ଜଣେ ଚୋର ପହଞ୍ଚିଲା ଗୌତମ ବୁଦ୍ଧଙ୍କ ପାଖରେ ଏବଂ କହିଲା- ମହାଭାଗ, ମୁଁ ଗୋଟିଏ ଚୋର। ପିଲାଟି ଦିନରୁ ଚୋରି କରି ଆସୁଛି। ଏହା ମୋର ରକ୍ତଗତ ହୋଇଯାଇଛି। ସେଥିଲାଗି କେତେ ଅପମାନ ସହିଲିଣି। ମାଡ଼ ଖାଇଲିଣି। ଅନେକ ଥର ନିଷ୍ପତ୍ତି ନେଲିଣି ଯେ ଏଣିକି ଚୋରି କରିବି ନାହିଁ। କିନ୍ତୁ କିଛି ଦିନ ପରେ ଯେଉଁ କଥାକୁ ସେଇ କଥା। ତେଣୁ ଆପଣ ମୋେତ ବାଟ ଦେଖାନ୍ତୁ। ମୁଁ ଚୋରି କରିବାକୁ ଚାହେଁନାହିଁ।
ଗୌତମ ବୁଦ୍ଧ କହିଲେ- ବେଶ୍ ଯଦି ଚୋରି କରିବାରୁ ନିଜକୁ ରୋକି ପାରୁନାହଁ, ମୁଁ ତୁମକୁ କେବେ ହେଲେ ଚୋରି କରିବାକୁ ମନା କରିବି ନାହିଁ। େଚାରି କରିପାର। କିନ୍ତୁ ମୋତେ କଥା ଦିଅ ଯେ ମୁଁ ଆଉ ଯାହା କହିବି ତାକୁ ଯେମିତି ହେଲେ ମାନିବ।
ଚୋରଟି ବିସ୍ମିତ ହେଲା, କିନ୍ତୁ ବୁଦ୍ଧଙ୍କ କଥା ମାନିବ ବୋଲି ପ୍ରତିଜ୍ଞା କଲା।
ବୁଦ୍ଧ କହିଲେ-ସରଳ କାମଟିଏ କର। ସଦାବେଳେ ସତ କହିବ।
ଚୋର କହିଲା- ତାହା ହେଲେ କ’ଣ ହେବ? ମୋ ଚୋରି ଅଭ୍ୟାସ କ’ଣ ତୁଟିବ?
ବୁଦ୍ଧ କହିଲେ- ଦେଖ କ’ଣ ହେଉଛି।
ଚୋର ସତ କହିବ ବୋଲି ପ୍ରତିଜ୍ଞା କରିଥିଲା ସତ ହେଲେ, ଦେଖିଲା ଯେ ସର୍ବଦା ସତ କହିଲେ ଚୋରି କରିବା ସମ୍ଭବ ହେଉନାହିଁ। ତାକୁ ମିଛ କହିବାକୁ ପଡୁଛି। ମିଛ କହୁଥିବାରୁ ସେ ଗଭୀର ଭାବେ ଅନୁତପ୍ତ ହେଉଥିଲା। ପୁଣି ସତ ସ୍ବୀକାର କରି ଚୋରି ଜିନିଷ ଫେରାଉଥିଲା ବା ଦଣ୍ଡ ମାଗୁଥିଲା। ଏମିତି କିଛି ଦିନ ଗଲା ପରେ ସେ ଦେଖିଲା ଯେ ସତ କହିବାକୁ ବଜାୟ ରଖିବା ଲାଗି ତା’ର ଚୋରି କରିବା କମି ଗଲାଣି। ଧୀରେ ଧୀରେ ହେଉ ପଛକେ ସେ ଚୋରି କରିବା ପୂରାପୂରି ଛାଡ଼ିଦେଲା। ସତ କହିବାର ଛୋଟ ନିୟମଟି ତାକୁ ସତ୍ ପଥର ଯାତ୍ରୀ କରିଦେଲା।