କ୍ଷୁଦ୍ରାତିକ୍ଷୁଦ୍ର ମଣିଷ

ଜଣେ ସାଧୁ ମୃତ୍ୟୁ ପରେ ସ୍ବର୍ଗରେ ପହଞ୍ଚି ଦେଖିଲେ ଯେ କବାଟ ବନ୍ଦ ଅଛି। ସ୍ବର୍ଗର କବାଟ ଏତେ ଉଚ୍ଚା ଓ ଚଉଡ଼ା ଥିଲା ଯେ ସାଧୁ ତା ପାଖରେ ପିଂପୁଡ଼ି ଭଳି ଦିଶୁଥିଲେ। ଏଭଳି ସ୍ଥଳେ କବାଟ ବାଡ଼େଇବା କଥା ଚିନ୍ତା କରିବା ବି ବୃଥା ଥିଲା। କାରଣ ସେ ଶବ୍ଦ କାହାକୁ ଅବା ଶୁଭିବ?

ଏହି ସମୟରେ ସେ ଶୁଣିଲେ- ତୁମେ କିଏ ଓ କୋଉଠୁ ଆସିଛ?
ସାଧୁ ଦେଖିଲେ ଶୂନ୍ୟରୁ ବାଣୀ ଆସୁଛି। ସାଧୁ ପଚାରିଲେ- ଆଜ୍ଞା, ଆପଣ କିଏ?
ଉତ୍ତର ମିଳିଲା- ମୁଁ ଦ୍ବାରପାଳ। ଏବେ ପରିଚୟ ଦିଅ।

ସାଧୁ କହିଲେ- ମୁଁ ଅମୁକ ମହାରାଜ। ମୁଁ ଜଣେ ସାଧୁ। ମୁଁ ପୃଥିବୀରୁ ଆସିଥିବା ଜଣେ ମନୁଷ୍ୟ।
ଏହାର ଉତ୍ତରରେ ସେହି ଅଦୃଶ୍ୟ ଦ୍ବାରପାଳ କହିଲେ- ଶୁଣ ଏ ବ୍ରହ୍ମାଣ୍ଡ‌େର ପୃଥିବୀ ଭଳି ଲକ୍ଷ ଲକ୍ଷ ସ୍ଥାନ ଅଛି। ସେଠି ପୃଥିବୀବାସୀଙ୍କ ଭଳି କେତେ ଯେ ପ୍ରାଣୀ ରହନ୍ତି, ତାର କଳନା ନାହିଁ। ତେଣୁ ତୁମେ ଭାବ ନାହିଁ ଯେ କେବଳ ତୁମ ଲାଗି ଈଶ୍ବର ଚାହିଁ ବସିଛନ୍ତି! ତୁମେ ଯାଅ ସେ ଧାଡ଼ିରେ ଛିଡ଼ା ହୁଅ।

ଏତିକି ବେଳେ ସାଧୁ ପ୍ରକୃତିସ୍ଥ ହୋଇ ଦେଖିଲେ ଯେ ସେହି ବିଶାଳ କବାଟର ଗୋଟିଏ କୋଣରୁ ପିଂପୁଡ଼ି ଧାଡ଼ିଟିଏ ଲମ୍ବିଛି, ଯାହାର ଯେମିତି କୌଣସି ଅନ୍ତ ନାହିଁ। ସେହି ଧାଡ଼ିର ଶେଷରେ ପହଞ୍ଚି ଛିଡ଼ା ହୋଇ ଅପେକ୍ଷା କରିବା‌ର ଅର୍ଥ କେତେ କଳ୍ପ ସମୟ ବିତିଯିବା। ସା‌ଧୁ କାନ୍ଦି ପକାଇଲେ ଏବଂ ଏତିକି ବେଳେ ତାଙ୍କ ନିଦ ଚାଉଁ କିନା ଭାଙ୍ଗିଗଲା।
କିନ୍ତୁ ତାଙ୍କର ବୁଦ୍ଧି ଉଦୟ ହୋଇ ଯାଇଥିଲା। ଏ ପର୍ଯ୍ୟନ୍ତ ସେ ବିଶ୍ବାସ କରି ଆ‌ସୁଥିଲେ ଯେ ମନୁଷ୍ୟ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଯାହା ଲାଗି ଈଶ୍ବର ଚାହିଁ ବସିଥାଆନ୍ତି। ସେହି କଥା ବି ସେ ପ୍ରବଚନ ମାଧ୍ୟମରେ କହୁଥିଲେ। ଏହି ସ୍ବପ୍ନ ତାଙ୍କୁ ଚେତାଇ ଦେଲା ଯେ ସତରେ ମନୁଷ୍ୟ କେତେ କ୍ଷୁଦ୍ରାତିକ୍ଷୁଦ୍ର! ଏଣିକି ସେ ଏହି କଥା ହିଁ ପ୍ରବଚନରେ କହିଲେ ଏବଂ ଅହଂକାର ଛାଡ଼ିଲେ।

ସମ୍ବନ୍ଧିତ ଖବର