ଜଣେ ଧନୀ ଲୋକଙ୍କର କିଛି ଅଭାବ ନ ଥିଲା। ତେବେ, ସେ ଚାହୁଁଥିଲେ ତାଙ୍କ ମନ ଭିତରେ ପ୍ରସନ୍ନତା ରହୁ। ତାଙ୍କ ମୁହଁରେ ହସ ଫୁଟି ଉଠୁ। କାରଣ, ତାହା ହିଁ ତାଙ୍କ ପାଖରେ ନ ଥିଲା।
ସେ ସେଥିପାଇଁ ବିଭନ୍ନ ଲୋକଙ୍କ ପରାମର୍ଶ ଲୋଡ଼ିଲେ। କିଏ କହିଲା- ମଜା ଗପ ପଢ଼ନ୍ତୁ, କିଏ କହିଲା ଆପଣଙ୍କର ତ ପଇସାର ଅଭାବ ନାହିଁ, ବାହାରକୁ ବୁଲିବାକୁ ଯାଆନ୍ତୁ। କିଛି ପରାମର୍ଶ ସେ ଗ୍ରହଣ କଲେ। କିନ୍ତୁ କିଛି ଦିନ ପରେ ସେହି ସମାନ କଥା। ମନ ଭିତରୁ ହସ ଫୁଟି ଉଠିଲା ନାହିଁ।
ଦିନକର କଥା। ସେ ଜଣେ ଲୋକଙ୍କୁ ବାଟରେ ଯାଉଥିବାର ଦେଖିଲେ, ଯାହାଙ୍କ ଚେହେରାରେ ଝଲସୁ ଥିଲା ଆନନ୍ଦ। ତେଣୁ ସେ ତାଙ୍କୁ ପଚାରିଲେ- ଆପଣ ଯେମିତି ପ୍ରସନ୍ନ ଚିତ୍ତ ଓ ହସହସ ଦିଶୁଛନ୍ତି ମୁଁ ସେଇଭଳି ହେବାକୁ ଚାହେଁ। ମୋତେ ବାଟ ବତାନ୍ତୁ।
ସେ ଭଦ୍ରଲୋକ ଧନୀକଙ୍କ ଦୁଇ ହାତକୁ ଆତ୍ମୀୟତାର ସହିତ ଧରି ପକାଇ କହିଲେ- ଭାଇ ଆପଣ ବି ସେଇ ଭାବ ପାଇବେ। କିନ୍ତୁ ଛୋଟିଆ କାମ କରିବାକୁ ହେବ। ନିଜ ମୁହଁରେ ପ୍ରସନ୍ନତାର ହସ ଫୁଟାଇବାକୁ ହେଲେ ଆପଣ ପ୍ରଥମେ ଅନ୍ୟ କାହାର ମୁହଁରେ ତାହା ଫୁଟାଇବାର ଚେଷ୍ଟା କରନ୍ତୁ।
ଧନୀକଙ୍କୁ ଏହା ଏକ ନୂଆ ବାଟ ଭଳି ଲାଗିଲା। ସେ ଏଣିକି କିଛି ସମୟ ବାହାର କରି ଦୁଃଖୀଙ୍କ ସେବାରେ ନିୟୋଜିତ ହେଲେ। ତାଙ୍କରି ସହଯୋଗରେ ଅନେକଙ୍କ ମୁହଁରେ ହସ ଫୁଟିଲା। ସେ ଦେଖିଲେ ଯେ ତାଙ୍କ ମନ ବି ଏଣିକି ତୃପ୍ତିରେ ପୂରି ଯାଉଛି। ତାଙ୍କ ମନର ପ୍ରସନ୍ନତା ତାଙ୍କ ଚେହେରାରେ ଉଦ୍ଭାସିତ ହେଉଛି। ସେ ଅନୁଭବ କଲେ ଯେ ପୂର୍ବରୁ ଏମିତି ଖୁସି ସେ କେବେ ବି ନ ଥିଲେ!