ମିସନ ସ୍କୁଲରୁ ଆଦର୍ଶ ବିଦ୍ୟାଳୟ
ଶୁଭଲକ୍ଷ୍ମୀ ଦାସ
ରାଜ୍ୟର ଶିକ୍ଷା ଇତିହାସରେ ୨୦୨୨-୨୦୨୩ ଶିକ୍ଷାବର୍ଷ ସ୍ବତନ୍ତ୍ର ଗୁରୁତ୍ବ ବହନ କରୁଛି। ରାଜ୍ୟରେ ଇଂରେଜୀ ମାଧ୍ୟମରେ ସ୍କୁଲ ଶିକ୍ଷାଦାନ ବ୍ୟବସ୍ଥାକୁ ଚଳିତ ବର୍ଷ ଦୁଇ ଶହ ବର୍ଷ ପୂରୁଛି। ତଥ୍ୟ ଅନୁଯାୟୀ ୧୮୨୨-୨୩ରେ ରାଜ୍ୟରେ ଖ୍ରୀଷ୍ଟିଆନ୍ ମିସ୍ନାରି ମାନେ ଇଂରେଜୀ ମାଧ୍ୟମରେ ସ୍କୁଲ ଶିକ୍ଷାଦାନ ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ। ସେମାନଙ୍କ ଦ୍ବାରା ସେହି ବର୍ଷ କଟକ ଇଂଲିସ୍ ସ୍କୁଲ୍ ନାମରେ ଏକ ପ୍ରାଥମିକ ସ୍କୁଲ୍ ପ୍ରତିଷ୍ଠା କରାଯାଇଥିଲା। ଏହା ପରବର୍ତ୍ତୀ ସମୟରେ ମିସନ୍ ସ୍କୁଲ୍ ଏବଂ ତା’ ପରେ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲ୍ ନାମରେ ନାମିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୮୩୬ ମସିହାରେ ଏହି ସ୍କୁଲ୍ର ପରିଚାଳନା ଦାୟିତ୍ବ ବ୍ରିଟିଶ୍ ସରକାର ନିଜ ହାତକୁ ନେଇଥିଲେ। ସେହି ସମୟରେ କଟକରେ ଆଉ ଏକ ଐତିହାସିକ ସ୍କୁଲ୍ ବି ସ୍ଥାପିତ ହୋଇଥିଲା, ଯାହାର ନାମ ଥିଲା କଟକ ଜିଲ୍ଲା ସ୍କୁଲ୍ (୧୮୨୨)। ପରବର୍ତ୍ତୀ ସମୟରେ ୧୮୬୮ରେ ତାହା ରେଭେନ୍ସା କଲିଜିଏଟ୍ ସ୍କୁଲ୍ ନାମରେ ନାମିତ ହୋଇଥିଲା। କଟକର ପ୍ରଥମ ସ୍କୁଲ୍ ପ୍ରତିଷ୍ଠା ସମୟରେ ବାଲେଶ୍ବର ଅଞ୍ଚଳରେ ଏକ ସ୍କୁଲ୍ ପ୍ରତିଷ୍ଠା ହୋଇଥିବା ଜଣାଯାଏ। ସେହିପରି ୧୮୩୬ରେ ପୁରୀରେ ଏକ ଇଂରେଜୀ ମାଧ୍ୟମ ସ୍କୁଲ୍ ଦୁଇ ତିନି ବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଥିଲା।
ତେବେ ୧୮୫୦ ମସିହା ପରେ ରାଜ୍ୟରେ ଇଂରେଜୀ ମାଧ୍ୟମରେ ସ୍କୁଲ୍ ଶିକ୍ଷାଦାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ୧୮୫୩ରେ ବାଲେଶ୍ବର ଓ ପୁରୀରେ (ଜିଲ୍ଲା ସ୍କୁଲ୍ ନାମରେ), ୧୮୫୫ରେ ବ୍ରହ୍ମପୁରରେ ଏବଂ ୧୮୮୨ରେ କଟକରେ (ଷ୍ଟିୱାର୍ଟ ସ୍କୁଲ୍) ପ୍ରତିଷ୍ଠିତ ହୋଇଥିଲା। ସେହି ସମୟରେ ରାଜ୍ୟରେ ମିଡିଲ୍ ଇଂଲିସ୍ (ଏମ୍ଇ) ବା ମଧ୍ୟ ଇଂରେଜୀ ସ୍କୁଲ ପ୍ରତିଷ୍ଠା ଦିଗରେ ବି ପଦକ୍ଷେପ ନିଆଯାଇଥିଲା। ୧୮୭୫ରେ କଟକର ପି.ଏମ୍. ଏକାଡେମି ଏବଂ ୧୮୮୮ରେ ଭିକ୍ଟୋରିଆ ସ୍କୁଲ୍ ସେହିଭଳି ସ୍କୁଲ୍ ମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ, ସ୍ବାଧୀନତା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ୍ ଆଉ ସଂପୂର୍ଣ୍ଣ ଭାବେ ଇଂରେଜୀ ମାଧ୍ୟମ ସ୍କୁଲ୍ ହୋଇ ରହି ନଥିଲେ। ଯେଉଁ ସ୍କୁଲ ସଂପୂର୍ଣ୍ଣ ଇଂରେଜୀ ମାଧ୍ୟମ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖିଲେ ସେମାନେ ଘରୋଇ ବ୍ୟବସ୍ଥାରେ ରହିଲେ। ଯଦିଓ ଭାରତ ସରକାର ଇଂରେଜୀ ମାଧ୍ୟମରେ ସ୍କୁଲ୍ ଶିକ୍ଷା ପ୍ରଦାନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କଲେ; କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାର ଆଉ ଇଂରେଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ ସରକାରୀ ସ୍କୁଲ୍ ଖୋଲିବା ଦିଗରେ ପଦକ୍ଷେପ ନେଲେ ନାହିଁ। ରାଜ୍ୟରେ ଇଂରେଜୀ ମାଧ୍ୟମ ପବ୍ଲିକ୍ ସ୍କୁଲ୍ଗୁଡ଼ିକ ମୁଖ୍ୟତଃ ବେସରକାରୀ ପରିଚାଳନାରେ ଗଢ଼ି ଉଠିଲା।
୧୯୬୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସରକାରୀ ବ୍ୟବସ୍ଥାରେ ଇଂରେଜୀ ମାଧ୍ୟମ ସ୍କୁଲ୍ ଖୋଲିବା ପାଇଁ ସଂପୂର୍ଣ୍ଣ ନୂଆ ଢଙ୍ଗରେ ଚିନ୍ତା କରିଥିଲେ। ତାଙ୍କର କଳ୍ପନା ପ୍ରସୂତ ସ୍କୁଲ୍ ଭାବେ ଚୌଦ୍ବାରରେ ପ୍ରତିଷ୍ଠା ହେଲା କଳିଙ୍ଗ ପବ୍ଲିକ୍ ସ୍କୁଲା। ୧୯୬୯ରେ ସରକାର ଏହାକୁ ହାତକୁ ନେବା ପରେ ଏହା କଳିଙ୍ଗ ପବ୍ଲିକ୍ ସରକାରୀ ସ୍କୁଲ୍ ଭାବେ ନାମିତ ହେଲା। ଏହି ସ୍କୁଲ୍ ଏବେ ବି ରାଜ୍ୟର ଏକମାତ୍ର ସରକାରୀ ପବ୍ଲିକ୍ ସ୍କୁଲ୍ ଭାବେ ପରିଗଣିତ ହେଉଛି। ରାଜ୍ୟର ସମସ୍ତ ଇଂରେଜୀ ମାଧ୍ୟମ ପବ୍ଲିକ୍ ସ୍କୁଲ ସିବିଏସ୍ଇ (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍) ଅଥବା ଆଇସିଏସ୍ଇ (ଇଣ୍ଡିଆନ୍ କାଉନସିଲ୍ ଫର୍ ସେକେଣ୍ଡାରି ଏଜୁକେସନ୍) ଅନୁବନ୍ଧିତ ହୋଇଥିବା ବେଳେ ଚୌଦ୍ବାରସ୍ଥିତ ଏକମାତ୍ର ସରକାରୀ ପବ୍ଲିକ୍ ସ୍କୁଲ୍ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସହ ଅନୁବନ୍ଧିତ।
ଏହି ସ୍କୁଲର ଛାତ୍ରଛାତ୍ରୀ ଇଂରେଜୀରେ ପାଠ ପଢ଼ିବା ସହିତ ମାଟ୍ରିକ ପରୀକ୍ଷାର ଉତ୍ତର ବି ଇଂରେଜୀରେ ଲେଖନ୍ତି, କିନ୍ତୁ ସେମାନଙ୍କ ପରୀକ୍ଷା ଫଳ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସହିତ ପ୍ରକାଶ ପାଏ। ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ବୋର୍ଡର ଯେଉଁ ପାଠ୍ୟପୁସ୍ତକ ପଢ଼ନ୍ତି, ଏହି ସରକାରୀ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ସେହି ପାଠ୍ୟପୁସ୍ତକର ଇଂରେଜୀ ଅନୁବାଦ ପଢ଼ି ପରୀକ୍ଷା ଦିଅନ୍ତି। ତେବେ, ଏହା ସହିତ ଆଉ ପ୍ରାୟ ୯ଟି ବେସରକାରୀ ଇଂରେଜୀ ମାଧ୍ୟମ ସ୍କୁଲ ମଧ୍ୟ ବୋର୍ଡ ଅନୁବନ୍ଧିତ ହୋଇ ରହିଛନ୍ତି। ଦେଶର ଅନ୍ୟ ରାଜ୍ୟମାନଙ୍କରେ ବି ବର୍ତ୍ତମାନ ସିବିଏସ୍ଇ ଓ ଆଇସିଏସ୍ଇ ବ୍ୟତୀତ ସଂପୃକ୍ତ ରାଜ୍ୟ ବୋର୍ଡ ଅନୁବନ୍ଧିତ ସ୍କୁଲ୍ ଇଂରେଜୀରେ ଶିକ୍ଷାଦାନ କରୁଛନ୍ତି।
ସୁଖର କଥା, ଓଡ଼ିଶାରେ ରାଜ୍ୟ ସରକାର ଦୀର୍ଘ କାଳର ବ୍ୟବଧାନ ପରେ ସରକାରୀ ଇଂରେଜୀ ମାଧ୍ୟମ ସ୍କୁଲ ପ୍ରତିଷ୍ଠା କରି ଶିକ୍ଷାଦାନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଯୋଜନାରେ ୨୦୧୬ରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇ ଇଂରେଜୀ ମାଧ୍ୟମରେ ଶିକ୍ଷା ଦାନ କରାଯାଉଛି। ଏହି ସ୍କୁଲ୍ଗୁଡ଼ିକ ସିବିଏସ୍ଇ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷାଦାନ କରୁଛନ୍ତି। ୧୮୨୨ରେ ମିସନ୍ ସ୍କୁଲ୍ରୁ ଆରମ୍ଭ କରି ବର୍ତ୍ତମାନର ଆଦର୍ଶ ବିଦ୍ୟାଳୟ ହେଉଛି ରାଜ୍ୟରେ ଇଂରେଜୀ ମାଧ୍ୟମରେ ସ୍କୁଲ ଶିକ୍ଷାଦାନ ବ୍ୟବସ୍ଥାର ଦୁଇ ଶହ ବର୍ଷର ଇତିହାସ। ଏହି ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ ବିଷୟଟି ହେଲା ବ୍ୟୟସାପେକ୍ଷ ଘରୋଇ ଇଂରେଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ିବାକୁ ସାହସ କରି ପାରୁ ନ ଥିବା ଆର୍ଥିକ ଭାବେ ଦୁର୍ବଳ ପରିବାରର ପିଲାମାନେ ୨୦୧୬ ମସିହାରୁ ରାଜ୍ୟର ପ୍ରତି ବ୍ଲକ୍ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରେଜୀ ମାଧ୍ୟମରେ ଶିକ୍ଷା ଲାଭ କରିବାର ସୁଯୋଗ ପାଇ ପାରୁଛନ୍ତି।
(ଓଡ଼ିଶାରେ ଇଂରେଜୀ ମାଧ୍ୟମ ଶିକ୍ଷାର ଦୁଇ ଶହ ବର୍ଷ)
ମୋ: ୭୯୭୮୮୪୪୭୬୨