ଓଡ଼ିଶାର ଅସୁରକ୍ଷିତ ଦକ୍ଷିଣ ସୀମା

ପ୍ରଭାତ ଦାଶ

ଆନ୍ଧ୍ର ପ୍ରଦେଶ ତାର ନକାରାତ୍ମକ ମାନସିକତା ପାଇଁ ଓଡ଼ିଶାର ଦକ୍ଷିଣରେ ଥିବା ଏବଂ ସେହି ରାଜ୍ୟର ସୀମାକୁ ଲାଗିଥିବା ବିଭିନ୍ନ ଅଞ୍ଚଳ ଉପରେ ଅଧିକାର ଜମାଇ ଚାଲିଛି। ଓଡ଼ିଶାର ବିଭିନ୍ନ ଦୈନିକ ସମ୍ବାଦପତ୍ର ଗତ କିଛି ଦିନ ଭିତରେ ଓଡ଼ିଶାର ଆନ୍ଧ୍ର ସଂଲଗ୍ନ ଅଞ୍ଚଳମାନଙ୍କରେ ଆନ୍ଧ୍ରର ଅନୁପ୍ରବେଶ ବିଷୟରେ ଆଲୋକପାତ କରିଛନ୍ତି। ଏଗୁଡ଼ିକ ହେଲେ ଓଡ଼ିଶାର ଦକ୍ଷିଣବର୍ତ୍ତୀ ଚାରି ଜିଲ୍ଲା- କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ। ବ୍ରିଟିସ୍ ଶାସନ ସମୟରେ ଏହି ସମସ୍ତ ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍‌ସି ଭିତରେ ଥିଲା ଏବଂ ସେହି ସୁଯୋଗରେ ଆନ୍ଧ୍ର ଗୋଷ୍ଠୀ ଏ ସମସ୍ତ ଅଞ୍ଚଳରେ ସେମାନଙ୍କ ପ୍ରଭାବ ବିସ୍ତାର କରି ରଖିଥିଲେ। ଓଡ଼ିଶା ରାଜ୍ୟ ଗଠନ ହେବା ପରେ ମଧ୍ୟ କୌଣସ ମତେ ଏ ସମସ୍ତ ଅଞ୍ଚଳକୁ ନିଜ ନିୟନ୍ତ୍ରଣ ଭିତରେ ରଖିବା ପାଇଁ ଆନ୍ଧ୍ର ସରକାର ଦୀର୍ଘ ବର୍ଷ ଧରି ସମସ୍ତ ପ୍ରକାର ଅପଚେଷ୍ଟା ଏବଂ ଚକ୍ରାନ୍ତ ଚଳାଇ ଚାଲିଛନ୍ତି।

ଆନ୍ଧ୍ରବାସୀଙ୍କର ଅପଚେଷ୍ଟା ସେତେଟା ଆଗେଇ ପାରନ୍ତା ନାହିଁ ଯଦି ସେ ଅଞ୍ଚଳର ମୂଳ ଅଧିବାସୀ ମାନଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତି ଉନ୍ନତ, ଦୃଢ଼ ଏବଂ ସ୍ବଚ୍ଛଳ ହୋଇଥାଆନ୍ତା। ମାତ୍ର ଦୁଃଖର କଥା, ଓଡ଼ିଶାର ଦକ୍ଷିଣ ସୀମାନ୍ତ ଅଞ୍ଚଳର ଅଧିବାସୀମାନେ ହେଲେ ମୁଖ୍ୟତଃ ଆଦିବାସୀ ଏବଂ ସେମାନଙ୍କର ଆର୍ଥିକ ସ୍ଥିତି ଅତି ଦୟନୀୟ। ଏହି ଦୁଃଖଦ ସ୍ଥିତିର ସୁବିଧା ନେଇ ଆନ୍ଧ୍ର ପ୍ରଦେଶ ଓଡ଼ିଶାର ଦକ୍ଷିଣ ସୀମାବର୍ତ୍ତୀ ଅଞ୍ଚଳ ଉପରେ ନିଜର ପ୍ରଭାବ ବିସ୍ତାର କରିଚାଲିଛି। ଯେହେତୁ ଆନ୍ଧ୍ରର ଆର୍ଥିକ ପରିସ୍ଥିତି ଓଡ଼ିଶା ଠାରୁ ବହୁ ଉନ୍ନତ, ତେଣୁ ଆନ୍ଧ୍ର ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଉପରେ ପ୍ରଭାବ ସୃଷ୍ଟି କରିବାକୁ ସକ୍ଷମ ହୋଇପାରୁଛି। ଅନ୍ୟ ଏକ ଦିଗରୁ ଦେଖିଲେ ଆନ୍ଧ୍ର ଏକ ସୁସଂହତ ଜାତି।

ଓଡ଼ିଆଙ୍କ ଭିତରେ ଅସଂଖ୍ୟ ବିଶୃଙ୍ଖଳା ଏବଂ ଅସୀମ ଫାଟ ଏବଂ ପରସ୍ପର ପ୍ରତି ବିଦ୍ବେଷ ଏତେ ପରିମାଣରେ ଯେ ତାହାକୁ ବର୍ଣ୍ଣନା କରିବା ଅସମ୍ଭବ। ପରିସ୍ଥିତି ଏପରି ହୋଇଛି ଯେ କିଛି ଦିନ ତଳେ ଓଡ଼ିଶା ବିଧାନସଭାରେ ଜଣେ ପୁରୁଖା ଏବଂ ସମ୍ମାନନୀୟ ସଭ୍ୟ ତାଙ୍କର ଭାଷଣ ମାଧ୍ୟମରେ କହିଛନ୍ତି ଯେ ଯଦି ତାଙ୍କ ଅଞ୍ଚଳ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆନଯାଏ ତାହାଲେ ଓଡ଼ିଶା ଅବିଳମ୍ବେ ଭାଗ ଭାଗ ହୋଇଯିବ। ଏହି ପ୍ରକାରର ମତାମତରୁ ବୁଝାପଡ଼େ ଯେ ଓଡ଼ିଶାରେ ଓଡ଼ିଆମାନଙ୍କ ମଧ୍ୟରେ ସଂହତି ନାହିଁ। ଏକ ବିଭାଜିତ ଜାତି ନିଜର ଦାବି ଉପଯୁକ୍ତ ଭାବେ ଉପସ୍ଥାପନ କରିପାରେ ନାହିଁ, ଦାବି ହାସଲ କରିବା ତ ଦୂରର କଥା। ଏହି ପରିସ୍ଥିତିରେ ଅନ୍ୟ ରାଜ୍ୟର ସୁସଂହତ ଦଳଙ୍କର ଓଡ଼ିଶା ମାଟିରେ ଅନ୍ୟାୟ ପୂର୍ଣ୍ଣ ପ୍ରବେଶକୁ ଓଡ଼ିଶାବାସୀ ରୋକିବେ କିପରି?

୧୯୩୬ ମସିହାରେ ଯେତେବେଳେ ଓଡ଼ିଶା ଗଠିତ ହେଲା ସେତେବେଳେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଓଡ଼ିଆଭାଷୀ ଅଞ୍ଚଳକୁ ଏକାଠି କରି ଓଡ଼ିଶା ପ୍ରଦେଶ ଗଠିତ ହେଲା। ଓଡ଼ିଶାର ଦକ୍ଷିଣରେ ରହିଯାଇଥିବା ଅଞ୍ଚଳ ସମୂହକୁ ମାଡ୍ରାସ ପ୍ରେସିଡେନ୍‌ସିରୁ ଆଣି ଓଡ଼ିଶାରେ ମିଶାଗଲା। ସେତେବେଳେ ଏହି ଅଞ୍ଚଳ ସବୁ କିପରି ଠିକ୍‌ ଭାବେ ଓଡ଼ିଶାରେ ମିଶିବ, ସେ ବିଷୟକୁ ଉପଯୁକ୍ତ ଗୁରୁତ୍ବ ଦିଆଗଲା ନାହିଁ। ତାହାର ହୁଏତ ଦୁଇଟି କାରଣ ଥାଇପାରେ। ପ୍ରଥମଟି ହେଲା ଯେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳ ଭଳି ଏତେ ଜନବସତି ନଥିଲା, କାରଣ ସେ ସମସ୍ତ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ତେଣୁ ଓଡ଼ିଶାର ଜନମାନସରେ ସେତେବେଳେ ସେହି ସବୁ ଅଞ୍ଚଳର ବିଶେଷ ଗୁରୁତ୍ବ ନଥିଲା।

ଦ୍ବିତୀୟଟି ହେଲା ମାଡ୍ରାସ ପ୍ରେସିଡେନ୍‌ସି ଭିତରେ ଥିବାବେଳେ ମାଡ୍ରାସର କ୍ଷମତା କେନ୍ଦ୍ର ସେ ଅଞ୍ଚଳ ପ୍ରତି ବିଶେଷ ଗୁରୁତ୍ବ ଦେଉନଥିଲା, ତେଣୁ ବୋଧହୁଏ ସେତେବେଳର ଓଡ଼ିଶାର ରାଜନେତାମାନଙ୍କର ଧାରଣା ଥିଲା ଯେ ଆମେ ଯେବେ ଚାହିବୁ ସେହି ଅଞ୍ଚଳକୁ ଦଖଲ କରିପାରିବୁ ଏବଂ ସେଥିରେ କୌଣସି ଅସୁବିଧା ହେବ ନାହିଁ। ସେତେବେଳେ କେହି ଭାବି ନଥିଲେ ଯେ ବ୍ରିଟିସ୍‌ ଏତେ ଶୀଘ୍ର ଭାରତ ଛାଡ଼ି ଚାଲିଯିବେ, ମାଡ୍ରାସ ପ୍ରେସିଡେନ୍‌ସି ଭାଗ ହୋଇ ଆନ୍ଧ୍ର ରାଜ୍ୟ ଜନ୍ମ ନେବ ଏବଂ ଆନ୍ଧ୍ରବାସୀ ଓଡ଼ିଶାର ଦକ୍ଷିଣ ସୀମାନ୍ତରେ ଥିବା ଅଞ୍ଚଳମାନଙ୍କୁ ଦଖଲ କରିବାକୁ ଆଗେଇ ଆସିବେ।

ଯେତେବେଳେ ଓଡ଼ିଶା ରାଜ୍ୟ ସୃଷ୍ଟି ହେଲା ସେତେବେଳେ ବିହାରର ଅଧିକାରୀମାନେ ଆସି ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିଲେ ଏବଂ ଏଥିରେ ଓଡ଼ିଆମାନଙ୍କର କୌଣସି ଭାଗୀଦାରି ନଥିଲା। ତେଣୁ ଓଡ଼ିଶାର ସୀମା ସଂପୂର୍ଣ୍ଣ ରୂପେ ଉପର ଠାଉରିଆ ଭାବେ ନିର୍ଦ୍ଧାରଣ କରାଗଲା। ପୁନଶ୍ଚ ମାଡ୍ରାସରୁ ଆସିଥିବା ଅଧିକାରୀ ମାନେ ମଧ୍ୟ ଓଡ଼ିଶାର ସୀମା ନିର୍ଦ୍ଧାରଣ ପ୍ରତି କୌଣସି ଗୁରୁତ୍ବ ଦେଲେ ନାହିଁ, ଯାହାର ଫଳ ହେଲା ଓଡ଼ିଶାର ଦକ୍ଷିଣ ସୀମା ଏକ ଅବ୍ୟବସ୍ଥିତ ଅବସ୍ଥାରେ ରହିଗଲା।

ବିହାରୀ ଅଫିସର ମାନଙ୍କର ସୀମା ନିର୍ଦ୍ଧାରଣ ଅନୁଯାୟୀ ୪ଟି ଗ୍ରାମପୁଞ୍ଜ ଯଥା କୋଟିଆ, ଗଞ୍ଜେଇପଦର, ପାନାକୀ ଏବଂ ରଣଶିଙ୍ଘି ମାଡ୍ରାସ ପ୍ରଦେଶର ପରିସୀମାରୁ ଆସି ଓଡ଼ିଶା ସୀମାରେ ପହଞ୍ଚିଲା, କିନ୍ତୁ ୭ଟି ଗ୍ରାମପୁଞ୍ଜ ଯଥା ତଡିଭାଲ୍‌ସା, ବଡଭାଲ୍‌ସା, ଧୂଳିଭଦ୍ର, ମହାପାଣି, ସିଦ୍ଧିଭାଲ୍‌ସା, ଏଗୁସମ୍ବା ଏବଂ ତେଗୁସାମ୍ବା ଇତ୍ୟାଦି ମାଡ୍ରାସ ପ୍ରେସିଡେନ୍‌ସିରେ ରହିଗଲା। ଓଡ଼ିଶା ସରକାର ସେତେବେଳେ ଏହି ଅଞ୍ଚଳ ସବୁ ପ୍ରତି କୌଣସି ଦୃଷ୍ଟି ଦେଲେ ନାହିଁ। ଯେହେତୁ ଏହି ୭ଟି ଅଞ୍ଚଳ ଓଡ଼ିଶାକୁ ନ ଆସି ମାଡ୍ରାସ ପ୍ରେସିଡେନ୍‌ସିରେ ରହିଥିଲା, ପରବର୍ତ୍ତୀ ସମୟରେ ଏ ସମସ୍ତ ଅଞ୍ଚଳ ଆନ୍ଧ୍ରକୁ ଚାଲିଗଲା।
୨୦୧୦ ମସିହା ଅର୍ଥାତ ମାତ୍ର ୧୨ ବର୍ଷ ତଳେ ବୋରାମୁଠା ଅଞ୍ଚଳ, ଯେଉଁଠି ଓଡ଼ିଆ ମନ୍ଦିର ଅଛି ଏବଂ ଯେଉଁଠି ଓଡ଼ିଶାର ଚିହ୍ନ ସୁସ୍ପଷ୍ଟ, ତାହା ମଧ୍ୟ ଆନ୍ଧ୍ର ଅଧୀନକୁ ଚାଲିଗଲା। ଓଡ଼ିଆ ଜାତି ପ୍ରତି ଏହାଠାରୁ ଲଜ୍ଜାଜନକ ବିଷୟ ଆଉ କ’ଣ ହୋଇପାରେ?

ନିକଟରେ ଏକ ସମ୍ବାଦ ପ୍ରକାଶ ପାଇଅଛି ଯେ ଓଡ଼ିଶା ସୀମା ଭିତରେ ଥିବା କୋଟିଆ ଗ୍ରାମାଞ୍ଚଳର ଗଞ୍ଜାଇପଦର ଠାରେ ଆନ୍ଧ୍ର ସରକାର ଏକ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ କରାଉଥିଲେ ଏବଂ ଏହି କେନ୍ଦ୍ରକୁ କେହି ମେସିନ ସାହାଯ୍ୟରେ ସଂପୂର୍ଣ୍ଣ ଧ୍ବଂସ କରିଦେଇଛି। ଏଥି ପାଇଁ ଆନ୍ଧ୍ର ସରକାର ଅତି ପରିମାଣରେ ବିବ୍ରତ। ବର୍ତ୍ତମାନ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କୁ ପରିଷ୍କାର ଭାଷାରେ କହିଦେବା ଉଚିତ ଯେ ଓଡ଼ିଶା ମାଟିରେ ଆନ୍ଧ୍ରର କୌଣସି ନିର୍ମାଣ ଆଦୌ ଗ୍ରହଣୀୟ ନୁହେଁ ଏବଂ ଆନ୍ଧ୍ର ସରକାର ଏ ପ୍ରକାର କାର୍ଯ୍ୟରୁ କ୍ଷାନ୍ତ ରହିବା ଉଚିତ। ଲକ୍ଷ୍ୟ କରିବାର କଥା ଯେ କୋଟିଆ ପାଇଁ ଆନ୍ଧ୍ରର ସମସ୍ତ ରାଜନୈତିକ ଦଳ ଏକାଠି ହୋଇଯାଇଛନ୍ତି ଏବଂ ଯେକୌଣସି ମତେ କୋଟିଆ ଅଞ୍ଚଳକୁ ହାତେଇବା ପାଇଁ ଦୃଢ଼ ସଂକଳ୍ପବଦ୍ଧ। ଅପରପକ୍ଷେ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ବିଶେଷତଃ କ୍ଷମତାରେ ଥିବା ଦଳ କୋଟିଆ ଅଞ୍ଚଳ ସଂପର୍କରେ ନିର୍ବିକାର। ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଅନ୍ତର୍ଦ୍ବନ୍ଦ୍ବକୁ ଭୁଲି କୋଟିଆ ସଂପର୍କିତ ଓଡ଼ିଶାର ସ୍ବାର୍ଥ ପାଇଁ ଏକଜୁଟ ହେବା ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଅବଶ୍ୟକତା।

ନିକଟ ଅତୀତରେ ଓଡ଼ିଶାର କିଛି ସମାଜସେବୀ କୋଟିଆ ଅଞ୍ଚଳ ଗସ୍ତ କରିଥିଲେ ଏବଂ ସେ ଅଞ୍ଚଳବାସୀଙ୍କୁ ଆନ୍ଧ୍ରର ପ୍ରଲୋଭନରେ ପ୍ରଭାବିତ ନହେବା ପାଇଁ ବୁଝାଇଥିଲେ। ଏହି ଖବର ପାଇ ଆନ୍ଧ୍ରର ଜଣେ ମନ୍ତ୍ରୀ ଆନ୍ଧ୍ର ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ଯେ ଯଦି ଏହି ସମାଜସେବୀମାନେ ବା ଅନ୍ୟ କେହି ଆନ୍ଧ୍ରର କୋଟିଆ ଅଞ୍ଚଳରେ ମୁଣ୍ଡ ଖେଳାଇବେ ଏବଂ ପ୍ରତିରୋଧ କରିବେ ତେବେ ସେ ସମସ୍ତଙ୍କୁ ଗୁଳି କରିଦିଅ। ଆନ୍ଧ୍ର ମନ୍ତ୍ରୀଙ୍କର ଧମକ ପ୍ରତିବାଦରେ ସମାଜସେବୀମାନେ ଓଡ଼ିଶା ପୁଲିସ ନିକଟରେ ଅଭିଯୋଗ ଦାଖଲ କଲେ। ମାତ୍ର ଓଡ଼ିଶା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହିଁ। ଶୁଣାଯାଏ ଯେ କୋରାପୁଟର ଏସ୍‌ପି ଜଣେ ତେଲୁଗୁ ଲୋକ। ତେଣୁ କୋରାପୁଟ ପୁଲିସ ଏ ବିଷୟରେ କୌଣସି ପଦକ୍ଷେପ ନ ନେଇ ଚୁପ୍ ରହିବା ଉଚିତ ଭାବୁଛି ବୋଲି ସନ୍ଦେହ ହେବା ସ୍ବାଭାବିକ।

ଅଭିଯୋଗ ହୁଏ ଯେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଧର୍ମାନ୍ତରଣକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଫଳସ୍ବରୂପ ଓଡ଼ିଶାର ଗୋଟିଏ ଗୋଟିଏ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗ୍ରାମର ପ୍ରାୟ ଶତ ପ୍ରତିଶତ ଲୋକ ଖ୍ରୀଷ୍ଟ ଧର୍ମକୁ ଆପଣାଇ ସାରିଲେଣି। ଏହା ବ୍ୟତୀତ ଆନ୍ଧ୍ର ସରକାର ଆଖି ବୁଜି ସେ ଅଞ୍ଚଳର ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇ ଚାଲିଛନ୍ତି। ଓଡ଼ିଶା ସରକାର ମାତ୍ର ୫୦୦ ଟଙ୍କା ଭତ୍ତା ଦେଉଥିବା ବେଳେ ଆନ୍ଧ୍ର ସରକାର ୧୫୦୦ ଟଙ୍କା ଭତ୍ତା ଦେଉଛନ୍ତି। ତେଣୁ ଗୋଟିଏ ପଟେ ଧର୍ମ ଏବଂ ଅନ୍ୟ ପଟେ ଅର୍ଥ ପ୍ରଭାବରେ ଓଡ଼ିଶାର ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳମାନଙ୍କର ଜନସାଧାରଣ ଆନ୍ଧ୍ର ପ୍ରତି ଢଳିବାରେ ଲାଗିଛନ୍ତି।

ଏ ପରିସ୍ଥିତିର ପରିସମାପ୍ତି ସେତେବେଳେ ସମ୍ଭବ ହେବ ଯେତେବେଳେ ଓଡ଼ିଶା ସରକାର ସଂପୂର୍ଣ୍ଣ ଦୃଢ଼ତାର ସହିତ ସେ ଅଞ୍ଚଳର ସ୍ଥିତି ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ସେଠାରେ ଯଥେଷ୍ଟ ବିଦ୍ୟାଳୟ ଖୋଲି ପିଲାମାନଙ୍କୁ ଓଡ଼ିଆରେ ଶିକ୍ଷା ଦେବାର ବ୍ୟବସ୍ଥା କରାଯିବା ଏକାନ୍ତ ଜରୁରୀ। ଏଥି ସହିତ ଓଡ଼ିଶା ସ୍ବାର୍ଥ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଆନ୍ଧ୍ର ସରକାରୀ କର୍ମଚାରୀଙ୍କୁ କୌଣସିମତେ ନିରୁତ୍ସାହିତ କରିବା ଦରକାର। ସେହିପରି ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲା ମାନଙ୍କର କଲେକ୍ଟର ଏବଂ ଏସ୍‌ପି ଶତପ୍ରତିଶତ ଓଡ଼ିଆ ହେବା ଉଚିତ। ସୀମାନ୍ତବର୍ତ୍ତୀ ଓଡ଼ିଶାର ସବୁ ଅଞ୍ଚଳ ମାନଙ୍କରେ ରାସ୍ତାଘାଟ, ସ୍ବାସ୍ଥ୍ୟ ସେବା, ବିଦ୍ୟୁତ୍‌ ସଂଯୋଗ ଏବଂ ପୋଷ୍ଟ ଅଫିସ ଆଦି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ହେବ।
ଓଡ଼ିଶା ସରକାର ଯଦି ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ଶୀଘ୍ର ଦୃଢ଼ ଏବଂ ଉଚିତ ପଦକ୍ଷେପ ଗ୍ରହଣ କରନ୍ତି ତାହା ହେଲେ ଆନ୍ଧ୍ର ସୀମାବର୍ତ୍ତୀ ଓଡ଼ିଶାର ଅଞ୍ଚଳ ସବୁ ନିଶ୍ଚିତ ଭାବେ ଓଡ଼ିଶାରେ ରହିବ। ନଚେତ ଅଳ୍ପ କେତେ ବର୍ଷ ଭିତରେ ଓଡ଼ିଶାବାସୀ ଦେଖିବେ ଯେ ଓଡ଼ିଶାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ସବୁ ବୋରାମୁଠା ଭଳି ଆନ୍ଧ୍ରରେ ମିଶିଯାଇଛି।
ମୋ- ୯୪୩୭୦୧୩୪୬୬

ସମ୍ବନ୍ଧିତ ଖବର