ସ୍ବେଚ୍ଛାଚାରୀ ଗଣତନ୍ତ୍ର

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଦେଶ ସ୍ବାଧୀନ ହେବା ପାଇଁ ଔପଚାରିକ ଘୋଷଣାର ଏକ ଦଶନ୍ଧି ପୂର୍ବରୁ ୧୯୩୭ ମସିହାରେ ବିଭିନ୍ନ ପ୍ରାଦେଶିକ ରାଜ୍ୟରେ ଯେତେବେଳେ ସୀମିତ ମତାଧିକାର ଆଧାରରେ ସରକାର ନିର୍ବାଚିତ ହେଲେ, ସେତେବେଳେ ଭାରତୀୟମାନେ ସ୍ବାୟତ୍ତ ଶାସନର ଏକ ଉପାୟ ପାଇଥିଲେ। ଏହା ପୂର୍ଣ୍ଣ ପ୍ରତିନିଧି ସରକାର ପାଇଁ ଏକ ପଦକ୍ଷେପ ଭାବେ ବିବେଚିତ ହୋଇଥିଲା। ମାଡ୍ରାସ ପ୍ରଦେଶରେ କଂଗ୍ରେସ ସରକାର ଶପଥ ଗ୍ରହଣ ପରେ ପରେ ନେତୃତ୍ବ ସମ୍ପର୍କରେ ଜଣେ ତାମିଲ ବୁଦ୍ଧିଜୀବୀ ଏକ ଚମତ୍କାର ଅଭିଭାଷଣ ରଖିଥିଲେ, ଯାହା କି ଆଶ୍ଚର୍ଯ୍ୟଜନକ ଭାବେ ଦେଶର ବର୍ତ୍ତମାନର ରାଜନୈତିକ ସଂସ୍କୃତି ସହ ଅନୁନାଦିତ ହେଉଛି।

ସଂପୃକ୍ତ ବୁଦ୍ଧିଜୀବୀ ଜଣକ ଥିଲେ ପ୍ରେସିଡେନ୍‌ସି କଲେଜର ସାହିତ୍ୟ ପ୍ରାଧ୍ୟାପକ କେ. ସ୍ବାମୀନାଥନ୍‌। ୧୯୩୮ରେ ଆନ୍ନାମଲାଇ ବିଶ୍ବବିଦ୍ୟାଳୟରେ ସମବେତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, ‘ସଂକ୍ଷେପରେ କହିବାକୁ ଗଲେ ଦୁଇ ପ୍ରକାରର ରାଜନେତା ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ନିଜକୁ ଅପରିହାର୍ଯ୍ୟ ମନେ କରନ୍ତି ଓ କିଛି ସେଭଳି ଭାବନ୍ତି ନାହିଁ।’ ଦ୍ବିତୀୟ ଗୋଷ୍ଠୀର ଜଣଙ୍କ ନାଁ ଉଲ୍ଲେଖ କରି ସେ କହିଥିଲେ, ‘ଜବାହରଲାଲ ନେହରୁ କି ରାଜେନ୍ଦ୍ର ପ୍ରସାଦ ଆଜି ଯାହା ହୋଇପାରିଛନ୍ତି, ତାହା ଗାନ୍ଧୀଙ୍କ ବିନା ସମ୍ଭବ ହୋଇନଥା’ନ୍ତା। ତଥାପି ସେମାନଙ୍କ ଭିତରୁ କେହି ଜଣେ ବି ଗାନ୍ଧୀଙ୍କ ତୋଷାମଦିଆ ନୁହନ୍ତି। ଗାନ୍ଧୀଜୀ ସାଧାରଣ ମାଟି ପିଣ୍ଡୁଳାରୁ ନାୟକ ସୃଷ୍ଟି କରିପାରନ୍ତି। ନିଜର ଅବିକଳ ପ୍ରତିରୂପ ବ୍ୟତୀତ ଆଉ ସବୁ କିଛି ସେ ଗଢ଼ିପାରିବେ।’

ଏପରି ଏକ ସମ୍ମାନାସ୍ପଦ ଉଦାହରଣ ଦେଇ ସ୍ବାମୀନାଥନ ଏକ ସତର୍କତା ଜାରି କରି କହିଥିଲେ, ‘ମାତ୍ର ଏମିତି ଅନେକ ନେତା ଅଛନ୍ତି ଯେଉଁମାନଙ୍କର ନିଜ ଅନୁଗାମୀମାନଙ୍କ ଉପରେ ଭରସା ନଥାଏ ଏବଂ ସେମାନେ ଅନ୍ୟମାନଙ୍କୁ କୌଣସି କାମ କରିବାର ସ୍ବାଧୀନତା ଦେଇନଥା’ନ୍ତି, ନିଜ ପାଖରେ ମୁକ୍ତ ଓ ଆତ୍ମନିର୍ଭର କର୍ମୀ ଅପେକ୍ଷା ରୋବଟ୍‌ରୂପୀ ଆଜ୍ଞାଧୀନ ବ୍ୟକ୍ତି ରଖିବାକୁ ଚାହୁଥା’ନ୍ତି। ସେଭଳି ନେତାମାନେ ହେଉଛନ୍ତି ତେନ୍ତୁଳି ବୃକ୍ଷ ସଦୃଶ, ଯାହା ଯଦିଓ ନିଜ ପାଇଁ ମହାନ୍‌, ମାତ୍ର ଅନ୍ୟର ଜୀବନ ଓ ଅଭିବୃଦ୍ଧି ପାଇଁ ହାନିକାରକ। ସେମାନେ କୌଣସି ଭିନ୍ନତା ବା ମତଭେଦକୁ ସହ୍ୟ କରିପାରନ୍ତି ନାହିଁ, ଏପରିକି ବନ୍ଧୁତାପୂର୍ଣ୍ଣ ସମାଲୋଚନାକୁ ମଧ୍ୟ ପସନ୍ଦ କରିନଥା’ନ୍ତି। ଦେଶ ପାଇଁ ସାମାନ୍ୟ ଠାରୁ ଟିକେ ଅଧିକ ଭଲ ଗୁଣର ସଂଖ୍ୟାଧିକ ନେତା ଦରକାର ଏବଂ ଛାତ୍ରାବାସଗୁଡ଼ିକ ତାହା ସୃଷ୍ଟି କରିପାରିବେ ବୋଲି ସେଦିନ ୧୯୩୮ରେ ଆନ୍ନାମଲାଇ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ସ୍ବାମୀନାଥନ୍‌ କହିଥିଲେ।

ସ୍ବାମୀନାଥନ୍‌ଙ୍କ ସନ୍ଦର୍ଭରେ ଥିବା ସେ ଦିନର ଭାଷଣ ମୁଁ ନିକଟରେ ପଢୁଥିଲି ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ ସେ ସେତେବେଳେ ସାବଧାନ କରାଇଥିବା କଥା କିପରି ୨୦୨୨ର ଭାରତ ପାଇଁ ଅଧିକ ପ୍ରଯୁଜ୍ୟ- ଏବେ ଆମର ଏମିତି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ନିଜର ବିଶାଳ ଦଳ ଓ ସରକାରୀ ଅର୍ଥରେ ନିଜକୁ ଏପରି ଗଢ଼ିଛନ୍ତି ଯାହାକୁ ବିଶ୍ବର ସର୍ବଶ୍ରେଷ୍ଠ ବ୍ୟକ୍ତି ପୂଜାର ଦୃଷ୍ଟାନ୍ତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ପୂର୍ବରୁ ମୁଁ ଏହି ସ୍ତମ୍ଭରେ ନରେନ୍ଦ୍ର ମୋଦୀଙ୍କର ବ୍ୟକ୍ତି ପୂଜାର ବିପଜ୍ଜନକ ପରିଣତି ସମ୍ପର୍କରେ ଆଲୋକପାତ କରିଛି। ତେଣୁ ସେ ସବୁର ପୁନରାବୃତ୍ତି ଆଉ କରୁନାହିଁ। ତା’ ପରିବର୍ତ୍ତେ ମୁଁ କହିବାକୁ ଚାହୁଛି ଯେ କ୍ଷମତାର ମାନବୀକରଣ ଦିଗରେ ଏଭଳି ପ୍ରବୃତ୍ତି କେବଳ କେନ୍ଦ୍ର ସରକାର କାହିଁକି, ରାଜ୍ୟ ସରକାରରେ ମଧ୍ୟ ଦେଖିବାକୁ ମିଳୁଛି। ବିଧାନସଭା କି ଲୋକସଭା ନିର୍ବାଚନ ସମୟରେ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ବିରୋଧ କରୁଥିବା ମମତା ବାନାର୍ଜୀଙ୍କ ରାଜନୀତି ପ୍ରକ୍ରିୟାର ମୋଦୀଙ୍କ ପ୍ରକ୍ରିୟା ସହ ସାମଞ୍ଜସ୍ୟ ରହିଛି। ତୃଣମୂଳ କଂଗ୍ରେସ, ପଶ୍ଚିମବଙ୍ଗ ସରକାର ଏବଂ ବଙ୍ଗାଳୀ ଲୋକଙ୍କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଗଢ଼ିବାକୁ ସତେ ଯେମିତି ସେ ଅର୍ଥାତ୍‌ ମମତା ଏକା ଅବତୀର୍ଣ୍ଣ ହୋଇଛନ୍ତି!

ନିଜ ରାଜ୍ୟ ସ୍ତରରେ ମମତା ବାନାର୍ଜୀଙ୍କ ନରେନ୍ଦ୍ର ମୋଦୀଙ୍କ ସହିତ ସାଦୃଶ୍ୟ ଅଛି। ବିଜେପିର ସାଂସଦ ଓ ମନ୍ତ୍ରୀମାନେ ଯେପରି ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଭୀରୁ ଖୋସାମଦିଆ ଢଙ୍ଗରେ କହିଥା’ନ୍ତି, ତୃଣମୂଳ କଂଗ୍ରେସର ବିଧାୟକ ଓ ସାଂସଦମାନେ ମଧ୍ୟ ସେମାନଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଅନୁରୂପ ଶୈଳୀରେ କଥା କହିଥା’ନ୍ତି। ମୋଦୀଙ୍କ ପରି ମମତା ମଧ୍ୟ ବଚସ୍କର ଓ ନମନୀୟ ଅମଲା ଓ ପୁଲିସ ଅଧିକାରୀମାନଙ୍କ ସହ କାମ କରିବାକୁ ପସନ୍ଦ କରିଥା’ନ୍ତି। ମୋଦୀଙ୍କ ପରି ସେ ମଧ୍ୟ ଗଣମାଧ୍ୟମର ସ୍ବାଧୀନତା ଓ ବିଭିନ୍ନ ଅନୁଷ୍ଠାନଗୁଡ଼ିକର ସ୍ବାୟତ୍ତତା ଉପରେ ଭାଷଣ ଦେଇଥା’ନ୍ତି, ମାତ୍ର ବାସ୍ତବରେ ତାହା ତାଙ୍କ ଶାସନ ପ୍ରତି ବିପଦ ଆଣୁଥିଲେ ସେ ସେଭଳି ସ୍ବାଧୀନତା ଓ ସ୍ବାୟତ୍ତତାକୁ ଅଗ୍ରାହ୍ୟ କରି ଦେଇଥା’ନ୍ତି।

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଯାହା କରିବାକୁ ଚାହାନ୍ତି, ଅରବିନ୍ଦ କେଜ୍ରିଵାଲ ଦିଲ୍ଲୀରେ ତାହା କରିବାକୁ ଚାହାନ୍ତି। ସେହିପରି ପିନାରାୟୀ ବିଜୟନ୍‌ କେରଳରେ, ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶରେ, ଜଗନମୋହନ ରେଡ୍ଡି ଆନ୍ଧ୍ର ପ୍ରଦେଶରେ, କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାରେ ଓ ଅଶୋକ ଗେହଲଟ୍‌ ରାଜସ୍ଥାନରେ ମଧ୍ୟ ଅନୁରୂପ କଥା କରିବାକୁ ଚାହାନ୍ତି। ଭାରତର ବିଭିନ୍ନ ଭାଗରେ ଶାସନ କରୁଥିବା ଏହି ବିଭିନ୍ନ ଦଳର ସାତ ଜଣ ମୁଖ୍ୟମନ୍ତ୍ରୀ, ଉଭୟ ପ୍ରବୃତ୍ତିଗତ ଭାବେ ଓ ସେମାନଙ୍କର ଶାସନ ଶୈଳୀରେ ପ୍ରଭୁତ୍ବ ପରାୟଣ ଅଟନ୍ତି। (ଏ ପରିପ୍ରେକ୍ଷୀରେ ମୋ’ ତାଲିକା କେବଳ ଉଦାହରଣ ଲାଗି, ଏହା ସୁବିସ୍ତୃତ ନୁହେଁ। ଏମିତି ଆହୁରି ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ରାଜ୍ୟକୁ ନିଜ ବ୍ୟକ୍ତିତ୍ବରେ ପରିସ୍ଫୁଟ କରି ନିଜକୁ ସେମାନଙ୍କ ସହଯୋଗୀମାନଙ୍କ ଠାରୁ ଢେର ଶୀର୍ଷରେ ରଖିଛନ୍ତି।)

ପ୍ରଫେସର ସ୍ବାମୀନାଥନ ଆଜି ଯଦି ଥାଆନ୍ତେ, ତେବେ, ଏହି ମୁଖ୍ୟମନ୍ତ୍ରୀମାନଙ୍କ ଲାଗି ଅବଶ୍ୟ କହିଥାନ୍ତେ ଯେ ଏହି ନେତାମାନେ କୌଣସି ଭିନ୍ନତାକୁ ସହ୍ୟ କରିପାରୁନାହାନ୍ତି ଏବଂ ଏପରିକି ବନ୍ଧୁତ୍ବପୂର୍ଣ୍ଣ ସମାଲୋଚନାକୁ ମଧ୍ୟ ପସନ୍ଦ କରୁନାହାନ୍ତି। ସେମାନେ ସେମାନଙ୍କ ପଛରେ ମୁକ୍ତ ତଥା ଆତ୍ମନିର୍ଭର କର୍ମୀଙ୍କ ଅପେକ୍ଷା ବଚସ୍କରଙ୍କୁ ରଖିବାକୁ ପସନ୍ଦ କରୁଛନ୍ତି। ଅନ୍ୟମାନଙ୍କ ଜୀବନ ଓ ଅଭିବୃଦ୍ଧିର ସେମାନେ ଧ୍ବଂସକାରକ। ସେମାନେ ସୁଦକ୍ଷ ଉତ୍ତରାଧିକାରୀଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଆଗ୍ରହ ପ୍ରକାଶ ନ କରି ନିଜକୁ ଅପରିହାର୍ଯ୍ୟ କରି ରଖିବା ଲାଗି ତୋଷାମଦିଆଙ୍କୁ ପ୍ରଶ୍ରୟ ଦିଅନ୍ତି। ନିଜର ସହଯୋଗୀମାନଙ୍କ ଠାରୁ ସେମାନେ ନିଜକୁ ଏତେ ଉପରକୁ ଉଠାଇ ନେଇଛନ୍ତି ଯେ ସତେ ଯେମିତି ଏକ ଅତିମାନବ ବା ଅତିମାନବୀ ସ୍ତରରେ ପହଞ୍ଚି ଯାଇଛନ୍ତି। ଯେଉଁ ନାଗରିକମାନଙ୍କ ସକାଶେ ସେମାନେ ଉତ୍ତରଦାୟୀ, ସେହି ନାଗରିକମାନଙ୍କ ଠାରୁ ସେମାନେ ଏକ ଅନତିକ୍ରମ୍ୟ ଦୂରତାରେ ଅଛନ୍ତି।

ଜାତୀୟ ସ୍ତରରେ ମୋଦୀ ଏବଂ ଭାରତର ବୃହତ୍ତମ ରାଜ୍ୟରେ ଆଦିତ୍ୟନାଥ, ସତ୍ତା-ବାଦ ସହ ବହୁସଂଖ୍ୟକ-ବାଦକୁ ଯୋଡ଼ି ଦେଇଛନ୍ତି, ଯାହାର ନିଦର୍ଶନ ଧାର୍ମିକ ସଂଖ୍ୟାଲଘୁମାନଙ୍କ ଉପରେ ଦୋଷାରୋପଣ ଏବଂ ସେମାନଙ୍କ ଉତ୍ପୀଡ଼ନ। ସେହିପରି କୁହାଯାଇପାରେ ଯେ କ୍ଷମତାର ଅପବ୍ୟବହାର ପୂର୍ବକ ଗଣମାଧ୍ୟମକୁ ଚପାଇ ଦେବା ଓ ରାଜନୈତିକ ଭିନ୍ନମତାବଲମ୍ବୀମାନଙ୍କୁ ବନ୍ଦୀ କରିବାରେ ମୋଦୀ ଓ ଆଦିତ୍ୟନାଥ ବେଶ୍‌ ନିର୍ଦ୍ଦୟ। ସେହିପରି କେଜ୍ରିଵାଲଙ୍କ ଭଳି ନେତାମାନଙ୍କର ରାଜନୀତି, ବ୍ୟକ୍ତିଗତ କ୍ଷମତା ଓ ବ୍ୟକ୍ତିଗତ ପ୍ରାଧିକାର ଉପରେ କେନ୍ଦ୍ରୀଭୂତ। ସାମରିକ ଏକଛତ୍ରବାଦ ଅଥବା ଫାସିବାଦୀ ସାମ୍ରାଜ୍ୟ ବା ସାମ୍ୟବାଦୀ ଶାସନରେ ଜଣେ ଶାସକର ସର୍ବମୟତା ଦେଖିବାକୁ ମିଳିପାରେ। କିନ୍ତୁ ଗଣତନ୍ତ୍ରରେ କୌଣସି ବ୍ୟକ୍ତି ଶୀର୍ଷ ରାଜନୈତିକ ପଦରେ ଆସୀନ ହେବା ସହିତ ସମସ୍ତ ନାଗରିକଙ୍କର ଆକାଂକ୍ଷାକୁ ସାକାର ଓ ପ୍ରତିନିଧିତ୍ବ କରୁଛନ୍ତି ବୋଲି ଧାରଣା ରଖିବା, ଆଶ୍ଚର୍ଯ୍ୟର ବିଷୟ, ଯାହା ଗଣତାନ୍ତ୍ରିକ ବିଚାରଧାରାର ପରିପନ୍ଥୀ।

ଆମେ ଆମ ସ୍ବାଧୀନତାର ୭୫ତମ ବର୍ଷରେ ପ୍ରବେଶ କରିବା ଅବସରରେ ଏଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ର କରିଛେ, ଯେଉଁଠି ଜଣେ ଜଣେ ବ୍ୟକ୍ତିଙ୍କ ଦ୍ବାରା ସ୍ବେଚ୍ଛାଚାରୀ ପ୍ରବୃତ୍ତି ସହ ଏକଛତ୍ରବାଦ ଶାସନ ଚାଲିଛି। ଏହା ଆମର ମନକୁ ମୁକ୍ତ ରଖିବା ପରିବର୍ତ୍ତେ ତାହାକୁ ଆବଦ୍ଧ କରି ରଖିଛି। ଏହା କେବଳ ଆମ ମନ ପାଇଁ ଅହିତକର ହୋଇନାହିଁ, ଆମ ଜୀବନ ପାଇଁ ମଧ୍ୟ ହାନିକାରକ ସାଜିଛି। କ୍ଷମତା ଓ ଆତ୍ମ-ପଦୋନ୍ନତିରେ ମଜ୍ଜି ରହିଥିବା ନେତାମାନେ ବିକାଶ ଓ ସୁଶାସନର ଦୈନିକ ଦାୟିତ୍ବକୁ ଅଣଦେଖା କରିଥା’ନ୍ତି। ତେଣୁ ଯେଉଁ ଶୀର୍ଷତମ ନେତା ନିଜ ମନ୍ତ୍ରୀ କି ଜନସେବକମାନଙ୍କୁ ସଶକ୍ତ ନ କରି ସମସ୍ତ ନୀତି ନିର୍ଦ୍ଧାରଣକୁ ନିଜ ଠାରେ କେନ୍ଦ୍ରୀଭୂତ କରିଥା’ନ୍ତି, ସେ ପଶ୍ଚିମବଙ୍ଗ ଭଳି ଏକ ବିଶାଳ ଓ ବିବିଧତାଭରା ଜନବହୁଳ ରାଜ୍ୟର ସଫଳ ଶାସନ ପାଇଁ ଅନୁପଯୁକ୍ତ (ଭାରତ କଥା ଛାଡ଼ିଦିଅ)।

ନୂଆଦିଲ୍ଲୀରୁ ଜଣେ ଏକଲା ଅତିମାନବ, ସରକାର ଚଳାଇବା ଦ୍ବାରା ଆମ ଦେଶର ଆର୍ଥିକ ପ୍ରତ୍ୟାଶା ପୂରଣ ହୋଇପାରିବନି, ଆମର ସାମାଜିକ ସଂହତି ସବଳ ହୋଇପାରିବନି କି ଆମର ରାଷ୍ଟ୍ରୀୟ ସୁରକ୍ଷା ସୁନିଶ୍ଚିତ ହୋଇପାରିବନି। ସେହିପରି ସଂଖ୍ୟାଧିକ ସତ୍ତାବାଦୀ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ବାରା ପ୍ରଶଂସିତ ଜଣେ ପ୍ରଧାନମନ୍ତ୍ରୀ ଏକ ରାଷ୍ଟ୍ରର ପ୍ରତ୍ୟାଶା ପୂରଣ କରିପାରିବେ ନାହିଁ। ବରଂ, ବିଶେଷଜ୍ଞ ଓ ନାଗରିକ ବର୍ଗଙ୍କ କଥା ଶୁଣି ଶିଖିବାକୁ ଚାହୁଥିବା, ନିଜ ମନ୍ତ୍ରୀମାନଙ୍କର ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଉଥିବା ଓ ଉଚିତ ବେଳେ ସେମାନଙ୍କୁ ଶ୍ରେୟ ଦେଉଥିବା ତଥା ସାର୍ବଜନୀନ ଅନୁଷ୍ଠାନଗୁଡ଼ିକର ସ୍ବାୟତ୍ତତା ଓ ଗଣମାଧ୍ୟମ ସ୍ବାଧୀନତାକୁ ସମ୍ମାନ ଦେଉଥିବା ଏବଂ ରାଜନୈତିକ ବିରୋଧୀଙ୍କ ସହ ଏକ ଗଠନମୂଳକ ଆଲୋଚନା ସପକ୍ଷରେ ରହୁଥିବା ନେତାମାନଙ୍କ ଦ୍ବାରା ଭାରତ ତଥା ଭାରତୀୟମାନେ ପ୍ରକୃଷ୍ଟ ସେବା ପାଇପାରିବେ।

ସମ୍ବନ୍ଧିତ ଖବର