ସ୍ବାଧୀନତା ଓ ୧୮୦୦ କୋଟିର ଋଣ ବୋଝ

ଆଲୋକର ସନ୍ଧାନେ - ଅଭୟ ଦ୍ୱିବେଦୀ

ଲାଲା ଲଜପତ ରାୟଙ୍କର ଅନ୍ୟତମ ଅନବଦ୍ୟ କୃତି ହେଉଛି ୧୯୧୭ ମସିହାରେ ଆମେରିକାରୁ ପ୍ରକାଶିତ- ‘ଇଂଲଣ୍ଡ୍‌ସ ଡେଟ୍ ଟୁ ଇଣ୍ଡିଆ’ (ଭାରତ ଉପରେ ଇଂଲଣ୍ଡର ଋଣ) ପୁସ୍ତକ। ଚାରିଶହ ତେପନ ପୃଷ୍ଠା ସମ୍ବଳିତ ପୁସ୍ତକର ଉପଶୀର୍ଷକ ହେଉଛି- ଏ ହିଷ୍ଟରିକାଲ୍ ନ୍ୟାରେଟିଭ୍ ଅଫ୍ ବ୍ରିଟେନ୍‌ସ ଫିସ୍‌କାଲ ପଲିସି ଇନ୍‌ ଇଣ୍ଡିଆ। ଇଷ୍ଟ ଇଣ୍ଡିଆ କଂପାନି ପ୍ରବେଶ କରିବା ପୂର୍ବରୁ ଭାରତର ଅର୍ଥନୀତି କେତେ ସୁଦୃଢ଼ ଥିଲା ଏବଂ ଇଂରେଜମାନେ ଦେଶବାସୀଙ୍କ ରକ୍ତ ଶୋଷଣ କରି ଅର୍ଥନୀତିକୁ କିପରି ଦୁର୍ବଳ କରିଦେଲେ, ପୁସ୍ତକରେ ଏହାର ତଥ୍ୟଗତ ବିସ୍ତୃତ ବ୍ୟାଖ୍ୟାନ ରହିଛି। ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତ ହେବାର ଦେଢ଼ ବର୍ଷ ପୂର୍ବେ ଏହି ପୁସ୍ତକ ପ୍ରକାଶ ପାଇଥିଲା। ଲେଖକ ପୁସ୍ତକର ପୃଷ୍ଠଭୂମି ନାଟକୀୟ ଢଙ୍ଗରେ ଆରମ୍ଭ କରିଛନ୍ତି- ‘ଇଂଲଣ୍ଡକୁ ଭାରତର ୧୦୦ ମିଲିଅନ ପାଉଣ୍ଡ ଉପହାର।

ଇଂଲଣ୍ଡର ସେକ୍ରେଟାରି ଅଫ୍ ଷ୍ଟେଟ୍‌ଙ୍କ ଅନୁମୋଦନକ୍ରମେ ଭାରତରେ ବ୍ରିଟିସ୍‌ ସରକାର, ଦେଶରୁ ଅସୀମିତ ‘ଯୁଦ୍ଧ ଋଣ’ ରାଶି ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ମଧ୍ୟରୁ ଭାରତ, ଇଂଲଣ୍ଡକୁ ୧୦୦ ମିଲିଅନ ପାଉଣ୍ଡ ଉପହାର ପ୍ରଦାନ କରିବ।… ବ୍ରିଟେନର ନେତାମାନେ ଭାରତବାସୀଙ୍କର ଏହି ଉଦାରତା ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି। କିନ୍ତୁ ବାସ୍ତବତା ହେଉଛି, ଏହି ମର୍ମରେ ଭାରତବାସୀ କିମ୍ବା ସେମାନଙ୍କ ପ୍ରତିନିଧି କାହାରି ମତାମତ ଲୋଡ଼ା ଯାଇନାହିଁ। ସେକ୍ରେଟାରି ଅଫ୍ ଷ୍ଟେଟ୍ ଅଫ୍ ଇଣ୍ଡିଆ ଏବଂ ଭାରତରେ ବ୍ରିଟିସ୍‌ ସରକାର ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ଭାରତବାସୀଙ୍କୁ କେବଳ ଅବଗତ କରାଇଛନ୍ତି।’ ଏ ସଂପର୍କରେ ଲେଖକ ‘ମାେଞ୍ଚଷ୍ଟର ଗାର୍ଡିଆନ’ ସମ୍ବାଦପତ୍ରରେ ୧୯୧୭ ମାର୍ଚ୍ଚ ୧୫ ତାରିଖରେ ପ୍ରକାଶିତ ରିପୋର୍ଟ ଉଦ୍ଧାର କରିଛନ୍ତି।

ଏଥିରେ ଉଲ୍ଲେଖ ଅଛି- ‘ଆମ୍ଭେ ବାରମ୍ବାର ଦୋହରାଉଛୁ, ଭାରତର ଅର୍ଥ ଭାରତବାସୀଙ୍କ ହିତରେ ବିନିଯୋଗ ହେବା ଯଥାର୍ଥ। ଆମର ବିଶ୍ୱାସ, ଏ ନିଷ୍ପତ୍ତି ଭାରତ ସପକ୍ଷରେ ଯିବ ନାହିଁ। ଆମେ ଯଦି ବାସ୍ତବରେ ଭାରତର ମଙ୍ଗଳ ଚାହୁଥାଉ, ତେବେ ଏହି ୧୦୦ ମିଲିଅନ ପାଉଣ୍ଡ ଦେଶର ଭିତ୍ତିଭୂମି ବିକାଶ ଦିଗରେ ବିନିଯୋଗ କରାଯାଉ।’ ଏହା ହେଉଛି ବ୍ରିଟିସ୍‌ ଗଣମାଧ୍ୟମର ଭାରତ ପ୍ରତି ସମର୍ଥନ। ସେଥି ନିମନ୍ତେ ଲେଖକ ଲାଲା ଲଜପତ ରାୟ ପୁସ୍ତକକୁ ‘ସାହସୀ, ଉଚ୍ଚମନା, ସଚ୍ଚୋଟ ଇଂରେଜ ମହିଳା ଓ ପୁରୁଷ ଯେଉଁମାନେ ଭାରତରେ ଇଂଲଣ୍ଡର କୁଶାସନ ସଂପର୍କରେ ସତ୍ୟ ପ୍ରକାଶ କରିବା ପାଇଁ କୁଣ୍ଠାବୋଧ ନ କରି ନିଜ ଦେଶବାସୀଙ୍କ ରୋଷର ଶିକାର ହୋଇଛନ୍ତି’ ସେହିମାନଙ୍କୁ ଉତ୍ସର୍ଗ କରିଛନ୍ତି।

୨୦୧୨ ମସିହାରେ ହିନ୍ଦୁସ୍ତାନ ବୁକ୍‌ସ ତରଫରୁ ଏହାର ପୁନଃମୁଦ୍ରଣ ଅବସରରେ ପୁସ୍ତକର ପ୍ରକାଶକୀୟ ଉପକ୍ରମଣିକାରେ ଯଶୱନ୍ତ ସିଂହ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି, ତାହାର ଓଡ଼ିଆ ମର୍ମାନୁବାଦ ଏହିପରି- “ଅନେକଙ୍କୁ ଅଜଣା ଥିବ, ସ୍ୱାଧୀନତା ପରେ ଆମ ଆର୍ଥକ ଦୁରବସ୍ଥାର ମୁଖ୍ୟ କାରଣ ହେଉଛି ୧୮୦୦ କୋଟି ଟଙ୍କାର ଋଣ ବୋଝ। କ୍ଷମତା ହସ୍ତାନ୍ତର ଚୁକ୍ତିନାମା ଆଧାରରେ ଇଂଲଣ୍ଡ ଆମ ମୁଣ୍ଡ ଉପରେ ଏହି ଋଣ ଥାପି ଦେଇଥିଲା ଏବଂ ସ୍ୱାଧୀନତା ପ୍ରାପ୍ତି ପରେ ସୁଧ ସହିତ ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହେଲା। (୧୯୬୦ ଦଶକରେ ସମସ୍ତ ଅର୍ଥନୀତି ପୁସ୍ତକର ‘ପବ୍ଲିକ ଫାଇନାନ୍‌ସ’ ଅଧ୍ୟାୟରେ ଏହାର ସବିଶେଷ ବିବରଣୀ ଉଲ୍ଲେଖ ଥିଲା। ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ‘ଇଣ୍ଡିଆ ଡିଭାଇଡେଡ୍’ ପୁସ୍ତକର ୨୦୧୦ ମସିହା ପେଙ୍ଗୁଇନ୍ ପୁନଃମୁଦ୍ରଣ ସଂସ୍କରଣର ୪୦୧-୪୦୫ ପୃଷ୍ଠାରେ ଏହି ପରିମାଣ ୨୦୦୦ କୋଟି ଟଙ୍କା ଉଲ୍ଲେଖ ରହିଛି। ୪୦୫ ପୃଷ୍ଠାର XLVII ସାରଣୀ ଦ୍ରଷ୍ଟବ୍ୟ)।

୧୯୪୭ ମସିହାର ୧୮୦୦ କୋଟି ଟଙ୍କା, ଆଜିର ମୂଲ୍ୟରେ ଆକଳନ କରିବା। ୧୯୪୭ ମସିହାରେ ଗୋଟିଏ ବ୍ରିଟିସ୍‌ ପାଉଣ୍ଡର ମୂଲ୍ୟ ଥିଲା ୧୩.୫୦ ଟଙ୍କା ଏବଂ ଆମେରିକୀୟ ଡଲାର ୫ ଟଙ୍କା ଏବଂ ୧୦ ଗ୍ରାମ ବିଶୁଦ୍ଧ ସୁନା ୮୮.୬୨ ଟଙ୍କା। ମୁଦ୍ରାସ୍ଫୀତି ହେତୁ ବ୍ରିଟିସ୍‌ ପାଉଣ୍ଡ, ଆମେରିକୀୟ ଡଲାର ଏବଂ ଭାରତୀୟ ଟଙ୍କା, ସମସ୍ତ ମୁଦ୍ରାର ଅବମୂଲ୍ୟାୟନ ଘଟିଥିବାରୁ ଆମେ ବିଶୁଦ୍ଧ ସୁନାକୁ ମାନକ ଭାବେ ଗ୍ରହଣ କରିବା। ୨୦୧୨ ମସିହାରେ ୧୦ ଗ୍ରାମ୍ ବିଶୁଦ୍ଧ ସୁନାର ମୂଲ୍ୟ ୩୦,୦୦୦ ଟଙ୍କା ଥିବାରୁ ଉତ୍ତରାଧିକାର ସୂତ୍ରରେ ହାସଲ କରିଥିବା ୧୮୦୦ କୋଟି ଟଙ୍କା ଋଣ ବୋଝ ଆଜି ୬,୦୯,୨୭୪ କୋଟି ଟଙ୍କାରେ ପରିଣତ ହୋଇଛି। ସମସ୍ତ ଋଣ ଭାରତ ନାମରେ ଥିବାରୁ, ୧୮୦୦ କୋଟି ମଧ୍ୟରୁ ପାକିସ୍ତାନ ୩୦୦ କୋଟି ଟଙ୍କା ଆମକୁ ଫେରସ୍ତ କରିବା କଥା।

କିନ୍ତୁ ଏପର୍ଯ୍ୟନ୍ତ ଟଙ୍କାଟିଏ ଫେରସ୍ତ କରିନାହିଁ। (୨୦୧୨-୧୩ କେନ୍ଦ୍ରୀୟ ବଜେଟ୍ ଆଧାରରେ) ସାଧାରଣ ଜନତାଙ୍କ ଆଶା, ଆକାଂକ୍ଷା ଓ ବାର୍ଷିକ ୩% ହାରରେ ଋଣ ପରିଶୋଧ- ଏହି ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସ୍ୱାଧୀନ ସରକାର ନିମନ୍ତେ ଅତ୍ୟନ୍ତ କଠିନ ଥିଲା। ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର କଠୋର ପଦକ୍ଷେପ ନେଇଥିଲେ। ବୈଦେଶିକ ମୁଦ୍ରା ସଞ୍ଚୟ ନିମନ୍ତେ ସୁନା ଆମଦାନି ବାତିଲ କରାଗଲା। ଆୟକର ଉଚ୍ଚତମ ହାର ୬୦% ପ୍ରତିଶତକୁ ବୃଦ୍ଧି କରିବା ସହିତ ୧୦% ହାରରେ ଜାତୀୟ ସଞ୍ଚୟ ସାର୍ଟିଫିକେଟ କିଣିବା ବାଧ୍ୟତାମୂଳକ କରାଗଲା। କର୍ମଚାରୀ ଭବିଷ୍ୟ ପାଣ୍ଠି ଏଇଥି ପାଇଁ ଆରମ୍ଭ ହେଲା ଯେ ସେହି ଅର୍ଥରେ ଋଣ ପରିଶୋଧ ସମ୍ଭବ ହେବ।

ନୂଆ ଋଣ ମାଧ୍ୟମରେ ପୁରୁଣା ଋଣର ସୁଧ ମୂଳ ପରିଶୋଧ ଜାରି ରହିଲା ଏବଂ ଏପର୍ଯ୍ୟନ୍ତ ଜାରି ରହିଛି। ୧୯୪୭ ମସିହାରେ ସୁଧ ହାର ୩% ଥିବାବେଳେ ୧୯୮୫-୯୦ରେ ଥିଲା ୧୮-୨୦% ଏବଂ ୨୦୧୨ରେ ୧୨%। ହାରାହାରି ସୁଧ ହାର ୧୨% ଗ୍ରହଣ କଲେ, ଋଣ ପରିମାଣ ହୋଇଥାନ୍ତା ୨୮ ଲକ୍ଷ କୋଟି ଟଙ୍କା। କିନ୍ତୁ ଆଜି ଋଣ ପରିମାଣ ହେଉଛି ୪୦,୭୦,୩୨୦.୬୮ କୋଟି ଟଙ୍କା। (୨୦୧୨-୧୩ କେନ୍ଦ୍ରୀୟ ବଜେଟ, ବାର୍ଷିକ ଆର୍ଥିକ ବିବରଣୀ ପୃଷ୍ଠା ୬)

ବାସ୍ତବରେ ଏ ତଥ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ବହୁ ଅଧିକ ଚାଞ୍ଚଲ୍ୟକର। ଆଲେଖ୍ୟ ଅନୁଯାୟୀ ୨୦୧୨ ମସିହା ପର୍ଯ୍ୟନ୍ତ ଋଣ ପରିଶୋଧ ପ୍ରକ୍ରିୟା ଜୀବନ୍ତ ଥିବାରୁ ଆଜି ସେଥିରେ ବିଶେଷ ପରିବର୍ତ୍ତନ ଘଟି ନ ଥିବ। କ୍ଷମତା ହସ୍ତାନ୍ତର ଚୁକ୍ତିନାମା ଏକ ଜଟିଳ ଆଇନ ଦସ୍ତାବିଜ ଓ ବଜେଟ ହେଉଛି କଠିନ ଗଣିତର ପ୍ରତିଶବ୍ଦ। ଋଣ ପ୍ରକ୍ରିୟା ଅନୁଧ୍ୟାନ ନିମନ୍ତେ ଏହି ଦୁଇଟି ମୂଳ ଦଲିଲର ବିଶ୍ଳେଷଣ ଏକାନ୍ତ ଆବଶ୍ୟକ, ଯେଉଁ ଦିଗରେ ଅର୍ଥନୀତି ଓ ଆଇନ ବିଶାରଦମାନେ ମାର୍ଗଦର୍ଶନ କରି ପାରିବେ। ଯଶୱନ୍ତ ସିଂହଙ୍କର ଆଲେଖ୍ୟ ଅଧ୍ୟୟନ କରିବା ପରେ ମନରେ ଅସୁମାରୀ ପ୍ରଶ୍ନ ଜାଗ୍ରତ ହୋଇଛି। ପ୍ରଥମତଃ ସ୍ୱାଧୀନତା ପ୍ରାପ୍ତି ସମୟରୁ ଯେଉଁ ଋଣ ଆମେ ମୁଣ୍ଡରେ ବୋହି ଚାଲିଛନ୍ତି, ସେଥିରୁ କେବେ ନିସ୍ତାର ମିଳିବ? ଦ୍ୱିତୀୟରେ ଯଦି ଆମେ ଏବେ ଋଣ ପରିଶୋଧ ନ କରନ୍ତି, ତାହାର ଆଇନଗତ ଫଳାଫଳ କ’ଣ ହେବ? ତୃତୀୟତଃ ବ୍ରିଟିସ୍‌ ଆମକୁ ନିର୍ଯାତନା ଦେଇ ଦେଶରୁ ଯେତେ ଯାହା ଲୁଣ୍ଠନ କରିଛନ୍ତି, ସେ ବାବଦକୁ ଆମେ ଆର୍ଥିକ କ୍ଷତିପୂରଣ ଦାବି କରିପାରିବା ନାହିଁ କାହିଁକି? ଚତୁର୍ଥରେ ବ୍ରିଟିସ୍‌ମାନେ ଦୁଇ ଶହ ବର୍ଷ କାଳ ଆମ ଉପରେ ନିର୍ମମ ଅତ୍ୟାଚାର କରିଥିବା ହେତୁ, ବ୍ରିଟିସ୍‌ ପାର୍ଲାମେଣ୍ଟରେ ଭାରତବାସୀଙ୍କ ଉଦ୍ଦେଶ୍ୟରେ କ୍ଷମାପ୍ରାର୍ଥନା ପ୍ରସ୍ତାବ ଆଣିବା ପାଇଁ ଆମ ସରକାରଙ୍କ ତରଫରୁ ଚାପ ପ୍ରୟୋଗ କରାଯାଇ ନାହିଁ କାହିଁକି? ଏ ପ୍ରଶ୍ନର ତାଲିକା ବହୁ ଲମ୍ବା।

ବିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଦାର୍ଶନିକ ତଥା ଐତିହାସିକ ଉଇଲ ଡୁରାଁ, ଏଗାର ଖଣ୍ଡରେ ପ୍ରକାଶିତ ତାଙ୍କର ମହାକାବ୍ୟିକ ଗ୍ରନ୍ଥ ‘ସଭ୍ୟତାର କାହାଣୀ’ ନିମନ୍ତେ ତଥ୍ୟ ସଂଗ୍ରହ ପାଇଁ ଭାରତ ଆସିଥିଲେ। ବ୍ରିଟିସ୍‌ ଶାସନକାଳରେ ଦେଶର ଯେଉଁ ଦୟନୀୟ, ମର୍ମନ୍ତୁଦ ସ୍ଥିତି ଅନୁଭବ କରିଥିଲେ ତାହା ୧୯୩୦ ମସିହାରେ ପ୍ରକାଶିତ ‘ଦି କେସ୍‌ ଅଫ୍ ଇଣ୍ଡିଆ’ ପୁସ୍ତକରେ କଠୋର ଶବ୍ଦରେ ବର୍ଣ୍ଣନା କରିଛନ୍ତି। ସେ ଭାରତବର୍ଷକୁ ଦେଶ ନୁହେଁ ‘ସଭ୍ୟତା’ ନାମରେ ସମ୍ବୋଧନ କରିଛନ୍ତି। ସେ ଲେଖିଛନ୍ତି- ‘ବର୍ବର ବ୍ରିଟିସ୍‌ ଜାତି ଗୋଟିଏ ସଭ୍ୟତାକୁ ଧର୍ଷଣ କରି ଯେମିତି ରକ୍ତାକ୍ତ ଓ ଲହୁଲୁହାଣ କରିଦେଇଛି, ବିଶ୍ୱ ଇତିହାସରେ ତାହାର ଦୃଷ୍ଟାନ୍ତ ନାହିଁ।… ବ୍ରିଟିସ୍‌ ଭାରତରେ ପ୍ରବେଶ କରିବା ପୂର୍ବରୁ ଶିକ୍ଷା, ସଂସ୍କୃତି, ଅର୍ଥନୀତି, ଦର୍ଶନ ଆଦି ଜୀବନକୁ ସମୃଦ୍ଧ କରୁଥିବା ପ୍ରତିଟି କ୍ଷେତ୍ରରେ ଭାରତ ଉତ୍କର୍ଷ ହାସଲ କରିଥିଲା।

କିନ୍ତୁ ବ୍ରିଟିସ୍‌ ଅତ୍ୟାଚାରରେ କ୍ଷତବିକ୍ଷତ ହୋଇ ସେ ଆଜି ଆକୁଳ ଚିତ୍କାର କରୁଛି।’ ୨୦୧୫ ମସିହାରେ ସାଂସଦ ଶଶି ଥରୁର ଅକ୍ସଫୋର୍ଡ ୟୁନିୟନ ବିତର୍କରେ ଅଂଶଗ୍ରହଣ କରି ବ୍ରିଟିସ୍‌ ନିର୍ଯାତନାର ନଗ୍ନ ଚିତ୍ର ଉପସ୍ଥାପନା କରିବା ସହିତ ୨୦୦ ବର୍ଷର ଲୁଣ୍ଠନ ବାବଦକୁ କ୍ଷତିପୂରଣ ପ୍ରସଙ୍ଗ ଉଠାଇଥିଲେ। ସେ ପ୍ରଶ୍ନ କରିଥିଲେ- ‘ବ୍ରିଟିସ୍‌ ପ୍ରବେଶ କରିବା ପୂର୍ବରୁ ବିଶ୍ୱ ଅର୍ଥନୀତିରେ ଭାରତର ଅଂଶ ଥିଲା ୨୩%, କିନ୍ତୁ ବ୍ରିଟିସ୍‌ ଭାରତ ଛାଡ଼ିବା ବେଳକୁ ଏହା ୪%କୁ ଏବଂ ବିଶ୍ୱ ବାଣିଜ୍ୟରେ ଭାରତର ୨୭% ଅଂଶ ୨%କୁ ଖସି ଆସିଲା କାହିଁକି?’ ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ- ‘ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତର କୌଣସି ଭୂମିକା ନ ଥିବା ବେଳେ, ‘ଯୁଦ୍ଧ ଋଣ’ ନାମରେ ଦେଶ ଉପରେ ଆର୍ଥିକ ବୋଝ ଲଦି ଦିଆଗଲା କାହିଁକି?’ ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂପର୍କରେ ତାଙ୍କର ବାକ୍ୟର ଭାଷାନ୍ତର ହେଉଛି- ‘୧୯୪୫ରେ ବ୍ରିଟେନ୍‌ର ସମୁଦାୟ ୩ ବିଲିଅନ ପାଉଣ୍ଡର ଯୁଦ୍ଧ ଋଣରୁ ୧.୨୫ ବିଲିଅନ ଭାରତର ପ୍ରାପ୍ୟ, ଯାହା ତାକୁ ଦିଆଯାଇ ନାହିଁ।’

୧୯୪୭ ମସିହାରେ ଯେଉଁ ବିଜ୍ଞ ଦେଶପ୍ରେମୀମାନେ କ୍ଷମତା ହସ୍ତାନ୍ତର ଚୁକ୍ତିନାମାରେ ଦସ୍ତଖତ କରିଥିଲେ, ସେମାନଙ୍କ ବିଦ୍‌ବତ୍ତା ଓ ବିଚାରବୋଧ ଉପରେ ଦେଶବାସୀଙ୍କର ପ୍ରଚଣ୍ଡ ବିଶ୍ୱାସ ରହିଛି। କେଉଁ ଆଧାରରେ ୧୮୦୦ କୋଟି ଟଙ୍କା ଋଣ ଭାର ଆମ ଉପରେ ଲଦି ଦିଆଗଲା, ସେମାନେ ତାହା ତନ୍ନ ତନ୍ନ ବିଶ୍ଳେଷଣ କରିଥିବେ। କିନ୍ତୁ ସେ ସମୟରେ ଆମେ ଦୁର୍ବଳ ଥିବାରୁ ହୁଏତ କ୍ଷମତା ହସ୍ତାନ୍ତର ଚୁକ୍ତିନାମାର ସମସ୍ତ ସର୍ତ୍ତ ମାନି ନେଇଥିଲେ। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ଶାସନକାଳରେ ବାଂଲାଦେଶ ଯୁଦ୍ଧରେ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ପରେ ବିଶ୍ୱ ଦରବାରରେ ଦେଶର ଚିତ୍ର ବଦଳି ଯାଇଥିଲା। ଏଥିରେ ସନ୍ଦେହ ନାହିଁ, ଆଜି ଆମେ ଆହୁରି ଶକ୍ତିଶାଳୀ ହୋଇ ଉଠିଛନ୍ତି। ଭୋକ ଉପାସରେ ହନ୍ତସନ୍ତ ଓ ରୋଗରେ ଜୁଡୁବୁଡୁ ଭାରତବାସୀଙ୍କ ‘୧୦୦ ମିଲିଅନ ପାଉଣ୍ଡ ଉପହାର’ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ୧.୨୫ ବିଲିଅନ ପାଉଣ୍ଡ, ଇଂଲଣ୍ଡ ଉପରେ ଆମର ପ୍ରାପ୍ୟ ଥିବା ସତ୍ତ୍ବେ ଏବଂ ଆର୍ଥିକ କ୍ଷତିପୂରଣ ଦାବି କରିବା ପରିବର୍ତ୍ତେ, ଆମେ ୧୮୦୦ କୋଟି ଟଙ୍କାର ଋଣ ବୋଝ ମୁଣ୍ଡରେ ବୋହି ଚାଲିଛନ୍ତି କାହିଁକି?
ମୋ: ୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର