ଗର୍ଭ ଭାର

ଆଜି ଅଗଷ୍ଟ ୧୦ରେ ମାନ୍ୟବର ସୁପ୍ରିମ୍‌କୋର୍ଟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜଣେ ଅବିବାହିତ ମହିଳା ନିଜର ଗର୍ଭପାତ କରିବା ପାଇଁ ଅନୁମତି ଭିକ୍ଷା କରି କରିଥିବା ଆବେଦନର ପୁଣି ଶୁଣାଣି ଚଳାଇବେ, ଯାହା ଗତ ଶୁକ୍ରବାର ଦିନ ଅସମ୍ପୂର୍ଣ୍ଣ ଥିଲା। ସ˚ଯୋଗବଶତଃ ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳେ ଏଇ ଅଗଷ୍ଟରେ ଭାରତୀୟ ନାରୀମାନେ ଗର୍ଭପାତ କରିବାର ଅଧିକାର ଲାଭ କରିଥିଲେ, ଯେତେବେଳେ ଭାରତର ପାର୍ଲିଆମେଣ୍ଟ୍‌ର ମୌସୁମୀ ଅଧିବେଶନରେ ମାତ୍ର ପ୍ରାୟ ଦୁଇ ଘଣ୍ଟାର ହାଲୁକା ଆଲୋଚନା ପରେ ଏ ସ˚କ୍ରାନ୍ତୀୟ ଆଇନ ପାରିତ ହୋଇଯାଇଥିଲା। (ଉଲ୍ଲେଖଯୋଗ୍ୟ, ଏହାର ପ୍ରାୟ ଦେଢ଼ ବର୍ଷ ପରେ ଯାଇ ଆମେରିକାର ସୁପ୍ରିମ୍‌କୋର୍ଟ ‘ରୋ ବନାମ େଵଡ୍‌’ ମାମଲାରେ ରାୟ ଦେଇ ସେ ଦେଶରେ ନାରୀମାନଙ୍କ ପାଇଁ ଗର୍ଭପାତକୁ ବୈଧ କରିଥିଲା; ଯାହାକୁ ସେଇ ସୁପ୍ରିମ୍‌କୋର୍ଟ ଏବେ ପ୍ରତ୍ୟାହାର କରିଦେଇ ଆମେରିକାରେ ନାରୀ ଅଧିକାର ଓ ସ୍ବାଧୀନତା ପ୍ରତି ଏକ ଶକ୍ତ ଆଘାତ ପହଞ୍ଚାଇଛି।)

ଯଦିବା ବିତର୍କ ସମୟରେ କୌଣସି ସା˚ସଦ ଏହା ଉଲ୍ଲେଖ କରି ନଥିଲେ, ପାଲିଆମେଣ୍ଟ୍‌ରେ ବିଲ୍‌ଟି ସହଜରେ ପାରିତ ହୋଇଯିବା ପଛରେ ଯେଉଁ ଅସଲ କାରଣ ନିହିତ ଥିଲା, ତାହା ହେଲା ସେ ସମୟରେ ବିସ୍ଫୋରକ ଭାବରେ ବୃଦ୍ଧି ପାଉଥିବା ଭାରତର ଜନସ˚ଖ୍ୟାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା। ସ˚କ୍ଷେପରେ କହିଲେ, ଗର୍ଭପାତକୁ ପରିବାର ନିୟୋଜନର ଆଉ ଏକ ଉପାୟ ରୂପେ ବିଚାର କରାଯାଇଥିଲା। ଇତିମଧ୍ୟରେ ଭାରତରେ ନାରୀମାନଙ୍କର ମୁଣ୍ତପିଛା ହାରାହାରି ସନ୍ତାନ ପ୍ରସବ ସ˚ଖ୍ୟା ସୂଚାଉଥିବା ‘ଟିଏଫ୍‌ଆର‌୍‌’ ମୂଲ୍ୟରେ କ୍ରମାଗତ ହ୍ରାସ ଘଟି ତାହା ଆସି ‘୨’ ଛୁଇଁଲାଣି। ଏହା ଜନସ˚ଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ହାର ‘୨.୧’ ଠାରୁ ମଧ୍ୟ କମ୍‌। ତେଣୁ ଯଦି ଜନସ˚ଖ୍ୟା ନିୟନ୍ତ୍ରଣ ଭାରତୀୟ ନାରୀମାନଙ୍କୁ ଗର୍ଭପାତ ଅଧିକାର ପ୍ରଦାନର ମୁଖ୍ୟ କାରଣ ହୋଇଥାଏ, ତାହା ଏବେ ଆଉ ପ୍ରସଙ୍ଗିକ ହୋଇ ରହିନାହିଁ।

କିନ୍ତୁ ଇତିମଧ୍ୟରେ ଭାରତୀୟ ଜନମାନସରେ ଯେଉଁ ଏକ ପ୍ରଗତିଶୀଳ ଧାରଣା ସମ୍ପୂର୍ଣ୍ଣ ରୂପେ ଦୃଢ଼ୀଭୂତ ହୋଇ ସାରିଛି, ତାହା ହେଲା, ପ୍ରଜନନ ନିଷ୍ପତ୍ତି ହେଉଛି ନାରୀର ଏକ ମୌଳିକ ଅଧିକାର, ଏବ˚ ଗର୍ଭପାତ ନିଷ୍ପତ୍ତି ହେଉଛି ଏହାର ଅ˚ଶବିଶେଷ, ଯାହାକୁ ୧୯୭୧ ଆଇନ ଓ ୨୦୦୩ର ନିୟମାବଳୀ ବୈଧାନିକ ସ୍ବୀକୃତି ପ୍ରଦାନ କରିଥାଏ। ଯଦି ଏକ ନିରପେକ୍ଷ ଦାର୍ଶନିକ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ପ୍ରଜନନ ସ୍ବାଧୀନତା ଯେ ନାରୀର ଜନ୍ମସିଦ୍ଧ ଅଧିକାର, ତାହା ନ୍ୟାୟତଃ ସ୍ବୀକାର କରିବାକୁ ହେବ। କାରଣ ଯେଉଁ ପ୍ରକୃତି କନ୍ୟା ଶିଶୁ ସୃଷ୍ଟି କରିଥାଏ, ସେଇ ପ୍ରକୃତି ହିଁ ତା’ ଶରୀରରେ ସେଇ ଆରମ୍ଭରୁ ହିଁ ଏକ ଗର୍ଭାଶୟ ସ୍ଥାପନ କରି ସେଥିରେ ପ୍ରାୟ ଏକରୁ ଦୁଇ ନିୟୁତ ସ˚ଖ୍ୟକ ଡିମ୍ବାଣୁ ଉପହାର ଅନ୍ତର୍ଭୁକ୍ତ କରି ତାକୁ ଭୂମିଷ୍ଠ କରିଥାଏ; ତା’ର ସମଗ୍ର ଜୀବନ କାଳ ମଧ୍ୟରେ ଆଉ କୌଣସି ନୂତନ ଡିମ୍ବାଣୁ କୋଷ (ଉସାଇଟ୍‌ସ) ସୃଷ୍ଟି ହୋଇ ନଥାଏ। ବୟଃପ୍ରାପ୍ତି ପରେ ନାରୀର ସହଯୋଗରେ ଏହି ଡିମ୍ବାଣୁ ମଧ୍ୟରୁ କେବେ ସନ୍ତାନସନ୍ତତିରେ ରୂପାନ୍ତରିତ ହୋଇଥାନ୍ତି। ଏହା ଏକ ଜଟିଳ, ଆୟାସସାଧ୍ୟ ଜୈବିକ ତଥା ଦୈହିକ ପ୍ରକ୍ରିୟା ହୋଇଥାଏ, ଯାହାର ସମ୍ପୂର୍ଣ୍ଣ ଭାର ସମ୍ପୃକ୍ତା ନାରୀକୁ ବହନ କରିବାକୁ ପଡ଼ିଥାଏ। ଅନେକ ସମୟରେ ଏହା ମଧ୍ୟ ତା’ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ।

ସନ୍ତାନ ସୃଷ୍ଟିରେ ନାରୀ ଓ ପୁରୁଷ ମଧ୍ୟରେ ପ୍ରକୃତି ଯେଉଁଭଳି ଦାୟିତ୍ବ ବଣ୍ଟନ କରିଛି, ତାହା ନାରୀ ବିରୋଧରେ ସ୍ପଷ୍ଟ ରୂପେ ପକ୍ଷପାତିତାମୂଳକ ହୋଇଥାଏ। ତେଣୁ ନାରୀ ତା’ର ପ୍ରକୃତିଦତ୍ତ ସମ୍ପଦ ଡିମ୍ବାଣୁକୁ ସନ୍ତାନରେ ରୂପାନ୍ତରିତ କରିବ କି ନାହିଁ, ସେ ନିଷ୍ପତ୍ତି ନେବାର ଅଧିକାର ହେଉଛି ସମ୍ପୂର୍ଣ୍ଣ ରୂପେ ନାରୀର, ଏହା ପ୍ରାକୃତିକ ନ୍ୟାୟରେ ବିଶ୍ବାସ କରୁଥିବା ଯେ କେହି ସ୍ବୀକାର କରିବେ। ଯେହେତୁ ପୁରୁଷର ଏହି ପ୍ରାକୃତିକ ପ୍ରକ୍ରିୟାରେ ଅବଦାନ କେବଳ ସମ୍ଭୋଗରେ ସୀମିତ ଥାଏ, ଏହି ନିଷ୍ପତ୍ତି ନେବାରେ ତା’ର କୌଣସି ଅଧିକାର ରହିବା ନ୍ୟାୟସମ୍ମତ ନୁହେଁ। ଯଦି ପୁରୁଷ ଏହି ନିଷ୍ପତ୍ତିରେ ଭାଗୀଦାର ହେବାକୁ ଚାହେ, ତେବେ ତାକୁ ସମ୍ପୃକ୍ତା ନାରୀର ଗର୍ଭଧାରଣ ଠାରୁ ଆରମ୍ଭ କରି ସନ୍ତାନ ଜନ୍ମ, ଲାଳନପାଳନ ଆଦି ପର୍ଯ୍ୟନ୍ତରେ ସମ୍ପୂର୍ଣ୍ଣ ସହାୟତା ଯୋଗାଇବାକୁ ହେବ।
ସୁପ୍ରିମ୍‌କୋର୍ଟ‌୍ରେ ଶୁଣାଣି ଚାଲିଥିବା ଉପରୋକ୍ତ ଅପିଲ୍‌ରେ ସମ୍ପୃକ୍ତା ଯୁବତୀଙ୍କର ପୁରୁଷ ବନ୍ଧୁ ଜଣକ ତାଙ୍କୁ ଅନ୍ତଃସତ୍ତ୍ବା କରିଦେବା ପରେ ନିଜର ଏହି ଦାୟିତ୍ବ ପାଳନ ନକରି ଯୁବତୀଙ୍କୁ ଧୋକା ଦେଇ ପଳାୟନ କରିଛନ୍ତି।

ଅସହାୟା ଯୁବତୀ ଜଣକ ପଳାତକର ସନ୍ତାନକୁ ଭୂମିଷ୍ଠ କରିବା ପରିବର୍ତ୍ତେ ଗର୍ଭପାତ ଘଟାଇବାକୁ ଚାହୁଛନ୍ତି। ସେ କିନ୍ତୁ ଏଥିରେ ଏକ ଆଇନଗତ ପ୍ରତିବନ୍ଧର ସମ୍ମୁଖୀନ ହୋଇଛନ୍ତି: ସେ ଗର୍ଭବତୀ ହେବାର ୨୪ ସପ୍ତାହ ହୋଇଯାଇଥିବାରୁ ଓ ଅବିବାହିତା ହୋଇଥିବାରୁ ତାଙ୍କ ପାଇଁ ଗର୍ଭପାତ ନିଷିଦ୍ଧ। ପ୍ରଚଳିତ ଆଇନ ଅସୁନାରେ ଗର୍ଭଧାରଣର ୨୦ ସପ୍ତାହ ପର୍ଯ୍ୟନ୍ତ ଉଭୟ ବିବାହିତା ଓ ଅବିବାହିତା ନାରୀ ଗର୍ଭପାତ ପାଇଁ ସମାନ ଅଧିକାର ପାଇଥାନ୍ତି, କିନ୍ତୁ ୨୦ ସପ୍ତାହରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବା ବିବାହିତାମାନଙ୍କ ପାଇଁ ସମ୍ଭବ ହୋଇପାରୁଥିବା ବେଳେ ଅବିବାହିତାମାନଙ୍କ ପାଇଁ ତାହା ସମ୍ଭବ ହୋଇ ନଥାଏ। କାରଣ, ଆଇନରେ ଯେଉଁ ସାତ ଶ୍ରେଣୀର ଅତ୍ୟନ୍ତ ବିପଦଗ୍ରସ୍ତ ନାରୀମାନଙ୍କ ପାଇଁ ୨୦-୨୪ ସପ୍ତାହ ମଧ୍ୟରେ ବିଳମ୍ବିତ ତଥା ଅପେକ୍ଷାକୃତ ବିପଜ୍ଜନକ ଗର୍ଭପାତ ଉପଲବ୍‌ଧ ଅଛି, ସେମାନଙ୍କ ମଧ୍ୟରେ ଅବିବାହିତା ନାରୀମାନେ ଅନ୍ତର୍ଭୁକ୍ତ ନୁହଁନ୍ତି। ଦିଲ୍ଲୀ ହାଇକୋର୍ଟ ଏହି କାରଣରୁ ଅବେଦନକାରିଣୀଙ୍କ ପ୍ରାର୍ଥନା ନାମଂଜୁର କରି ଦେଇଥିଲେ।

ଶୁକ୍ରବାର ଦିନ ହୋଇଥିବା ଶୁଣାଣି ସମୟରେ କିନ୍ତୁ ସୁପ୍ରିମ୍‌କୋର୍ଟ ବେଞ୍ଚ୍‌ର ମାନ୍ୟବର ବିରାଚପତିମାନେ ଆଇନରେ ଥିବା ଏହି ଅବାଞ୍ଛନୀୟ ଅସ˚ଗତି ସମ୍ବନ୍ଧରେ ଟିପ୍ପଣୀ କରି ଏହାକୁ କିଭଳି ଦୂର କରାଯାଇ ଆବେଦନକାରିଣୀଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କରାଯାଇ ପାରିବ, ସେ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ। ଏହା ମଧ୍ୟ ସମ୍ପୂର୍ଣ୍ଣ ଯୁକ୍ତିସମ୍ମତ। ପ୍ରଥମ କଥା ହେଲା, ୨୦-୨୪ ସପ୍ତାହ ମଧ୍ୟରେ ଗର୍ଭପାତ ଯଦି ଗର୍ଭବତୀଙ୍କ ପାଇଁ ବିପଜ୍ଜନକ ହୋଇଥାଏ, ତେବେ ତାହା ଉଭୟ ବିବାହିତା ଓ ଅବିବାହିତା ଗର୍ଭବତୀମାନଙ୍କ ପାଇଁ ସମାନ ଭାବରେ ବିପଜ୍ଜନକ ହେବ- ସ୍ବାସ୍ଥ୍ୟଗତ ବିପଦର ବିବାହ ସହିତ କୌଣସି ସମ୍ପର୍କ ନାହିଁ। ଦ୍ବିତୀୟରେ ଆଇନରେ ‘ସ୍ବାମୀ’ (‘ହଜ୍‌ବ୍ୟାଣ୍ତ୍‌’) ଉଲ୍ଲେଖ ହୋଇ ନାହିଁ, ଉଲ୍ଲେଖ ହୋଇଛି ‘ସହଚର’ (‘ପାର୍ଟନର’)। ଅଦାଲତ ପ୍ରଦାନ କରିଥିବା ମନ୍ତବ୍ୟ ଅନୁସାରେ, ଏହି ଶବ୍ଦ ବ୍ୟବହାରରୁ ଆଇନପ୍ରଣୟନକାରୀ ସ˚ସଦର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥାଏ: ଆଇନ ଉଭୟ ବିବାହିତା ଓ ଅବିବାହିତା ଗର୍ଭବତୀଙ୍କର ମଙ୍ଗଳ ସାଧନ ପାଇଁ ଉଦ୍ଦିଷ୍ଟ।

ତୃତୀୟରେ, ଉପରୋକ୍ତ ସାତ ସର୍ତ୍ତ ସମ୍ବଳିତ ତାଲିକା ଅନୁସାରେ କୌଣସି ଗର୍ଭନିରୋଧକ ପଦ୍ଧତିର ବିଫଳତା ଯୋଗୁଁ ଗର୍ଭସଞ୍ଚାର ଘଟିବା ଉଭୟ ବିବାହିତା ଓ ଅବିବାହିତାଙ୍କ ପ୍ରତି ପ୍ରଯୁଜ୍ୟ; ଗର୍ଭସଞ୍ଚାର ପରେ ପତି ବିୟୋଗ କିମ୍ବା ବିବାହ ବିଚ୍ଛେଦ ବିବାହିତାଙ୍କୁ ଯଦି ଗର୍ଭପାତ ପାଇଁ ବାଧ୍ୟ କରିଥାଏ, ଉପସ୍ଥିତ ମାମଲାରେ ଆବେଦନକାରିଣୀ ସମ୍ମୁଖୀନ ହୋଇଥିବା ପାର୍ଟନର ପଳାୟନ ମଧ୍ୟ ତାଙ୍କୁ ଅନୁରୂପ ଭାବେ ମାନସିକ ଯନ୍ତ୍ରଣା ପ୍ରଦାନ କରି ଗର୍ଭପାତ ପାଇଁ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। ଆଶା, ମାନ୍ୟବର ସର୍ବୋଚ୍ଚ ଅଦାଲତ ତାଙ୍କୁ ଆଇନର ପରିସରଭୁକ୍ତ କରି ସେଥିପାଇଁ ଅନୁମତି ପ୍ରଦାନ କରି ଆବେଦନକାରିଣୀଙ୍କ ପାଇଁ ପ୍ରାକୃତିକ ନ୍ୟାୟ ନିଶ୍ଚିତ କରିବେ।

ସମ୍ବନ୍ଧିତ ଖବର