ନିଶ୍ଚିନ୍ତ ନିଦ୍ରା

୧୯୨୯ ଅକ୍‌ଟୋବର ଶେଷ ସପ୍ତାହରେ ଆମେରିକାରେ ‘ମହା ଅବପାତ’ (ଦି ଗ୍ରେଟ୍‌ ଡିପ୍ରେସନ୍‌’) ନାମରେ ପ୍ରସିଦ୍ଧ ଅର୍ଥନୈତିକ ବିପର୍ଯ୍ୟୟ ଆରମ୍ଭ ହେବା ପରେ ସେଠାରେ ଆମେରିକୀୟମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଚରମ ହତାଶାକୁ କେନ୍ଦ୍ରକରି ଯେଉଁସବୁ ନିଷ୍ଠୁର ଥଟ୍ଟା ପରିହାସର ଆବିର୍ଭାବ ଘଟିଥିଲା, ସେଥିମଧ୍ୟରୁ କେତୋଟି ନମୁନା ଥିଲା ଏହିପରି। ତୁମେ ଏକ ହୋଟେଲ୍‌ରେ କୋଠରିଟିଏ ଭଡ଼ାରେ ନେବାକୁ ହୋ‌େଟଲ୍‌ର ରିସେପ୍‌ସନ୍‌ ଡେସ୍କ ସହିତ ଯୋଗାଯୋଗ କଲେ ସେଠାରେ ଦାୟିତ୍ବରେ ଥିବା କର୍ମଚାରୀ ତୁମକୁ ପ୍ରଶ୍ନ କରୁଥିଲେ: ‘‘ଶୋଇବାକୁ ନା ‌େଡଇଁବାକୁ?’’ (ଅର୍ଥାତ୍‌, ତୁମେ ଯଦି ଆତ୍ମହତ୍ୟା କରିବାକୁ ଚାହୁଁଥାଅ, ତାହେଲେ ତୁମକୁ ଯଥେଷ୍ଟ ଉପର ମହଲାରେ, ଖୋଲା ଝରକାଥିବା ଏକ କୋଠରି ଦିଆଯାଇପାରିବ।) ସେହିପରି ଆଉ ଏକ କ୍ରୂର ପରିହାସ ଥିଲା: ତୁମେ ଯଦି ‘ଗୋଲ୍‌ଡମ୍ୟାନ୍‌ ସାକ୍‌ସ’ ନିବେଶ ବ୍ୟାଙ୍କ୍‌ର ଅ˚ଶପତ୍ର କ୍ରୟ କରିବ, ତେବେ ତୁମକୁ ତା’ ସହିତ ଏକ ସୌଜନ୍ୟମୂଳକ ରିଭଲ୍‌ଭର‌୍‌ ମାଗଣାରେ ମିଳିବ (ଆତ୍ମହତ୍ୟା କରିବା ପାଇଁ)।

ଏହି ପୃଷ୍ଠଭୂମିରେ ତେଣୁ ଜୁଲାଇ ୨୮ରେ ପ୍ରକାଶିତ ପରିସ˚ଖ୍ୟାନ ଅନୁସାରେ ଆମେରିକୀୟ ଅର୍ଥନୀତି ବିଧିବଦ୍ଧ ଭାବରେ ଏକ ଅପସରଣ (ରିସେସନ୍‌)ରେ ପ୍ରବେଶ କରିସାରିଥିବା ସୂଚନା ଆମେରିକାବାସୀଙ୍କୁ ଛାନିଆ କରିବା ସ୍ବାଭାବିକ। ନିର୍ଦ୍ଧାରିତ ସ˚ଜ୍ଞା ଅନୁସାରେ ଏକ ଦେଶର ମୋଟ ବାର୍ଷିକ ଉତ୍ପାଦ (‘ଜିଡିପି’)ରେ ଯେତେବେଳେ ଲାଗଲାଗ ଦୁଇ ଚଉଠ ଧରି ସ˚କୋଚନ ଘଟିଚାଲେ, ସେତେବେଳେ ସେ ଦେଶର ଅର୍ଥନୀତି ଅପସରଣ ଦ୍ବାରା କବଳିତ ହୋଇଛି ବୋଲି ସ୍ବୀକାର କରାଯାଇଥାଏ। ଏହାର ଉପଯୁକ୍ତ ଉପଚାର ନକଲେ, ଅପସରଣ ଅବଲୀଳାକ୍ରମେ ଅବପାତରେ ପରିଣତ ହୋଇ ଚରମ ମାନବୀୟ ଦୁର୍ଦ୍ଦଶା ସୃଷ୍ଟି କରିପାରେ। ଆମେରିକାରେ ବର୍ତ୍ତମାନ ଯାହା ଦେଖାଯାଇଛି, ତାହା ହେଲା, ଚଳିତ ବର୍ଷର ପ୍ରଥମ ଚଉଠରେ ସେ ଦେଶର ‘ଜିଡିପି’ରେ ୧.୬% ସ˚କୋଚନ ଘଟିବା ପରେ ସେଦିନ ପ୍ରକାଶିତ ସୂଚନା ଅନୁସାରେ ଦ୍ବିତୀୟ ଚଉଠରେ ମଧ୍ୟ ୦.୯% ସ˚କୋଚନ ଘଟିଛି।

ବିପଦର କଥା ହେଲା, ୧୯୩୦ ଦଶକରେ ଘଟିଥିବା ଭଳି ବର୍ତ୍ତମାନ ମଧ୍ୟ ଆମେରିକାରେ ଉଙ୍କି ମାରୁଥିବା ଅପସରଣ କେବଳ ଆମେରିକାରେ ସୀମିତ ହୋଇ ରହିନାହିଁ। ଉଦାହରଣ ସ୍ବରୂପ ସେଇ ‘ଗୋଲ୍‌ଡମ୍ୟାନ୍‌ ସାକ୍‌ସ’ ଏବେ ଭବିଷ୍ୟବାଣୀ କରିଛି ଯେ ‘ଇଉରୋଜେନ୍‌’ ଅନ୍ତର୍ଭୁକ୍ତ ଇଉରୋପର ୧୯ଟି ଦେଶରେ ଚଳିତ ବର୍ଷର ତୃତୀୟ ଓ ଚତୁର୍ଥ ଚଉଠରେ ଲାଗଲାଗ ‘ଜିଡିପି’ରେ ସ˚କୋଚନ ଘଟିବାକୁ ଯାଉଛି। ଇତିମଧ୍ୟରେ ପୃଥିବୀରେ ଅନ୍ୟତମ ପ୍ରମୁଖ ବିତ୍ତୀୟ ସୂଚନା ପ୍ରଦାନକାରୀ ସ˚ସ୍ଥା ‘ବ୍ଲୁମ୍‌ବର୍ଗ’ ଦ୍ବାରା କରାଯାଇଥିବା ସର୍ବେକ୍ଷଣର ଫଳାଫଳ ଅନୁସାରେ କେବଳ ଭାରତରକୁ ଛାଡ଼ିଦେଲେ ପୃଥିବୀର ଅଧିକା˚ଶ ଦେଶ ଏବେ ଆସନ୍ନ ଅପସରଣ ଦ୍ବାରା କବଳିତ ହେବାକୁ ଯାଉଛନ୍ତି।

ଏହା ଅନୁସାରେ ଉଭୟ ଚୀନ୍‌ ଓ ପାକିସ୍ତାନରେ ଅର୍ଥନୈତିକ ଅପସରଣ ଘଟିବାର ସମ୍ଭାବନା ୨୦% ହୋଇଥିବା ବେଳେ (ଉଭୟଙ୍କ ମଧ୍ୟରେ ବହୁ ପ୍ରଚାରିତ ଚିରସ୍ଥାୟୀ ବନ୍ଧୁତ୍ବର ଏକ ପ୍ରମାଣ କି ଆଉ!), ନିଉଜିଲାଣ୍ତ, ତାଇଵାନ୍‌, ଅଷ୍ଟ୍ରେଲିଆ ଓ ଫିଲିପିନ୍‌ସ ପାଇଁ ଏହି ସମ୍ଭାବନା ଯଥାକ୍ରମେ ୩୩%, ୨୦%, ୨୦% ଓ ୮% ବୋଲି ‘ବ୍ଲୁମ୍‌ବର୍ଗ’ ସୂତ୍ରରୁ ପ୍ରକାଶ ପାଇଛି। ଦକ୍ଷିଣ କୋରିଆ ଓ ଜାପାନ ଉଭୟ ଦେଶ ପାଇଁ ଅପସରଣ ଘଟିବାର ସମ୍ଭାବନା ହେଉଛି ୨୫%। କେହି ବୋଧହୁଏ ଆଶ୍ଚର୍ଯ୍ୟ ହେବେ ନାହିଁ ଯେ ଅର୍ଥନୈତିକ ଅପସରଣ ଘଟିବାର ସର୍ବୋଚ୍ଚ ସମ୍ଭାବନା ଥିବା ଦେଶ ହେଉଛି- ଶ୍ରୀଲଙ୍କା- ୮୫%। ଏହି ଧାରାରେ ଏକ ବ୍ୟତିକ୍ରମ ସ୍ବରୂପ ଅପରପକ୍ଷେ ଭାରତୀୟ ଅର୍ଥନୀତି ଅପସରଣରେ ପ୍ରବେଶ କରିବା ସମ୍ଭାବନା ୦% ବୋଲି ‘ବ୍ଲୁମ୍‌ବର୍ଗ’ ଘୋଷଣା କରିଛି।
ଆମରିକାରୁ ଆରମ୍ଭ ହୋଇ ସାରା ପୃଥିବୀ ପାଇଁ ଏଭଳି ଏକ ବିଷାକ୍ତ ଅର୍ଥନୈତିକ ପରିସ୍ଥିତି ସୃଷ୍ଟି ହେବା ପଛରେ କେତେଗୁଡ଼ିଏ କାରଣ ନିହିତ ଅଛି।

ଚୀନା କରୋନାଜନିତ କୋଭିଡ୍‌-୧୯ ପ୍ୟାଣ୍ତେମିକ୍‌ ଆଘାତରୁ ନିଜ ଦେଶର ଅର୍ଥନୀତିକୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆମେରିକା ସରକାର ଓ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ବ୍ୟବସ୍ଥା ମିଶି ସେଠାରେ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଯେଉଁଭଳି ହାତଖୋଲା ପ୍ରୋତ୍ସାହନ (‘ଷ୍ଟିମ୍ୟୁଲସ୍‌’) ପ୍ରଦାନ କଲେ, କେତେକଙ୍କ ପଶ୍ଚାତ୍‌ଦୃଷ୍ଟି ଅନୁସାରେ ତାହା ଅତି-ପ୍ରୋତ୍ସାହନରେ ପରିଣତ ହେଲା। ଉଦାହରଣ ସ୍ବରୂପ ସେମାନେ ସୁଧହାର ହ୍ରାସ ଓ ବଣ୍ତ-କ୍ରୟ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକୀୟ ଖାଉଟିମାନଙ୍କ କ୍ରୟଶକ୍ତିରେ ଏପରି ବିସ୍ଫୋରକ ବୃଦ୍ଧି ଘଟାଇଲେ ଯେ ତାହା କେବଳ ଯେ ଆମେରିକାରେ ମୁଦ୍ରାସ୍ଫୀତି (‘ଦରଦାମ୍‌ ବୃଦ୍ଧି’) ଘଟାଇଲା, ତାହା ନୁହେଁ, ପୃଥିବୀର ଅନ୍ୟ ଦେଶମାନଙ୍କରେ ମଧ୍ୟ ସେଥିଯୋଗୁଁ ମୁଦ୍ରାସ୍ଫୀତି ଘଟିଲା।

କାରଣ, ଆମେରିକୀୟ ଖାଉଟିମାନଙ୍କ ସର୍ବଗ୍ରାସୀ ଚାହିଦା ମେଣ୍ଟାଇବା ପାଇଁ କୋଭିଡ୍‌ ଦ୍ବାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆନ୍ତର୍ଜାତିକ ଯୋଗାଣଶୃଙ୍ଖଳ ସମର୍ଥ ହେଲାନାହିଁ, ଯେଉଁଥିପାଇଁ ଅନେକ ଅନ୍ୟ ଦେଶମାନଙ୍କରେ ଯୋଗାଣ ସ˚କୋଚନ ଘଟି ସେଠାରେ ଦରଦାମ୍‌ରେ ବୃଦ୍ଧି ଘଟିଲା। କୋଭିଡ୍‌ର ମୁକାବିଲା ପାଇଁ ଚୀନ୍‌ ଅନୁସରଣ କରିଥିବା କଠୋର ଲକ୍‌ଡାଉନ୍‌ ନୀତି ଯୋଗୁଁ ପୃଥିବୀର କର୍ମଶାଳା ରୂପେ ପରିଚିତ ଏହି ଦେଶର କଳକାରଖାନାମାନ ବନ୍ଦ ହୋଇ ଯୋଗାଣକୁ ଆହୁରି ସ˚କୁଚିତ କରି ତୋଳିଲା। ଏହାପରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁଁ ଖାଦ୍ୟଶସ୍ୟରୁ ଆରମ୍ଭ କରି ତୈଳ ଓ ଧାତବଦ୍ରବ୍ୟ ପର୍ଯ୍ୟନ୍ତର ଯୋଗାଣରେ ସ˚କୋଚନ ଘଟି ସେସବୁର ଦରଦାମ୍‌ରେ ବୃଦ୍ଧି ଘଟିଚାଲିଲା।

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ‘ଫେଡେରାଲ୍‌ ରିଜର୍ଭ’ ସମେତ ପୃଥିବୀର ଅଧିକା˚ଶ ଦେଶମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ଏଥର ମୁଦ୍ରାସ୍ଫୀତିକୁ କାବୁ କରିବା ପାଇଁ ପୂର୍ବର ବିପରୀତ କ୍ଷତି ଅନୁସରଣ କରିବାକୁ ଆରମ୍ଭ କରି ସୁଧ ହାରରେ ବୃଦ୍ଧି ଘଟାଇବାରେ ଲାଗିଲେ (ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ସମେତ)। ବର୍ତ୍ତମାନ ଦେଖାଦେଇଥିବା ଅପସରଣ ଆତଙ୍କ ପଛରେ କାର୍ଯ୍ୟ କରୁଥିବା ମୁଖ୍ୟ କାରଣ ହେଉଛି ଏହି ସୁଧହାର ବୃଦ୍ଧି ଓ ମୁଦ୍ରା ଯୋଗାଣ ସ˚କୋଚନର ଦୃଢ଼ ସମ୍ଭାବନା। ଏହାର ପ୍ରମାଣ ସ୍ବରୂପ ଜୁଲାଇ ୨୭ରେ ଫେଡେରାଲ୍‌ ରିଜର୍ଭ ଚଳିତ ଚକ୍ରରେ ଚତୁର୍ଥଥର ପାଇଁ ସୁଧ ହାରରେ ବୃଦ୍ଧି ଘଟାଇଥିଲା।
ଭାରତ ଏହି ଅପସରଣର ଖସଡ଼ା ପଥରେ ନଖସି ନିଜର ସନ୍ତୁଳନ ରକ୍ଷା କରିବାରେ ସଫଳ ହେବ ବୋଲି ଆଶା କରାଯିବା ପଛରେ ଥିବା ମୁଖ୍ୟ କାରଣ ହେଉଛି ଭାରତ ଅବଲମ୍ବନ କରୁଥିବା ଆତ୍ମନିର୍ଭରତା ନୀତି।

ଏହାକୁ ଏକରକମ ଆ˚ଶିକ ଅର୍ଥନୈତିକ ଲକ୍‌ଡାଉନ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ଅପସରଣ ଭୂତାଣୁକୁ ଘରେ ପଶିବାକୁ ଦିଏ ନାହିଁ। ଅପରପକ୍ଷେ ବିଦେଶରେ ଅପସରଣଜନିତ ମାନ୍ଦା ଅବସ୍ଥା ଯୋଗୁଁ ଦରଦାମ୍‌ରେ ହ୍ରାସ ଘଟିଲେ ତାହା ଭାରତୀୟ ଆମଦାନି ଖର୍ଚ୍ଚରେ ହ୍ରାସ ଘଟାଇବ। ଭାରତର ରପ୍ତାନିରେ ମଧ୍ୟ ବର୍ତ୍ତମାନ ଚମକପ୍ରଦ ବୃଦ୍ଧି ପରିଲକ୍ଷିତ ହେଉଛି। କୋଭିଡ୍‌ ପୂର୍ବ ବର୍ଷ, ୨୦୧୯ରେ ଭାରତୀୟ ରପ୍ତାନି ଯେଉଁ ରେକର୍ଡ ସ୍ତର ୩୩୦ ବିଲିଅନ୍‌ ଡଲାର ଛୁଇଁଥିଲା, ବର୍ତ୍ତମାନ ସେଥିରେ ଆଉରି ୨୦ ଶତା˚ଶରୁ ଅଧିକ ବୃଦ୍ଧି ଘଟିବା ଦେଖାଯାଇଛି (ଅବଶ୍ୟ ଆନ୍ତର୍ଜାତିକ ଅପସରଣ ଯୋଗୁଁ ତାହା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି)। ‘ବ୍ଲୁମ୍‌ବର୍ଗ’ ଆଶା କରୁଥିବା ଭଳି ଭାରତ ଯଦି ନିଜକୁ ନିରବଚ୍ଛିନ୍ନ ଭାବରେ ଏଇଭଳି ଅପସରଣ ଭୂତାଣୁମୁକ୍ତ ରଖିପାରେ, ତେବେ ୨୦୨୫ େବଳକୁ ଭାରତ ଏକ ୫ ଟ୍ରିଲିଅନ୍‌ ଡଲାର‌୍‌ ଅର୍ଥନୀତିରେ ପରିଣତ ହେବା ନିଶ୍ଚିତ। ଏଠାରେ ହୋ‌େଟଲ୍‌ର ଅତିଥିମାନେ ସେମାନଙ୍କ କୋଠରିମାନଙ୍କରେ ନିଶ୍ଚିନ୍ତରେ ଶୟନ କରିବେ, କାହାରିକୁ ଝରକାରୁ ତଳକୁ ଡେଇଁବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର