ଏକାଦଶ ଶତାବ୍ଦୀରେ ଆରବୀୟ ଭ୍ରମଣକାରୀ ଆଲବେରୁନିଙ୍କ ଭ୍ରମଣ କାହାଣୀରେ ଲେଖା ଅଛି ଯେ ହିନ୍ଦୁମାନେ, ସେମାନଙ୍କ ଜୀବନରେ ଘଟି ଯାଇଥିବା ଘଟଣାବଳୀର କ୍ରମିକ ଧାରା ବିବରଣୀ ଦେଇ ପାରୁ ନ ଥିଲେ। ସେମାନେ ଏମିତି ‘ଭୋଳା’ ଲୋକ ଥିଲେ ଯେ କେଉଁ କେଉଁ ରାଜାମାନେ କେବେ ଶାସନ କରିଥିଲେ ବା କିଏ ଆଗ କିଏ ପଛ ସେ କଥା କହିବାକୁ ସେମାନେ ଅକ୍ଷମ ଥିଲେ। ଏଭଳି ସ୍ଥଳେ ସେମାନେ ଯାହା କହୁଥିଲେ ସେ ସବୁ ଥିଲା ଅଲରା ଗପମାନ କିମ୍ବା କାଳ୍ପନିକ କାହାଣୀ। ଆଲ୍‌ବେରୁନିଙ୍କୁ ତାହା ବିସ୍ମିତ କରିଥିଲା।

Advertisment

ଗୋଟିଏ ପ୍ରାଚୀନ ସଭ୍ୟତାର ସ୍ରୋତରେ ଭାସମାନ ଗୋଟିଏ ମହାନ ଜାତିର ଜାତୀୟ ସ୍ମୃତି ଏତେ ଦରିଦ୍ର ଓ ବିଭ୍ରମଭରା ହେବା ଥିଲା ତାଙ୍କ ବିସ୍ମୟର ହେତୁ। ତେଣୁ ସେ ଯାହା କହିବାକୁ ଚାହିଁଥିଲେ ତାହା ହେଲା ଭାରତୀୟମାନଙ୍କ ଠାରେ ନା ଥିଲା ଇତିହାସବୋଧ ନା ଥିଲା ଐତିହ୍ୟର ସ୍ମାରକୀଗୁଡ଼ିକ ପ୍ରତି ସମ୍ମାନ ବୋଧ। ବୋଧହୁଏ, ଭାରତୀୟ ସମାଜର ପ୍ରଥମ ଇତିହାସ ଠିକ୍‌ ଢଙ୍ଗରେ ଲେଖା ହୋଇଥିଲା ୧୮୦୮ ମସିହାରେ। ରଚନାଟିର ନାମ ଥିଲା ‘ରାଜାବଳୀ କ୍ରୋନିକଲ୍‌ସ ଅଫ କିଙ୍ଗ୍‌ସ’। ତାହାର ଲେଖକ ଥିଲେ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର। କୁହାଯାଇପାରେ, ସେହି ସମୟ ପର୍ଯ୍ୟନ୍ତ ଭାରତର ଇତିହାସ ଜାଣିବାର ଆଧାର ଓ ସାଧନ ଥିଲା ଜନସ୍ମୃତି ବା ତତ୍‌ ଆଧାରିତ ରଚନାମାନ। ଏବଂ ସେ ପର୍ଯ୍ୟନ୍ତ ପୂର୍ବ ପୁରୁଷମାନଙ୍କର କୃତି ଓ କୀର୍ତ୍ତିମାନଙ୍କୁ ସାଇତି ରଖିବାର ଅଭ୍ୟାସ ଭାରତୀୟମାନଙ୍କ ମଧ୍ୟରେ ବିଶେଷ ନ ଥିଲା ବା ସ୍ଥଳ ବିଶେଷରେ ଆଦୌ ନ ଥିଲା।

୧୮୯୯ ମସିହାରେ ଭାରତକୁ ଆସିଥିଲେ ଭାଇସ୍‌ରାୟ ଲର୍ଡ କର୍ଜନ। ଭାରତକୁ ଗଭୀର ଭାବେ ଚିହ୍ନିବା ପାଇଁ ସେ ତେଣୁ ଭାରତୀୟ ସମାଜ ସ˚କ୍ରାନ୍ତ ନଥିପତ୍ର ଖୋଜାଲୋଡ଼ା କଲେ। କିନ୍ତୁ ସେ ସବୁ ତାଙ୍କୁ ମିଳି ନ ଥିଲା। ଏହାର କାରଣ ଥିଲା ଅତୀତର ରେକର୍ଡ‌୍ ଓ ପୂର୍ବପୁରୁଷମାନଙ୍କ ସ୍ମୃତିରକ୍ଷା ପ୍ରତି ଭାରତୀୟମାନଙ୍କ ଏକାନ୍ତ ନିସ୍ପୃହତା। ଏହାକୁ ଲର୍ଡ କର୍ଜନ ଅତ୍ୟନ୍ତ ନାପସନ୍ଦ କରିଥିଲେ। ତେଣୁ ପ୍ରଶାସନିକ ସ୍ତରରେ ଐତିହ୍ୟ ସ୍ମାରକୀ ସୁରକ୍ଷା ଲାଗି ସେ ପ୍ରଥମେ ଉଦ୍ୟମ ଆରମ୍ଭ କଲେ। ତାଜମହଲର ଦୁରବସ୍ଥା ପ୍ରଥମେ ତାଙ୍କ ଦୃଷ୍ଟିରେ ପଡ଼ିଥିଲା। ତାକୁ ଲକ୍ଷ୍ୟ କରି ଭାଇସରାୟ ଏକ ଆଦେଶନାମା ଜାରି କରି ସେଠାକୁ ଜନସାଧାରଣଙ୍କ ମନଇଚ୍ଛା ଯାତାୟାତ ଓ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇଥିଲେ। ଏଣିକି ଆଉ ପୂର୍ବ ଭଳି ଯିଏ ପାରିଲା ସିଏ ତାଜମହଲକୁ ହାତ ଲଗାଇ ପାରିଲେ ନାହିଁ। ନିୟମ ଅମାନ୍ୟ କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଲା। ଆଜି ଆମେ ତାଜମହଲକୁ ଅକ୍ଷତ ଅବସ୍ଥାରେ ଦେଖୁଛେ, କେବଳ ଏହି ନିୟମ ଲାଗି।

ସେତେବେଳେ କର୍ଜନଙ୍କ ଦୃଷ୍ଟିକୁ ମଧ୍ୟ ଆସିଥିଲା ତତ୍‌କାଳୀନ ପ୍ରାଚୀନ କୀର୍ତ୍ତି ମାଣ୍ତଲ୍ୟ ରାଜପ୍ରାସାଦ। ସେତେବେଳେ ବ୍ରିଟିସ ଓ ଭାରତୀୟ ଅଫିସରମାନେ ସେମାନଙ୍କର ଅବସର ବିନୋଦନ ପାଇଁ ଏହି ରାଜପ୍ରାସାଦକୁ କ୍ଲବ୍‌ରେ ପରିଣତ କରିଦେଇଥିଲେ। କର୍ଜନ ସାହେବ ଏହା ଉପରେ ମଧ୍ୟ ନିଷେଧାଜ୍ଞା ଜାରି କଲେ। ଭାରତର ପ୍ରାଚୀନ ସ୍ଥାପତ୍ୟମାନ ସୁରକ୍ଷା ପାଇବା ପଛରେ ମୂଳ କାରଣ ଲର୍ଡ କର୍ଜନଙ୍କ ଦ୍ବାରା ପ୍ରଣୀତ ନିୟମ। ଇତିହାସର ଗବେଷକମାନେ କର୍ଜନଙ୍କୁ ଭାରତର ପ୍ରାଚୀନ କଳା କୀର୍ତ୍ତି ଓ ପ୍ରତ୍ନତତ୍ତ୍ବ ପୀଠମାନଙ୍କର ପ୍ରଥମ ସୁରକ୍ଷାଦାତା ବୋଲି ସ୍ବୀକାର କରନ୍ତି। ତାହା ହୋଇ ନ ଥିଲେ ଆମେରିକୀୟ ଅର୍ବପତିମାନେ ଭାରତୀୟ ପ୍ରାଚୀନ କୀର୍ତ୍ତିର ଅଂଶମାନ କିଣିନେଇ ଆମେରିକା ପଳାଇ ଯାଇଥାଆନ୍ତେ।

ଭାରତୀୟମାନେ ସେମାନଙ୍କର ସମାଜ, ସ˚ସ୍କୃତି ଓ ଇତିହାସକୁ ଜାଣିବା ଓ ଚିହ୍ନିବା ପାଇଁ ଏବଂ ସାଇତି ରଖିବା ଦିଗ‌େର କର୍ଜନ ସାହେବ ହିଁ ପ୍ରଥମ ପାଠ ପଢ଼ାଇଥିଲେ। ଭାରତର ଜନ ଗଣ ଭିତରେ ସଚେତନତା ଜାଗ୍ରତ କରିବା ପାଇଁ ସେ ଉଦ୍ୟମ କରିଥିଲେ, ଯଦିଓ ସେ ଦିଗରେ ତାଙ୍କୁ ଉଲ୍ଲେଖନୀୟ ସଫଳତା ମିଳି ନ ଥିଲା। ସମୟ ଓ ସମାଜ ତାଙ୍କ ପାଇଁ ଅତ୍ୟନ୍ତ ପ୍ରତିକୂଳ ଥିଲା। ଅନେକ ସମୟରେ ତାଙ୍କୁ ଭାରତୀୟ ଜନ ଗଣଙ୍କର ଧର୍ମ ଧାରଣାର ପ୍ରତିକୂଳରେ ଯିବାକୁ ପଡ଼ିଥିଲା, ଯାହା ଅତ୍ୟନ୍ତ କଠିନ ଥିଲା। ତଥାପି ତାଙ୍କୁ ଯେତିକି ସଫଳତା ମିଳିଥିଲା, ତାହା ଭବିଷ୍ୟତ ପାଇଁ ଦିଗବାରେଣୀ ହୋଇ ରହିଲା।

ସତ କହିଲେ କର୍ଜନଙ୍କ ପ୍ରୟାସ ହିଁ ଭାରତୀୟ ସମାଜକୁ ଏକ କୌଳିନ୍ୟ ପ୍ରଦାନ କରିଛି। ଯଦି କର୍ଜନ ଉଦ୍ୟମ କରି ନ ଥାଆନ୍ତେ ତେବେ ହୁଏ’ତ ଭାରତର ଅନେକ କିର୍ତ୍ତୀରାଜି ଧୂଳିସାତ୍‌ ହୋଇ ସାରିଥାଆନ୍ତେ। ଐତିହ୍ୟ ସଂରକ୍ଷଣ ଭାବନା ଲୋକଙ୍କ ଭିତରେ ମଧ୍ୟ ଉଦୟ ହୋଇ ନ ଥାଆନ୍ତା। ଭବିଷ୍ୟତ୍‌ ପିଢ଼ିକୁ ଦେଖାଇବା ଲାଗି ଏକ ପ୍ରାଚୀନ ସଭ୍ୟତା ଏବଂ ମହାନ ଜାତିି ପାଖରେ କୌଣସି ଚିହ୍ନ ହୁଏ’ତ ବଞ୍ଚି ନ ଥାଆନ୍ତା।
ମୋ: ୯୭୭୭୨୦୫୬୮୪