ପୁରସ୍କାର-ଅପେରାର ଶେଷ ଅଙ୍କ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ନେଇ ଦୀର୍ଘ ମାସ ଧରି ଯେଉଁ ଅପେରା ଚାଲିଛି- ତାହାର ଶେଷ ଅଙ୍କ ଏବେ ଅଭିନୀତ ହେବାକୁ ଯାଉଛି। କାରଣ ଆଜି (୧୦ ଜୁନ୍‌) ପୂର୍ବାହ୍‌ଣରେ ଏକାଡେମୀର ଏକ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ସେଥିରେ ଅଛି ମାତ୍ର ତିନିଟି କାର୍ଯ୍ୟସୂଚି। ପ୍ରଥମ ଦୁଇଟି- ପୂର୍ବର ଦୁଇ ବୈଠକର ନିଷ୍ପତ୍ତି ଉପରେ ଆଲୋଚନା ଓ ବୈଠକ ବିବରଣୀର ଅନୁମୋଦନ। କିନ୍ତୁ ତୃତୀୟଟି- ମୁଖ୍ୟ ଏବଂ ଯୋଜନାବଦ୍ଧ। ମନେହୁଏ, କେବଳ ସେଇଟି ପାଇଁ ହିଁ ଆଜିର ଏହି ବୈଠକର ଆୟୋଜନ। ତାହା ହେଉଛି- ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ଯେଉଁ ନୂଆ ନିୟମାବଳୀ ପ୍ରସ୍ତୁତ କରିଛନ୍ତି- କାର୍ଯ୍ୟକାରୀ ପରିଷଦ ଦ୍ୱାରା ତାହାର ଅନୁମୋଦନ।

କିନ୍ତୁ ଏହା ଏକ ନୂଆ ନିୟମାବଳୀ ହୋଇଥିଲେ ମଧ୍ୟ, ଅତ୍ୟନ୍ତ ଚତୁରତାର ସହିତ, ତାହାକୁ “ସଂଶୋଧିତ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ” ବୋଲି ସୂଚିତ କରାଯାଇଛି ଏବଂ “କାର୍ଯ୍ୟକାରୀ ପରିଷଦ ସଦସ୍ୟଙ୍କ ଅବଗତି ନିମନ୍ତେ” ତାହାକୁ ବୈଠକରେ ଉପସ୍ଥାପନ କରାଯାଉଛି ବୋଲି ବୈଠକର କାର୍ଯ୍ୟସୂଚିରେ କୁହାଯାଇଛି।

ଏ ପ୍ରସଙ୍ଗରେ ଯେଉଁ ପ୍ରଶ୍ନ ମନକୁ ଆସେ, ତାହା ହେଉଛି- ଯଦି ଏହା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରର “ସଂଶୋଧିତ ନିୟମାବଳୀ”, ତେବେ କେଉଁ ନିୟମାବଳୀର ଏହା ସଂଶୋଧନ?

ଏ ସଂପର୍କରେ ଅନୁଧ୍ୟାନରୁ ଜଣାଯାଏ, ଯେ ପୂର୍ବରୁ ଏକାଡେମୀ ପୁରସ୍କାରର ନିୟମାବଳୀ ପ୍ରଣୟନ ପାଇଁ ଦୁଇଟି କମିଟି ଗଠନ ହୋଇଥିଲା। ସେହି କମିଟି ଗଠନ କରିଥିଲେ ଏକାଡେମୀର ସେଦିନର ସଭାପତି। ପ୍ରଥମ କମିଟିରେ ସଦସ୍ୟ ଥିଲେ ଏକାଡେମୀର ପୂର୍ବତନ ସଚିବ ବିଜୟାନନ୍ଦ ସିଂହ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟିକାୟତ ରାୟ। ତାହାର ଆବାହକ ଥିଲେ ଏକାଡେମୀର ପୂର୍ବତନ ସଚିବ ରାଜକିଶୋର ମିଶ୍ର। ସେ ସମୟରେ ଥିବା କାର୍ଯ୍ୟକାରୀ ପରିଷଦର କାର୍ଯ୍ୟକାଳ ମଧ୍ୟରେ, ସେମାନେ ସେହି ପୁରସ୍କାର ନିୟମାବଳୀକୁ ଚୂଡ଼ାନ୍ତ କରିପାରି ନ ଥିଲେ। ପରବର୍ତ୍ତୀ କାର୍ଯ୍ୟକାରୀ ପରିଷଦର କାର୍ଯ୍ୟକାଳ ମଧ୍ୟରେ ସେହି କମିଟି ପୁନର୍ଗଠିତ ହେଲା ଏବଂ ସେଥିରେ କୈଳାସ ଚନ୍ଦ୍ର ଟିକାୟତ ରାୟଙ୍କ ପରିବର୍ତ୍ତେ ନୂତନ ସଦସ୍ୟ ଭାବରେ ସ୍ଥାନ ପାଇଲେ କାର୍ଯ୍ୟକାରୀ ପରିଷଦରେ ସରକାରଙ୍କ ମନୋନୀତ ସଦସ୍ୟ ଥିବା ଭାଗୀରଥି ମହାସୁଆର। କାର୍ଯ୍ୟକାରୀ ପରିଷଦର ଅନ୍ୟ ଜଣେ ସଦସ୍ୟ ସୁଶାନ୍ତ ନାୟକ ମଧ୍ୟ ନୂତନ ସଦସ୍ୟ ରୂପେ କମିଟିର ଅନ୍ତର୍ଭୁକ୍ତ ହେଲେ। ସେହି କମିଟି ଏକାଡେମୀ ପୁରସ୍କାର ନିମନ୍ତେ ଯେଉଁ ନୂଆ ନିୟମାବଳୀ ପ୍ରଣୟନ କରିଥିଲେ, ତାହା କାର୍ଯ୍ୟକାରୀ ପରିଷଦରେ ଅବଶ୍ୟ ଆଲୋଚିତ ହୋଇଥିଲା; କିନ୍ତୁ ସାଧାରଣ ପରିଷଦ ଦ୍ୱାରା ଅନୁମୋଦିତ ହୋଇ ନ ଥିଲା। ସୂଚନା ଅନୁସାରେ, ସାଧାରଣ ପରିଷଦରେ ଅନୁମୋଦିତ ହୋଇ ନ ଥିବା ସେହି ନିୟମାବଳୀ ଆଧାରରେ, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ‘ସଂଶୋଧିତ’ ନିୟମାବଳୀ ପ୍ରସ୍ତୁତ କରିଛନ୍ତି।

ଆଜି (୧୦ ଜୁନ୍‌, ୨୦୨୨) ପୂର୍ବାହ୍‌ଣରେ ବସୁଥିବା କାର୍ଯ୍ୟକାରୀ ପରିଷଦ ବୈଠକର କାର୍ଯ୍ୟସୂଚିରେ କୁହାଯାଇଛି, “ଓଡ଼ିଶା ସାହିତ୍ୟ ଏକାଡେମୀର ସଂବିଧାନ ଧାରା-୧୧/୬ ଓ ୬/୪ ଅନୁସାରେ” ଏହି ନିୟମାବଳୀ “କାର୍ଯ୍ୟକାରୀ ପରିଷଦ ସଦସ୍ୟଙ୍କ ଅବଗତି ନିମନ୍ତେ” ବୈଠକରେ ଉପସ୍ଥାପନ କରାଯାଉଛି।

ଏଣୁ ଏବେ ଦେଖାଯାଉ, ଏକାଡେମୀ ସଂବିଧାନର ଏହି ଦୁଇ ଧାରାରେ ଅଛି କ’ଣ?

ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୨୭ ମେ ୨୦୨୨)ରେ ଧାରା-୧୧/୬ ବାବଦରେ ଆଲୋଚନା କରାଯାଇଛି। ତାହା ହେଉଛି- “ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମାଗୁଡ଼ିକର କାର୍ଯ୍ୟ ନିର୍ବାହନ ଓ ସଂପାଦନ ପାଇଁ ବ୍ୟବସ୍ଥା ଗ୍ରହଣ” ସାଧାରଣ ପରିଷଦର କାର୍ଯ୍ୟ। କିନ୍ତୁ ଏହା ଯେ ‘ନିୟମାବଳୀ ପ୍ରଣୟନ’ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ, ତାହା ସଂବିଧାନର ସେହି ୧୧ ଧାରାର ୪ ଉପଧାରା (୧୧/୪)ରେ ସ୍ପଷ୍ଟ ଉଲ୍ଲେଖ ଅଛି। ତାହା ହେଉଛି- “ନିଜର ନିୟମ, ବିନିୟମ, ଉପବିଧି, ପ୍ରକ୍ରିୟା ନିୟମର ପ୍ରସ୍ତୁତି” ହେଉଛି ସାଧାରଣ ପରିଷଦର କାର୍ଯ୍ୟ। “କିନ୍ତୁ ସେହି ସବୁ ନିୟମ, ବିନିୟମ, ଉପବିଧି ଓ ପ୍ରକ୍ରିୟା ନିୟମ, ସାଧାରଣ ପରିଷଦ କିମ୍ବା ଅର୍ଥ ସମିତି ଯାହାର ହୋଇଥାଉ ନା କାହିଁକି, ତାହା (ପାଇଁ) ରାଜ୍ୟ ସରକାରଙ୍କ ପୂର୍ବାନୁମୋଦନ ଆବଶ୍ୟକ।” ଏହାର ଅର୍ଥ- କାର୍ଯ୍ୟକାରୀ ପରିଷଦ କୌଣସି ନିୟମାବଳୀ ପ୍ରସ୍ତୁତ କଲେ, ତାହା ସାଧାରଣ ପରିଷଦରେ ପ୍ରଥମେ ଅନୁମୋଦିତ ହେବ ଏବଂ ତାହା ପରେ ହିଁ ତାହାକୁ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ଅନୁମୋଦନ ପାଇବା ପରେ ତାହା କାର୍ଯ୍ୟକାରୀ ହେବ। ଏହା ସୁସ୍ପଷ୍ଟ ଭାବରେ ସୂଚାଏ, ଯେ ପୁରସ୍କାର ନିୟମାବଳୀ ପ୍ରଣୟନର ଅଧିକାର ଏକାଡେମୀର ସଂବିଧାନ କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦକୁ ଦେଇଛି; ରାଜ୍ୟ ସରକାରଙ୍କୁ ଦେଇନାହିଁ।

ଏବେ ଆସିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଉପସ୍ଥାପିତ ହେବାକୁ ଥିବା ଏହି ନୂଆ ପୁରସ୍କାର ନିୟମାବଳୀ ବାବଦରେ କାର୍ଯ୍ୟସୂଚିରେ ସୂଚିତ କରାଯାଇଥିବା ସଂବିଧାନର ୬/୪ ଧାରାକୁ।

ଏ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି- ଏହି ଧାରା ଏକାଡେମୀର ‘କୋଷାଧ୍ୟକ୍ଷ’ ଓ ‘ଅର୍ଥ-ଉପଦେଷ୍ଟା’ଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଏବଂ ଏହା ସହିତ ପୁରସ୍କାର ନିୟମାବଳୀର କୌଣସି ସଂପର୍କ ନାହିଁ। ସଂବିଧାନର ସେହି ଧାରା (୬/୪)ରେ ସ୍ପଷ୍ଟ ଉଲ୍ଲେଖ ଅଛି- “ଏକାଡେମୀର ଆର୍ଥିକ ପ୍ରଶାସନ ସମ୍ବନ୍ଧରେ ରାଜ୍ୟ ସରକାର ନିଜ ବିବେଚନାରେ ନିର୍ଦ୍ଦେଶାବଳୀ ଜାରି କରିବାକୁ ସକ୍ଷମ ଏବଂ ଏ କ୍ଷେତ୍ରରେ କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦଙ୍କ ନିର୍ଦ୍ଦେଶାବଳୀ ବିରୋଧମାତ୍ରା ପର୍ଯ୍ୟନ୍ତ ଅକାମୀ ହେବ।” ଅର୍ଥାତ୍‌- ଏହି ଧାରା ରାଜ୍ୟ ସରକାରଙ୍କୁ ଏକାଡେମୀର ଆର୍ଥିକ ପ୍ରଶାସନ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବାର କ୍ଷମତା ଦେଇଛି। ସରକାରଙ୍କର ସେହି ନିର୍ଦ୍ଦେଶ ଏକାଡେମୀର ସାଧାରଣ ପରିଷଦ ବା କାର୍ଯ୍ୟକାରୀ ପରିଷଦର ପୂର୍ବ ନିର୍ଦ୍ଦେଶାବଳୀ ବା ନିଷ୍ପତ୍ତିର ବିରୋଧ କରୁଥିଲେ ମଧ୍ୟ, ସେ ବାବଦରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ହିଁ ସର୍ବୋପରି ବଳବତ୍ତର ହେବ ବୋଲି ମଧ୍ୟ କହିଛି।
ଏଣୁ ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ହେଉଛି- ଏକାଡେମୀର ଆର୍ଥିକ ପରିଚାଳନା ସଂପର୍କିତ ଏହି ସ୍ୱତନ୍ତ୍ର ଧାରାକୁ, ରାଜ୍ୟ ସରକାର ଏକାଡେମୀ ପୁରସ୍କାର ନିୟମାବଳୀ କ୍ଷେତ୍ରରେ ପ୍ରଯୁକ୍ତ କରି, ନିଜେ ପ୍ରଣୟନ କରିଥିବା ନିୟମାବଳୀକୁ ଏହି ଧାରାର ଆଳରେ ଚଳାଇ ନେବାକୁ ଚାହୁଁଛନ୍ତି। ଏଣୁ ରାଜ୍ୟ ସରକାର ଏବଂ ବୈଠକ କାର୍ଯ୍ୟସୂଚି ପ୍ରସ୍ତୁତକାରୀ ଏକାଡେମୀର ସଚିବ (ସଂପାଦକ) ମନେରଖିବା ଉଚିତ, ଯେ ଏ ଧାରା ସାଧାରଣ ପରିଷଦ ନିଜ ନିୟମ, ବିନିୟମ, ଉପବିଧି, ପ୍ରକ୍ରିୟା ନିୟମ ଆଦିର ପ୍ରଣୟନ କରିବା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଏକାଡେମୀର ସଭାପତି, ଉପସଭାପତି ଏବଂ ଅନ୍ୟ ବିଜ୍ଞ କାର୍ଯ୍ୟକାରୀ ପରିଷଦ ସଦସ୍ୟମାନେ ସରକାରଙ୍କର ଓ ଏକାଡେମୀ ସଚିବଙ୍କର ଏ ଧୂର୍ତ୍ତତା ଓ ପ୍ରବଂଚନା ପ୍ରତି ସତର୍କ ରହିବା ଉଚିତ।

ଏ ପ୍ରସଙ୍ଗରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ୨୦୦୧ ମସିହା ଜାନୁଆରି ୨୭ ତାରିଖ, ପୂର୍ବାହ୍‌ଣ ୧୧ଟା ୩୦ରେ, ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବସିଥିଲା ଏକାଡେମୀର ନୂଆ କାର୍ଯ୍ୟକାରୀ ପରିଷଦର ଏକ ବୈଠକ। ତାହାର ବିବରଣୀ-୫ରେ ଥିବା ଉଲ୍ଲେଖ ଅନୁସାରେ, “ସଭାପତିଙ୍କ ଅନୁମୋଦନକ୍ରମେ” ଏକାଡେମୀ ପୁରସ୍କାର ନିୟମାବଳୀର ସଂଶୋଧନ ଓ ପରିବର୍ତ୍ତନ ସଂପର୍କରେ ସେହି ବୈଠକରେ ଆଲୋଚନା ହୋଇଥିଲା। ସେହି ବିବରଣୀରେ ଉଲ୍ଲେଖ ଅଛି- “ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ରାଶି ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ, ପ୍ରଚଳିତ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ସାରସ୍ୱତ ସମ୍ବର୍ଦ୍ଧନା ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀର ପରିବର୍ତ୍ତନ/ସଂଶୋଧନ କରାଯିବା ଜରୁରୀ ବୋଲି କାର୍ଯ୍ୟକାରୀ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ତେଣୁ ଏହାକୁ ଗୁରୁତ୍ୱ ସହିତ ଉପଲବ୍‌ଧି କରି, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ସାରସ୍ୱତ ସମ୍ବର୍ଦ୍ଧନା ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀର ପରିବର୍ତ୍ତନ ଓ ସଂଶୋଧନ ନିମନ୍ତେ ନିମ୍ନଲିଖିତ ସଦସ୍ୟମାନଙ୍କୁ ନେଇ ଏକ ଉପସମିତି ନୂତନ ଭାବେ ଗଠନ କରାଗଲା।”

ଏହି ଉପସମିତିର ସଦସ୍ୟମାନଙ୍କର ଏକ ବୈଠକ ୧୩ ଏପ୍ରିଲ୍ ୨୦୨୧ ଅପରାହ୍‌ଣରେ ଏକାଡେମୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏକାଡେମୀର ସେଦିନର ସଚିବ (ସଂପାଦକ) ଶୁଚିସ୍ମିତା ମନ୍ତ୍ରୀ ସେ ନେଇ ୭ ଏପ୍ରିଲ୍ ୨୦୨୧ରେ ଯେଉଁ ଚିଠି ଲେଖିଛନ୍ତି, ସେଥିରେ ଉପସମିତିର ସଦସ୍ୟମାନଙ୍କର ନାମ ଉଲ୍ଲେଖ ଅଛି। ସେହି ସଦସ୍ୟମାନେ ହେଉଛନ୍ତି- ଡକ୍ଟର ନୃସିଂହ ଷଡ଼ଙ୍ଗୀ, ଡକ୍ଟର ଶୁଭଶ୍ରୀ ଲେଙ୍କା, ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ଶ୍ରୀ ଚନ୍ଦ୍ରଶେଖର ହୋତା। ୨୭ ଜାନୁଆରି ୨୦୨୧ ତାରିଖରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକର ନିଷ୍ପତ୍ତିି ଅନୁସାରେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀର ପରିବର୍ତ୍ତନ/ସଂଶୋଧନ ନିମନ୍ତେ ସେହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାପ୍ତ ତଥ୍ୟ ଅନୁସାରେ, ତା’ ପୂର୍ବରୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସାଧକ/ସାଧିକାମାନଙ୍କ ସମ୍ବର୍ଦ୍ଧନା ସଂପର୍କିତ ନିୟମାବଳୀ କାର୍ଯ୍ୟକାରୀ ପରିଷଦ ପକ୍ଷରୁ ପ୍ରସ୍ତୁତ ହୋଇସାରିଥିଲା। ବିଧିମତେ ତାହା ସାଧାରଣ ପରିଷଦ ସଦସ୍ୟଙ୍କ ଦ୍ୱାରା ଅନୁମୋଦିତ ହୋଇ, ବର୍ଷାଧିକ କାଳ ତଳୁ ସରକାରଙ୍କ ପାଖକୁ ପଠାଯାଇଛି ଏବଂ ବର୍ଷାଧିକ କାଳ ଧରି ତାହା ସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି। ଅଥଚ, ସଂବିଧାନର ବିଧି ବ୍ୟବସ୍ଥା ଅନୁସାରେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ ସ୍ୱତନ୍ତ୍ର ଭାବେ ଗଠିତ ଉପସମିତି ଦ୍ୱାରା ପ୍ରସ୍ତୁତ ହେଉଥିବା ବେଳେ, ସରକାର ୨୦୧୮ ମସିହାର ଏକ ଅସାଂବିଧାନିକ ନିୟମାବଳୀ ଆଧାରରେ ଏକ ନୂଆ ନିୟମାବଳୀ ପ୍ରସ୍ତୁତ କରି, ତାହାକୁ ଚତୁରତାର ସହ ଏକାଡେମୀରେ ଚଳାଇ ନେବାକୁ ବସିଛନ୍ତି। ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟରେ ଏହାକୁ ‘ନୂଆ ନିୟମର ବେନିୟମ’ ବୋଲି ଦର୍ଶାଯାଇଛି।

ଏ ପ୍ରସଙ୍ଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ୨୦୧୮ର ଯେଉଁ ନିୟମାବଳୀକୁ ‘ସଂଶୋଧିତ’ କରି ଏହି ନୂଆ ନିୟମାବଳୀ ପ୍ରସ୍ତୁତ ହୋଇଛି ବୋଲି ସରକାର ସୂଚାଉଛନ୍ତି- ସେହି ନିୟମାବଳୀ ପ୍ରସ୍ତୁତି ପାଇଁ ସବ୍‌କମିଟି ଗଠିତ ହୋଇଥିଲା ୨୦୧୮ ମସିହା ମେ ମାସ ୪ ତାରିଖ ଅପରାହ୍‌ଣରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ। ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ସେହି କମିଟିରେ ଭାଗୀରଥି ମହାସୁଆର, ଚନ୍ଦ୍ରଶେଖର ହୋତା ଓ ସୁଶାନ୍ତ ନାୟକ ସଦସ୍ୟ ଥିଲେ। ବୈଠକର ବିବରଣୀ ଅନୁସାରେ, ତାହାର ପ୍ରଥମ ବୈଠକ ୧୪ ମେ ୨୦୧୮ ପୂର୍ବାହ୍‌ଣରେ ଏକାଡେମୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ଏ ସଂପର୍କିତ ଅନ୍ୟ ତଥ୍ୟରୁ ସୂଚିତ, ଯେ ସେହି କମିଟି ଯେଉଁ ଚିଠା ନିୟମାବଳୀ ପ୍ରସ୍ତୁତ କରିଥିଲେ, ତାହା ପ୍ରଥମେ କାର୍ଯ୍ୟକାରୀ ପରିଷଦର ସଦସ୍ୟମାନଙ୍କ ନିକଟକୁ ଅନୁଧ୍ୟାନ ନିମନ୍ତେ ପଠାଯିବା ପାଇଁ ୧୫ ଏପ୍ରିଲ୍ ୨୦୧୯ ତାରିଖର କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ, ୨୪ ଜୁଲାଇ ୨୦୧୯ରେ, ତାହାକୁ ସାଧାରଣ ପରିଷଦରେ ଉପସ୍ଥାପିତ କରିବା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ସୂଚନା ଅନୁସାରେ, ତାହା ଏଯାଏ ସାଧାରଣ ପରିଷଦରେ ଉପସ୍ଥାପିତ ହୋଇନାହିଁ। ଅଥଚ ସେଇ ‘ଅସାଂବିଧାନିକ’ ଓ ‘ଚିଠା ନିୟମାବଳୀ’ ଆଧାରରେ, ରାଜ୍ୟ ସରକାର ଏହି ‘ସଂଶୋଧିତ’ ନିୟମାବଳୀ ପ୍ରସ୍ତୁତ କରିଥିବା ଜଣାଯାଇଛି।

ଏହା ଏକ ବିଷଫାଶ। ଏକାଡେମୀ ସଂବିଧାନର ଭୁଲ୍‌ଧାରା ଏବଂ ଏକ ଅସାଂବିଧାନିକ ନିୟମାବଳୀ ଆଧାରରେ, ଓଡ଼ିଶା ସାହିତ୍ୟ ଏକାଡେମୀର ଯତ୍‌କିଂଚିତ୍ ସ୍ୱାୟତ୍ତତା ଅପହରଣ କରିନେବା ପାଇଁ ଏହା ଏକ ଅପଚେଷ୍ଟା। ଏ କ୍ଷମତା-ଅପହରଣ ଅପେରାର ଶେଷ ଅଙ୍କ, ଆଜି ବସୁଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଅଭିନୀତ ହେବାକୁ ଯାଉଛି। ଏଣୁ ଏକାଡେମୀର ସଭାପତି, ଉପସଭାପତି ଓ କାର୍ଯ୍ୟକାରୀ ପରିଷଦର ସଦସ୍ୟମାନେ, ସାଧୁ ସାବଧାନ! ସରକାରଙ୍କର ଏ ଖଳ ଖେଳକୁ ଏବେ ଅନ୍ତତଃ ବୁଝନ୍ତୁ! ଓଡ଼ିଶା ସାହିତ୍ୟ ଏକାଡେମୀର ଯାହା ବା ଟିକିଏ ସ୍ୱାୟତ୍ତତା ଅଛି, ତାହାକୁ ସରକାରଙ୍କ ହାତକୁ ଟେକି ଦିଅନ୍ତୁ ନାହିଁ। ତା’ ନ ହେଲେ ଓଡ଼ିଶାର ସଚେତନ ସାହିତ୍ୟିକମାନେ ଆପଣମାନଙ୍କୁ କେବେ ବି କ୍ଷମା ଦେବେ ନାହିଁ।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର