ଏହାର ଜନ୍ମ ପରେ ପ୍ରାୟ ତିନି ଦଶନ୍ଧି ବିତି ଯାଇଥିବା ‘ବିଶ୍ବ ବାଣିଜ୍ୟ ସ˚ଗଠନ’ (‘ଡବ୍ଲ୍ୟୁଟିଓ’)କୁ ପ୍ରାଚୀନ ଏଥେନ୍‌ସର ଅନ୍ୟତମ ଆଦର୍ଶ ସାମ୍ୟବାଦୀ ନ୍ୟାୟ ପ୍ରଦାନକାରୀ ଅନୁଷ୍ଠାନ ସୁପ୍ରିମ୍‌ କୋର୍ଟ ସହିତ ତୁଳନା କରାଯାଇପାରେ। ସେହି ପ୍ରାଚୀନ ନଗର ରାଷ୍ଟ୍ରର ପ୍ରତ୍ୟକ୍ଷ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ଉପଭୋଗ କରୁଥିବା ସମାନ ଅଧିକାରର ଏକ ପ୍ରମାଣ ସ୍ବରୂପ ସେଠାକାର ସୁପ୍ରିମ୍‌ କୋର୍ଟରେ ସଦସ୍ୟ ଜୁରୀମାନଙ୍କର ସ˚ଖ୍ୟା ଥିଲା ପ୍ରାୟ ଛ’ହଜାର (ସେ ସମୟରେ ଏଥେନ୍‌ସର ବିଧିବଦ୍ଧ ନାଗରିକ ସ˚ଖ୍ୟା ସହ ପ୍ରାୟ ସମାନ)। ‘ଡବ୍ଲ୍ୟୁଟିଓ’ର ସଦସ୍ୟ ଥିବା ଦେଶମାନଙ୍କର ସ˚ଖ୍ୟା ହେଉଛି ୧୬୪; ଏବ˚ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏମାନଙ୍କ ମଧୢରୁ ଯଦି ଗୋଟିଏ ବି ସଦସ୍ୟ ଦେଶ ଅସମ୍ମତ ହୁଏ, ତେବେ ସେଠାରେ କୌଣସି ଚୁକ୍ତି ପାରିତ ହୋଇପାରିବ ନାହିଁ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ବିଗତ ପ୍ରାୟ ଏକ ଦଶନ୍ଧି ମଧୢରେ ଏହି ସ˚ଗଠନ ଦ୍ବାରା ଗୋଟିଏ ବି କୌଣସି ନୂତନ ଚୁକ୍ତି ଭୂମିଷ୍ଠ ହୋଇପାରିନାହିଁ।

Advertisment

ଏହି ସମୟ ମଧୢ ଦେଶ-ଦେଶ ମଧୢରେ ନ୍ୟାୟୋଚିତ ଅବାଧ ବାଣିଜ୍ୟର ପ୍ରସାର ଘଟାଇବା ପାଇଁ ଉଦ୍ଦିଷ୍ଟ ‘ଡବ୍ଲ୍ୟୁଟିଓ’ ପାଇଁ ଅନୁକୂଳ ହୋଇନାହିଁ। ଆମେରିକାରେ ଡୋନାଲଡ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିବା ସମୟରେ ଏହି ସ˚ଗଠନ ପ୍ରତି ତାଙ୍କର ବିଦ୍ବେଷ ଓ ଏହାର ଏକ ମୁଖ୍ୟ ଅଙ୍ଗ ‘ଆପିଲେଟ୍‌ ଅଥରଟି’କୁ ନିଷ୍କ୍ରିୟ କରି ଦେବାକୁ ତାଙ୍କର ଉଦ୍ୟମ ‘ଡବ୍ଲ୍ୟୁଟିଓ’କୁ ପଙ୍ଗୁ କରିଦେବା ପାଇଁ ଯଦି ଯଥେଷ୍ଟ ନ ଥିଲା, ଚୀନା କରୋନା ଭୂତାଣୁ ଜନିତ କୋଭିଡ୍‌-୧୯ ପାଣ୍ତେମିକ୍‌ ସ˚କ୍ରମଣ ଓ ୟୁକ୍ରେନ ଯୁଦ୍ଧର ଅର୍ଥନୈତିକ ଆଘାତ ମିଶି ପୃଥିବୀର ପ୍ରତ୍ୟେକ ଦେଶକୁ ଅନ୍ତର୍ମୁଖୀ ହେବା ପାଇଁ ଏବ˚ ବହିର୍ବାଣିଜ୍ୟକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ବାଧୢ କରିଛନ୍ତି।

ତେଣୁ ଏହି ପୃଷ୍ଠଭୂମିରେ ଜେନିଭା ଠାରେ ସଦ୍ୟ ସମାପ୍ତ ‘ଡବ୍ଲ୍ୟୁଟିଓ’ର ଦ୍ବାଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଯାହା ହାସଲ କରିପାରିଛି, ତାହାକୁ ଚମକପ୍ରଦ ନ କହିଲେ ବି, ଅତ୍ୟନ୍ତ ପ୍ରଶ˚ସନୀୟ ଯେ କୁହାଯିବ, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ଜଣେ କେହି ଯଦି ହେଉଛନ୍ତି ଏହି ପ୍ରଶ˚ସାର ସମ୍ପୂର୍ଣ୍ଣ ହକ୍‌ଦାର, ସେ ହେଉଛନ୍ତି ଏହି ସ˚ଗଠନର ବର୍ତ୍ତମାନର ମୁଖ୍ୟ ତଥା ପ୍ରଥମ ମହିଳା ଓ ଆଫ୍ରିକୀୟ ମୂଳର ଡାଇରେକ୍ଟର ଜେନେରାଲ୍‌ ଏନ୍‌ଗୋଜି ଓକୋଞ୍ଜୋ-ଇେଵଲା। ନାଇଜେରିଆର ଦୁଇ ଥର ଅର୍ଥମନ୍ତ୍ରୀ ଓ ଥରେ ବିଦେଶ ମନ୍ତ୍ରୀ ଥିବା ଏହି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଚତୁର କୂଟନୀତିଜ୍ଞ ସମ୍ମିଳନୀ ଆରମ୍ଭରୁ ସ୍ପଷ୍ଟ କରି ଦେଇଥିଲେ ଯେ କୌଣସି ଚାବୁକ୍‌ ସଦୃଶ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ନୁହେଁ, ଆପୋସ ଆଲୋଚନା ମାଧୢମରେ ସମସ୍ତଙ୍କର ଗ୍ରହଣୀୟ ହେବା ଭଳି ଚୁକ୍ତିକୁ ରୂପ ଦେବା ହେଉଛି ସମ୍ମିଳନୀର ଲକ୍ଷ୍ୟ। ବିଶେଷ କରି ବିକାଶଶୀଳ ଦେଶମାନଙ୍କର ସ୍ବାର୍ଥର ରକ୍ଷା ପ୍ରତି ସେ ଯେଉଁଭଳି ଧୢାନ ଦେବା ଦେଖାଯାଇଥିଲା, ତାହା ଅତୀତରେ କ୍ବଚିତ୍‌ ଦେଖିବାକୁ ମିଳିଥିଲା। ଏହା ସେମାନଙ୍କୁ କୌଣସି ଅସହଯୋଗ ପ୍ରଦର୍ଶନରୁ ନିବୃତ୍ତ କରିଥିଲା।

ସହମତି ଭିତ୍ତିରେ ଯେଉଁ କେତେକ ଗୁରୁତ୍ବପୂର୍ଣ୍ଣ ଇଲାକାରେ ସମ୍ମିଳନୀରେ ଚୁକ୍ତିମାନ ସମ୍ପନ୍ନ ହୋଇପାରିଛି, ସେଥିରେ ଅନ୍ତର୍ଭୁକ୍ତ ଅଛି ଖାଦ୍ୟ ନିରାପତ୍ତା, ମାଛଧରା ସବ୍‌ସିଡି ଓ ଟିକା ଉତ୍ପାଦନ ପାଇଁ ପେଟେଣ୍ଟ ଛାଡ଼ ବ୍ୟବସ୍ଥା। ଏଥି ମଧୢରୁ ଶେଷୋକ୍ତ ଚୁକ୍ତି ସମ୍ପର୍କିତ ଆଲୋଚନା ସମୟରେ ଯେଉଁ ଦେଶର ସ୍ବର ସର୍ବାଧିକ ଦୃଢ଼ ଓ ପ୍ରଭାବଶାଳୀ ହୋଇଥିଲା, ସେ ହେଉଛି ଭାରତ, ଯାହାର ସୁଦକ୍ଷ ପ୍ରତିନିଧିତ୍ବ କରିଥିଲେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍‌। କୋଭିଡ୍‌ ପାଣ୍ତେମିକ୍‌ର ମୁକାବିଲା ପାଇଁ ଟିକା ଉତ୍ପାଦନ ଓ ରପ୍ତାନିକୁ ପେଟେଣ୍ଟ ବନ୍ଧନରୁ ମୁକ୍ତ କରିବା ପାଇଁ ଦକ୍ଷିଣ ଆଫ୍ରିକା ସହ ମିଶି ଭାରତ କେବେ ଠାରୁ ଦାବି କରିଆସୁଛି। ଅର୍ଥାତ୍‌ କୋଭିଡ୍‌ ଟିକା ଉତ୍ପାଦନ ପାଇଁ ଟିକାର ଉଦ୍ଭାବକ କମ୍ପାନି ଠାରୁ ଅନୁମତି ଆଣିବା ପାଇଁ କିମ୍ବା ସେଥିପାଇଁ ତାକୁ ପାଉଣା ଦେବାକୁ ପଡ଼ିବ ନାହିଁ। ଏହି ଟିକା ଉତ୍ପାଦନ ଜ୍ଞାନକୌଶଳ ସମ୍ପୃକ୍ତ କମ୍ପାନିର ‘ବୌଦ୍ଧିକ ସମ୍ପତ୍ତି’ (‘ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି’) ରୂପେ ବିବେଚିତ ହେଉଥିବାରୁ, ସମ୍ପୃକ୍ତ କମ୍ପାନିର ଏହି ସମ୍ପତ୍ତି ଉପରେ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ‘ଡବ୍ଲ୍ୟୁଟିଓ’ର ଅନୁସୃତ ନୀତି ହୋଇଆସିଛି; କାରଣ ତା’ ନହେଲେ ନୂତନ କିଛି ଔଷଧ ବା ଟିକା ଉଦ୍ଭାବନରେ ସମ୍ବଳ ଓ ସମୟ ବିନିଯୋଗ କରିବାରୁ କମ୍ପାନିମାନେ ନିରୁତ୍ସାହିତ ହେବେ। କିନ୍ତୁ କୋଭିଡ୍‌ ପାଣ୍ତେମିକ୍‌ର ଭୟାବହତାକୁ ବିଚାରକୁ ନେଇ ଜେନିଭା ସମ୍ମିଳନୀରେ କୋଭିଡ୍‌ ଟିକା ଉତ୍ପାଦନ ଉପରୁ ପାଞ୍ଚ ବର୍ଷ ପାଇ ପେଟେଣ୍ଟ୍‌ ନିୟନ୍ତ୍ରଣ ଉଠାଇ ଦିଆଯାଇଛି।

ଅବଶ୍ୟ ଏହା ସତ ଯେ ଏହି ପଦକ୍ଷେପ ନିଆଯିବାରେ ବହୁତ ବିଳମ୍ବ ହୋଇଗଲାଣି ଓ କୋଭିଡ୍‌ର ଚିହ୍ନଟ ପାଇଁ ବ୍ୟବହୃତ ଉପକରଣ କିମ୍ବା ଚିକିତ୍ସାରେ ବ୍ୟବହୃତ ଔଷଧପତ୍ର ଉତ୍ପାଦନ ଉପରେ ପେଟେଣ୍ଟ କଟକଣା ପୂର୍ବ ଭଳି ବଳବତ୍ତର ରହିଛି। ତଥାପି ଏଠାରେ ଯାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏହି ସାମୟିକ ପେଟେଣ୍ଟ କଟକଣା କୋହଳ ମାଧୢମରେ ‘ଡବ୍ଲ୍ୟୁଟିଓ’ ବର୍ତ୍ତମାନ ସ୍ବୀକାର କରିଛି ଯେ କୋଭିଡ୍‌ ଭଳି ଏକ ଗୁରୁତର ସ୍ବାସ୍ଥ୍ୟ ସ˚କଟ ସମୟରେ ଜୀବନ ରକ୍ଷା ସର୍ବାଧିକ ଅଗ୍ରାଧିକାର ଲାଭ କରିବାକୁ ହକ୍‌ଦାର। ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଖାଦ୍ୟଶସ୍ୟ ସ˚ଗ୍ରହ ଓ ଅନ୍ୟାନ୍ୟ କେତେକ ପଦକ୍ଷେପ ସମ୍ପର୍କରେ ଭାରତ ଉପସ୍ଥାପନ କରିଥିବା ପ୍ରସ୍ତାବମାନଙ୍କୁ ବିଶଦ ଆଲୋଚନା ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ପରବର୍ତ୍ତୀ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।

ବିଗତ ବର୍ଷମାନଙ୍କରେ ଗଭୀର ସମୁଦ୍ରରେ ମାଛଧରା କାର୍ଯ୍ୟକଳାପରେ ଏପରି ବିସ୍ଫୋରକ ବୃଦ୍ଧି ଘଟିବା ଦେଖାଯାଇଛି ଯେ ତାହା କେବଳ ସାମୁଦ୍ରିକ ମତ୍ସ୍ୟ ସମ୍ପଦର ଅପୂରଣୀୟ କ୍ଷୟ ସାଧନ କରିବାକୁ ଯାଉଛି ତାହା ନୁହେଁ, ସାମୁଦ୍ରିକ ପରିବେଶର ମଧୢ ଅପୂରଣୀୟ କ୍ଷତି ଘଟାଇବାକୁ ଆରମ୍ଭ କଲାଣି। ଉଲ୍ଲେଖଯୋଗ୍ୟ ଯେ ଧନୀ ଦେଶମାନେ ସେମାନଙ୍କର ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସବୁ ସବ୍‌ସିଡି ପ୍ରଦାନ କରିଥାନ୍ତି, ତାହା ସେମାନଙ୍କୁ ଏହି ସାମୁଦ୍ରିକ ସମ୍ବଳର ଅତିଶୋଷଣ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏହି ପ୍ରସଙ୍ଗଟି କିନ୍ତୁ ପରିବେଶ ସୁରକ୍ଷା ସହିତ ଜଡ଼ିତ ଏବ˚ ପରିବେଶ ସୁରକ୍ଷା କ୍ଷେତ୍ରରେ ନାକ ଗଳାଇବା ପାଇଁ ‘ଡବ୍ଲ୍ୟୁଟିଓ’ ଏ ପର୍ଯ୍ୟନ୍ତ କୁଣ୍ଠା ପ୍ରଦର୍ଶନ କରି ଆସିଥିବାରୁ, ଏହି ସବ୍‌ସିଡି ନିୟନ୍ତ୍ରଣ ଦିଗରେ ସ˚ଗଠନଟି ଏ ପର୍ଯ୍ୟନ୍ତ କୌଣସି ଉଦ୍ୟମ କରିନଥିଲା। ଏଥର ସମ୍ମିଳନୀରେ ଏହି ପ୍ରସଙ୍ଗ କିନ୍ତୁ ଆଲୋଚନାର ପରିସରଭୁକ୍ତ ହୋଇ ଏକ ନୂତନ ଆଶାର ସଞ୍ଚାର କରିଥିଲା।

ଏହି ଆଲୋଚନାରେ ଭାରତ ଯେଉଁ ଆଭିମୁଖ୍ୟ ପ୍ରକାଶ କରିଥିଲା ତାହା ହେଲା ଅନ୍ୟାନ୍ୟ ଧନୀ ଦେଶମାନଙ୍କ ସମେତ ଚୀନ୍‌ ସେମାନଙ୍କର ମତ୍ସ୍ୟଜୀବୀମାନଙ୍କୁ ପ୍ରଦାନ କରୁଥିବା ସବ୍‌ସିଡିକୁ ନିୟନ୍ତ୍ରିତ କରାଯିବା ସଙ୍ଗେ ସଙ୍ଗେ ଭାରତ ସମେତ ଅନ୍ୟାନ୍ୟ ବିକାଶଶୀଳ ଦେଶମାନେ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ମତ୍ସ୍ୟଜୀବୀମାନଙ୍କୁ ଅନୁମତି ପ୍ରଦାନ କରାଯିବା। ଲକ୍ଷ୍ୟ କରିବା କଥା, ଭାରତର ପ୍ରାୟ ୯ ନିୟୁତ ସରିକି ମତ୍ସ୍ୟଜୀବୀ ମୁଖ୍ୟତଃ ତଟବର୍ତ୍ତୀ ସମୁଦ୍ରରେ ହିଁ ମାଛ ଧରିଥାନ୍ତି ଏବ˚ ଧନୀ ଦେଶମାନଙ୍କର ମତ୍ସ୍ୟଜୀବୀମାନଙ୍କ ପରି ଗଭୀର ସମୁଦ୍ରର ମତ୍ସ୍ୟ ଓ ସାମୁଦ୍ରିକ ଜୀବନ ପ୍ରତି ବିପଦ ସୃଷ୍ଟି କରି ନ ଥାନ୍ତି। ଜେନିଭା ଚୁକ୍ତି ଅନୁସାରେ ଅନ୍ତତଃ ଆଗାମୀ ଚାରିବର୍ଷ ପାଇଁ ଭାରତ ତା’ର ମତ୍ସ୍ୟଜୀବୀମାନଙ୍କୁ ପ୍ରଦାନ କରୁଥିବା ବର୍ତ୍ତମାନର ସବ୍‌ସିଡି ଅବ୍ୟାହତ ରଖିପାରିବ। ଅବଶ୍ୟ ଧନୀ ଦେଶମାନଙ୍କୁ ସବ୍‌ସିଡି ପ୍ରଦାନରୁ ନିବୃତ୍ତ କରିବା ପାଇଁ ଚୁକ୍ତିରେ କୌଣସି କଠୋର ପଦକ୍ଷେପ ନିଆଯାଇପାରିନାହିଁ। ତଥାପି, ଦଶ ବର୍ଷର ବିରତି ପରେ ସମସ୍ତ ଦେଶ ଏକଜୁଟ ହୋଇ ଯେ କିଛି ବି ସହମତିରେ ପହଞ୍ଚି ପାରିଛନ୍ତି, ତାହା ଭବିଷ୍ୟତ ପାଇଁ ନୂତନ ଆଶାର ଆଲୋକ ଭଳି ମନେ ହୋଇଥାଏ। ପଙ୍ଗୁ ଚଳତ୍‌ଶକ୍ତି ଫେରିପାଇବାର ଆଶା।