ଝରକା: ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ପ୍ରେମର ବିଜୟ

ରୁଷିଆର ରାଷ୍ଟ୍ରପତି ଗତ ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ୍‌ ସୀମା ଭିତରକୁ ତାଙ୍କ ଦେଶର ସେନାବାହିନୀ ପ୍ରବେଶ କରାଇ ଏକ ଯୁଦ୍ଧର ସୂତ୍ରପାତ କରାଇଥିଲେ, ଯାହା ଏ ପର୍ଯ୍ୟନ୍ତ ଚାଲୁ ରହିଛି। ଏହି ଯୁଦ୍ଧର ଫଳାଫଳ ଯେଉଁ ଦେଶ ସପକ୍ଷରେ ଯାଉ ନା କାହିଁକି ଅତୀତର ସମସ୍ତ ଯୁଦ୍ଧ ପରି ଏହି ଯୁଦ୍ଧରେ ମଧ୍ୟ ଅଗଣିତ ପରିବାର ଅପୂରଣୀୟ କ୍ଷତି ସହିବେ। ତେବେ ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଦୁଇ ଶତ୍ରୁ ରାଷ୍ଟ୍ରର ଦୁଇଜଣ ନାଗରିକଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି।

ଏହା ପୁଣି ଥରେ ପ୍ରମାଣିତ କରିଦେଇଛି ଯେ ପ୍ରେମ ଯୁଦ୍ଧ ଠାରୁ ଅଧିକ ଶକ୍ତିଶାଳୀ। ଏ ଦମ୍ପତ୍ତି ହେଉଛନ୍ତି ରୁଷିଆର ସର୍ଗି ନୋଭିକଭ୍‌ ଓ ୟୁକ୍ରେନ୍‌ର ଇଲୋନା ବ୍ରାମୋକା। ଦୁହେଁ ଗତ ୨ ତାରିଖରେ ଭାରତରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ହିମାଚଳ ପ୍ରଦେଶର ଖାରୋଟା ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା। ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ସେମାନେ ବିବାହ ବେଦିରେ ବସିଥିଲେ। ଉଭୟଙ୍କର ପରିବାରବର୍ଗ ଏହି ବିବାହ ଉତ୍ସବରେ ଉପସ୍ଥିତ ଥିଲେ। ଅନେକ ସ୍ଥାନୀୟ ଲୋକ ମଧ୍ୟ ଏହି ବିବାହରେ ଯୋଗ ଦେଇଥିଲେ। ସ୍ଥାନୀୟ ଅଧିବାସୀ ବିନୋଦ ଶର୍ମାଙ୍କ ପରିବାର କନ୍ୟାଦାନ ସମେତ ଅନ୍ୟାନ୍ୟ ବିଧି ସମ୍ପନ୍ନ କରିଥିଲେ।

ବରକନ୍ୟା ସର୍ଗି ଓ ଇଲୋନା ପୁରୋହିତ ପଣ୍ଡିତ ରମଣ ଶର୍ମା ଉଚ୍ଚାରଣ କରୁଥିବା ବିବାହ ମନ୍ତ୍ରର ଅର୍ଥ ବୁଝିବାକୁ ଚାହିବାରୁ ଜଣେ ଅନୁବାଦକ ସେମାନଙ୍କୁ ସବୁ ମନ୍ତ୍ର ଓ ରୀତିନୀତିର ଅର୍ଥ ବୁଝାଇଥିଲେ। ଦୁଇଜଣ ଗତ ଏକ ବର୍ଷ ହେଲା ସ୍ଥାନୀୟ ଧର୍ମକୋଟ ଗାଁରେ ରହିଆସୁଛନ୍ତି। ବିବାହ ପୂର୍ବରୁ ସେମାନେ ଦୁଇ ବର୍ଷ କାଳ ପ୍ରେମ ସମ୍ପର୍କରେ ଆବଦ୍ଧ ଥିଲେ। ଏହି ବିରଳ ବିବାହର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଅନେକ ଲୋକ ଆଶା ପୋଷଣ କରି କହୁଛନ୍ତି ଯେ ଶତ୍ରୁ ପାଲଟିଥିବା ଦୁଇ ଦେଶର ନାଗରିକଙ୍କ ବିବାହ କରାଇବା ପରି ଦୁଇ ଦେଶକୁ ଭାରତ ହିଁ ପୁଣି ଏକାଠି କରିପାରିବ।

ସମ୍ବନ୍ଧିତ ଖବର