ଆଲମିରା ଭିତର କଙ୍କାଳ

‘ଦ ନେସନାଲ ହେରାଲ୍‌ଡ’ ଖବରକାଗଜର ବନ୍ଦ ଆଲମିରା ଭିତରେ କଙ୍କାଳ ରହିଛି ବୋଲି ପ୍ରଥମେ ଆଘ୍ରାଣ କରି ପାରିଥିବା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ, ତାକୁ ପଦାକୁ ଆଣିବା ସକାଶେ ୨୦୧୨ ମସିହାରେ ଯେଉଁ ଉଦ୍ୟମ କରିଥିଲେ, ସେଥି ଲାଗି ରାହୁଳ ଗାନ୍ଧୀଙ୍କୁ ‘ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟରେଟ୍‌’ ବା ‘ଇଡି’ (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ୩୦ ଘଣ୍ଟା ବ୍ୟାପୀ ଏକ ଦୀର୍ଘ ଜେରା ମଧୢ ଦେଇ ଯିବାକୁ ପଡ଼ିଛି ଏବ˚ ଅସୁସ୍ଥତା କାରଣରୁ ‘ଇଡି’ ସମକ୍ଷରେ ସୋନିଆ ଗାନ୍ଧୀଙ୍କ ଉପସ୍ଥିତି ସମୟକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହା ପରେ କ˚ଗ୍ରେସ ପକ୍ଷରୁ ସ୍ବାଭାବିକ ଭାବେ ଅଭିଯୋଗ କରାଯାଉଛି ଯେ ପ୍ରତିଶୋଧ ପରାୟଣ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କର ଏହା ହେଉଛି ଏକ ଆକ୍ରୋଶମୂଳକ ଆଭିମୁଖ୍ୟ। ଏଭଳି ସ୍ଥିତିରେ ରାହୁଳ ଗାନ୍ଧୀଙ୍କ ଗିରଫଦାରି ନେଇ ମଧୢ ଏକ ଆଶଙ୍କା ସୃଷ୍ଟି ହୋଇଥାଏ। ସୁତରା˚, ଏଭଳି ସ୍ଥିତିରେ ଏହି ଜଟିଳ ଘଟଣାକ୍ରମ ସ˚ପର୍କରେ ଏକ ସ˚କ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଏହି ସ୍ତମ୍ଭର ଯେଉଁ ପାଠକପାଠିକା ‘ଦ ନେସନାଲ ହେରାଲ୍‌ଡ’ ବିବାଦ ସମ୍ବନ୍ଧରେ ଅବଗତ ନାହାନ୍ତି, ସେମାନଙ୍କ ସକାଶେ ସ˚କ୍ଷେପରେ ଏ ନେଇ ଏକ ଧାରଣା ଦିଆ ଯାଇପାରେ। ସ୍ବାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୩୮ ମସିହାରେ ପଣ୍ତିତ ଜଵାହରଲାଲ ନେହରୁଙ୍କ ତତ୍ତ୍ବାବଧାନରେ ଏହି ଖବରକାଗଜ ଆତ୍ମପ୍ରକାଶ କରିଥିଲା, ଯାହାର ପ୍ରକାଶନ ସ˚ସ୍ଥାର ନାମ ଥିଲା ‘ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌’ ବା ‘ଏ.ଜେ.ଏଲ୍‌’। ସେହି ସମୟରେ ଏହାର ଅ˚ଶୀଦାର (ସେୟାର ହୋଲ୍‌ଡର)ଙ୍କ ସ˚ଖ୍ୟା ଥିଲା ୫୦୦୦, ଯେଉଁମାନେ ପ୍ରମୁଖ ଭାବେ ଥିଲେ ସ୍ବାଧୀନତା ସ˚ଗ୍ରାମୀ। ଏହାର ପଞ୍ଜୀକୃତ ଅଫିସ୍‌ର ଠିକଣା ଥିଲା ଦିଲ୍ଲୀର ହେରାଲ୍‌ଡ ହାଉସ୍‌। ସ୍ବାଧୀନତା ପରବର୍ତ୍ତୀ କାଳରେ ନେହରୁଙ୍କ ପ୍ରଧାନମନ୍ତ୍ରିତ୍ବ ତାଙ୍କୁ ଏହି ଅନୁଷ୍ଠାନର ଅଧୢକ୍ଷ ପଦରୁ ଇସ୍ତଫା ଦେବାକୁ ବାଧୢ କରିଥିଲା, ଯଦିଓ ଖବରକାଗଜଟି କ˚ଗ୍ରେସର କର୍ତ୍ତୃତ୍ବାଧୀନ ରହି ଊଣାଅଧିକେ ଦଳର ମୁଖପତ୍ରରେ ପରିଣତ ହୋଇଥିଲା।

ତେବେ, କ୍ରମେ ‘ଦ ଡେକାନ୍‌ ହେରାଲ୍‌ଡ’ ବିଭିନ୍ନ କାରଣରୁ କ୍ଷତିର ସମ୍ମୁଖୀନ ହୋଇ ପରିେଶଷରେ ୨୦୦୮ ମସିହାରେ ବନ୍ଦ ହୋଇ ଯାଇଥିଲା, ଯେତିକି ବେଳେ ‘ଏଜେଏଲ୍‌’ର ଅ˚ଶୀଦାରଙ୍କ ସ˚ଖ୍ୟା ୧୦୦୦କୁ ଖସି ଆସିଥିଲା। ତେବେ, ସେହି ସମୟ ବେଳକୁ ଏହି ଖବରକାଗଜ ଦ୍ବାରା କରାଯାଇଥିବା ଋଣର ପରିମାଣ ଥିଲା ୯୦ କୋଟି ଟଙ୍କା, ଯାହା ବିଭିନ୍ନ ସମୟରେ କ˚ଗ୍ରେସ ଦଳର ପାଣ୍ଠିରୁ ଯାଇଥିଲା। ତେବେ, ୨୦୧୦ ମସିହାରେ ଏହି ଋଣ ରାଶି ଆଦାୟ କରିବା ସକାଶେ ଏକ ସ˚ସ୍ଥାର ଗଠନ କରାଗଲା, ଯାହାର ନାମ ଥିଲା ‘ୟଙ୍ଗ ଇଣ୍ତିିଆନ୍‌ ଲିମିଟେଡ୍‌’, ଯହିଁରେ ୭୬ ପ୍ରତିଶତ ଅ˚ଶଧନ ରହିଥିଲା ସୋନିଆ ଗାନ୍ଧୀ ଏବ˚ ରାହୁଳ ଗାନ୍ଧୀଙ୍କ ଠାରେ; ଏବ˚ ଅବଶିଷ୍ଟ ଅ˚ଶଧନ ରହିଥିଲା ଗାନ୍ଧୀ ପରିବାରର ଏକାନ୍ତ ଅନୁରକ୍ତ ମୋତିଲାଲ ଭୋରା ଏବ˚ ଓସ୍କାର ଫର୍ନାଣ୍ତିଜଙ୍କ ଠାରେ, ଯେଉଁ ଦୁଇ ଜଣ ବର୍ତ୍ତମାନ ଦିବ˚ଗତ। ଅଦାଲତରେ ଥିବା ରେକର୍ଡ କହିଥାଏ ଯେ ‘ୟଙ୍ଗ ଇଣ୍ତିଆନ୍‌’ ଦ୍ବାରା କ˚ଗ୍ରେସ ଦଳକୁ ମାତ୍ର ୫୦ ଲକ୍ଷ ଟଙ୍କା ପଇଠ କରାଯାଇ ‘ନେସନାଲ ହେରାଲ୍‌ଡ’ ନାମରେ ଥିବା ୯୦ କୋଟିର ଋଣକୁ ଦଫାରଫା କରିଦିଆ ଯାଇଥିଲା।

ତା’ ସହିତ ଏହି ସ˚ସ୍ଥା ଦ୍ବାରା ମାତ୍ର ୯ କୋଟି ଟଙ୍କା ପ୍ରଦାନ କରାଯାଇ ‘ନେସନାଲ ହେରାଲ୍‌ଡ’ର ପ୍ରାୟ ସମସ୍ତ ଅ˚ଶଧନ ଖର୍ଦ୍ଦି କରି ନିଆଯାଇଥିଲା, ଯାହା ଫଳରେ ‘ନେସନାଲ ହେରାଲ୍‌ଡ’ ସହିତ ତା’ ଅଧୀନରେ ଥିବା ଦିଲ୍ଲୀ, ମୁମ୍ବାଇ ଏବ˚ ଲକ୍ଷ୍ନୌ ସହରର ଅତ୍ୟନ୍ତ ମୂଲ୍ୟବାନ ସ୍ଥାବର ସ˚ପତ୍ତିର ମାଲିକାନା ମଧୢ ‘ୟଙ୍ଗ ଇଣ୍ତିଆନ’ ନିକଟକୁ ଚାଲି ଆସିଥିଲା, ଯାହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ହେବ ପ୍ରାୟ ୨୦୦୦ କୋଟି ଟଙ୍କା। ତେଣୁ ଏହି ପ୍ରକରଣରେ ଯାହା ଘଟିଛି, ତାହା ହେଲା ଗୋଟିଏ ରାଜନୈତିକ ଦଳର ମୁଖ୍ୟ ଭାବେ ପ୍ରଭାବର ପ୍ରୟୋଗ କରି ଦଳୀୟ ପାଣ୍ଠିକୁ ବ୍ୟକ୍ତିଗତ ସ˚ପତ୍ତି ଭଳି ବ୍ୟବହାର କରି ଚତୁରତାର ସହିତ ଏକ ‘ପବ୍ଲିକ୍‌ ଲିମିଟେଡ୍‌’ କ˚ପାନିର ମୂଲ୍ୟବାନ ସ˚ପତ୍ତିକୁ ଅଧିକାର କରିବା, ଯାହା ଆଇନସମ୍ମତ ନୁହେଁ।

ଉଲ୍ଲେଖ ଥାଉ କି ୨୦୧୨ ମସିହାରେ ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ବାରା ଏହି ମାମଲା ଏକ ଟ୍ରାଏଲ୍‌ କୋର୍ଟରେ ଆଗତ ହେଲା ବେଳକୁ କେନ୍ଦ୍ରରେ କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଥିଲା। ତେବେ ଇତିମଧୢରେ ଘଟଣା ଚକ୍ରରେ ଏହି ମାମଲା ସହିତ ଦିଲ୍ଲୀ ହାଇକୋର୍ଟ ଏବ˚ ମାନ୍ୟବର ସୁପ୍ରିମ୍ କୋର୍ଟ ମଧୢ ସ˚ପୃକ୍ତ ହୋଇଛନ୍ତି; କାରଣ ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ବାରା ଦାୟର କରାଯାଇଥିବା ମାମଲାକୁ ଖାରଜ କରିବା ଲାଗି ଉଭୟ ରାହୁଳ ଏବ˚ ସୋନିଆ ଗାନ୍ଧୀ ସେ ସବୁ ଅଦାଲତର ଦ୍ବାରସ୍ଥ ମଧୢ ହୋଇଛନ୍ତି। ତେବେ ଏହି ପ୍ରକରଣରେ ହଠାତ୍‌ ‘ଇଡି’ର ଆବିର୍ଭାବ ଘଟିବା ପଛରେ ଯେଉଁ କାରଣଟି ଦର୍ଶାଯାଇଥାଏ, ତାହା ହେଲା ନଅ ମାସ ତଳେ ଏହି ଘଟଣାକୁ ନେଇ ଆଗତ ଆଉ ଏକ ମାମଲା।

ଏହି ବେଆଇନ ଅର୍ଥ କାରବାରରେ ରାହୁଳ ବା ସୋନିଆ ଗାନ୍ଧୀଙ୍କ ସ˚ପୃକ୍ତି ସିଦ୍ଧ ହୋଇଗଲେ, ସେମାନେ ଗିରଫଦାରିର ସାମନା କରିପାରନ୍ତି ବୋଲି ଯେଉଁ ଆଶଙ୍କା ମୁଣ୍ତ ଟେକିଛି, ସେ ନେଇ କେତେକ ରାଜନୈତିକ ପର୍ଯ୍ୟବେକ୍ଷକ ସନ୍ଦେହ ପ୍ରକାଶ କରନ୍ତି। ସେମାନଙ୍କ ମତରେ ଏଭଳି ଏକ ପଦକ୍ଷେପ ବିଜେପି ସକାଶେ ଅପରିଣାମଦର୍ଶୀ ମଧୢ ହୋଇପାରେ। ସେମାନେ ୧୯୭୭ ମସିହା, ଅକ୍ଟୋବର ୪ ତାରିଖରେ ଇନ୍ଦିରା ଗାନ୍ଧୀଙ୍କ ଗିରଫଦାରିର ଦୃଷ୍ଟାନ୍ତ ପ୍ରଦାନ କରି କହିଥାଆନ୍ତି ଯେ ‘ଏମର୍ଜେନ୍‌ସି’ କାରଣରୁ ସେତେବେଳେ ଅତ୍ୟନ୍ତ ଅପ୍ରିୟ ହୋଇ ପଡ଼ିଥିବା ଇନ୍ଦିରା ଗାନ୍ଧୀ ନିର୍ବାଚନରେ ଚରମ ବିପର୍ଯ୍ୟୟର ସାମନା କରି ଗାଦିଚ୍ୟୁତ ହୋଇଥିଲେ ସତ, କିନ୍ତୁ ସଦ୍ୟ କ୍ଷମତାକୁ ଆସିଥିବା ଜନତା ଦଳ ସରକାର ଦ୍ବାରା ତାଙ୍କ ଗିରଫଦାରି ଏଭଳି ଅନୁକ˚ପାର ତରଙ୍ଗ ସୃଷ୍ଟି କରିଥିଲା ଯେ ତାର ମାତ୍ର ତିନି ବର୍ଷ ପରେ ନିର୍ବାଚନରେ ବିପୁଳ ଭାବେ ଜୟଯୁକ୍ତ ହୋଇ ପୁନର୍ବାର ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଏହା ସତ ଯେ ରାହୁଳଙ୍କ ଠାରେ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ବର ଚୁମ୍ବକୀୟତା ଦୃଶ୍ୟମାନ ହୋଇ ନ ଥାଏ। କିନ୍ତୁ ତା’ ସତ୍ତ୍ବେ ତାଙ୍କ ଗିରଫଦାରି ଅନୁକ˚ପା ସୃଷ୍ଟି କରି କ˚ଗ୍ରେସ ଲାଗି ସମର୍ଥନରେ ବୃଦ୍ଧି ଘଟାଇବା ପ୍ରାୟ ନିଶ୍ଚିତ। କେବଳ ସେତିକି ନୁହେଁ, ବର୍ତ୍ତମାନ ତୃଣମଳ ସ୍ତରରେ ହତାଶା ଜର୍ଜରିତ ଓ ନିଃସ୍ପୃହ ଭାବେ ବସି ରହିଥିବା ଅନେକ କ˚ଗ୍ରେସ କର୍ମୀ ଏହା ବିରୋଧରେ ସ୍ବର ଉତ୍ତୋଳନ କରି ପୁନର୍ବାର ଏକଜୁଟ ହୋଇପାରନ୍ତି, ଯାହାର ପ୍ରଭାବ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଉପରେ ହୁଏତ ପଡ଼ିପାରେ। ଏଭଳି ଏକ ସମ୍ଭାବ୍ୟ ଦୃଶ୍ୟପଟରେ ଗିରଫଦାରିର ସମ୍ଭାବନା କମ୍‌ ବୋଲି କୁହାଯାଇପାରେ।

ତେବେ ଏହି ସ˚ଦର୍ଭରେ ଗଣମାଧୢମରେ ପ୍ରକାଶିତ ଏକ ସମ୍ବାଦ ରାହୁଳଙ୍କୁ ନେଇ ବିବ୍ରତ ହେବାକୁ ବାଧୢ କରିଥାଏ, କାରଣ ଏଥିରେ ଜଣେ ଅତ୍ୟନ୍ତ ଅପରିପକ୍ବ ଓ ପିଲାଳିଆ ରାହୁଳ ଆଖି ଆଗକୁ ଆସନ୍ତି। ସେହି ସମ୍ବାଦଟି ହେଲା ‘ଇଡି’ର ଜେରା ସମୟରେ ରାହୁୁଳ ପ୍ରଦାନ କରିଥିବା ମନ୍ତବ୍ୟ ଯେ ସେ ଏହି ବ୍ୟାପାରରେ ସ˚ପୂର୍ଣ୍ଣ ଅଜ୍ଞ ଏବ˚ ଏଥି ଲାଗି ତତ୍କାଳୀନ କ˚ଗ୍ରେସର କୋଷାଧୢକ୍ଷ ମୋତିଲାଲ ଭୋରା ହିଁ ଦାୟୀ। ଏଭଳି ମନ୍ତବ୍ୟ ପ୍ରଦାନ କରି ଗୋଟିଏ ସମୟରେ (ଏବେ ମଧୢ) ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି ଯୋଗ୍ୟ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଥିବା ରାହୁଳ ସମ୍ଭବତଃ ନିଜ ଚରିତ୍ରଗତ ‘ନିରୀହ ସରଳ ବିଶ୍ବାସ’କୁ ଦର୍ଶାଇବାକୁ ଚେଷ୍ଟା କରିଥାଇପାରନ୍ତି, କିନ୍ତୁ ପ୍ରକୃତରେ ଏହା ‘ଦାୟିତ୍ବହୀନ ଅପରିପକ୍ବତା’ ଆଡ଼କୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ଯାହା ତାଙ୍କ ବିରୋଧୀଙ୍କ ଲାଗି ତାଙ୍କର ଏକ ପରିଚୟ ହୋଇ ରହିଆସିଛି।

କହିବା ବାହୁଲ୍ୟ ଯେ ‘ଦ ନେସନାଲ ହେରାଲ୍‌ଡ’କୁ ଅଧିକାର କଲା ଭଳି ଏକ ଜଟିଳ ପ୍ରକରଣ ରାହୁଳଙ୍କ ଅଗୋଚରରେ ଘଟିଥିିବା ଅସମ୍ଭବ; ଏବ˚ ଯଦି ଅଗତ୍ୟା ସେଭଳି ହୋଇଥାଏ, ତେବେ ତାଙ୍କ ଭଳି ଜଣେ ‘ଭୋଳା’ ବ୍ୟକ୍ତି କେବେ ସମୟ ବା ସୁଯୋଗ ଆସିଲେ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ରୂପେ ବିବେଚିତ ହେବେ ତ? ରାହୁଳଙ୍କ ଏଭଳି ମନ୍ତବ୍ୟକୁ ନେଇ ପ୍ରକାଶିତ ଖବରର ପ୍ରତିକ୍ରିୟାରେ ମୋତିଲାଲ ଭୋରାଙ୍କ ପୁତ୍ର କହିବାର ଶୁଣିବାକୁ ମିଳେ ଯେ ଏହା ‘ଇଡି’ ପକ୍ଷରୁ ପ୍ରସାରିତ ମିଥ୍ୟାର ଏକ ଅ˚ଶ, କାରଣ ରାହୁଳ ଗାନ୍ଧୀ ଏଭଳି ବୟାନ ଦେବା ଅସମ୍ଭବ। କିନ୍ତୁ ରାହୁଳଙ୍କ ପକ୍ଷରେ ଏଭଳି ମନ୍ତବ୍ୟ ପ୍ରଦାନ ଯେ ଅତି ସମ୍ଭବ, ଏଭଳି ଧାରଣା ବହନ କରିଥିବା ଲୋକଙ୍କ ସ˚ଖ୍ୟା ମଧୢ କିଛି କମ୍‌ ନୁହେଁ।

ସମ୍ବନ୍ଧିତ ଖବର