୧୯୩୮ ମସିହା ମାର୍ଚ୍ଚ ମାସ ୨୮ ତାରିଖ। ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇରେ ଚାଲିଥିବା ଗାନ୍ଧୀ ସେବାସଂଘ ସମ୍ମିଳନୀର ସେ ଥିଲା ଚତୁର୍ଥ ଦିନ। ସମ୍ମିଳନୀରେ ସେଦିନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଯାଇଥିଲା। ପ୍ରଥମଟି ଥିଲା ପୁରୀରେ କସ୍ତୁରବାଙ୍କ ଶ୍ରୀଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଦ୍ୱିତୀୟଟି ଥିଲା ଗାନ୍ଧୀଜୀଙ୍କ ପ୍ରିୟ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇଙ୍କ ନିଜ ପଦରୁ ଇସ୍ତଫା। ନିରବଚ୍ଛିନ୍ନ ଭାବେ ଦୀର୍ଘ ଏକୋଇଶି ବର୍ଷ ମହାଦେବ ଦେଶାଇ ଗାନ୍ଧୀଙ୍କର ସଚିବ ରହିବା ପରେ ଇସ୍ତଫା ଦେଇଥିଲେ। ମହାଦେବ ତାଙ୍କର ଇସ୍ତଫା ପତ୍ର ଛୋଟ ଏକ ଇଂରେଜୀ କବିତାରେ ଲେଖିଥିଲେ। ପତ୍ରରେ ଥିଲା-

Advertisment

To live with saints in heaven
Is bliss and glory
But to live with a saint on earth
Is different story.
“ସ୍ୱର୍ଗରେ ଅନେକ ମହାତ୍ମାଙ୍କ ସହ ରହିବା ଆନନ୍ଦ ଓ ଗୌରବର କଥା,
ମର୍ତ୍ତ୍ୟରେ କିନ୍ତୁ ଜଣେ ମହାତ୍ମାଙ୍କ ସହ ରହିବା ଭିନ୍ନ ଏକ କାହାଣୀ।”

ଏ ପ୍ରସଙ୍ଗର ପୂର୍ବ ସଂଗତି ଏଠି ଉଲ୍ଲେଖ କରିବାକୁ ଇଛା। ୧୯୩୮ ମସିହା ମାର୍ଚ୍ଚ ୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଡେଲାଙ୍ଗ ବେରବୋଇଠାରେ ଦୀର୍ଘ ସାତ ଦିନ ଧରି ଗାନ୍ଧୀ ସେବାସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ସେବାସଂଘର ଏହା ଥିଲା ଚତୁର୍ଥ ସର୍ବଭାରତୀୟ ସମ୍ମିଳନୀ। ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱରାଜ ଆନ୍ଦୋଳନ ସହ ଯୋଡ଼ିିବା ଏବଂ ଆତ୍ମନିର୍ଭରଶୀଳତା, ସାମ୍ପ୍ରଦାୟିକ ସଂପ୍ରୀତି, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ ନେଇ ସଚେତନତା ସୃଷ୍ଟି କରିବା, ଏହା ଥିଲା ଗାନ୍ଧୀ ସେବାସଂଘ ସମ୍ମିଳନୀର ଉଦ୍ଦେଶ୍ୟ। ଡେଲାଙ୍ଗ ଗାନ୍ଧୀ ସମ୍ମଳିନୀକୁ ତତ୍କାଳୀନ ଭାରତର ପ୍ରାୟ ସମସ୍ତ ବଡ଼ ନେତୃବୃନ୍ଦ ଆସିଥିଲେ। ଗାନ୍ଧୀଙ୍କ ସହ ଯୋଗ ଦେଇଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କୃପାଳିନୀ, ମୌଲାନା ଆବୁଲ କାଲାମ ଆଜାଦ ଓ ମହାଦେବ ଦେଶାଇଙ୍କ ପରି ନେତାମାନେ। ଗାନ୍ଧୀଙ୍କ ସହ ତାଙ୍କ ପରିବାରର କିଛି ସଦସ୍ୟ ବି ଆସିଥିଲେ- ପତ୍ନୀ କସ୍ତୁରବା, ପୁତ୍ର ମଣିଲାଲ, ବୋହୂ ସୁଶୀଳା ଏବଂ ଛ ବର୍ଷର ନାତି ଅରୁଣ। ଭାରତର ଗ୍ରାମାଞ୍ଚଳରେ ଗାନ୍ଧୀଜୀଙ୍କ ରହଣିର ସର୍ବାଧିକ ଦିନର ରହଣି ଥିଲା ଡେଲାଙ୍ଗରେ। ସମ୍ମିଳନୀରେ ଏକ ବଡ଼ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶିନୀ ବସିଥିଲା।
ମାର୍ଚ୍ଚ ୨୮ ତାରିଖ ଥିଲା ଗାନ୍ଧୀ ଅଧିବେଶନର ବିଶ୍ରାମର ଦିନ। ସେଦିନ ସକାଳେ କସ୍ତୁରବା ତାଙ୍କର ବୋହୂ ସୁଶୀଲା ଏବଂ ଅନ୍ୟ କିଛି ମହିଳା ସାଥିଙ୍କୁ ନେଇ ପୁରୀ ବୁଲିବାକୁ ଯାଇଥିଲେ। ଗାନ୍ଧୀ କିନ୍ତୁ ପୁରୀ ଯାଇନଥିଲେ। ବେରବୋଇରେ ଥିଲେ।

ଟିକିଏ ଅବସର ପାଇଲେ ନିଜର ଆତ୍ମୀୟ ତଥା କର୍ମୀମାନଙ୍କ ପାଖକୁ ଚିଠି ଲେଖିବା ଥିଲା ଗାନ୍ଧୀଙ୍କର ଅଭ୍ୟାସ। ସକାଳୁ ସକାଳୁ ବେରବୋଇର ସେହି ଛଣ ଛପର ଛୋଟିଆ କୁଡ଼ିଆଟିରେ ବସି ଗାନ୍ଧୀଙ୍କର ପ୍ରଥମ ଚିଠିଥିଲା ମୀରା ବେନ୍‌ଙ୍କୁ - “ଶ୍ରଦ୍ଧେୟା, ମୀରା, ମତେ ଆଜି ଟିକିଏ ସମୟ ମିଳିଛି। ଏଠି ଭାରି ଖରା। ଗରମରେ ଦେହ ତରଳିଯିବା ପରି ଲାଗୁଛି। ମୋ ଦେହର ରକ୍ତ ଚାପ ସ୍ଥିର ଅଛି, ୧୬୦ରେ ୯୬। ବା’ (କସ୍ତୁରବା) ଅନ୍ୟମାନଙ୍କ ସହ ଆଜି ପୁରୀ ବୁଲିବାକୁ ଯାଇଛନ୍ତି। ମତେ ଏମାନେ ଏଠି ଅନେକ ବିଶ୍ରାମ କରିବାକୁ ଦେଉଛନ୍ତି- ବାପୁ।”

କସ୍ତୁରବା ପୁରୀ ଭ୍ରମଣ କରି ଯିବାରେ ଗାନ୍ଧୀଙ୍କର କିଛି ଆପତ୍ତି ନଥିଲା। କିନ୍ତୁ ଗାନ୍ଧୀ ଭାବି ନଥିଲେ କସ୍ତୁରବା ପୁରୀ ଯାଇ ଜଗନ୍ନାଥ ମନ୍ଦିରକୁ ଯିବେ। କାରଣ ଯେଉଁ ମନ୍ଦିରକୁ ଦଳିତମାନେ ଯିବା ମନା, ସେ ସବୁ ମନ୍ଦିରକୁ ଗାନ୍ଧୀ ଯାଉନଥିଲେ। କସ୍ତୁରବା ବି ଏହା ଜାଣିଥିଲେ। ତେବେ ୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀଜୀ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିବା ବେଳେ କସ୍ତୁରବା ଗାନ୍ଧୀଜୀଙ୍କ ସହ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ବି ଦର୍ଶନ କରିଥିଲେ।
ମାର୍ଚ୍ଚ ୨୮ର ସେଦିନ ସେ ପୁରୀ ଭ୍ରମଣ ଥିଲା କସ୍ତୁରବା ଓ ତାଙ୍କ ସାଥିଙ୍କ ପାଇଁ ବେଶ ସୁଖଦ। ପୁରୀ ସମୁଦ୍ର ବେଳାଭୂମି ବୁଲି ସାରିବା ପରେ କସ୍ତୁରବା ମନ୍ଦିର ପାଖକୁ ଆସିଥିଲେ। ସିଂହଦ୍ୱାର ଆଗରେ ଛିଡ଼ା ହୋଇ ପତିତ ପାବନଙ୍କୁ ନିରବରେ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ ଏବଂ ପରେ ପରେ ମନ୍ଦିର ଭିତରକୁ ଚାଲିଯାଇଥିଲେ। ତାଙ୍କ ସହ ଅନ୍ୟମାନେ ବି ଯାଇଥିଲେ। ଗର୍ଭଗୃହକୁ ନଯାଇ ଦୂରରୁ ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।
ମନ୍ଦିର ଭିତରେ କସ୍ତୁରବାଙ୍କ ଜଗନ୍ନାଥ ଦର୍ଶନ ସମ୍ବାଦ ସନ୍ଧ୍ୟାରେ ଗାନ୍ଧୀଙ୍କୁ ଖୁବ୍ ବ୍ୟଥିତ କରିଥିଲା। ଗାନ୍ଧୀ ଅନଶନ କରିଥିଲେ। ଯଦିଓ କସ୍ତୁରବା ଭୁଲ୍ ମାଗିଥିଲେ, ଗାନ୍ଧୀଙ୍କ ବେଶୀ ଅସନ୍ତୋଷ କିନ୍ତୁ ଥିଲା ମହାଦେବ ଦେଶଇଙ୍କ ଉପରେ। ଗାନ୍ଧୀଙ୍କ ଅଭିଯୋଗ ଥିଲା, ମହାଦେବ ପିଲାମାନଙ୍କୁ ମନ୍ଦିରକୁ ନଯିବାକୁ ଭଲ ଭାବେ ବୁଝାଇ ଛାଡ଼ି ନଥିଲା କାହିଁକି? ଦୁଃଖରେ ଭାଂଗି ପଡ଼ିଥିବା ମହାଦେବ ଦେଶାଇ ତେଣୁ ନିଜ ପଦବିରୁ ଇସ୍ତଫା ଦେଇଦେଇଥିଲେ।
୧୯୧୭ ମସିହାରୁ ମହାଦେବ ଦେଶାଇ ଥିଲେ ଗାନ୍ଧୀଙ୍କର ବ୍ୟକ୍ତିଗତ ସଚିବ। ଗାନ୍ଧୀଙ୍କର ବହୁତ ଆପଣାର ଥିଲେ ମହାଦେବ। ଥରେ ରାଜ ଗୋପାଳଚାରୀ ମନ୍ତବ୍ୟ ଦେଇ କହିଦେଇଥିଲେ, ମହାତ୍ମା ଗାନ୍ଧୀ ଓ ମହାଦେବ ଦେଶାଇ ଦୁଇଟା ପୃଥକ ଶରୀର ହେଲେବି ଗୋଟିଏ ଆତ୍ମା, ଠିକ୍ ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷଣଙ୍କ ପରି।

ପରଦିନ ପ୍ରାର୍ଥନା ସଭାରେ ଗାନ୍ଧୀଜୀ ମହାଦେବ ଦେଶାଇ କବିତାରେ ଲେଖିଥିବା ଇସ୍ତଫା କଥା କହିଲେ। ମନରେ ଆଉ କିଛି ରାଗ ନଥିଲା ଗାନ୍ଧୀଙ୍କର। ମହାଦେବଙ୍କୁ ଲକ୍ଷ୍ୟ କରି ଗାନ୍ଧୀଙ୍କ ମନ୍ତବ୍ୟ ଥିଲା, ‘ତୁମକୁ ମୁଁ ଛାଡ଼ି ପାରିବିନି ମହାଦେବ। ତୁମେ ମୋ ପୁଅ ପରି। ଦୋଷ କଲେ ତୁମକୁ ଗାଳି ଦେବି ନାହିଁ ତ ଆଉ କାହାକୁ ଦେବି? ତୁମେ ଛାଡ଼ିଗଲେ ପ୍ୟାରିଲାଲ ଓ ସୁଶୀଳା (ସୁଶୀଳା ନାୟାର) ବି ଛାଡ଼ି ଚାଲିଯିବେ। ତୁମେ ବହୁତ ଭାବୁଛ ମହାଦେବ।” ଏତିକି କହି ଗାନ୍ଧୀଜୀ କିଛି ସମୟ ଚୁପ ହୋଇ ବସିରହିଥିଲେ। କୌଣସି ଏକ ଗମ୍ଭୀର କଥା କହିଦେଲା ପରେ ଗାନ୍ଧୀ ବେଳେବେଳେ ଏମିତି ଚୁପ ହୋଇ ବସି ରହନ୍ତି।
ମହାଦେବଙ୍କ ଆଉ କିଛି ଅଭିମାନ ନଥିଲା। ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ସେ ବ୍ୟକ୍ତିଗତ ସଚିବ ରହିଥିଲେ। ଗାନ୍ଧୀଙ୍କ ସହ ଆଗା ଖାଁ ପାଲେସରେ ବନ୍ଦୀ ଥିବା ବେଳେ ୧୯୪୨ ଅଗଷ୍ଟ ୧୫ ତାରିଖରେ ହୃଦଘାତରେ ମହାଦେବ ଦେଶାଇଙ୍କ ଦେହାନ୍ତ ହୋଇଥିଲା।

ସେଦିନ ଡେଲାଙ୍ଗ ଗାନ୍ଧୀ ସମ୍ମିଳନୀରେ କବିତାରେ କିନ୍ତୁ ଅନେକ କଥା କହିଦେଇଥିଲେ ମହାଦେବ। ଗାନ୍ଧୀ ମହାତ୍ମା ଥିଲେ ଜଣେ କଠିନ ଟାସ୍କ୍‌ ମାଷ୍ଟର୍‌।
ମୋ: ୯୮୬୧୪୬୯୩୨୮