କଥାଟିଏ – ଯାଯାବର: ଦୁଇଟି ଚିତ୍ର

ଗୋଟିଏ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକ ସାକ୍ଷାତକାର କାର୍ଯ୍ୟକ୍ରମରେ ଶିକ୍ଷକ କହିଲେ- ପିଲାମାନଙ୍କୁ ପାଠ ପଢ଼ିବା ଲାଗି ଦୁଇ ପ୍ରକାରେ ପ୍ରେରଣା ଦେଇ କୁହାଯାଇପାରେ। କିନ୍ତୁ ଦୁଇ ପ୍ରକାର ପ୍ରେରଣା ପଛରେ ଯେଉଁ ଆଭିମୁଖ୍ୟ ଏବ˚ ଯେଉଁ ସନ୍ଦେଶ ଥାଏ, ତା ଭିତାରେ ରହିଥାଏ ଆକାଶ ପାତାଳ ଫରକ। ଉଦାହରଣ ଦେଇ କହୁଛି, ଶୁଣନ୍ତୁ।
ଥରେ ପିଲାକୁ ସାଙ୍ଗରେ ଧରି ମା’ ବିଦ୍ୟାଳୟକୁ ଆସୁଥାଆନ୍ତି। ବାଟରେ ପିଲାଟି ସହିତ ଅନେକ କଥାବାର୍ତ୍ତା ହେଉଥାଆନ୍ତି। ଏଇ ସମୟରେ ଦେଖିଲେ ଜଣେ ଜରି ଗୋଟାଉଥିବା ପିଲା ଆବର୍ଜନା ଗଦା ପାଖରେ କ’ଣ ସବୁ ଖୋଜୁଛି।

ପିଲା ପଚାରିଲା- ମା’ ୟେ କ’ଣ କରୁଛି? ୟେ କ’ଣ ପାଠ ପଢୁନାହିଁ? ସ୍କୁଲ ଯାଉନାହିଁ?
ମା’ କହିଲେ- ନା, ୟେ ସ୍କୁଲ ଯାଉନାହିଁ। ଆଉ ତୁ ବି ମନେରଖ, ତୁ ଯଦି ପାଠ ନ ପଢ଼ିବୁ, ସ୍କୁଲରୁ ତୋ ନାମ କଟିଯିବ ଏବ˚ ତୁ ଏଇ ପିଲା ପରି ମଇଳା ଗଦାରୁ ଜରି ଗୋଟାଇବୁ।
ପିଲାଟି ମା’ଙ୍କ ମୁହଁକୁ ଚାହିଁ କହିଲା- ନା, ମା’ ମୁଁ ନିଶ୍ଚୟ ପାଠ ପଢ଼ିବି।

ଏବେ ଦ୍ବିତୀୟ ଉଦାହରଣ। ସେଇ ସମାନ ଦୃଶ୍ୟ। ପିଲାଟି ମା’ଙ୍କୁ ପଚାରିଲା- ମା’ ୟେ କ’ଣ ପାଠ ପଢୁନାହିଁ? ସ୍କୁଲ ଯାଉନାହିଁ?
ମା’ କହିଲେ- ନା ବାବୁ, ୟେ ଯେଉଁ ପରିସ୍ଥିତିରେ ଜନ୍ମ ନେଇଛି ଓ ବଢ଼ିଛି ତା ଲାଗି ସ୍କୁଲ ଯିବା କି ପାଠ ପଢ଼ିବା ବୋଧହୁଏ ସମ୍ଭବ ନୁହେଁ। କିନ୍ତୁ ତୁ ମନ ଦେଇ ପାଠ ପଢ଼। ତୁ ଯଦି ପାଠ ପଢ଼ି ମଣିଷ ହେବୁ, ଏଇ ଭଳି ପିଲାମାନଙ୍କ ଦୁନିଆକୁ ବଦଳାଇବାକୁ ଚେଷ୍ଟା କରିବୁ। ଚେଷ୍ଟା କରିବୁ ସମସ୍ତେ ଯେମିତି ପାଠ ପଢ଼ିବେ ଓ ସ୍କୁଲ ଯିବେ।
ପିଲାଟି ମା’ଙ୍କ ମୁହଁକୁ ଚାହିଁ କହିଲା- ମା’ ମୁଁ ନିଶ୍ଚୟ ମନ ଲଗାଇ ପାଠ ପଢ଼ିବି।

ସମ୍ବନ୍ଧିତ ଖବର