ଘରଚଟିଆଙ୍କ ଈର୍ଷା

କଥାଟିଏ - ଯାଯାବର

ଶିଷ୍ୟ କଥା ପ୍ରସଙ୍ଗରେ ଗୁରୁଙ୍କୁ କହିଲା- ଆଜ୍ଞା, ଜଣେ ପ୍ରବଚକଙ୍କୁ ଶୁଣୁଥିଲି। ସେ ଚିଲ ଓ ଘରଚଟିଆଙ୍କ କଥା କହୁଥିଲେ। ଭାରି ଉପାଦେୟ କଥାଟିଏ। ସେ କହିଲେ ଯେ ଚିଲ କେତେ ଉଚ୍ଚତାରେ ନ ଉଡ଼େ ସତେ! ଆଉ ଘରଚଟିଆ କେତେ ତଳେ ଉଡ଼େ। କିନ୍ତୁ ଘରଚଟିଆ ତ କେବେ ହେଲେ ଚିଲର ଉଡ଼ାଣ ଦେଖି ଈର୍ଷାରେ ଜଳିଯାଏ ନାହିଁ? ମନସ୍ତାପ କରେନାହିଁ। କିନ୍ତୁ ମଣିଷ ଏତେ ବୁଦ୍ଧିମାନ ହୋଇ ବି ଆଉ କାହାକୁ ଅଧିକ ଉଚ୍ଚକୁ ଉଠିଯିବାର ଦେଖିଲେ ଈର୍ଷାରେ ଜଳିଯାଏ।

ଏ କଥା ଶୁଣି ଗୁରୁ କହିଲେ- କଥାଟା ତ ସତ। କିନ୍ତୁ ତାକୁ ଆଉ ଗୋଟିଏ ଦୃଷ୍ଟିରୁ ବି ଦେଖିହେବ। କଥାଟିଏ କହୁଛି ଶୁଣ। ଥରେ ଘରଚଟିଆଙ୍କ ଭିତରୁ ଗୋଟିଏ ବିଚକ୍ଷଣ ଓ ବିରଳ ପ୍ରତିଭାସ˚ପନ୍ନ ଘରଚଟିଆ ଭାବିଲା- ସେ ଚିଲର ଉଚ୍ଚତାରେ ଉଡ଼ିବ। ସେ ଚେଷ୍ଟା କଲା ଏବ˚ ଘରଚଟିଆମାନେ କେବେ କଳ୍ପନା କରି ପାରି ନ ଥିବା ଉଚ୍ଚତାରେ ଉଡ଼ିବାକୁ ଲାଗିଲା। ତା ପରେ ତାର ଦେଖାଦେଖି ଘରଚଟିଆମାନଙ୍କ ଭିତରେ ସାମର୍ଥ୍ୟ ପ୍ରତିପାଦନ ଲାଗି ପ୍ରତିଯୋଗିତା ଲାଗିଗଲା। ଘରଚଟିଆମାନେ ଏଣିକି ସେମାନଙ୍କ ସ୍ବାଭାବିକ ଉଚ୍ଚତାରେ ଉଡ଼ାଣକୁ ନେଇ ଖୁସି ନ ଥିଲେ। ସେମାନେ ପ୍ରତିଯୋଗିତାରେ ମାତିଲେ ଏବ˚ ଯିଏ ଆଗକୁ ଯାଇ ନ ପାରିଲା ସେ ଆଗକୁ ଯାଇ ପାରୁଥିବା ଚଟିଆମାନଙ୍କୁ ଈର୍ଷା କଲା।
ଶିଷ୍ୟ କହିଲେ- ଆପଣଙ୍କ କଥାର ମର୍ମ ବୁଝିପାରୁଛି।

ଗୁରୁ କହିଲେ- ରାଜ୍ୟର ପ୍ରଜାମାନେ ରାଜାଙ୍କୁ ଈର୍ଷା କରନ୍ତି ନାହିଁ। କିନ୍ତୁ ସେଇ ପ୍ରଜାମାନଙ୍କ ଭିତରୁ ଜଣେ ଯଦି ଉପରକୁ ଉଠିଯାଇ ସାମନ୍ତ ହୋଇଗଲା, ସେ ଈର୍ଷାର ପାତ୍ର ହେଲା। ଘର ଚଟିଆମାନେ ସେଇ ପ୍ରତିଯୋଗିତାରେ ନ ଥାଆନ୍ତି ବୋଲି ସୁଖରେ ଥାଆନ୍ତି। କିନ୍ତୁ ଆମ କାହାଣୀର ଘରଚଟିଆମାନେ ସୁଖ ହରାଇଲେ।

ସମ୍ବନ୍ଧିତ ଖବର