ଶହେ ଦିନ ପରେ

୧୯୮୦ ମସିହା ସେପ୍ଟେମ୍ବର ୨୨ ତାରିଖରେ ଇରାନ ଉପରେ ପଡ଼ୋଶୀ ଇରାକ୍‌ର ଆକ୍ରମଣ ଯେଉଁ ଭୟଙ୍କର ଯୁଦ୍ଧ ସୃଷ୍ଟି କରିଥିଲା, ତାହା ଦୀର୍ଘ ଆଠ ବର୍ଷ କାଳ (୧୯୮୮ ମସିହା, ଅଗଷ୍ଟ ୨୦ ପର୍ଯ୍ୟନ୍ତ) ଚାଲିଥିଲା। ତେବେ, ଏହି ଦୀର୍ଘତା ମଧୢରେ ଯୁଦ୍ଧ ନେଇ ଜାତ ପ୍ରାରମ୍ଭିକ ଉଦ୍‌ବେଗ ଓ ଚାଞ୍ଚଲ୍ୟ କ୍ରମେ ଶୀତଳ ପଡ଼ି ଯାଇଥିଲା ଏବ˚ ଯୁଦ୍ଧ ସମ୍ବନ୍ଧୀୟ ଖବରମାନ ଗଣମାଧୢମର ଶିରୋନାମାରୁ ଅପସରି ଯାଇ କ୍ରୋଡ଼ପତ୍ରର ବିଭିନ୍ନ କୋଣରେ ସ୍ଥାନିତ ହୋଇ ଦୃଶ୍ୟମାନ ହେବାକୁ ନିଷ୍ଫଳ ଉଦ୍ୟମ ଚଳାଇଥିଲେ। ଏଭଳି ଏକ ସ୍ଥିତିର ଦ୍ବିତୀୟ ଉଦାହରଣ ସ˚ପ୍ରତି ଦେଖିବାକୁ ମିଳିଛି, ଯହିଁରେ ରୁଷିଆ ଏବ˚ ୟୁକ୍ରେନ୍‌ ଯୁଦ୍ଧ ଶହେ ଦିନ ଅତିକ୍ରମ କରିବା ସହିତ କ୍ରମେ ଗଣମାଧୢମ, ଜନ-ଆଲୋଚନା, ବିମର୍ଶ ଆଦିର କେନ୍ଦ୍ର ବିନ୍ଦୁରୁ ଅପସୃୟମାନ ହେବାର ସ˚କେତମାନ ଦେଖାଇଲାଣି। ଏହା ସତ୍ତ୍ବେ ଏହି ଯୁଦ୍ଧ ଦ୍ବାରା ପୃଥିବୀ ଲାଗି ପ୍ରେରିତ ସନ୍ଦେଶଗୁଡ଼ିକୁ ଯେ ଆଦୌ ନଜରଅନ୍ଦାଜ କରାଯାଇ ପାରିବ ନାହିଁ, ତାହା କହିବା ବାହୁଲ୍ୟ ମାତ୍ର।

ୟୁକ୍ରେନ୍‌ର ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍‌ସ୍କିଙ୍କ ଅନୁସାରେ ଏ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ୍‌ର ମାତ୍ର ୨୦ ପ୍ରତିଶତ ଦଖଲ କରିବାରେ ସମର୍ଥ ହୋଇଛି, ଯାହା ପୁଣି ୟୁକ୍ରେନ୍‌ର ପୂର୍ବ ଦିଗରେ ରୁଷିଆ ସହିତ ସ˚ଲଗ୍ନ ‘ଡନ୍‌ବାସ’ ଅଞ୍ଚଳ, ଯେଉଁଠାରେ ରୁୁଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ପ୍ରଭାବ ରହିଥାଏ। ସେହି ଦୃଷ୍ଟିରୁ କୌଣସି ମାନ୍ୟତାରେ ଏହାକୁ ରୁଷିଆର ସଫଳତା ଭାବେ ବିବେଚନା କରାଯାଇ ନ ପାରେ; ଯହିଁରୁ ହିଁ ସର୍ବାଧିକ ସଶବ୍ଦ ପ୍ରଥମ ସନ୍ଦେଶ ମିଳିଥାଏ ଯେ କୌଣସି ଯୁଦ୍ଧରେ ଦୁର୍ବଳ ଭଳି ପ୍ରତୀୟମାନ ହେଉଥିବା ପ୍ରତିପକ୍ଷକୁ ହେୟ ମନେ କରିବା ଏକ ଅକ୍ଷମଣୀୟ ଭ୍ରମ ହୋଇପାରେ। ସାମରିକ ଶକ୍ତି ଦୃଷ୍ଟିରୁ ପୃଥିବୀର ଚତୁର୍ଥ ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଖ୍ୟାତ ରୁଷିଆ ଏବେ ଏହା ମର୍ମେ ମର୍ମେ ହୃଦୟଙ୍ଗମ କରୁଥିବ!

ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧରେ କେବଳ ମାରିଓପୋଲ ସହରରେ ନିହତ ହୋଇଛନ୍ତି ୫୦,୦୦୦ ୟୁକେନୀୟ ସାଧାରଣ ନାଗରିକ। ଜେଲେନ୍‌ସ୍କିଙ୍କ ଅନୁସାରେ ସ˚ପ୍ରତି ଏହି ଯୁଦ୍ଧରେ ପ୍ରତ୍ୟହ ମୃତ୍ୟୁବରଣ କରୁଛନ୍ତି ୬୦ରୁ ୧୦୦ ଜଣ ୟୁକ୍ରେନୀୟ ସୈନିକ। ରୁଷିଆ ତା’ର ସମସ୍ତ ସାମରିକ ଶକ୍ତିକୁ ଉପଯୋଗ କରିବା ସତ୍ତ୍ବେ ୟୁକ୍ରେନ୍‌କୁ ପଦାନତ କରିବାରେ ଅସମର୍ଥ ହେବାର କାରଣ ୟୁକ୍ରେନ୍‌ ଦ୍ବାରା ପ୍ରଦର୍ଶିତ ଅକଳ୍ପନୀୟ ସାହସ ଏବ˚ ଦୃଢ଼ତା। ପ୍ରକାଶ ଥାଉ କି କେବଳ ୟୁକ୍ରେନୀୟ ସେନାବାହିନୀ ନୁହନ୍ତି, ସମଗ୍ର ରାଷ୍ଟ୍ର ଏହି ଯୁଦ୍ଧରେ ବ୍ୟାପୃତ। ସୁତରା˚, ଅପେକ୍ଷାକୃତ ଭାବେ ଏକ ଦୁର୍ବଳ ରାଷ୍ଟ୍ର ୟୁକ୍ରେନ୍‌ ଏ ଯାବତ୍‌ ଅପରାଜେୟ ରହି ପାରିବାର ଦୃଷ୍ଟାନ୍ତ ହିଁ ଦ୍ବିତୀୟ ସନ୍ଦେଶ ପ୍ରଦାନ କରିଥାଏ ଯେ ଏହା ସମ୍ଭବ!

ଏକ ଶାନ୍ତିପୂର୍ଣ୍ଣ ସମୟରେ ଯୁଦ୍ଧ ଜିଣିବା ଯେ କୌଣସି ଶକ୍ତିଶାଳୀ ସୈନ୍ୟବାହିନୀ ସକାଶେ ମଧୢ ଏକ ଦୁରୂହ ବ୍ୟାପାର ହୋଇପାରେ; ତାହା ହେଉଛି ଏହି ଯୁଦ୍ଧ ପ୍ରଦାନ କରିଥିବା ତୃତୀୟ ସନ୍ଦେଶ। ଯୁଦ୍ଧର ପ୍ରାରମ୍ଭରେ ଯେଉଁ ରୁଷୀୟ ଜାତୀୟତାବାଦୀମାନେ ୟୁକ୍ରେନ୍‌କୁ ଶାସ୍ତିବିଧାନ କରାଯାଇ ପାରିଛି ବୋଲି ପୁଲକିତ ହୋଇଥିଲେ, ସେମାନେ ସ˚ପ୍ରତି ବିଷଣ୍ଣ ଦିଶିଲେଣି। ଏହାର କାରଣ ଏହି ଯୁଦ୍ଧ ଦୀର୍ଘ କାଳ ଚାଲି ରୁଷିଆକୁ ଏକ ଗଭୀର ଆର୍ଥିକ ସ˚କଟ ମଧୢକୁ ନିକ୍ଷେପ କରିଛି। କହିବା ଅନାବଶ୍ୟକ ଯେ ଏହି ସ˚କଟକୁ ଆହୁରି ଘନୀଭୂତ କରିଛି ଯୁଦ୍ଧ କାରଣରୁ ରୁଷିଆ ଉପରେ ଜାରି କରାଯାଇଥିବା ଏକ ଅତ୍ୟନ୍ତ କଠୋର ଆନ୍ତର୍ଜାତିକ ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥା। ୟୁକ୍ରେନ୍‌ର ଦାବି ଅନୁସାରେ ଏହି ଯୁଦ୍ଧରେ ୩୦,୦୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଲାଣି। କହିବା ବାହୁଲ୍ୟ ଯେ ଅସରନ୍ତି ଭଳି ବୋଧ ହେଉଥିବା ଏଭଳି ଅନାବଶ୍ୟକ ଯୁଦ୍ଧ ସ୍ବାଭାବିକ ଭାବେ ରୁଷିଆରେ ତୀବ୍ର ଜନ ଅସନ୍ତୋଷ ଏବ˚ ସେନାବାହିନୀ ମଧୢରେ ହତାଶା ସୃଷ୍ଟି କଲାଣି। ଅନେକ ଯୁଦ୍ଧ ବିଶାରଦଙ୍କ ମତରେ ରୁଷୀୟ ସୈନିକମାନଙ୍କ ମନୋବଳ ଦୋଦୁଲ୍ୟମାନ ହେବାର ଅନେକ ଇଙ୍ଗିତ ଏହି ଯୁଦ୍ଧରୁ ପ୍ରାପ୍ତ ହେଲାଣି, ଯାହାର ପ୍ରମାଣ ନିରୀହ ୟୁକ୍ରେନୀୟ ନାଗରିକଙ୍କ ଗଣହତ୍ୟା ଭଳି ଯୁଦ୍ଧ ଅପରାଧରେ ପରିଦୃଷ୍ଟ ହେଉଛି।

ବାଣିଜ୍ୟ ଓ ଅର୍ଥନୀତି ଦୃଷ୍ଟିରୁ ପରସ୍ପର ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ଛନ୍ଦାଛନ୍ଦି ହୋଇ ରହିଥିବା ରାଷ୍ଟ୍ରଗୁଡ଼ିକ ମଧୢରେ ଯୁଦ୍ଧର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି ଏକବି˚ଶ ଶତାବ୍ଦୀରେ ସୃଷ୍ଟି ହୋଇଥିବା ଧାରଣା ଯେ ବିଭ୍ରାନ୍ତିକର, ତାହା ଏହି ଯୁଦ୍ଧ ପ୍ରେରଣ କରିଥିବା ଚତୁର୍ଥ ସନ୍ଦେଶ। ପୁୂଣି ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଗି ଆଣବିକ ନିରସ୍ତ୍ରୀକରଣ ବା ଅଣୁ ଅସ୍ତ୍ର ଅପସାର ଦିଗରେ ଉଦ୍ୟମ ଯେ ଜରୁରୀ; ଏଭଳି ବିଶ୍ବାସ ସହସା ସନ୍ଦେହାସ୍ପଦ ହୋଇ ଉଠିବା। ଏହି ସ˚ଦର୍ଭରେ ମତ ପ୍ରକାଶ ପାଇଥାଏ ଯେ ୧୯୯୪ ମସିହାରେ ହୋଇଥିବା ଚୁକ୍ତିର ଖିଲାପ କରି ଯଦି ୟୁକ୍ରେନ୍‌ ନିଜର ସମସ୍ତ ଆଣବିକ ଅସ୍ତ୍ରଶସ୍ତ୍ରକୁ ରୁଷିଆକୁ ଅର୍ପଣ କରି ଦେଇ ନ ଥାଆନ୍ତା, ତେବେ ହୁଏ’ତ ଆକ୍ରମଣର ଶରବ୍ୟ ହେବାର ଦୁର୍ଭାଗ୍ୟ ଭୋଗ କରି ନ ଥାଆନ୍ତା। ସୁତରା˚, ଏହା କହିବା ହୁଏ’ତ ଭୁଲ୍‌ ହେବ ନାହିଁ ଯେ ରାଷ୍ଟ୍ରଗୁଡ଼ିକ ଆଣବିକ ଯୁଦ୍ଧ ଶକ୍ତି ସ˚ପନ୍ନ ହେବା ହିଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଗି ଏକ ବାଧୢତାମୂଳକ ପରିବେଶ ସୃଷ୍ଟି କରିବ!

ଉଲ୍ଲେଖଯୋଗ୍ୟ ଅନେକତ୍ର ବାଇବଲରେ ବର୍ଣ୍ଣିତ ଡେଭିଡ୍‌ ଓ ଗୋଲିଆତ୍‌ ମଧୢରେ ହୋଇଥିବା ସମ୍ମୁଖ ରଣ ସହିତ ଏହି ଯୁଦ୍ଧର ତୁଳନା କରାଯାଇଥାଏ, ଯହିଁରେ କ୍ଷୁଦ୍ରକାୟ ଡେଭିଡ୍‌ଙ୍କ ବାଟୁଳି କାହିଁ କେତେ ଗୁଣରେ ଅଧିକ ଅତିକାୟ ଗୋଲିଆତ୍‌କୁ ଧରାଶାୟୀ କରିବାରେ ସମର୍ଥ ହୋଇଥିଲା। ସେହି ବିଚାରରେ ରୁଷିଆର ୬୦୦ରୁ ଅଧିକ ସ˚ଖ୍ୟକ ଅତ୍ୟାଧୁନିକ ଶକ୍ତିଶାଳୀ ଏବ˚ ଓଜନଦାର ଟ୍ୟାଙ୍କ୍‌, ୮୦ରୁ ଅଧିକ ସ˚ଖ୍ୟାରେ ଯୁଦ୍ଧ ବିମାନ ଏବ˚ ବିଶାଳ ଯୁଦ୍ଧ ପୋତ ମସ୍କୋଭା ୟୁକ୍ରେନ୍‌ ଦ୍ବାରା ବ୍ୟବହୃତ ଅତ୍ୟନ୍ତ ହାଲୁକା ଓ ଶସ୍ତା ବାରାକ୍‌ଟାର ଡ୍ରୋନ୍‌ ଏବ˚ ଜାଭଲିନ୍‌ ମିସାଇଲ୍‌ ଦ୍ବାରା ବିଧ୍ବସ୍ତ ହେବା ଏକ ସମାନ ଦୃଶ୍ୟପଟ ସୃଷ୍ଟି କରି ନ ଥାଏ କି? ଗତ ବର୍ଷ ଆର୍ମେନିଆ ଏବ˚ ଆଜରବାଇଜାନ ମଧୢରେ ସ˚ଘଟିତ ଯୁଦ୍ଧରେ ‘ସ୍ବାର୍ମ‌୍‌’ ଡ୍ରୋନ୍‌ ବିମାନ ବ୍ୟବହାର କରି ଦୁର୍ବଳ ଭାବେ ପରିଗଣିତ ଆର୍ମେନିଆ ଯୁଦ୍ଧର ଚରିତ୍ର ବଦଳାଇ ଦେଇଥିଲା। ଏହା ହିଁ ପଞ୍ଚମ ସନ୍ଦେଶ ଯେ ଏକବି˚ଶ ଶତାବ୍ଦୀର ଯୁଦ୍ଧରେ କ୍ଷୁଦ୍ର ମଧୢ ପ୍ରଭାବଶାଳୀ ହୋଇପାରେ।

ଏହି ଯୁଦ୍ଧର ଷଷ୍ଠ ସନ୍ଦେଶଟି ଭାରତ ସକାଶେ ଅଭିପ୍ରେତ, ଯାହା ଯୁଦ୍ଧ ସରଞ୍ଜାମ ନିର୍ମାଣ କ୍ଷେତ୍ରରେ ଭାରତକୁ ସ˚ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଚେତାଇ ଦେଇଥାଏ। ଏଠାରେ ପ୍ରକାଶ ଥାଉ କି ଭାରତୀୟ ସେନାବାହିନୀ ଦ୍ବାରା ବ୍ୟବହୃତ ସମସ୍ତ ଯୁଦ୍ଧ ସର˚ଜାମ ଓ ଅସ୍ତ୍ରଶସ୍ତ୍ରର ୭୦ ପ୍ରତିଶତ ଉଭୟ ରୁଷିଆ ଏବ˚ ୟୁକ୍ରେନ୍‌ ଦ୍ବାରା ନିର୍ମିତ। ରୁଷୀୟ ନିର୍ମିତ ଯୁଦ୍ଧାସ୍ତ୍ରର ସର୍ବ ବୃହତ୍‌ ଆମଦାନିକାରୀ ରାଷ୍ଟ୍ର ହେଉଛି ଭାରତ। ସୁତରା˚, ଏହି ଦୁଇ ରାଷ୍ଟ୍ର ମଧୢରେ ଏକ ଅତ୍ୟନ୍ତ ଦୀର୍ଘ ଯୁଦ୍ଧ କାରଣରୁ ଯନ୍ତ୍ରା˚ଶର ଘୋର ଅଭାବ ସୃଷ୍ଟି ହୋଇ ଯୁଦ୍ଧ ସର˚ଜାମର ମରାମତି ଏବ˚ ରକ୍ଷଣାବେକ୍ଷଣରେ ଜଟିଳ ସମସ୍ୟାମାନ ସୃଷ୍ଟି କରିବାର ଆଶଙ୍କା ଅତ୍ୟନ୍ତ ଦୃଢ଼।

ଯୁଦ୍ଧ ବିଶେଷଜ୍ଞମାନେ କହିବା ଶୁଣାଗଲାଣି ଯେ ସ˚ପ୍ରତି କୌଣସି ଯୁଦ୍ଧ ଶୀଘ୍ର ସମାପ୍ତ ହୋଇ ଏକ ନିର୍ଦ୍ଦିଷ୍ଟ ଫଳାଫଳ ପ୍ରଦାନ କରିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶହେ ଦିନ ଅତିକ୍ରମ କରିବା ଅପାତତଃ ଏହା ହିଁ ପ୍ରମାଣ କରିଛି। ପାର˚ପରିକ ଧାରଣାର ବଶବର୍ତ୍ତୀ ହୋଇ ରୁଷିଆ ସମ୍ଭବତଃ ସ୍ଥଳ ଯୁଦ୍ଧରେ ୟୁକ୍ରେନ୍‌କୁ ପରାହତ କରି ଆପଣା ପରାକାଷ୍ଠା ପ୍ରଦର୍ଶନ କରିବାକୁ ଇଚ୍ଛା କରିଥିଲା। କିନ୍ତୁ ତାହା ଅାପାତତଃ ଏ ପର୍ଯ୍ୟନ୍ତ ବିଫଳ ରହିଛି। ଏଣେ, ଯଦିଓ ରୁଷିଆର ଆକ୍ରମଣରେ ଚୂର୍ଣ୍ଣ ହେବାରେ ଲାଗିଛି, ୟୁକ୍ରେନ୍‌ର ସାହସ ଅତୁଟ ରହିଛି; ଯାହାର ନିଦର୍ଶନ ସ୍ବରୂପ ଏହି ବିଧ୍ବସ୍ତ ଦେଶର ସରକାର ଯୁଦ୍ଧର ଘନଘଟା ଭିତରେ ମଧୢ ପ୍ରାଣପଣେ ସଡ଼କ ଓ ପୋଲ ଆଦିର ମରାମତି କରିବାରେ ଲାଗିଛନ୍ତି। ଏଭଳି ସାହସ ୟୁକ୍ରେନ୍‌କୁ କି˚ବଦନ୍ତୀୟ ପର୍ଯ୍ୟାୟରେ ପହଞ୍ଚାଇଲାଣି। ସୁତରା˚, ସା˚ପ୍ରତିକ ଗଣମାଧୢମ ବା ଜନ-ଆଲୋଚନା ବା ବିମର୍ଶର କେନ୍ଦ୍ରବିନ୍ଦୁରୁ ଏହି ଯୁଦ୍ଧର ଖବର ଅପସରି ଯାଉଥିଲେ ସୁଦ୍ଧା ଏହା ନିଃସନ୍ଦେହ ଯେ ପରବର୍ତ୍ତୀ ପିଢ଼ି ଇତିହାସ ପୃଷ୍ଠାରେ ଜେରଲେନ୍‌ସ୍କିଙ୍କ ୟୁକ୍ରେନ୍‌କୁ ତା’ର ସମସ୍ତ ଔଜ୍ଜ୍ବଲ୍ୟ ସହିତ ଦେଖିବାକୁ ପାଇବ, ଯହିଁରେ ପୁଟିନଙ୍କ ରୁଷିଆ ଅତ୍ୟନ୍ତ ଦୟନୀୟ ଦିଶିପାରେ!

ସମ୍ବନ୍ଧିତ ଖବର