ବିଶ୍ବ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୨୦ରେ କୋଭିଡ୍-୧୯ ମହାମାରୀ କାରଣରୁ ପୃଥିବୀରେ ଦାରିଦ୍ର୍ୟ ମଧ୍ୟକୁ ନିକ୍ଷେପିତ ହୋଇଥିବା ସମୁଦାୟ ଜନସଂଖ୍ୟା ହେଉଛି ୭ କୋଟି। ଏହି ଅଧ୍ୟୟନର ସବୁଠାରୁ ଉଦ୍ବେଗଜନକ ଦିଗ ହେଲା ଉକ୍ତ ୭ କୋଟି ନୂତନ ଦରିଦ୍ରଙ୍କ ମଧ୍ୟରୁ ପାଖାପାଖି ୮୦% ହେଉଛନ୍ତି ଭାରତୀୟ। ଅର୍ଥାତ୍ ସେହି ବର୍ଷ ଅର୍ଥନୈତିକ କ୍ଷତି କାରଣରୁ ଭାରତରେ ୨.୩ କୋଟିରୁ ୫.୬ କୋଟି ଲୋକ ଦରିଦ୍ର ହୋଇଯାଇଥିଲେ। ସେହିପରି ବିଶ୍ବବ୍ୟାପୀ ଉତ୍କଟ ଦାରିଦ୍ର୍ୟ ହାର ୨୦୧୯ରେ ୮.୪% ହୋଇଥିବା ବେଳେ ୨୦୨୦ରେ ତାହା ବୃଦ୍ଧି ପାଇ ୯.୩%ରେ ପହଞ୍ଚିଛି।
ଏହାର ଫଳସ୍ବରୂପ ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର୍ୟ ନିରାକରଣ ଯୋଜନାମାନଙ୍କ ଦ୍ବାରା ହୋଇଆସୁଥିବା ଉନ୍ନତିରେ ଭଟ୍ଟା ପଡ଼ିଛି। ବିଶ୍ବ ସ୍ତରରେ ୧୯୯୮ ପରେ ଓ ଭାରତରେ ୨୦୧୧ ପରେ ପ୍ରଥମ ଥର ଦାରିଦ୍ର୍ୟ ବୃଦ୍ଧି ପାଇଛି। ବିଶ୍ବ ବ୍ୟାଙ୍କର ‘ପଭର୍ଟି ଆଣ୍ଡ ସେୟାର୍ଡ ପ୍ରସ୍ପେରିଟି ୨୦୨୨: କରେକ୍ଟିଂ ଦି କୋର୍ସ’ ରିପୋର୍ଟରେ କୋଭିଡ୍-୧୯ ମହାମାରୀ ବିଶ୍ବ ସ୍ତରରେ ଦାରିଦ୍ର୍ୟ ଦୂରୀକରଣକୁ ଏକ ବିରାଟ ଆଘାତ ପହଞ୍ଚାଇଥିବା ସ୍ପଷ୍ଟ ହୋଇଯାଇଛି। ଭାରତର ବିଶାଳ ଜନସଂଖ୍ୟା କାରଣରୁ ବିଶ୍ବ ଦାରିଦ୍ର୍ୟକୁ ଏହାର ଅବଦାନ ଅଧିକ। ୨୦୧୧ରୁ ଭାରତ ସରକାର ଦାରିଦ୍ର୍ୟ ସମ୍ପର୍କିତ ତଥ୍ୟ ପ୍ରକାଶ ବନ୍ଦ କରିଦେଇଥିବାରୁ ବିଶ୍ବ ଦାରିଦ୍ର୍ୟ ସ୍ଥିତି ଆକଳନରେ ସମସ୍ୟା ହୋଇଥିବା ବିଶ୍ବ ବ୍ୟାଙ୍କ ପ୍ରକାଶ କରିଛି।
ତେଣୁ ଅନ୍ୟାନ୍ୟ ତଥ୍ୟ ଆଧାରରେ ଭାରତରେ ଦାରିଦ୍ର୍ୟ ସ୍ଥିତି ଆକଳନ କରାଯାଇଛି। ଅପର ପକ୍ଷେ ୨୦୨୨ ସୁଦ୍ଧା ବିଶ୍ବରେ ଅନ୍ୟୂନ ୬୬.୭ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଅନୁମାନ କରାଯାଇଛି। କୋଭିଡ୍-୧୯ ମହାମାରୀ ଓ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପ୍ରଭାବ ବିନା ୭ କୋଟ କମ୍ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଥାଆନ୍ତେ। ମହାମାରୀ ଓ ଯୁଦ୍ଧ ପ୍ରଭାବ ଯୋଗୁଁ ୨୦୨୨ରେ ମାତ୍ର ୫୦ ଲକ୍ଷ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇପାରିବେ ବୋଲି ଏହି ରିପୋର୍ଟରେ କୁହାଯାଇଛି।