ସର୍ବାଧିକ ଗୁଣୀ

କଥାଟିଏ - ଯାଯାବର

ପର୍ସିଆର ରାଜା ରାଜ୍ୟ ଜୟ ଅଭିଯାନରେ ବାହାରିଲେ। କିଛି ମାସ ପରେ ଫେରିଆସି ସେ ସୁଫି ସନ୍ଥ ଫିରୋଜଙ୍କୁ ଭେଟିବାକୁ ଗଲେ। ଫିରୋଜଙ୍କୁ ଅଭିବାଦନ କରି ରାଜା କହିଲେ- ଫିରୋଜ, ମୁଁ ଏଥର ଗୋଟିଏ ବିଚିତ୍ର କଥା ଅଙ୍ଗେ ନିଭେଇଲି। ତିନିଟି ରାଜ୍ୟ ବିରୋଧରେ ମୁଁ ଯୁଦ୍ଧ କଲି ଏବ˚ ବିଜୟ ଲାଭ କଲି। ଆପଣ ତ ଜାଣିଛନ୍ତି ମୁଁ ଯେଉଁ ରାଜ୍ୟ ଜୟ କରେ ସେ ରାଜ୍ୟର ଜ୍ଞାନୀ ଗୁଣୀ ଲୋକଙ୍କୁ ଆଣି ନିଜ ପାଖରେ ରଖେ। ପରାଜିତ ରାଜ୍ୟର ଯୁଦ୍ଧପଟୁ ସୈନିକମାନେ ମୋ ସେନାବାହିନୀରେ କାମ କରୁଛନ୍ତି। ମୁଁ ଯୋଗ୍ୟ ଲୋକଙ୍କୁ ସମ୍ମାନ ଦିଏ। କିନ୍ତୁ ଏଥର ମୋ ଅନୁଭୂତିଟି ଟିକିଏ ଅଲଗା ହେଲା। ଗୋଟିଏ ରାଜ୍ୟକୁ ଜୟ କରିବା ପରେ ମୁଁ ସେ ରାଜାଙ୍କ ପରିଷଦରେ ଥିବା ଜଣେ ଆଶୁ କବି ଓ ବିଦୂଷକଙ୍କୁ ନିଜ ରାଜପରିଷଦରେ ସ୍ଥାନ ଦେବାକୁ ମନସ୍ଥ କରି ସାଙ୍ଗରେ ଆଣିଲି। କିନ୍ତୁ ଯେତେବେଳେ ମୋ ପ୍ରଶ˚ସାରେ କବିତା ଭଣିବାକୁ ତାଙ୍କୁ କହେ, ସେ ମନା କଲେ। ସମସ୍ତେ ତାଙ୍କୁ ବୁଝାଇଲେ। କିନ୍ତୁ ସେ କହିଲେ ଯେ ସେ ଯେଉଁ ରାଜାଙ୍କ ପ୍ରଶ˚ସାରେ ଗୀତ ଭଣୁଥିଲେ, ସେ ତ ଏବେ ବନ୍ଦୀ। ତେଣୁ ପର୍ସିଆ ରାଜାଙ୍କ ଲାଗି ଗୀତ ଭଣିବାରେ ତାଙ୍କର ଆଗ୍ରହ ନାହିଁ। ମୁଁ ତେଣୁ ତାଙ୍କୁ ମଧୢ ବନ୍ଦୀଶାଳାରେ ପୂରାଇ ଦେବି ବୋଲି ଭାବୁଛି।

ଫିରୋଜ କହିଲେ- ମହାରାଜ, ତୁମେ ଯେତେ ଗୁଣୀ ଲୋକଙ୍କୁ ଆଣି ତୁମ ପରିଷଦରେ ରଖିଛ, ସବୁଠାରୁ ଅଧିକ ଗୁଣୀ ସେଇ କବି। ତୁରନ୍ତ ତାଙ୍କୁ ଓ ତାଙ୍କ ରାଜାଙ୍କୁ ମୁକ୍ତ କରି ତାଙ୍କ ରାଜ୍ୟ ଫେରାଇ ଦିଅ। ସେ କବି ଜଣକ କେବଳ ପ୍ରଭୁଭକ୍ତ ନୁହନ୍ତି, ଅତ୍ୟନ୍ତ ସାହସୀ ମଧୢ। ତାଙ୍କ ରହିବା ସ୍ଥାନ ବନ୍ଦୀଶାଳା ନୁହେଁ।

ସମ୍ବନ୍ଧିତ ଖବର