ବହିର ବୟସ

ସତ୍ୟ ନାରାୟଣ ମିଶ୍ର

ଲେଖାର ବୟସ କେତେ? ଯଦି ଭାବ ପ୍ରକାଶର ଯେ କୌଣସି ଉଦ୍ୟମକୁ ଆମେ ଲେଖା ‌େବାଲି ଧରି ନେବା, ତାହା ହେଲେ ଆମକୁ ୧୪ ହଜାରରୁ ୪୦ ହଜାର ବର୍ଷ ତଳକୁ ଯିବାକୁ ହେବ, ଯେତେବେଳେ ଆଦିମ ମାନବ ତା’ର ଭାବ ପ୍ରକାଶ ଚିତ୍ର ମାଧ୍ୟମରେ କରୁଥିଲା ଏବଂ ତାହା ସବୁ ବିଭିନ୍ନ ଗୁମ୍ଫାର କାନ୍ଥରେ ଆଜି ବି ଦେଖିବାକୁ ମିଳେ ଏବଂ ନାହିଁ ନ ଥିବା ବିସ୍ମୟ ସୃଷ୍ଟି କରେ।

ମଣିଷ ପ୍ରଥମେ ଏକ ଗୋଠ ଜୀବନ ଜିଉଥିଲା। ସେତିକି ବେଳେ ବ୍ୟକ୍ତିଗତ ସଂପତ୍ତି ବୋଲି କିଛି ନ ଥିଲା। କିନ୍ତୁ ଯେତେବେଳେ ସଭ୍ୟତାର କ୍ରମ ବିକାଶ ସହିତ ମନୁଷ୍ୟ ଗୋଠ ଛାଡ଼ି ନିଜ ପରିବାର ଗଠନ କଲା ଏବଂ ବ୍ୟକ୍ତିଗତ ମାଲିକାନା କଥା ତା’ ମନରେ ଜାଗିଲା, ସମ୍ଭବତଃ ସେତିିକି ବେଳେ ତା’ର ଭାବ ପ୍ରକାଶକୁ ସାର୍ବଜନୀନ ନ କରି କିଛିଟା ଗୋପନୀୟ ବା ବ୍ୟକ୍ତିଗତ ରଖିବା ଉଦ୍ଦେଶ୍ୟରେ ମାଟି ସିଲଟ ତିଆରି କରିଥିବ। ଇତିହାସକାରମାନେ କହନ୍ତି ଯେ ଖ୍ରୀଷ୍ଟପୂର୍ବ ୩୫୦୦ରେ ମାଟି ସିଲଟର ବ୍ୟବହାର ଆରମ୍ଭ ହୋଇଥିଲା। ସୁତରାଂ, ଆମେ କହି ପାରିବା ଯେ ସେହି ସମୟରେ ବହିର ଭ୍ରୂଣ ସଂଚାର ହୋଇଥିଲା। କାରଣ ମାଟି ଚିତ୍ର, ତା’ପରେ ସାଂକେତିକ ଭାଷା ଏବଂ ପରିଶେଷରେ ଅକ୍ଷର ଓ ବିକଶିତ ଭାଷା ଦେଇ ଲେଖା ଏବଂ ପୁସ୍ତକର ଆବିର୍ଭାବ ଘଟିଛି।

ଖ୍ରୀଷ୍ଟପୂର୍ବ ୨୪୦୦ରେ ଲେଖାଲେଖି ଲାଗି ‘ପାପିରସ୍‌’ର ବ୍ୟବହାର କରାଗଲା। ଏହି ଶବ୍ଦରୁ ହିଁ ଆଜିର ପେପର୍‌ ବା କାଗଜ ଶବ୍ଦ ଆସିଛି। ତାହାର ଅନେକ ବର୍ଷ ପରେ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୬୦୦ରେ ମାନକ ଲେଖା ପ୍ରଣାଳୀ ବିକଶିତ ହେଲା, ଯହିଁରେ ଲେଖାଲେଖି ବାମରୁ ଡାହାଣକୁ ହେଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟତଃ ସବୁ ଭାଷା ଲାଗି ଚାଲିଛି, କେବଳ ଆରବିକ୍‌ ଗୋଷ୍ଠୀର ଅଳ୍ପ କିଛି ଭାଷା ବ୍ୟତୀତ।

୧୦୫ ଖ୍ରୀଷ୍ଟାବ୍ଦରେ ସାଇଲୁନ ନାମକ ଜଣେ ଚୀନା ବ୍ୟକ୍ତି ଲେଖିବା ଉଦ୍ଦେଶ୍ୟରେ କାଗଜ ତିଆରି କଲେ ଓ ତାହାର ସାଢ଼େ ସାତ ଶହ ବର୍ଷ ପ‌େର ଅର୍ଥାତ୍‌ ୮୬୮ ଖ୍ରୀଷ୍ଟାବ୍ଦରେ ପ୍ରଥମ ମୁଦ୍ରିତ (ଯନ୍ତ୍ର ଦ୍ବାରା ନୁହେଁ) ପୁସ୍ତକର ଆବିର୍ଭାବ ଚୀନ୍‌ରେ ଘଟିଥିଲା ବୋଲି ବିଶ୍ବାସ କରାଯାଏ। ଆମ ଦେଶରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ତାଳପତ୍ର ଉପରେ ଲେଖନୀ ସାହାଯ୍ୟରେ ଲେଖା ଆରମ୍ଭ ହୋଇଯାଇଥିଲା।

କିନ୍ତୁ ସତ କହିଲେ ଯାହା ଲେଖା ଜଗତ୍‌ରେ ଏକ ବିପ୍ଳବ ଆଣିଲା, ତାହା ହେଉଛି ଗୁଟେନ୍‌ବର୍ଗଙ୍କ ଦ୍ୱାରା ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ। ଏହା ପରେ ୧୪୪୦ ମସିହାରେ ପ୍ରଥମ ଯନ୍ତ୍ର ଦ୍ବାରା ଛପା ବହି ଜନ୍ମ ନେଲା। ଏହି ପୁସ୍ତକଟି ଥିଲା ଗୁଟେନ୍‌ବର୍ଗ ବାଇବଲ। ବହି ପ୍ରସ୍ତୁତିର ମାନରେ ଧୀରେ ଧୀରେ ଅଗ୍ରଗତି ହେଲା। ୧୮୩୨ ମସିହାରେ ବହିକୁ ଜାକେଟ୍‌ ଦ୍ବାରା ଆବୃତ କରାଗଲା। ସେହି ବର୍ଷରୁ ଆଧୁନିକ ପୁସ୍ତକର ମୂଳଦୁଆ ପଡ଼ିଲା।

ସ୍କ୍ବାବେ ଭର୍ଲଗ ଇନ୍ ବାସେଲ ହେଉଛି ପୃଥିବୀର ସବୁଠାରୁ ପୁରୁଣା ପ୍ରକାଶନ ସଂସ୍ଥା। ଏହା ୧୪୮୮ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ତାହା ସେହି ସୁଇସ୍‌ ପରିବାର ଦ୍ବାରା ପରିଚାଳିତ ହୋଇଆସୁଛି। ୧୯୩୫ରେ ଲଣ୍ଡନରେ ପେଙ୍ଗୁଇନ ନାମକ ପୃଥିବୀର ଅନ୍ୟତମ ସର୍ବପ୍ରସିଦ୍ଧ ପ୍ରକାଶନ ସଂସ୍ଥା ସ୍ଥାପିତ ହେଲା, ଯାହା ସହିତ ଇଂରେଜୀ ପଢୁଥିବା ଭାରତୀୟଙ୍କ ପରିଚିତି ଅଧିକ। ଏବେ ପୃଥିବୀର ୧୩୨ଟି ଦେଶରେ ୨୦,୦୦୦ ପୁସ୍ତକ ପ୍ରକାଶନ ସଂସ୍ଥା ଅଛନ୍ତି ବୋଲି କୁହାଯାଉଛି, କିନ୍ତୁ ପ୍ରକୃତରେ ଏହି ସଂଖ୍ୟା ଅଧିକ ହେବ ସିନା, କମ୍‌ ହେବ ନାହିଁ।

୧୯୮୯ ବେଳକୁ ଇଣ୍ଟର୍‌ନେଟ୍‌ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରସାର ପୁସ୍ତକ ପ୍ରକାଶନକୁ ନୂଆ ରୂପ ଦେବା ଆରମ୍ଭ କରିଥିଲା। ତା’ ପରେ ୨୦୦୦ ମସିହାରୁ ୨୦୦୬ ମସିହା ଭିତରେ ଇ-ବହିର ଆବିର୍ଭାବ ଘଟି ଲୋକପ୍ରିୟ ହେବାକୁ ଲାଗିଲା। ୨୦୦୭ ମସିହାରେ କିଣ୍ଡଲେ ଦ୍ବାରା ଇ-ବହି ପଢ଼ିବାର ମାର୍ଗ ଉପଲବ୍‌ଧ ହୋଇଛି। କହିବା ଅନାବଶ୍ୟକ ଯେ ଏହି କ୍ରମ ବିକାଶର ଧାରା ଆଗକୁ ଆଗକୁ ଚାଲିଛି।

ଗୁଗୁଲ୍ ଆକଳନ କରିଛି ଯେ ୨୦୧୦ ସୁଦ୍ଧା ପ୍ରାୟ ୧୩୦,୦୦୦,୦୦୦ଟି ବହି ପ୍ରକାଶ ପାଇ ସାରିଛି ଯାହା ହେଉଛି ବହି ପ୍ରତି ଶ୍ରଦ୍ଧାର ନିଦର୍ଶନ। କେତେକ ଧନୀ ରାଷ୍ଟ୍ରରେ ଇ-ବହିଗୁଡ଼ିକର ବ୍ୟବହାର ବୃଦ୍ଧି ହେତୁ ମୁଦ୍ରିତ ବହି ବିକ୍ରି ହ୍ରାସ ପାଇଛି। କିନ୍ତୁ ଯଦି ଆମେ ମାଟି ଟାବ୍‌ଲେଟ୍‌କୁ ବହିର ଭ୍ରୂଣ ବୋଲି ଧରିବା ତେବେ ଇ-ବହି ଫର୍ମାଟ୍ ପର୍ଯ୍ୟନ୍ତ ବହିର ବୟସ ସାଢ଼େ ପାଞ୍ଚ ହଜାର ବର୍ଷରୁ ଅଧିକ ହୋଇ ସାରିଛି ଏବଂ ଯେହେତୁ ବହିର ରୂପରେଖ‌େର ଆହୁରି ପରିବର୍ତ୍ତନମାନ ହୋଇ ଚାଲିଛି, ଆମେ କହି ପାରିବା ଯେ ବହି ଏ ଯାଏ ବୃଦ୍ଧ ହୋଇନାହିଁ, ତା’ର ତାରୁଣ୍ୟରେ ଅଛି।
ମୋ- ୯୯୩୭୩୪୫୯୦୦

ସମ୍ବନ୍ଧିତ ଖବର