଜଣ ଯୁବା ବାବୁ ଓ ବାବୁଆଣୀମାନଙ୍କର ମନ୍ଦିର ଭ୍ରମଣ କରିବା କ’ଣ “ଶୀଳଂ ପରମ୍ ଭୂଷଣମ୍‌” ପରିଚୟ ଦେଲା?
ମୋ- ୯୪୩୭୦୬୭୫୬୭