ଈଶପଙ୍କ କାହାଣୀରେ ଗୋଟିଏ ବିଲୁଆର କଥା ଅଛି, ଯିଏ ଅଙ୍ଗୁର କୋଳି ଖାଇବା ଲାଗି ବହୁତ ଡିଆଁଡେଇଁ କଲା ପରେ ଅଙ୍ଗୁର ପାଖରେ ପହଞ୍ଚି ନ ପାରି ସେ ସବୁ ନିତାନ୍ତ ଖଟା ଥିବ ବୋଲି କହି ସେଠାରୁ ଚାଲିଗଲା।
ଏହାର କାରଣ କ’ଣ? ଏହାର କାରଣ ବିଲୁଆ ନିଜ ଅହଂକାର ହେତୁ ଡେଇଁବାରେ ନିଜ ଅସାମର୍ଥ୍ୟକୁ ଘୋଡ଼ାଇ ଅଙ୍ଗୁର କୋଳି ଉପରେ ଦୋଷ ଲଦି ତାହା ଖାଇବା ଯୋଗ୍ୟ ନୁହେଁ ବୋଲି ସିଦ୍ଧାନ୍ତରେ ପହଞ୍ଚିଲା।
ଏବେ ଏହାର ଦ୍ବିତୀୟ ଭାଗ। ଈଶପ୍ଙ୍କ ଏହି ଗପଟିକୁ ଜାଣିଲା ଆଉ ଗୋଟିଏ ବିଲୁଆ। ସେ ଏବେ ଡେଇଁବାର ଅଭ୍ୟାସ କଲା ଏବଂ ଭଲ ଖାଦ୍ୟ ଖାଇ ନିଜକୁ ହୃଷ୍ଟପୁଷ୍ଟ କରି ବଳ ବଢ଼ାଇଲା। ଯେତେବେଳେ ସେ ଜାଣିଲା ଯେ ଏବେ ସେ ଅଙ୍ଗୁର ପେନ୍ଥା ତୋଳି ପାରିବ, ସେ ଯାଇ ସେଠାରେ ପହଞ୍ଚିଲା ଏବଂ ଗୋଟିଏ ଖେପାରେ ଅଙ୍ଗୁର ପେନ୍ଥା ଛିଣ୍ଡାଇ ଆଣିଲା। ଦର୍ପର ସହିତ ଚାରି ଆଡ଼କୁ ଚାହିଁ ସେ ଏବେ ଅଙ୍ଗୁର କୋଳି ଖାଇଲା। କିନ୍ତୁ, ହାୟ, ସତକୁ ସତ ସେ ସବୁ ଥିଲା ଅତ୍ୟନ୍ତ ଖଟା। କିନ୍ତୁ ମନ କଥା ମନରେ ରଖି ସେ ସବୁ ବିଲୁଆଙ୍କୁ ଯାଇ କହିଲା- ଚମତ୍କାର ମିଠା ଅଙ୍ଗୁର ଖାଇଲି।
ଏହାର କାରଣ କ’ଣ? ଏହାର କାରଣ ମଧ୍ୟ ସେଇ ସମାନ। ଏଇ ବିଲୁଆ ମଧ୍ୟ ତାର ଅହଂକାର କାରଣରୁ ନିଜ ବିଜୟକୁ ଏଭଳି ଖଟା ଅଙ୍ଗୁର ସହିତ ଖଟା କରିବାକୁ ଚାହିଁଲା ନାହିଁ।