ବିଷାକ୍ତ ମଦ ମୃତ୍ୟୁ ଓ ନିଶା ନିବାରଣ ଆଇନ

ପଦ୍ମଚରଣ ନାୟକ

ନିଶା ନିବାରଣ ବିରୋଧୀମାନଙ୍କ ପାଇଁ ବିଷାକ୍ତ ମଦ ମୃତ୍ୟୁ ଘଟଣା ଅଧିକ ମୁଖର ହୋଇପଡ଼ିବା ଲାଗି ସୁଯୋଗ ସୃଷ୍ଟି କରିଥାଏ। ‘ହିନ୍ଦୁ’ ସମ୍ବାଦପତ୍ର ନିଶା ନିବାରଣର ବ୍ୟର୍ଥତା ସମ୍ପର୍କରେ ଅତୀତରେ ଅନେକ ବାର ମତ ପ୍ରକାଶ କରିଛି। ଏବେ ଗୁଜରାଟ ବିଷାକ୍ତ ମଦ ମୃତ୍ୟୁ ଘଟଣା ଉପରେ ୨୮ ଜୁଲାଇରେ ଏହାର ସମ୍ପାଦକୀୟ ପୂର୍ବ ଯୁକ୍ତିମାନ ଅବତାରଣା କରିବା ସଙ୍ଗେ ସଙ୍ଗେ ଏ ଦିଗରେ ଅଧିକ ନିର୍ଲିପ୍ତ ଆଲୋଚନା ପାଇଁ ସୁପାରିସ କରିଛନ୍ତି।

ଭାରତୀୟ ସମ୍ବିଧାନର ରଚନା ଅବସରରେ ନିଶା ନିବାରଣ ସମ୍ପର୍କରେ ଆଲୋଚନା କାଳରେ କିଛି ପ୍ରବୀଣ ବ୍ୟକ୍ତି ଖାଦ୍ୟ ଓ ପାନୀୟରେ ବ୍ୟକ୍ତିର ସ୍ୱାଧୀନତା ତଥା ରୁଚି ଯୁକ୍ତି ଉଠାଇବାରୁ, ସମ୍ବିଧାନ ସଭାରେ ଏ ଦିଗରେ ଅଧିକ ଯୁକ୍ତିତର୍କ ନ କରି ପରବର୍ତ୍ତୀ କାଳକୁ ଏହାର ବିଚାର କଥା ଛାଡ଼ି ଦିଆଯାଇଥିଲା। ତଥାପି ଲୋକଙ୍କ ସ୍ୱାସ୍ଥ୍ୟ କଥା ବିଚାରକୁ ନେଇ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆମ ସମ୍ବିଧାନର ଧାରା ୩୭ରେ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବିଧାନର ସେହି ନିର୍ଦ୍ଦେଶନାମାକୁ ନିର୍ବିଚାରରେ ତତ୍କାଳୀନ ମାନ୍ଦ୍ରାଜ, ଓଡ଼ିଶା ଓ ବିହାର ଆଦି ବହୁ ରାଜ୍ୟ କାର୍ଯ୍ୟକାରୀ କରିଥିଲେ। ୧୯୫୭ ମସିହାରୁ ନିଶା ନିବାରଣ କଂଗ୍ରେସ ଦଳର କାର୍ଯ୍ୟକ୍ରମରେ ନ ରହିବାରୁ ଏସବୁ ରାଜ୍ୟରେ ବି ନିଶା ନିବାରଣ ଆଇନ ଅକାମୀ ହୋଇପଡ଼ିଲା।

ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱର ଶେଷ ଆଡ଼କୁ ୧୯୫୬ ମସିହାରେ ନିଶା ନିବାରଣ ଆଇନ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିଥିଲା। କେବଳ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକୀୟ ବିଧିମାନ ପ୍ରଣୀତ ହୋଇ ବିଧାନସଭାରେ ଉପସ୍ଥାପିତ ହେବା ବାକି ଥିଲା। ନବକୃଷ୍ଣ ଚୌଧୁରୀଙ୍କ ପରେ ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଏହାକୁ କାର୍ଯ୍ୟକାରୀ ନ କରିବା ଲାଗି ବ୍ୟବସ୍ଥା ଚାଲିଲା। ସେହି ଉଦ୍ଦେଶ୍ୟରେ ପ୍ରାଣକୃଷ୍ଣ ପରିଜାଙ୍କ ଅଧ୍ୟକ୍ଷତାରେ ଏକ କମିସନ ବସିଥିଲା। ଉକ୍ତ କମିସନର ନିର୍ଦ୍ଧାରଣରେ କୁହାଯାଇଥିଲା ଯେ, ସାରା ଭାରତରେ ନିଶା ନିବାରଣ ନହେଲେ ଗୋଟିଏ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ।

ତଥାପି ନିଶାର ଅପକାରିତାକୁ ବିଚାରକୁ ନେଇ ନିଶା ନିବାରଣ କାର୍ଯ୍ୟକାରିତାର ଆବଶ୍ୟକତା ସମ୍ପର୍କରେ ସେ ତାଙ୍କ ମତ ଦେଇଥିଲେ। ସେହି ସମୟକୁ ନିଶା ଦ୍ରବ୍ୟ ମଧ୍ୟରେ ଅଫିମର ବିଶେଷ ପ୍ରଚଳନ ଥିଲା। ମଦ, ବିଶେଷ ଭାବରେ ବିଦେଶୀ ମଦ, କେବଳ ଜିଲ୍ଲା ସଦର ମହକୁମାରେ ନିର୍ଦ୍ଦିଷ୍ଟ ଦୋକାନରେ ମିଳୁଥିଲା। ଉଲ୍ଲେଖଯୋଗ୍ୟ ଯେ, ସେ ସମୟ ଠାରୁ ସହସ୍ରାଧିକ ଗୁଣରେ ରାଜ୍ୟକୁ ମଦରେ ଭସାଇ ବି ସରକାର ୧୯୫୬ ମସିହା ଆଇନକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି କି ଖାରଜ ବି କରିନାହାନ୍ତି।

ମଦ ପ୍ରଚଳନ ସମ୍ପର୍କରେ ଯୁକ୍ତିତର୍କ ଚାଲିଲା ବେଳେ ବିଷାକ୍ତ ମଦ ଜନିତ ଅପମୃତ୍ୟୁ କଥା ଉଠିଥାଏ; ଯାହା ୧୯୫୭ ମସିହାରୁ ଏପର୍ଯ୍ୟନ୍ତ ଦୋହରା ହୋଇ ଚାଲିଛି। ବିଷାକ୍ତ ମଦମୃତ୍ୟୁ ଖାଲି ନିଶା ନିବାରଣ ଚାଲୁଥିବା ବିହାର ବା ଗୁଜରାଟ ରାଜ୍ୟରୁ ଶୁଣିବାକୁ ମିଳୁନାହିଁ; ସରକାରୀ ଭାବରେ ନିଶା ପ୍ରଚଳିତ ରାଜ୍ୟ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ବି ଘଟୁଛି ବୋଲି ଜାଣିବାକୁ ମିଳୁଛି। ସେହିସବୁ ରାଜ୍ୟରୁ ବିଷାକ୍ତ ମଦ ପିଇ ମରିବା ଲୋକଙ୍କ ସଂଖ୍ୟା କୌଣସି ବର୍ଷ ୨୦୦ରୁ ଅଧିକ ନୁହେଁ। ସଡ଼କ ଦୁର୍ଘଟଣାରେ ଓଡ଼ିଶା ଭଳି ଛୋଟିଆ ରାଜ୍ୟରେ ବର୍ଷକୁ ପ୍ରାୟ ୫୦୦୦ ଲୋକ ମରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ମଦ୍ୟାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଘଟୁଛି ବୋଲି ସ୍ୱୀକୃତ।

ଏହାଛଡ଼ା ସରକାରୀ ଭାବରେ ଯୋଗାଇ ଦିଆଯାଉଥିବା ମଦ ପିଇ ଅସଂଖ୍ୟ ଲୋକ ଅଧା ବୟସରେ ମରୁଛନ୍ତି। ଏହା ଚିକିତ୍ସା ଶାସ୍ତ୍ର ଦ୍ୱାରା ସମ୍ମତ ଯେ କ୍ରମାଗତ ନିୟମିତ ମଦ ପିଇଲେ ଅଧିକାଂଶ ବ୍ୟକ୍ତି ମଧୁମେହରେ ଆକ୍ରାନ୍ତ ହୋଇଥାନ୍ତି; ଯାହାଫଳରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ ଏବଂ ସେମାନେ କର୍କଟ ପ୍ରଭୃତି ବହୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଭାରତ ସରକାର ଓ ରାଜ୍ୟ ସରକାରମାନଙ୍କ ପାଇଁ ମଣିଷ ଜୀବନର ମୂଲ୍ୟ ନଗଣ୍ୟ ହୋଇଥିବାରୁ ମଦ୍ୟାସକ୍ତ ହୋଇ ଏଭଳି ମରୁଥିବା ଲୋକଙ୍କ ସଂଖ୍ୟା ସରକାର ରଖନ୍ତି ନାହିଁ ବା କୌଣସି ମୁରବି ତାଙ୍କ ପରିବାରର ଲୋକ ମଦ୍ୟାସକ୍ତି ଯୋଗୁଁ ମଲା ବୋଲି କହନ୍ତି ନାହିଁ। ଏଭଳି ଅଧା ବୟସରେ ଆମ ରାଜ୍ୟରେ ମରୁଥିବା ଲୋକଙ୍କ ସଂଖ୍ୟା ବର୍ଷକୁ ଏକ ଲକ୍ଷ କୁହାଗଲେ ବି କେହି ତାକୁ ବିଚାରକୁ ନିଅନ୍ତି ନାହିଁ।
ପୂର୍ବେ ପଞ୍ଜାବରେ ଲୋକେ ଅଧିକ ମଦ ପିଉଥିଲେ। କିନ୍ତୁ ସେଠାର ଲୋକେ ସେଠାରୁ କୋକେନ ଆଦି ଅଧିକ ଉତ୍ତେଜକ ଡ୍ରଗ୍‌ସ ଆଡ଼େ ମୁହାଁଇଥିବାରୁ ଏବେ ମୁଣ୍ଡପିଛା ଅଧିକ ମଦ ପିଉଥିବା ଲୋକଙ୍କ ମଧ୍ୟରେ କେରଳ ଶୀର୍ଷରେ ଅଛି। ଏହାରି ଫଳରେ ଦେଶର ସବୁଠାରୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ ରାଜ୍ୟ କେରଳରେ ପାରିବାରିକ ବିଚ୍ଛେଦ ଓ ଆତ୍ମହତ୍ୟା ଚିନ୍ତାଜନକ ସ୍ତରକୁ ଗଲାଣି। ଆଉ ଉଲ୍ଲେଖଯୋଗ୍ୟ ଯେ ଗତ କରୋନା ମହାମାରୀ କାଳରେ ସବୁ ରାଜ୍ୟରୁ କରୋନା ଦ୍ୱାରା ଆକ୍ରାନ୍ତ ଓ ମୃତ୍ୟୁ କମିଗଲା ପରେ ବି ଛୋଟ କେରଳ ରାଜ୍ୟରେ କର୍ଣ୍ଣାଟକ, ତାମିଲନାଡୁ ଏପରିକି ମହାରାଷ୍ଟ୍ର ଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଲେ ଓ ମଲେ। ଏହା ପଛରେ ସେଠାକାର ଲୋକଙ୍କ ଅତ୍ୟଧିକ ମଦ୍ୟାସକ୍ତି ଯେ କାରଣ ଏଥିରେ ସନ୍ଦେହ ନାହିଁ।
ତେବେ ଏହାର ସମାଧାନ ଯେ ସମଗ୍ର ଦେଶ ମଦମୁକ୍ତ ହେବାରେ ନିହିତ ଏହା ଜଳ ଜଳ ଦେଖାଯାଉଛି। ତେବେ ଅନ୍ୟ ରାଜ୍ୟକୁ ଅପେକ୍ଷା ନକରି ବିହାର ଏ ଦିଗରେ ଆଗଭର ହୋଇ ସାତବର୍ଷରୁ ଅଧିକ କାଳ ନିଶା ନିବାରଣ ଚଳାଇ ଆସିଛି। ଏହି ରାଜ୍ୟର ଚାରି ଦିଗରେ ନିଶା ପ୍ରଚଳନ ଥିବାରୁ କିଛି ମଦ ରାଜ୍ୟକୁ ଆସୁଛି ସତ କିନ୍ତୁ ସେ ରାଜ୍ୟରେ ଏହି ଉଦ୍ୟମ ପ୍ରାୟ ୭୫% ସଫଳ ହୋଇଛି; ବିଶେଷ କରି ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଓ ପାରିବାରିକ ଅବସ୍ଥାରେ ଉନ୍ନତି ଦେଖାଦେଇଛି।

ରାଜ୍ୟ ସରକାରଙ୍କୁ ପ୍ରଥମ ଦୁଇବର୍ଷ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ହୋଇଥିଲେ ହେଁ, ପରବର୍ତ୍ତୀ କାଳରେ ରାଜ୍ୟର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିଛି। ଲୋକେ ମଦରେ ଯେଉଁ ଟଙ୍କା ବ୍ୟୟ କରୁଥିଲେ ସେହି ଟଙ୍କାରେ ବିଭିନ୍ନ ଘରକରଣା ଦ୍ରବ୍ୟ ଆଜି କିଣୁଛନ୍ତି; ଯାହା ବାବଦରେ ସରକାର ଅଧିକ ଟିକସ ପାଉଛନ୍ତି। ମଦ ମିଳୁନଥିବାରୁ ଲୋକଙ୍କ ମଦଖିଆ ବହୁ ପରିମାଣରେ କମିଛି ଓ ପାରିବାରିକ ଶାନ୍ତି ଏବଂ ସଦ୍‌ଭାବର ଦର୍ଶନୀୟ ଭାବରେ ଉନ୍ନତି ଘଟିଛି। ଏହା କ’ଣ ଆଶାଜନକ କଥା ନୁହେଁ? ଏଣୁ ସମଗ୍ର ଭାରତ ମଦମୁକ୍ତ ହେବା ଦିଗରେ ଆଇନ ପ୍ରଣୟନ ଲାଗି ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ ସ୍ତରରେ ବ୍ୟାପକ ଜନମତ ସୃଷ୍ଟି ହେଉ।
ମୋ: ୯୯୩୮୮୯୩୪୪୫

ସମ୍ବନ୍ଧିତ ଖବର