ଜାଣିଛ ମୁଁ କିଏ?

ସରସ ରସ - ସୁଭାଷ ପଟ୍ଟନାୟକ

ଏ ପ୍ରଶ୍ନଟି କ୍ରୋଧାନ୍ବିତ ହୋଇ ବେଳେ ବେଳେ ଆମେ ପଚାରିଥାଉ। ଏବେ ଗୋଟିଏ ଟିଭି ବିଜ୍ଞାପନ ଆସିଥିଲା। ଜଣେ ବ୍ୟକ୍ତି କ୍ରୋଧରେ ଏକ କାଉଣ୍ଟରରେ ବସିଥିବା ମହିଳାଙ୍କୁ ଏ ପ୍ରଶ୍ନଟି ପଚାରୁଛି। ମହିଳା ଅଳ୍ପ ହସି ଡାକବାଜି ଯନ୍ତ୍ରରେ ଘୋଷଣା କରୁଛନ୍ତି, “ଏ ବ୍ୟକ୍ତି କିଏ, ସେ ନିଜକୁ ଜାଣିପାରୁନାହାନ୍ତି। କେହି ଯଦି ଜାଣିଛନ୍ତି ତାଙ୍କ ପରିଚୟ ବୁଝାଇ ଦିଅନ୍ତୁ।” ବ୍ୟକ୍ତି ପ୍ରକୃତରେ ଯାହା ହେଉନା କାହିଁକି, ତା’ର ସାମାଜିକ ପରିଚୟଟି ସର୍ବଦା ସାମନାକୁ ଆସିଥାଏ। ଏବେ ଆମେ ବିଖ୍ୟାତ ସମାଜ ବିଜ୍ଞାନୀ ଓ ଲେଖକ ସ୍ବର୍ଗୀୟ ଚାର୍ଲସ୍ କ୍ୟୁଲିଙ୍କର ପୁସ୍ତକ ‘ହ୍ୟୁମାନ୍ ନେଚର ଏଣ୍ଡ୍ ସୋସିଆଲ ଅର୍ଡର୍’ ପଢ଼ୁ ପଢ଼ୁ ପଞ୍ଚମ ପରିଚ୍ଛେଦର ଏକ ସ୍ଥାନରେ ଅଟକି ଗଲୁ। କ୍ୟୁଲି ଲେଖିଛନ୍ତି, “ଆଇ ଆମ୍ ନଟ୍ ହ୍ବାଟ୍ ଆଇ ଥିଙ୍କ୍ ଆଇ ଆମ୍, ଆଇ ଆମ୍ ନଟ୍ ହ୍ବାଟ୍ ୟୁ ଥିଙ୍କ୍ ଆଇ ଆମ୍, ଆଇ ଆମ୍ ହ୍ବାଟ୍, ଆଇ ଥିଙ୍କ୍, ୟୁ ଥିଙ୍କ୍ ଆଇ ଆମ୍”।

ମୁଁ ମୋ ବିଷୟରେ ଯାହା ଭାବେ ମୁଁ ତାହା ନୁହେଁ, ମୋ ବିଷୟରେ ଆପଣ ଯାହା ଭାବନ୍ତି ମୁଁ ତାହା ମଧ୍ୟ ନୁହେଁ, ମୁଁ ହେଉଛି ଆପଣ ଓ ମୁଁ ଉଭୟ ମିଶି ମୋ ବିଷୟରେ ଯାହା ଭାବୁଛନ୍ତି ତାହା। ଅର୍ଥାତ୍‌ ମୋ ପରିଚୟ ସଂପର୍କରେ ମୋ ମତ ଓ ଆପଣଙ୍କ ମତ ଏକ ହେବା ଉଚିତ। ମନେକରନ୍ତୁ ମୁଁ ଜଣେ ଲାଞ୍ଚୁଆ କର୍ମଚାରୀ। କିନ୍ତୁ ମୁଁ ସର୍ବଦା ନିଜକୁ ସଚ୍ଚୋଟ ବୋଲି ଦର୍ଶାଇଥାଏ, କାରଣ ମୁଁ ଚାହେଁନା ମୋର ଲାଞ୍ଚ ନେବା ପ୍ରକୃତି କିଏ ଜାଣୁ। ତେଣୁ ମୁଁ ଆପଣଙ୍କ ପାଇଁ ଯାହା, ବାସ୍ତବରେ ତାହା ନୁହେଁ। କାରଣ ମୋ ଲାଞ୍ଚଖୋର ପ୍ରକୃତି ଆପଣ ଜାଣନ୍ତିନି। ଅତଏବ ଆପଣ ମୋ ସଂପର୍କରେ ଯେଉଁ ଧାରଣା ରଖିଛନ୍ତି, ମୁଁ ତାହା ନୁହେଁ। ତୃତୀୟ କଥାଟି ହେଲା, ମୁଁ ହେଉଛି ସେଇ ସ୍ବଘୋଷିତ ‘ସଚ୍ଚୋଟ’ ବ୍ୟକ୍ତି ଯାହାକୁ ଆପଣମାନେ ମଧ୍ୟ ସଚ୍ଚୋଟ ଭାବନ୍ତି ବୋଲି ମୁଁ ମନେକରେ। ଅର୍ଥାତ୍‌ ମୁଁ ଯାହା ହୋଇଥାଏନା କାହିଁକି, ମୋ ପରିଚୟଟି ଆପଣମାନେ ହିଁ ତିଆରି କରିଛନ୍ତି ଯାହାକୁ ମୁଁ ମାନିନେଇଛି।

କିଛି କରିବା ପୂର୍ବରୁ ଅନେକ ସମୟରେ ଆମର ଆଶଙ୍କା ହୋଇଥାଏ, ଲୋକେ କ’ଣ ଭାବିବେ। ଏ ଲୋକ ହେଉଛନ୍ତି ଆମର ଗୋଷ୍ଠୀ ଜୀବନ। ଆମ ସମାଜ। ସମାଜ ପ୍ରତି ଭୟ ଯୋଗୁଁ ଆମର ଅସଲ ପ୍ରକୃତି ଆମେ ଲୁଚାଇ ରଖୁ, କାରଣ ଥରେ ଆମ ସଂପର୍କରେ ସମାଜ ଯାହା ଧାରଣା କରିନେବ, ସେଇ ବିଶ୍ବାସର ଆଧାରରେ ଆମେ ପରିଚିତ ହୋଇଯିବା। ଉପରିସ୍ଥ ହାକିମଙ୍କ ସହିତ ଘନିଷ୍ଠତା ବଢ଼ିଲେ ଅଫିସ୍‌ରେ ସହକର୍ମୀମାନେ ଭାବନ୍ତି ସେମାନଙ୍କର ଉପରକୁ ଉଠିବା ରାସ୍ତାକୁ ଆପଣ କାଟି ଦେଉଛନ୍ତି। ଏ ସାମୂହିକ ବିଶ୍ବାସ ଯୋଗୁଁ ଆପଣ ଜଣେ ଉତ୍ତମ ବ୍ୟକ୍ତି ହେଲେ ମଧ୍ୟ ଗୋଟିଏ ଧାରଣା ହୋଇଯାଏ ଯେ, ଆପଣ ଜଣେ ଗୋଡ଼ଟଣା ଖଳ ପ୍ରକୃତିର ଲୋକ।
କ୍ୟୁଲିଙ୍କର ବାକ୍ୟ ତିନିଟିକୁ ବଦଳାଇ ଦେଖାଯାଉ। ଯଦି କହିବା ମୁଁ ନିଜକୁ ଯାହା ଭାବୁଛି ମୁଁ ତାହା, ସେଠାରେ କ୍ୟୁଲି କହୁଛନ୍ତି ନା। ସାଧାରଣ ଧାରଣା ଯେ, ଜଣେ ନିଜକୁ ଯେପରି ଉପସ୍ଥାପନ କରେ, ସେ ସେହିପରି ହୋଇଥାଏ। ମାତ୍ର କ୍ୟୁଲି ଏହାକୁ ଗ୍ରହଣ କରନ୍ତିନି।

ଯେମିତିକି ପ୍ରକୃତରେ ମୁଁ ଲାଞ୍ଚୁଆ ହେଲେ ମଧ୍ୟ ସର୍ବସାଧାରଣଙ୍କ ବିଶ୍ବାସରେ ଏକ ସଚ୍ଚୋଟ ବ୍ୟକ୍ତି। ଦ୍ବିତୀୟ ବାକ୍ୟରେ ଯଦି କୁହାଯାଏ, ଆପଣ ମୋ ବିଷୟରେ ଯାହା ଭାବିଛନ୍ତି ମୁଁ ତାହା, ଏଠାରେ ମଧ୍ୟ କ୍ୟୁଲି କହୁଛନ୍ତି, ନା। ଆପଣ ଭାବନ୍ତି ମୁଁ ସଚ୍ଚୋଟ, ମାତ୍ର ପ୍ରକୃତରେ ମୁଁ ତାହା ନୁହେଁ। ତୃତୀୟ କଥାଟି ହେଲା, ମୁଁ ଭାବୁଛି ଆପଣ ଓ ମୁଁ ଉଭୟ ମିଶି ମୋ ବିଷୟରେ ଯେଉଁ ଧାରଣା ରଖନ୍ତି ମୁଁ ତାହା। ଏଠି କ୍ୟୁଲି କହିଲେ ହଁ। ପ୍ରକୃତ ପକ୍ଷେ, ଅନ୍ୟମାନେ ମତେ ଯଦି ସଚ୍ଚୋଟ ଭାବନ୍ତି, ତାକୁ ସତ୍ୟ ପ୍ରମାଣିତ କରିବାକୁ ମତେ ମଧ୍ୟ ସଚ୍ଚୋଟ ପରି ଆଚରଣ ଦେଖାଇବାକୁ ହେବ। ସେ କ୍ଷେତ୍ରରେ ଦ୍ବିତୀୟ ବାକ୍ୟଟି ଠିକ୍ ହେବ। ଯଦି ମୁଁ ଅନ୍ୟର ମତକୁ ଗ୍ରହଣ ନ କରି ନିଜକୁ ଲାଞ୍ଚୁଆ ପ୍ରଦର୍ଶିତ କରେ, ପ୍ରଥମ ବାକ୍ୟଟି ଅନ୍ୟମାନଙ୍କ ପାଇଁ ଭୁଲ୍‌ ହେବ। କାରଣ, ଲୋକେ ଭାବୁଥିବେ ମୁଁ ସଚ୍ଚୋଟ। ତେଣୁ ସମାଜର ମତକୁ ମୁଁ କିପରି ଗ୍ରହଣ କରୁଛି, ତାହାରି ଆଧାରରେ ମୋ ଚରିତ୍ର ପ୍ରକଟିତ ହେବ। ସମାଜ ସହିତ ମନୁଷ୍ୟର ଏ ସଂପର୍କକୁ ଏକ ଦର୍ପଣ ଭାବରେ ନେଇ ଆମେ ସେଥିରେ ନିଜକୁ ଦେଖୁ ଓ ସେ ଅନୁସାରେ ନିଜର ମୂଲ୍ୟ, ଚରିତ୍ର ଓ ବ୍ୟବହାର ନିୟନ୍ତ୍ରିତ କରିଥାଉ।

ଏହାକୁ କ୍ୟୁଲି କୁହନ୍ତି “ଆତ୍ମ-ଦର୍ପଣ ତତ୍ତ୍ୱ”। ବା “ଲୁକିଂଗ୍ଲାସ୍‌-ସେଲ୍‌ଫ୍ ଥିଓରି”। ମତେ ଆପଣ ଯାହା ଭାବନ୍ତି ତାହା ଆପଣଙ୍କ ନିଜସ୍ବ ବିଚାର ଓ ମୁଁ କେବଳ ସେ ବିଚାରର ଏକ ପ୍ରତିବିମ୍ବ। ତେଣୁ ସମାଜର ଇଚ୍ଛା ଅନୁସାରେ କାର୍ଯ୍ୟ ନ କରି ନିଜ ସ୍ବାଧୀନ ଇଚ୍ଛାରେ କଲେ ଅନେକ କ୍ଷେତ୍ରରେ ତାହା ସମାଜ ଦ୍ବାରା ଗ୍ରହଣୀୟ ହୋଇନଥାଏ। ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ ଏକ ସମୟରେ ଦୃଶ୍ୟ ନ ହେବା ପରି, ମନୁଷ୍ୟର ପୂର୍ଣ୍ଣ ଚରିତ୍ରଟି ସମାଜ ଆଖିରେ କେବେ ବି ଧରାପଡ଼େନି। ଯେଉଁମାନେ ଭାବନ୍ତି ଯେ, କିଏ କ’ଣ ଭାବିବ ଭାବୁଥାଉ, ମୁଁ ଯାହା, ସେହିପରି ବଞ୍ଚିବି, ସେମାନେ ଗୋଷ୍ଠୀଗତ ଜୀବନରେ ଅନେକ ଅସୁବିଧାର ସାମନା କରନ୍ତି। ତେଣୁ ଅନ୍ୟର ଆମ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ହିଁ ଆମ ଚରିତ୍ରର ପ୍ରମାଣ ପତ୍ର ଓ ତାହା ହିଁ ଆମର ସାମାଜିକ ପ୍ରତିଷ୍ଠା। ଆମ ଆତ୍ମ-ପରିଚୟ।

ପ୍ରକୃତରେ ବନ୍ଧୁ, ଆମର ଅନ୍ତର୍ନିହିତ ଚରିତ୍ର ହେଉଛି ଆମର ନିଜସ୍ବ। ତାହା ସମାଜ ଠାରୁ ଲୁକ୍କାୟିତ ମୁଦ୍ରାର ଅପରପାର୍ଶ୍ବ। ଏହା ଆମେ କାହାରିକୁ କେବେ ଦେଖାଇ ନ ଥାଉ। ଏଥର କହିଲେ, ଆପଣ ଜାଣନ୍ତିକି ମୁଁ କିଏ? ମୋ ବିଷୟରେ ଆପଣ ଯାହା ବି ଭାବୁଥାଆନ୍ତୁ, ମୁଁ ପ୍ରକୃତରେ କିଏ ଆପଣ ଜାଣନ୍ତି ନାହିଁ। ଜାଣନ୍ତି କି?
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର