ଗାନ୍ଧୀଜୀ ଓ ମୋୖନବ୍ରତ

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

ସପ୍ତାହରେ ପ୍ରତି ସୋମବାର ଗାନ୍ଧୀଜୀ ମୌନବ୍ରତରେ ରହୁଥିଲେ। ସେଦିନ ସେ କିଛି କଥା କହୁ ନଥିଲେ। ଯଦି କିଏ ସାକ୍ଷାତ ପାଇଁ ଆସୁଥିଲେ, ଗାନ୍ଧୀ କେବଳ ତାଙ୍କଠାରୁ ଶୁଣୁଥିଲେ। ଦରକାର ହେଲେ ପାଖରେ ଥିବା ଟୁକୁରା କାଗଜରେ ନିଜ କଥା ଲେଖିଦେଉଥିଲେ। ମୌନବ୍ରତ ଦିନ ଚୁପ୍‌ଚାପ୍‌ ବସି ପଢ଼ିବା ଓ ଲେଖିବା ଥିଲା ଗାନ୍ଧୀଜୀଙ୍କ ପସନ୍ଦ।

ଗାନ୍ଧୀ କହନ୍ତି, ସତ୍ୟର ଅନୁସନ୍ଧାନ ପାଇଁ ଅନେକ ଶୃଙ୍ଖଳା ଦରକାର। ମୌନତା ଏହି ଶୃଙ୍ଖଳାର ଏକ ଅଂଶ। ମୌନବ୍ରତର ଉପାଦେୟତା ସମ୍ପର୍କରେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଟ୍ରାପିଷ୍ଟ ସାଧୁଙ୍କଠାରୁ ଭଲ ଭାବେ ବୁଝିଥିଲେ।

ଟ୍ରାପିଷ୍ଟ ମଠ ସଂସ୍କୃତି ଥିଲା ନିଆରା। ଦକ୍ଷିଣ ଆଫ୍ରିକାରେ ଏ ନେଇ ବେଶ୍‌ ଚର୍ଚ୍ଚା ବି ହେଉଥିଲା। ଲଣ୍ଡନରୁ ପ୍ରକାଶ ପାଉଥିବା ‘ଦି ଭେଜିଟାରିଆନ’ ପତ୍ରିକାରେ ଏଇ ସଂସ୍କୃତି ଉପରେ ଏକ ପ୍ରବନ୍ଧ ଲେଖିବାକୁ ୧୮୯୫ ମସିହା ଏପ୍ରିଲ ମାସରେ ନାଟାଲର ମୁରିଆନ୍‌ ହିଲ୍‌ସରେ ଥିବା ଟ୍ରାପିଷ୍ଟ ମଠକୁ ଗାନ୍ଧୀଜୀ ବୁଲି ଯାଇଥିଲେ। ‘ଦି ଭେଜିଟାରିଆନ’ ପତ୍ରିକାରେ ଏକ ନିୟମିତ ସ୍ତମ୍ଭକାର ଥିଲେ ଗାନ୍ଧୀଜୀ। ଲଣ୍ଡନରେ ପାଠ ପଢ଼ିବା ସମୟରୁ ଭାରତୀୟ ଖାଦ୍ୟାଭ୍ୟାସ ଉପରେ ଗାନ୍ଧୀ ଏଇ ପତ୍ରିକାରେ ପ୍ରବନ୍ଧ ଲେଖି ଆସୁଥିଲେ।

ଟ୍ରାପିଷ୍ଟ ମଠରେ ସନ୍ନ୍ୟାସୀ ଏବଂ ସାନ୍ନ୍ୟାସିନୀମାନେ ଏକାଠି ରହୁଥିଲେ। ସେମାନେ ମଦ କିମ୍ବା ମାଂସ ଖାଉ ନଥିଲେ। ସମସ୍ତେ ହାତ ତିଆରି କାମରେ ବ୍ୟସ୍ତ ଥିଲେ ବି ସବୁଠି କିନ୍ତୁ ନିରବତା ଥିଲା। ସମସ୍ତେ ଯେପରି ମୌନବ୍ରତରେ ଥିଲେ। ଏତେ ନିରବତା କାହିଁକି ବୋଲି ମଠର ମୁଖ୍ୟଙ୍କୁ ପ୍ରଶ୍ନ କରିବାରୁ ମଠାଧୀଶ ଗାନ୍ଧୀଙ୍କୁ ଉତ୍ତର ଦେଇଥିଲେ, ‘ପ୍ରତ୍ୟେକ ମଣିଷର ସୂକ୍ଷ୍ମ ଅନ୍ତସ୍ୱର, ଯାହା ଈଶ୍ୱରଙ୍କର ଅନ୍ୟ ନାମ, ପ୍ରତି ମୁହୂର୍ତ୍ତରେ ଆମକୁ କିଛି ନା କିଛି ସନ୍ଦେଶ ଦେଉଥାଏ। ନିରବ ରହିଲେ ହିଁ ଏହାକୁ ଶୁଣିହୁଏ। ଈଶ୍ୱରଙ୍କୁ ଜାଣିହୁଏ।’

ଗାନ୍ଧୀଜୀଙ୍କ ମୌନବ୍ରତ କିନ୍ତୁ ସାମାନ୍ୟ ନିରବତା ନୁହେଁ। ଗାନ୍ଧୀ ସ୍ପଷ୍ଟ କରିଛନ୍ତି, ଓଠକୁ ସିଲେଇ କରିଦେଇ କିମ୍ବା ଜିଭ କାଟିଦେଇ ଯେଉଁ ନିରବତା ଆସେ ତାହା ମୌନବ୍ରତ ନୁହେଁ। କହିବାରେ ଦକ୍ଷତା ଥାଇ ଯେତେବେଳେ ଜଣେ ମୌନତା ଅବଲମ୍ବନ କରେ ଏବଂ ଉତ୍ତମ ଚିନ୍ତାରେ ଥାଏ, ତାହା ହିଁ ମୌନବ୍ରତ। ଏହା ବାକ୍ ସଂଯମର ମାର୍ଗ। କୁହାଯାଏ, ସକ୍ରେଟିସଙ୍କ ପରେ ଗାନ୍ଧୀ ହିଁ ଏକମାତ୍ର ରାଜନୈତିକ ତଥା ଆଧ୍ୟାତ୍ମିକ ବ୍ୟକ୍ତି ଯିଏ ନିଜ ପ୍ରତିପକ୍ଷଙ୍କ ପ୍ରତି କେବେ ଅପଶବ୍ଦ ବ୍ୟବହାର କରିନଥିଲେ କିମ୍ବା ସେମାନଙ୍କୁ ନିନ୍ଦା କରି ନଥିଲେ।

ମୌନବ୍ରତର ବିଶେଷ ଉପାଦେୟତାର ଉପଲବ୍ଧି ଗାନ୍ଧୀଙ୍କର ହୋଇଥିଲା ୧୯୨୬ ମସିହାରେ। ୧୯୨୬ ମସିହା ଥିଲା ଗାନ୍ଧୀଙ୍କର ଆତ୍ମଘୋଷିତ ନିରବତାର ବର୍ଷ- ଇୟର ଅଫ ସାଇଲେନସ୍। ୧୯୨୫ ମସିହା ନଭେମ୍ବରରୁ ଏହା ଥିଲା ୧୯୨୬ ନଭେମ୍ବର ପର୍ଯ୍ୟନ୍ତ। ପୂରା ବର୍ଷେ ଧରି ଗାନ୍ଧୀଜୀ ସାବରମତି ଆଶ୍ରମରେ ବିଶ୍ରାମ କରିଥିଲେ। ଆଶ୍ରମ ବାହାରକୁ ଯାଇ କୌଣସି ଜନସଭାରେ ଭାଷଣ ଦେଉନଥିଲେ। ଦୁର୍ବଳ ହୋଇ ପଡ଼ିଥିବା ଶରୀର ପାଇଁ ଶକ୍ତି ସଞ୍ଚୟ କରୁଥିଲେ। ୟେରଵାଡ଼ା ଜେଲ୍‌ରେ ଗାନ୍ଧୀଙ୍କର ଆପେଣ୍ଡିସାଇଟିସ ଅସ୍ତ୍ରୋପଚାର ପରେ ପ୍ରକୃତରେ ଗାନ୍ଧୀ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। ଜେଲରୁ ମୁକ୍ତି ପରେ କଂଗ୍ରେସର ସଭାପତି ଭାବେ ଭାରତ ସାରା ଭ୍ରମଣ ଗାନ୍ଧୀଙ୍କୁ ଆହୁରି ଦୁର୍ବଳ ବି କରି ଦେଇଥିଲା। ସାମ୍ପ୍ରଦାୟିକ ହିଂସା ଗାନ୍ଧୀଙ୍କୁ ମାନସିକ ସ୍ଥରରେ ବହୁତ ଅସ୍ଥିର କରିଥିଲା। ଅଳ୍ପକେ ଥକି ପଡୁଥିବା ଗାନ୍ଧୀ ଜର୍ମାନ ଲେଖକ ‘ଗୋଥେ’ଙ୍କ ବହୁଚର୍ଚ୍ଚିତ କାବ୍ୟ ନାଟକ, ‘ଫାଉଷ୍ଟ’ର ନାୟିକା ‘ମାର୍ଗାରେଟ’ର ଗ୍ଳାନି ଭରା ଗୀତି ସଂଳାପକୁ ମନେ ପକାଇ କେତେବେଳେ କେମିତି ଗୁଣୁଗୁଣୁ ହୋଇ କହି ଦେଉଥିଲେ, ହଜି ଯାଇଥିବା ଶାନ୍ତି ସେ ଖୋଜି ଆଣିବାକୁ ଚାହାନ୍ତି। ତାଙ୍କର ନିରବତା ଦରକାର।

ଗାନ୍ଧୀଙ୍କର ୧୯୨୬ ମସିହା ମୌନ ବର୍ଷ କିନ୍ତୁ ଥିଲା ବେଶ୍‌ ଘଟଣାବହୁଳ। ଦୁଇଟି ବିଶେଷ ଘଟଣା ସେ ବର୍ଷ ଘଟିଥିଲା ଆଶ୍ରମରେ। ବ୍ରିଟିସ ନାଗରିକା ମାଡାଲିନ ସ୍ଲେଡ୍‌ ଗାନ୍ଧୀଙ୍କ ଶିଷ୍ୟତ୍ବ ଗ୍ରହଣ କରି ଆଶ୍ରମରେ ରହିବାକୁ ସାବରମତି ଆସିଥିଲେ। ସାଙ୍ଗରେ ଫରାସୀ ଲେଖକ ରୋମା ରୋଲାଂଙ୍କ ସୁପାରିଶ ପତ୍ର ଆଣିଥିଲେ। ଗାନ୍ଧୀଜୀ ମିସ୍‌ ସ୍ଲେଡ୍‌ଙ୍କୁ ସାଦରେ ଗ୍ରହଣ କରିଥିଲେ ଏବଂ ଆଶ୍ରମରେ ସ୍ଲେଡ୍‌ଙ୍କ ନୂଆ ନାଁ ହୋଇଥିଲା, ମୀରା- ମୀରା ବେହନ। ଗାନ୍ଧୀଙ୍କ ସହ ସ୍ୱରାଜ ସଂଗ୍ରାମରେ ମୀରାଙ୍କ ଭୂମିକା ଥିଲା ଅନନ୍ୟ।

ମୌନବ୍ରତ ବର୍ଷରେ ଗାନ୍ଧୀଙ୍କ ପାଇଁ ଦ୍ୱିତୀୟ ବୃହତ୍‌ ଘଟଣା ଥିଲା ଗାନ୍ଧୀଙ୍କ ନିଜ ଆତ୍ମଜୀବନୀ ଲେଖା। ୧୯୨୫ ମସିହା ନଭେମ୍ବରର ଏକ ନିରବ ସୋମବାରରେ ଗାନ୍ଧୀ ତାଙ୍କର ଆତ୍ମଜୀବନୀ, ‘ଦି ଷ୍ଟୋରି ଅଫ୍‌ ମାଇଁ ଏକ୍ସପେରିମେଣ୍ଟସ୍ ଵିଥ ଟ୍ରୁଥ୍‌’ ଲେଖିବା ଆରମ୍ଭ କରିଦେଇଥିଲେ। ‘ନବଜୀବନ’ରେ ପ୍ରତି ସପ୍ତାହ ଏହା ପ୍ରକାଶ ପାଉଥିଲା। ଏହାର ଇଂରେଜୀ ଅନୁବାଦ ପ୍ରକାଶିତ ହେଉଥିଲା ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ।

ନିଜ ଆତ୍ମଜୀବନୀ ଲେଖିବାକୁ ଗାନ୍ଧୀ ପ୍ରଥମେ ଅରାଜି ଥିଲେ। କାରଣ ଆତ୍ମଜୀବନୀ ଲେଖିବା ଭାରତୀୟ ପରମ୍ପରା ନଥିଲା। ଆତ୍ମଜୀବନୀ କେବଳ ବିଦେଶୀମାନେ ଲେଖୁଥିଲେ।
ଗାନ୍ଧୀଙ୍କ ଆତ୍ମଜୀବନୀ ସାମାନ୍ୟ ଏକ ଜୀବନ କାହାଣୀ ନଥିଲା। ଏହା ସ୍ବୀକାରୋକ୍ତିର ଏକ ନିଛକ ଦସ୍ତାବିଜ ଥିଲା। ନିଜେ ଜାଣିଥିବା ନିଜ ପିଲାବେଳ କଥା କହିବାରେ ଯେଉଁ ସଚ୍ଚୋଟତା ଦରକାର, ତାହାର ପରିପ୍ରକାଶରେ ଗାନ୍ଧୀ କେବେ କୁଣ୍ଠା କରି ନଥିଲେ।

ଅନେକ କିନ୍ତୁ ଗାନ୍ଧୀଙ୍କ ଆତ୍ମଜୀବନୀକୁ ସେଣ୍ଟ ଅଗଷ୍ଟାଇନ୍ ଏବଂ ଟଲଷ୍ଟୟଙ୍କ କନଫେସନ (ସ୍ବୀକାରୋକ୍ତି) ସହ ତୁଳନା କରନ୍ତି। ଗାନ୍ଧୀଙ୍କ ଆତ୍ମଜୀବନୀ କିନ୍ତୁ ଅଗଷ୍ଟାଇନ୍ ଏବଂ ଟଲଷ୍ଟୟଙ୍କ ସ୍ବୀକାରୋକ୍ତି ଠାରୁ ଅଲଗା। ଉଭୟେ ନିଜର ବୃହତ୍‌ ପାପକୁ ଲୁଚାଇବାକୁ ଯାଇ ଜୀବନର କ୍ଷୁଦ୍ର କ୍ଷୁଦ୍ର ତ୍ରୁଟି ଉପରେ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଗାନ୍ଧୀଙ୍କ ଆତ୍ମଜୀବନୀ ସ୍ବଚ୍ଛ ଏବଂ ପବିତ୍ର। ଗାନ୍ଧୀ ଜୀବନର କିଛି କଥା ଗୁପ୍ତ ରଖି ନାହାନ୍ତି।

ମୌନ ବର୍ଷରୁ ଆରମ୍ଭ ହୋଇଥିବା ଗାନ୍ଧୀଙ୍କ ଆତ୍ମଜୀବନୀ ଶେଷ ହେବାକୁ ତିନି ବର୍ଷରୁ ଅଧିକ ସମୟ ଲାଗିଥିଲା। ଗାନ୍ଧୀଙ୍କ ଏ ଆତ୍ମଜୀବନୀ ଗାନ୍ଧୀଙ୍କ ଦ୍ୱାରା ଲିଖିତ ଗାନ୍ଧୀଙ୍କର ଶେଷ ପୁସ୍ତକ ଥିଲା। ଗାନ୍ଧୀ ତାଙ୍କ ଜୀବନରେ ମାତ୍ର ତିନିଟି ପୁସ୍ତକ ଲେଖିଥିଲେ- ‘ହିନ୍ଦ୍ ସ୍ୱରାଜ’, ‘ସତ୍ୟାଗ୍ରହ ଇନ୍‌ ସାଉଥ୍‌ ଆଫ୍ରିକା’ ଏବଂ ‘ଦି ଷ୍ଟୋରି ଅଫ୍‌ ମାଇଁ ଏକ୍ସପେରିମେଣ୍ଟସ୍ ଵିଥ୍ ଟ୍ରୁଥ୍‌’।

ଆତ୍ମଜୀବନୀ ଶେଷରେ ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା, “ମୁଁ ମୋର ନିଜର ମର୍ଯ୍ୟାଦା ବୃଦ୍ଧି ପାଇଁ ମୋ ଆତ୍ମଜୀବନୀ ଲେଖିନାହିଁ। ମୋ ଜୀବନୀ ପଢ଼ିବା ପରେ ମୋତେ ପସନ୍ଦ କରୁଥିବା ମୋର ଅନେକ ଶୁଭେଚ୍ଛୁ ହୁଏତ ମୋ ଠାରୁ ଦୂରେଇ ଯାଇପାରନ୍ତି। ମୁଁ କିନ୍ତୁ ଚାହେ, ସତ୍ୟର ଜୟ ହେଉ।’
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର